ଭାରତରେ ମଂକିପକ୍ସର ଚତୁର୍ଥ କେଶ୍ ଦିଲ୍ଲୀରୁ ଚିହ୍ନଟ
ପ୍ରସାଦ ରାଓ
ଜୁଲାଇ ୨୪
କେରଳ ପରେ ନୂଆଦିଲ୍ଲୀରୁ ଆଜି ଜଣେ ମଂକିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ, ଦେଶରେ ମଂକିପକ୍ସ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଦିଲ୍ଲୀରୁ ଚିହ୍ନଟ ହୋଇଥିବା ୩୧ ବର୍ଷ ବୟସ୍କ ମଂକିପକ୍ସ ଆକ୍ରାନ୍ତଙ୍କ କୌଣସି ବିଦେଶ ଗସ୍ତ ଇତିହାସ ନାହିଁ । ହିମାଂଚଳ ପ୍ରଦେଶର ମନାଲିଠାରେ ସେ ନିକଟରେ ଏକ ଭୋଜିରେ ଯୋଗ ଦେଇଥିଲେ । ପଶ୍ଚିମ ଦିଲ୍ଲୀର ଏହି ଯୁବକ ତିନି ଦିନ ତଳେ ମଂକିପକ୍ସ ଲକ୍ଷଣ ଥିବା ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ତାଙ୍କ ରକ୍ତ ନମୂନା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠା ଯାଇଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି । ପୂର୍ବରୁ କେରଳରୁ ତିନି ଜଣ ମଂକିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଂକିପକ୍ସକୁ ‘ବୈଶ୍ୱିକ ସ୍ୱାସ୍ଥ୍ୟ ସଂକଟ’ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଗତକାଲି ଘୋଷଣା କରାଯାଇଛି । ଆଜି ଡ଼ିଜିଏଚଏସ୍ (ଡ଼ାଇରେକ୍ଟୋରଟ ଜେନେରାଲ ଅଫ୍ ହେଲ୍ଥ ସଭିସ) ପକ୍ଷରୁ ମଂକିପକ୍ସ ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡ଼କା ଯାଇଥିବା ଏହି ସୂତ୍ରରୁ ସୂଚନା ମିଳିଛି । ଦିଲ୍ଲୀର ଏହା ପ୍ରଥମ ମଂକିପକ୍ସ କେଶ୍ । ଆକ୍ରାନ୍ତ ଯୁବକ ଜଣକର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଏବଂ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି । ଦିଲ୍ଲୀ ଏଲଏନଜେପି ହସପିଟାଲରେ ମଂକିପକ୍ସ ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇସୋଲେସନ୍ (ସଂଗରୋଧ) ୱାର୍ଡର ବ୍ୟବସ୍ଥା କରାଯାଇଛି । ରୋଗ ଯେପରି ନବ୍ୟାପେ ସେଦିଗରେ ସେଠାକାର ଅଭିଜ୍ଞ ଡାକ୍ତରୀ ଦଳ କାର୍ଯ୍ୟା କରୁଛନ୍ତି । ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଦିଲ୍ଲୀବାସୀ ଭୟଭିତ ନହେବାକୁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଟ୍ୱିଟ୍ ମାଧ୍ୟମରେ ନିବେଦନ କରିଛନ୍ତି । ସରକାରୀ ଭାବେ କୁହାଯାଇଛି ଯେ, ମୁମ୍ବାଇରେ ସପ୍ତାହକୁ ଦୁଇ-ତିନିଟି ସଂଦିଗ୍ଧ ସାଂପୁଲ ପରୀକ୍ଷଣ ପାଇଁ ଆସୁଥିଲା । ତେବେ, ଏହି ସଂଖ୍ୟା ବଢିଛି । ଏବେ ଦିନକୁ ଦୁଇ-ତନିଟି ସାଂପୁଲ ଆସିଲାଣି । ସଂଦିଗ୍ଧ ମଂକିପକ୍ସ ରୋଗୀଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ କେରଳରେ ଦୁଇଟି ସମେତ ଦେଶରେ ୧୬ଟି ପରୀକ୍ଷଣ କେନ୍ଦ୍ରକୁ ନିୟୋଜିତ କରାଯାଇଛି । ମଂକିପକ୍ସ ହେଉଛି ଏକ ଜୁନୋଟିକ୍ ଭାଇରସ୍ । ଏହାର ଲକ୍ଷଣ ହାଡଫୁଟି ଭଳି ହୋଇଥିଲେ ମଧ୍ୟ ହାଡଫିଟି ଭଳି ଗୁରୁତର ନୁହେଁ । ଆକ୍ରାନ୍ତ ପଶୁଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସଂସ୍ପର୍ଶରେ ଆସିଲେ ମଣିଷକୁ ଏହି ରୋଗ ବ୍ୟାପୁଛି । ଆକ୍ରାନ୍ତ ମଣିଷର ଚର୍ମ, କ୍ଷତ ବା ରେସପିରେଟୋରି ଡ୍ରପଲେଟ୍ ସଂସ୍ପର୍ଶରେ ଆସିଲା ମଂକିପକ୍ସ ମଣିଷଠାରୁ ମଣିଷକୁ ବ୍ୟାପୁଛି । ଏଯାବତ୍ ବିଶ୍ୱର ୭୫ ରାଷ୍ଟ୍ରରୁ ୧୬ ହଜାରରୁ ଅଧିକ ମଂକିପକ୍ସ ରୋଗୀ ଆକ୍ରାନ୍ତ ହେଲେଣି । ଆଫ୍ରିକାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଭାରତ ବ୍ୟତୀତ ‘ହୁ’ର ଦକ୍ଷିଣ-ପୂର୍ବ ଏସୀୟ ଅଂଚଳ ଥାଇଲାଣ୍ଡରୁ ଗୋଟିଏ ମଂକିପକ୍ସ କେଶ୍ ଚିହ୍ନଟ ହୋଇଛି । ‘ହୁ’ ଗତକାଲି ମଂକିପକ୍ସକୁ ‘ପବ୍ଲିକ ହେଲ୍ଥ ଏମର୍ଜେନ୍ସି’ ଭାବେ ଘୋଷଣା କରିଛି, ଯାହାକି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବୋଚ୍ଚ ସତର୍କବାଣୀ । ମଂକିପକ୍ସ ଦୀର୍ଘ ଦଶନ୍ଧି ଧରି କେନ୍ଦ୍ର ଓ ପଶ୍ଚିମ ଆଫ୍ରିକାରେ ଥିଲେ ମଧ୍ୟ ଅନ୍ୟ ଅଂଚଳକୁ ବ୍ୟାପି ନଥିଲା । ତେବେ, ଚଳିତ ବର୍ଷ ମେ’ ପରେ ରୋଗ ୟୁରୋପ, ଉତ୍ତର ଆମେରିକା ସହ ଅନ୍ୟ ରାଷ୍ଟ୍ରଙ୍କୁ ବ୍ୟାପିବାରେ ଲାଗିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS