ରାଜଧାନୀରେ ମାଗଣା ଲିଫ୍ଟ୍ ଦେଇ ଲୁଟୁ ଥିବା ଗ୍ୟାଙ୍ଗ ପ୍ରତି ସାବଧାନ କଲା ପୁଲିସ
ଭୁବନେଶ୍ୱର
ଫେବୃୟାରୀ ୦୫
ରାଜଧାନୀରେ ମାଗଣାରେ ଲିଫ୍ଟ୍ ଦେବା ବାହାନାରେ ଲୁଟୁ ଥିବା ଗ୍ୟାଙ୍ଗ୍ ସକ୍ରୀୟ ଥିବାରୁ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀ ଜନସାଧାରଣ ଏଥିପ୍ରତି ସାବଧାନ ରହିବାକୁ କମିସନରେଟ୍ ପୁଲିସ ପକ୍ଷରୁ ନିବଦେନ କରାଯାିଛି । ଗଲା ତିନି ଦିନ ମଧ୍ୟରେ ରାଜଧାନୀରେ ଏଭଳି ଦୁଇଟି ଘଟଣା ଘଟି ଥିବା ଭୁବନେଶ୍ୱର ଡ଼ିସିପି ଉମାଶଙ୍କର ଦାସ ସୂଚନା ଦେବା ସହ ଦ୍ୱୈତ ନଗରୀ ବାସିନ୍ଦାଙ୍କୁ ଏଭଳି ସଚେନତ କରାଇଛନ୍ତି । ଏହି ଗ୍ୟାଙ୍ଗ୍ ମଗଣାରେ ଲିଫ୍ଟ୍ ଦେବାକୁ ପ୍ରଲୋଭିତ କରି ଗାଡ଼ିରେ ବସାଇବା ପରେ ନିଶା ମିଶ୍ରିତ ଖାଦ୍ୟ ଓ ମୃଦୁ ପାନୀୟ ଦେଇ ଅଚେତ କରି ଲୁଟ୍ କରୁଥିବା ବାଣୀବିହାର ଓ ଆଚାର୍ଯ୍ୟ ବିହାର ବସଷ୍ଟାଣ୍ଡ୍ ଅଂଚଳରେ ଘଟି ଥିବା ଦୁଇଟି ଘଟଣାରୁ ସ୍ପଷ୍ଟ ହୋଇଛି । ଭୁବନେଶ୍ୱର ସହିଦ ନଗର ଥାନା ପୁଲିସ ଅଭିଯୋଗ ପାଇବା ପରେ ଏହାର ତଦନ୍ତ କରୁଛି । ଏହି ଗ୍ୟାଙ୍ଗ୍ ବସଷ୍ଟାଣ୍ଡ୍ ଓ ରେଳ ଷ୍ଟେସନରେ ସକ୍ରୀୟ ରହୁଛନ୍ତି ଏବଂ ଦୂରଦୂରାନ୍ତକୁ ଯିବାକୁ ଥିବା ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ବସ୍ ଓ ରେଳ ଯୋଗେ ଆସି ରାଜଧାନୀରେ ପହଂଚୁ ଥିବା ଓ ଏଠାରୁ ରାଜ୍ୟର ବିଭିନ୍ନ ଅଂଚଳକୁ ଯିବାକୁ ବସ୍ କୁ ଅପେକ୍ଷା କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ସେମାନଙ୍କ ଗାଡ଼ିରେ ମାଗଣାରେ ଲିଫ୍ଟ୍ ଦେବାକୁ ପ୍ରଲୋଭିତ କରୁଛନ୍ତି । ଥରେ ସେମାନଙ୍କ ଜାଲରେ ଫସିଲେ ବାଟରେ ନିଶା ମିଶ୍ରିତ ଖାଦ୍ୟ ବା ପାନୀୟ ଦେଇ ଅଚେତ କରିବା ପରେ ସମସ୍ତ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ଲୁଟି ନେଉଛନ୍ତି । ଗଲା ୧ ତାରିଖ ଦିନ କେନ୍ଦ୍ରପଡ଼ା ଜିଲ୍ଲା ଓଳାଭର ଗ୍ରାମର ବୀରେନ କୁମାର ପରିଡ଼ା ଏଭଳି ଶଠତାର ଶିକାର ହୋଇଥିବା ସହିଦ ନଗର ଥାନାରେ ଏତଲା ହୋଇଛି । ସେ ବେଂଗାଲୁରୁରୁ ଫେରି ଗାଁକୁ ଯିବାକୁ ଭୁବନେଶ୍ୱର ସତସଂଗ ବିହାର ବସଷ୍ଟପ୍ ରେ ଅପେକ୍ଷା କରି ଥିବା ବେଳେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ନିଜ ଗାଡିରେ ମାଗଣାରେ ଗାଁରେ ପହଂଚାଇବାକୁ ପ୍ରଲୋଭିତ କରି ଗାଡ଼ିରେ ବସାଇ ଥିଲେ । ବାଟରେ ନିଶା ମିଶ୍ରିତ ମୃଦୁ ପାନୀୟ ପିଆଇ ଅଚେତ କରିବା ପରେ ପରିଡ଼ାଙ୍କ ନିକଟରୁ ୭୫ ହଜାର ଟଙ୍କା ଓ ଅନ୍ୟ ମୂଲ୍ୟବାନ ଦ୍ରବ୍ୟ ଲୁଟି ନେଇଥିଲେ । ଅଚେତ ପରିଡ଼ାଙ୍କୁ ସେମାନେ କଟକ ଜିଲ୍ଲା ଛତିଆ ନିକଟରେ ଫିଙ୍ଗି ଦେଇ ପଳାଇ ଥିଲେ ବୋଲି ଏତଲାରେ ଦର୍ଶାଯାଇଛି । ଦ୍ୱିତୀୟ ଘଟଣାଟି ମଧ୍ୟ ଏକା ଧରଣର । ତେଣୁ, ମାଗଣାରେ ଲିଫ୍ଟ୍ ଦେବାକୁ କହୁଥିବା ଏବଂ ଖାଦ୍ୟ ପଦାର୍ଥ ଯାଚୁଥିବା ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସକୁ ନ ନେବାକୁ ଡ଼ିସିପି ଦାସ ପରାମର୍ଶ ଦେଇଛନ୍ତି । ସେହିଭଳି, ରାଜଧାନୀର ବିଭିନ୍ନ ପାର୍କିଂଲଟ୍ ରୁ ଗାଡ଼ିରୁ ଲୁଟ୍ ଘଟଣା ବଢୁଥିବା ଦୃଷ୍ଟିରୁ ଜନସାଧାରଣ ପାର୍କିଂରେ ଗାଡ଼ି ରଖିବା ସମୟରେ ଗାଡ଼ି ଭିତରେ କୌଣସି ମୂଲ୍ୟବାନ ଜିନିଷ ଛାଡି ନ ଯିବାକୁ ସେ ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS