କେସିଆରଙ୍କୁ ଘେରିଲେ ମୋଦୀ, ଆଉ ମୋଦୀଙ୍କୁ …!
ପ୍ରସାଦ ରାଓ
ମେ’ ୨୬
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଇଦ୍ରାବାଦରେ ବିଜେପି କର୍ମୀଙ୍କୁ ଉଦ୍ବୋଧନ ସେଇ ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ‘ପରିବାରବାଦ ରାଜନୀତି’କୁ ଟାର୍ଗେଟ କରିଥିବା ବେଳେ ବେଂଗାଲୁରୁ ଗସ୍ତରେ ଥିବା ତେଲେଂଗାନା ମୁଖ୍ୟମନ୍ତ୍ରୀ ରାଓ ସେଠାରୁ ମୋଦୀଙ୍କୁ କଡା ଜବାବ ଦେଇଛନ୍ତି । ‘ତିନି ମାସ ଅପେକ୍ଷା କର, ଚମକପ୍ରଦ ଖବର ପାଇବ’ ବୋଲି ରାଓ ମୋଦୀଙ୍କୁ ଚେତାଇ ଦେଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ହାଇଦ୍ରାବାଦରେ କହିଛନ୍ତି, ପରିବାରବାଦ ରାଜନୀତି ଯୋଗୁଁ ଗୋଟିଏ ପରିବାରର ଉନ୍ନତି ହେଉଛି ସିନା ରାଜ୍ୟର ବା ଯୁବ ସମାଜର କିଛି ଉନ୍ନତି ହୋଇ ନାହିଁ କହିଛନ୍ତି । ଅଲଗା ରାଜ୍ୟ ଗଠନ ପାଇଁ ଯେଉଁ ଆନ୍ଦୋଳନ ହୋଇଥିଲା ତାହା ଗୋଟିଏ ପରିବାର ନିଜ ହାତରେ ସଂପୂର୍ଣ୍ଣ କ୍ଷମତାକୁ ମୁଠାଇ ଧରି ପାରୁପର୍ଯ୍ୟନ୍ତ ସଂପତ୍ତି ଠୁଳ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ରାଜ୍ୟ ବା ଜନସାଧାରଣ ବିକାଶ ପାଇଁ ନୁହେଁ । କେସିଆରଙ୍କ ପୁଅ, ଝିଅ ଓ ପୁତୁରା ରାଜ୍ୟରେ ମନ୍ତ୍ରୀ ରହିଛନ୍ତି । କେସିଆର ତାହାର ପ୍ରତ୍ୟୁତ୍ତରରେ କହିଛନ୍ତି, କିଛି ମାସ ଅପେକ୍ଷା କରନ୍ତୁ, ଜାତୀୟ ରାଜନୀତିରେ ଏକ ବଡ ପରିବର୍ତ୍ତନ ଦେଖିବେ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ସାମ୍ନା କରିବା ପାଇଁ ଏକ ବିରୋଧୀ ମେଂଟ ଗଠନ ପ୍ରୟାସରେ ଅଛନ୍ତି କେସିଆର । ଏହି କାର୍ଯ୍ୟ ସକାଶେ ସେ ବିଭିନ୍ନ ରାଜ୍ୟ ଗସ୍ତ କରି ବିରୋଧୀ ଦଳ ନେତୃବର୍ଗ ଏବଂ ଅଣ-ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟୁଛନ୍ତି । ଆଜି ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡ଼ି.ଦେବେଗୌଡା ଓ ତାଙ୍କ ପୁଅ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡ଼ି.କୁମାରସ୍ୱାମୀଙ୍କୁ ଭେଟିବା ସକାଶେ ବେଂଗାଲୁରୁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ହାଇଦ୍ରାବାଦ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପକୁ ‘ଭାଷଣବାଜୀ’ ବୋଲି ଦର୍ଶାଇ ମୋଦୀ ସରକାର ଦେଶକୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ସେସବୁ କେତେଦୂର କାର୍ଯ୍ୟକାରୀ ହୋଇଛି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ସେ ଆଜି ଦେବେଗୌଡା ଓ କୁମାରସ୍ୱାମୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଜାତୀୟସ୍ତରରେ ଯେଉଁ ରାଜନୈତିକ ପରିବତ୍ ର୍ତନ ହେବାକୁ ଯାଉଛି ତାହାକୁ କେହି ରୋକି ପାରିବ ନାହିଁ । ଦେଶ ବଦଳିବ । ସେ ତାଙ୍କ ଉଦ୍ୟମ ଜାରି ରଖିବେ ବୋଲି କେସିଆର କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପରିବାରବାଦ କଥା କହୁଥିବା ବେଳେ ଜୟ ଶାହା (କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପୁଅ) କିଏ ଓ ସେ କେମିତି ଭାରତୀୟ କ୍ରିକେଟର ନେତୃତ୍ ନେଉଛନ୍ତି (?) ବୋଲି ତେଲେଂଗାନାର ଶାସକ ‘ତେଲେଗାଂନା ରାଷ୍ଟ୍ରୀୟ ସମିତି’ (ଟିଆରଏସ) ମୁଖପାତ୍ର କ୍ରୀଶାଙ୍କ ମାନେ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପୁଅ କଥା ମଧ୍ୟ ଟିଆରଏସ ଉଠାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାଇଦ୍ରାବାଦ ଗସ୍ତ ସମୟରେ ତେଲେଂଗାନା ମୁଖ୍ୟମନ୍ତ୍ରୀ ରାଓ ମୋଦୀଙ୍କୁ ନ ଭେଟିବା ଏହା ହେଉଛି ଦ୍ୱିତୀୟ ଘଟଣା । ଗତ ଫେବୃୟାରୀ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ଅସୁସ୍ଥ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ରାଓ ତାଙ୍କୁ ଭେଟି ନଥିଲେ । ଆଜି ମୋଦୀ ହାଇଦ୍ରାବାଦ ଗସ୍ତରେ ଥିବା ସମୟରେ ରାଓ ବେଂଗାଲୁରୁର ଅଛନ୍ତି । ବିଜେପି ବିରୋଧରେ ଏକ ମିଳିତ ରାଜନୈତିକ ମେଂଟ ଗଠନ ପାଇଁ କେସିଆର ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କୁ ଭେଟିଛନ୍ତି । ଅତିଶୀଘ୍ର ସେ ପଶ୍ଚିମ ବଂଗ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରଖିଛନ୍ତି । ତାହାପରେ ବିହାର ଯିବେ ଏବଂ ସେଠାରେ ଉଭୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଭେଟି ଆଲୋଚନା କରିବେ ବୋଲି ଜଣାପଡିଛି । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏବଂ ବିଜେପି ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିରୋଧୀ ଭୋଟ ଉପରେ ନିର୍ଭରଶୀଳ ଥିବାରୁ କେସିଆର ବିରୋଧୀ ମେଂଟ ଉଦ୍ୟମକୁ ଜୋରଦାର କରିଥିବା କୁହାଯାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS