ବଗତୁଇ ଗଣହତ୍ୟାର ତଦନ୍ତ କରିବ ସିବିଆଇ
ପ୍ରସାଦ ରାଓ
ମାର୍ଚ୍ଚ ୨୫
ପଶ୍ଚିମ ବଂଗ ବୀରଭୂମ ଜିଲ୍ଲା ରାମପୁରହାଟ୍ ସହର ନିକଟସ୍ଥ ବଗତୁଇ ଗ୍ରାମରେ ମଂଗଳବାର ଘଟିଥିବା ଗଣହତ୍ୟାର ତଦନ୍ତ କରିବ ସିବିଆଇ । କୋଲକତା ହାଇକୋର୍ଟ ଆଜି ଏହି ନିର୍ଦେଶ ଦେଇଛନ୍ତି । ମାମଲା ସିବିଆଇକୁ ହସ୍ତାନ୍ତର ନ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଇକୋଟରେ ନିବେଦନ କରିଥିଲେ ମଧ୍ୟ ହାଇକୋର୍ଟ ତାହାକୁ ପ୍ରତ୍ୟାଖାନ କରି ମାମଲା ସିବିଆଇ ହାତରେ ସମର୍ପି ଦେଇଛନ୍ତି । ସୋମବାର ସନ୍ଧ୍ୟାରେ ଟିଏମସିର ଜଣେ ପଂଚାୟତସ୍ତର ନେତାଙ୍କୁ ବୋମା ଫିଙ୍ଗି ହତ୍ୟା କରାଯିବା ପରେ ମଂଗଳବାର ବଗତୁଇ ଗ୍ରାମରେ ଛାତି ଥରାଇଲା ଭଳି ହିଂସା ଘଟି ଥିଲା । ଦୁର୍ବୁତ୍ତମାନେ ସୋମବାର ହତ୍ୟାର ପ୍ରତିକ୍ରିୟା କିଛି ଲୋକଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଘରେ ନିଆଁ ଲଗାଇ ସ୍ୱରୂପ ଆଠ ଜଣଙ୍କୁ ଜୀବନ୍ତ ପୋଡି ଦେଇଛନ୍ତି । ମୃତ ଆଠ ଜଣ ହେଉଛନ୍ତି ମହିଳା ଓ ଶିଶୁ । ପଶ୍ଚିମ ବଂଗ ସରକାର ପୁଲିସର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରି ମଂଗଳବାର ଘଟଣାର ତଦନ୍ତ କରୁଥିଲେ । ତେବେ, ରାଜ୍ୟ ପୁଲିସ ଉପରେ ଭରସା ନଥିବା ଦର୍ଶାଇ ବିଜେପି ଏହି ଘଟରାର ସିବିଆଇ ତଦନ୍ତ ଦାବି କରୁଥିଲା । କୋଲକାତା ହାଇକୋର୍ଟରେ ମଧ୍ୟ ବୁଧବାର ଦିନ ଏନେଇ ଆବେଦନ ହୋଇଥିଲା । କୋଲକାତା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ ଓ ବିଚାରପତି ଜଷ୍ଟିସ ଆର.ଭରଦ୍ୱଜଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲା ସିବିଆଇକୁ ହସ୍ତାନ୍ତର କରିବା ସହ ଏପ୍ରିଲ ୭ ତାରିଖ ସୁଦ୍ଧା ତଦନ୍ତ ଅଗ୍ରଗତି ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ସେଂଟ୍ରାଲ ଫୋରେନ୍ସିକ ସାଇନ୍ସ ଲାବରୋଟୋରୀର ଏକ ବିଶେଷଜ୍ଞ ଦଳ ଘଟଣା ସ୍ଥଳରେ ପହଂଚି ନମୂନା ଓ ପ୍ରମାଣ ସଂଗ୍ରହରେ ଲାଗି ଥିବା ସୂଚନା ମିଳିଛି । ମଂଗଳବାରର ଏହି ଗଣହତ୍ୟାକୁ ନେଇ ଦୁଇ ଦିନ ହେଲା ବେଶ୍ ରାଜନୈତିକ ଝଡ଼ ଚାଲି ଥିଲା । ରାଜ୍ୟରେ ରାଜନୈତିକ ହିଂସା ଓ ହତ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ଅଭିଯୋଗ କରି ବିଜେପି ଘଟଣାର ସିବିଆଇ ତଦନ୍ତ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରାଯାଇ ରାଷ୍ଟ୍ରପତି ଶାସନ ଜାରି କରାଯିବାକୁ ଦାବି କରିଥିଲା । ବଗତୁଇ ଗ୍ରାମରେ ମଂଗଳବାର ଦିନ ଆଠ ଜଣଙ୍କୁ ଜୀବନ୍ତ ଜାଳି ଦିଆଯିବା ଘଟଣା ଅତ୍ୟନ୍ତ ଜଘଣ୍ୟ ଓ ହୃଦୟ ବିଦାରକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସନ୍ଧ୍ୟାରେ ମନ୍ତବ୍ୟ ଦେବା ସହ ରାଜ୍ୟ ସରକାର ଏଭଳି କାଣ୍ଡ ଘଟାଇ ଥିବା ଦୁର୍ବୁତ୍ତଙ୍କୁ ଚିହ୍ନଟ କରି କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ଆହ୍ୱାନ ଦେଇଥିଲେ । ଏକ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ବଗତୁଇ ଗ୍ରାମକୁ ଯାଇ ମୃତକଙ୍କ ପରିବାର, ସଂପର୍କୀୟ ଓ ଗ୍ରାମବାସୀଙ୍କୁ ଭେଟି କ୍ଷତିପୂରଣ ଦେବା ସହ ଘଟଣାଟି ‘ଛାତି ଥରାଇ ଦେଲା ଭଳି’ ବୋଲି ସ୍ୱୀକାର କରିଥିଲେ । ତେବେ, ଘଟଣା ପଛରେ ବଡ଼ ଧରଣର ଷଡଯନ୍ତ୍ର ଥିବା ଏବଂ ତାଙ୍କ ସରକାରକୁ ନିନ୍ଦିତ କରିବା ପାଇଁ ଷଡଯନ୍ତ୍ର ହୋଇଥିବା ଅଭିଯୋଗ କରିବାକୁ ପଛାଇ ନଥିଲେ । ଘଟଣା ସହ ଯିଏବି ସଂପୃକ୍ତ ଥାଆନ୍ତୁନା କାହିଁକି ସେମାନଙ୍କୁ ଚିହ୍ନଟ କରି କଠୋରତମ ଦଣ୍ଡ ଦିଆଯିବ ବୋଲି ମମତା ଘୋଷଣା କରିଥିଲେ । ମଂଗଳବାର ଘଟଣାରେ ଏସଆଇଟି ୨୧ ଜଣଙ୍କୁ ଗିରଫ କରିଛନ୍ତି । ସେଥିରେ ସୋମବାର ହତ୍ୟାର ଶିକାର ହୋଇଥିବା ଟିଏମସି ନେତାଙ୍କ ପୁଅମାନେ ମଧ୍ୟ ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଗୁରୁବାର ଦିନ ସଂସଦରେ ଉଦ୍ବେଗ ପ୍ରକାଶ କରାଯାଇଥିବା ବେଳେ ଶୁକ୍ରବାର ଦିନ ବିଜେପି ରାଜ୍ୟସଭା ସାଂସଦ ରୂପା ଗାଂଗୁଲି ଗୃହରେ ଏହି ବିଷୟ ଉଠାଇ କାନ୍ଦିବା ସହ ସଂସଦ ବାହାରେ ଗଣମାଧ୍ୟମକୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ଦାବି ଦୋହରାଇଛନ୍ତି । ସେ କହିଛନ୍ତି, ୨୦୨୧ ବିଧାନସଭା ନିର୍ବାଚନରେ ଟିଏମସିର ଲଗାତର ତୃତୀୟ ବିଜୟ ପରେ ରାଜନୈତିକ ହିଂସା ବଢିଛି । ରାଜ୍ୟରେ ବ୍ୟାପକ ଗଣହତ୍ୟା ଚାଲି ଥିବାରୁ ଜନସାଧାରଣ ଭୟଭିତ ଅବସ୍ଥାରେ ଘରଦ୍ୱାର ଛାଡି ପଳାଉଛନ୍ତି । ସାଧାରଣ ଜୀବନଯାତ୍ରା ଏକପ୍ରକାର ଅସମ୍ଭବ ହୋଇପଡିଛି । ମୁଖ୍ୟମନ୍ତ୍ରୀ ବାନାର୍ଜୀ ଅପରାଧୀଙ୍କୁ ଘଂଟ ଘୋଡାଉଛନ୍ତି ବୋଲି ମଧ୍ୟ ରୂପା ଗାଂଗୁଲି ଅଭିଯୋଗ କରିଛନ୍ତି । କେବଳ ରୂପା ନୁହନ୍ତି, ଅନ୍ୟ ବିଜେପି ନେତାମାନେ ମଧ୍ୟ ଏକାଭଳି ଦାବି କରିଛନ୍ତି । ଅପରପକ୍ଷରେ, ଟିଏମସିର ରାଜ୍ୟ ମୁଖପାତ୍ର କୁନାଲ ଘୋଷ ଗୁରୁବାର ଦିନ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଉପରେ ମତ ରଖି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ଦାବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଘୋଷ କହିଛନ୍ତି, ମଂଗଳବାର ଦିନ ବୀରଭୂମରେ ଯାହା ଘଟିଛି ନିନ୍ଦନୀୟ । ପ୍ରଧାନମନ୍ତ୍ରୀ ତାହାର ନିନ୍ଦା କରିଛନ୍ତି । ଟିଏମସି ମଧ୍ୟ ଘଟଣାର ନିନ୍ଦା କରୁଛି । ତେବେ, ବୀରଭୂମି ଘଟଣାକୁ ନେଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ଦାବି କରାଯିବାର କିଛି ଯଥାର୍ଥତା ନାହିଁ । ୟୁପି ସମତେ ବିଜେପି ଶାସିତ ରାଜ୍ୟରେ ଏଭଳି ଘଟଣା ଘଟିଲେ ପ୍ରଧାନମନ୍ତ୍ରୀ ପାଟି ଖୋଲୁ ନାହାନ୍ତି କାହିଁକି (?) ବୋଲି ଘୋଷ ପ୍ରଶ୍ନ କରିବା ସହ ହାତରସ ଓ ଉନ୍ନାଓ ଘଟଣାର ଉଦାହରଣ ଦେଇଛନ୍ତି । ବଗତୁଇ ଘଟଣାକୁ ନେଇ ଶାସକ ଟିଏମସି ଓ ବିଜେପି ମଧ୍ୟରେ ଆରୋପ, ପ୍ରତ୍ୟାରୋପ ଚାଲି ଥିବା ବେଳେ କୋଲକାତା ହାଇକୋର୍ଟ ବଗତୁଇ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବା ବେଶ୍ ଗୁରୁତ୍ୱ ରଖୁଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS