ଅଗ୍ନିପଥ ଯୋଜନା: ସବୁ ପିଆଇଏଲ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତରିତ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୧୯
ପ୍ରତିରକ୍ଷା ବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଯେଉଁ ନୂତନ ‘ଅଗ୍ନିପଥ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି ତାହାକୁ ଚ୍ୟାଲେଂଜ କରି ବିଚାରାଧୀନ ଥିବା ସମସ୍ତ ଜନସ୍ୱାର୍ଥ ମାମଲା (ପିଆଇଏଲ)କୁ ସୁପ୍ରିମ କୋର୍ଟ ଆଜି ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିଛନ୍ତି । ବିଚାରପତି ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏ.ଏସ.ବୋପାନ୍ନାଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟ ଖଣ୍ଡପୀଠ କେରଳ, ପଂଜାବ ଓ ହରିୟାଣା, ପାଟନା ଓ ଉତ୍ତରାଖଣ୍ଡ ହାଇକୋର୍ଟକୁ ଏହି ମର୍ମରେ ନିର୍ଦେଶ ଦେଇ ସେସବୁ ହାଇକୋର୍ଟରେ ବିଚାରାଧୀନ ଥିବା ‘ଅଗ୍ନିପଥ’ ସଂପର୍କିତ ପିଆଇଏଲ ସବୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରି ଦେବାକୁ କିମ୍ବା ଯଦି ଆବେଦନକାରୀ ଚାହୁଁଛନ୍ତି ଦିଲ୍ଲୀ ହାଇକୋର୍ଟର କୌଣସି ନିର୍ଣ୍ଣୟ ଆସିବା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସେସବୁ ମାମଲାର ବିଚାର ସ୍ଥଗିତ ରଖିବାକୁ କହିଛନ୍ତି । ‘ଅଗ୍ନିପଥ’ ସ୍କିମ୍ ବିରୋଧରେ ଏହି ଚାରିଟି ହାଇକୋର୍ଟରେ ଆବେଦନ କରିଥିବା ଆବେଦନକାରୀମାନେ ଚାହିଁଲେ ଦିଲ୍ଲୀ ହାଇକୋର୍ଟରେ ହେବାକୁ ଥିବା ବିଚାରଣାରେ ପକ୍ଷଭୁକ୍ତ ହୋଇ ପାରିବେ ବୋଲି ମଧ୍ୟ ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଛନ୍ତି । ଦିଲ୍ଲୀ ହାଇକୋର୍ଟ ଏହି ସ୍କିମ୍ ଉପରେ ବିଚାରଣା କରି ଯେଉଁ ନିର୍ଣ୍ଣୟ ନେବ ତାହା ସର୍ବୋଚ୍ଚ ନ୍ୟାୟାଳୟ ପାଇଁ ନିର୍ଣ୍ଣୟ ନେବାରେ ସହାୟକ ହେବ ବୋଲି ସୁପ୍ରିମ କୋର୍ଟ ଅନୁଭବ କରୁଥିବାରୁ ସବୁ ପିଆଇଏଲ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଣ୍ଣୟ ନିଆଗଲା ବୋଲି ଖଣ୍ଡପୀଠ କହିଛନ୍ତି । କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ଚ୍ୟାଲେଂଜ କରି ସୁପ୍ରିମ କୋର୍ଟରେ ତିନିଟି ଭିନ୍ନ ଭିନ୍ନ ପିଆଇଏଲ ଦାଖଲ ହୋଇଛି । ତିନିଟି ଯାକ ପିଆଇଏଲ ଉପରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣୀ କରିଥିଲେ । ପ୍ରତିରକ୍ଷା ବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ମାସକ ତଳେ ନୂତନ ‘ଅଗ୍ନିପଥ’ ଯୋଜନା ଘୋଷଣା କରିଥିଲେ । ୨୧ ବର୍ଷ ବୟସ ସୀମା ପର୍ଯ୍ୟନ୍ତ ଯୁବକ, ଯୁବତୀଙ୍କୁ ସରକାର ଚାରି ବର୍ଷିର୍ଆ ନିଯୁକ୍ତି ଦେବେ ଏବଂ ଚାରି ବର୍ଷ କାର୍ଯ୍ୟ କରିବା ପରେ ସେଥିରୁ ଅଧିକାଂଶ ବାଧ୍ୟତାମୂଳକ ଅବସର ଗ୍ରହଣ କରିବାକୁ ଥିବା ବେଳେ ଗ୍ରାଜୁଇଟି ବା ପେନସନ୍ ବ୍ୟବସ୍ଥା ନାହିଁ ବୋଲି ସରକାର ସ୍ପଷ୍ଟ କରିଥିଲେ । ଏହାକୁ ନେଇ ସମଗ୍ର ଦେଶରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା । ମାତ୍ର ୪ ବର୍ଷ ପାଇଁ ସେନାରେ ନିଯୁକ୍ତି ପାଇ ଏହି ଯୁବକ, ଯୁବତୀମାନେ ‘ଅଗ୍ନିବୀର’ରେ ପରିଣତ ହେବେ ଏବଂ ବାଧ୍ୟତାମୂଳକ ଅବସର ପରେ ଅନ୍ୟ କର୍ମ ସଂସ୍ଥାନରେ ନିଯୁକ୍ତ ହୋଇ ପାରିବେ ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ମାତ୍ର ୪ ବର୍ଷର ତାଲିମରେ ଏହି ଯୁବକ, ଯୁବତୀ କେତେଦୂର ଅଗ୍ନିବୀର ହୋଇ ପାରିବେ ଏବଂ ଅବସର ପରେ ପନେସନ୍ ବା ଗ୍ରାଚୁଇଟି ସୁବିଧା ନ ଥିବାରୁ ସେମାନଙ୍କ ଭବିଷ୍ୟତ କଣ ହେବ (?) ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି । ଏନେଇ ବରିଷ୍ଠ ଆଇନଜୀବୀ ଶର୍ମା, ହର୍ଷ ଅଜୟ ସିଂହ ଓ ରବିନ୍ଦ୍ର ସିଂହ ଶେଖାୱତ ଭିନ୍ନ ଭିନ୍ନ ଭାବେ ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ଆଜିର ଶୁଣାଣୀ ବେଳେ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଏକ ହାଲୁକା ମନ୍ତବ୍ୟ ଅଦାଲତରେ ହାସ୍ୟରୋଳ ସୃଷ୍ଟି କରିଥିଲା । ଗୋଟିଏ ଜନସ୍ୱାର୍ଥ ମାମଲା ଦାଏର କରିଥିବା ଆଡଭୋକେଟ ଶର୍ମା ତାହା ସପକ୍ଷରେ ଲଗାତର ଯୁକ୍ତି ବାଢିବାରୁ ‘ତୁମେ ଜଣେ ବୀର, କିନ୍ତୁ ଅଗ୍ନିବୀର ନୁହଁ’ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ମନ୍ତବ୍ୟ ଦେବାରୁ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS