ବିହାରରେ ଜେଡ଼ିୟୁକୁ ବିଜେପିର ଚେତାବନୀ – ‘ସୀମା ଭିତରେ ରୁହ, ନହେଲେ..’
ପାଟନା
ଜାନୁୟାରୀ ୧୭
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦିଗ୍ଗଜ ନାଟ୍ୟକାର ଦୟା ପ୍ରକାଶ ସିହ୍ନାଙ୍କୁ ନେଇ ବିହାରରେ ବିଜେପି-ଜେଡ଼ିୟୁ ମେଂଟରେ ଫାଟ ସୃଷ୍ଟି ହୋଇଛି । ନାଟ୍ୟକାର ସିହ୍ନା ସମ୍ରାଟ ଆଶୋକଙ୍କୁ ମୋଗଲ ସମ୍ରାଟ ଆଉରଂଗଜେବଙ୍କ ସହ ତୁଳନା କରିଥିବା ଘଟଣାକୁ ନେଇ ଜେଡ଼ିୟୁ ତାଙ୍କୁ ମିଳି ଥିବା ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରାଯିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିବା ଫଳରେ ବିବାଦର ସୂତ୍ରପାତ ହୋଇଥିବା ଜଣାପଡିଛି । ଜେଡ଼ିୟୁ ରାଷ୍ଟ୍ରୀୟ ସଭାପତି ରାଜୀବ ରଂଜନ ଓ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିଠି ଲେଖି ଏହି ଦାବି ରଖିଛନ୍ତି । ରାଜ୍ୟ ବିଜେପି ମୁଖ୍ୟ ସଂଜୟ ଜୟସ୍ୱାଲ ଜେଡ଼ିୟୁ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କୁ ଟ୍ୟାଗ୍ କରିଥିବା ଘଟଣାରେ ଏତେଦୂର କ୍ଷୁବ୍ଧ ଯେ ଏକ ଲମ୍ବା ଫେସ୍ ବୁକ୍ ପୋଷ୍ଟ୍ ଲେଖି ଜେଡ଼ିୟୁ ନେତାଙ୍କୁ ନିଜ ସୀମା ଭିତରେ ରହିବାକୁ ଚେତାବନୀ ଦେଇଛନ୍ତି । ତାହା ନହେଲେ ବିହାରର ୭୬ ଲକ୍ଷ ବିଜେପି କର୍ମୀ ଜେଡ଼ିୟୁକୁ ଉଚିତ ଜବାବ ଦେବେ ବୋଲି ସେ କହିଥିବା ଜଣାପଡିଛି । ଉଲ୍ଲେଖନୀୟ ଯେ, ନାଟ୍ୟକାର ସିହ୍ନାଙ୍କ ବିରୋଧରେ ବିଜେପି ନେତା ଜୟସ୍ୱାଲ ପୁଲିସରେ ଏତଲା ଦେଇଛନ୍ତି । ଜେଡ଼ିୟୁ ନେତାମାନେ ସିହ୍ନାଙ୍କ ଗିରଫ ପାଇଁ ଦାବି କରିବା ବଦଳରେ ତାଙ୍କୁ ଦିଆଯାଇଥିବା ପଦ୍ମଶ୍ରୀ ସମ୍ମାନ ଫେରାଇ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିବା କଥାରେ ଜୟସ୍ୱାଲ କ୍ଷୁବ୍ଧ ଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟ୍ୱିଟର୍-ଟ୍ୱିଟର୍ ଖେଳ ଚଳିବ ନାହିଁ ବୋଲି ଜୟସ୍ୱାଲ୍ ଚେତାଇ ଦେବା ସହ ତାଙ୍କୁ ଟ୍ୟାଗ୍ କରାଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରାଯିବା ଏବଂ ସିହ୍ନାଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାହାର କରାଯିବାକୁ ଦାବି କରାଯିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ମେଂଟ ଅଂଶୀଦାରମାନେ ସେମାନଙ୍କ ଭିତରେ ଯଦି କିଛି ମତପାର୍ଥକ୍ୟ ଅଛି ଏକାଠି ବସି ନିଜ ଆଲୋଚନା ମାଧ୍ୟମରେ ତାହାର ସମାଧାନ କରିବାକୁ ସେ ପରାମର୍ଶ ଦେବା ସହ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରାଜ୍ୟର ବିଜେପି କର୍ମୀମାନେ ତାହାର ଉଚିତ ଜବାବ ଦେବ ବୋଲି ଚେତାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପୁଣି ଥରେ ୨୦୦୫ ପୂର୍ବର ହତ୍ୟା, ଅପହରଣ ଓ ଜବରଦସ୍ତ ଆଦାୟର କେନ୍ଦ୍ରସ୍ଥଳ ହେବା ଆମେ ଚାହୁଁ ନାହୁଁ ବୋଲି ସେ ରୋକଠୋକ୍ କହିଛନ୍ତି । ତେବେ, ଜେଡ଼ିୟୁ ନେତା କୁଶୱାହ ଏଥିରେ ବିଚଳିତ ନହୋଇ ନାଟ୍ୟକାର ସିହ୍ନାଙ୍କ ନିକଟରୁ ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାହାର ପର୍ଯ୍ୟନ୍ତ ପଛକୁ ହଟିବ ନାହିଁ ବିଜେପିକୁ ଚେତାଇ ଦେଇଥିବା ଜଣାପଡିଛି । ରାଜ୍ୟ ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ଜେଡ଼ିୟୁଠାରୁ ଯଥେଷ୍ଟ ଅଧିକ ଥିଲେ ମଧ୍ୟ ଜେଡ଼ିୟୁ ନେତା ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ମେଂଟରେ ଶାସନ କରୁଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS