୨୦୨୪ ପାଇଁ ନୀତିଶଙ୍କ ‘ଥୋପ’- ରାଜ୍ୟଙ୍କୁ ‘ସ୍ୱତନ୍ତ୍ର ପାହ୍ୟା’ ମାନ୍ୟତା
ପ୍ରସାଦ ରାଓ
ସେପ୍ଟେମ୍ବର ୧୫
୨୦୨୪ରେ ଯଦି ଅଣ-ବିଜେପି ରାଜନୈତିକ ମେଂଟ କ୍ଷମତାକୁ ଆସେ ତେବେ ଦେଶର ସମସ୍ତ ପଛୁଆ ରାଜ୍ୟଙ୍କୁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ଦିଆଯିବ ବୋଲି ବିରୋଧୀ ଏକତା ଦିଗରେ କାର୍ଯ୍ୟ କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ପାଟନାଠାରେ ଘୋଷଣା କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ନୀତିଶ କହିଛନ୍ତି, ସେ କେବଳ ବିହାର କଥା କହୁ ନାହାନ୍ତି, ଦେଶର ସବୁ ପଛୁଆ ରାଜ୍ୟଙ୍କ କଥା କହୁଛନ୍ତି । ୨୦୨୪ରେ ବିରୋଧୀ ମେଂଟକୁ ସରକାର ଗଢିବା ସୁଯୋଗ ମିଳିଲେ ନିଶ୍ଚିତ ଭାବେ ସବୁ ପଛୁଆ ରାଜ୍ୟଙ୍କୁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ମିଳିବ ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିକଟରେ ଦିଲ୍ଲୀ ଯାଇ ବିଭିନ୍ନ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ଶକ୍ତିଶାଳୀ ନିର୍ବାଚନ ମେସିନାରୀର ମୁକାବିଲା ପାଇଁ ଦେଶରେ ଏକ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ ସମ୍ଭାବନାକୁ ନେଇ ଆଲୋଚନା ହୋଇଥିବା ବିଶ୍ୱାସ କରାଯାଉଛି । ପାଟନା ଫେରିବା ପରେ ନୀତିଶଙ୍କ ଏହି ଘୋଷଣା ଦୀର୍ଘ ବର୍ଷ ଧରି ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ଦାବି କରୁଥିବା ରାଜ୍ୟମାନଙ୍କୁ ବିରୋଧୀ ମେଂଟରେ ସାମିଲ ହେବାକୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି ।
ସଂପ୍ରତି ଦେଶର ୧୧ଟି ରାଜ୍ୟ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ପାଇଛନ୍ତି । ସେସବୁ ରାଜ୍ୟ ହେଉଛନ୍ତି, ଅରୁଣାଚଳ ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର (କେନ୍ଦ୍ର ଶାସିତ ଅଂଚଳ), ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ୍, ତ୍ରିପୁରା ଓ ଉତ୍ତରାଖଣ୍ଡ । ଯେଉଁ ସବୁ ରାଜ୍ୟଙ୍କୁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ର ମାନ୍ୟତା ମିଳିଛି ସେସବୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନ ପରିମାଣ ୯୦ ପ୍ରତିଶତ ରହୁଥିବା ବେଳେ ସଂପୃକ୍ତ ରାଜ୍ୟମାନେ ବଳକା ୧୦ ପ୍ରତିଶତ ନିଜ ପାଂଠିରୁ ଖର୍ଚ୍ଚ କରୁଛନ୍ତି । ଓଡ଼ିଶା, ବିହାର, ଝାଡ଼ଖଣ୍ଡ ସମେତ ଅନ୍ୟ କିଛି ରାଜ୍ୟ ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ଥିବା ଦର୍ଶାଇ ସେମାନଙ୍କୁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ଦିଆଯିବାକୁ ଦୀର୍ଘ ବର୍ଷ ହେଲା କେନ୍ଦ୍ର ନିକଟରେ ଦାବି କରୁଥିଲେ ମଧ୍ୟ ଆବଶ୍ୟକ ମାପଦଣ୍ଡ ପୂରଣ କରୁନଥିବା ଦର୍ଶାଇ କେନ୍ଦ୍ର ସରକାର ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରି ଆସୁଛନ୍ତି ।
କୌଣସି ରାଜ୍ୟକୁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ଦେବା ନେଇ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ । ତେବେ, କେନ୍ଦ୍ର ସରକାର ଯୋଜନା କମିସନକୁ ଅଚଳ କରି ଯେଉଁ ଜାତୀୟ ବିକାଶ ପରିଷଦ ବା ନ୍ୟାସନାଲ ଡ଼େଭଲପମେଂଟ କାଉନସିଲ୍ ଗଠନ କରିଛନ୍ତି ତାହାରି ସୁପାରିଶ ବଳରେ ଉପରୋକ୍ତ ୧୧ଟି ରାଜ୍ୟକୁ ‘ସ୍ୱତନ୍ତ୍ର ପାହ୍ୟା’ ମାନ୍ୟତା ମିଳିଛି । ଏହି ମାନ୍ୟତା ଦେବା ସକାଶେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ମାପଦଣ୍ଡ ହେଉଛି – ସ୍ୱତନ୍ତ୍ର ପାହ୍ୟା ଦାବି କରୁଥିବା ରାଜ୍ୟ ପାର୍ବତ୍ୟାଂଚଳ ବା ଦୁର୍ଗମ ଅଂଚଳ ହୋଇଥିବ, ରାଜ୍ୟର ଜନସଂଖ୍ୟା ଘନତା କମ୍ ରହୁଥିବ, ମୋଟ ଜନସଂଖ୍ୟାର ବଡ ଅଂଶ ଜନଜାତି ସଂପ୍ରଦାୟ ହୋଇଥିବେ, କୌଣସି ପଡୋଶୀ ରାଷ୍ଟ୍ରର ସୀମାନ୍ତକୁ ଲାଗି ରାଜ୍ୟର ସୀମାନ୍ତ ଥିବ ଏବଂ ଅର୍ଥନୈତିକ ଓ ଭିତ୍ତିଭୂମି ଦୃଷ୍ଟିରୁ ରାଜ୍ୟଟି ଅତ୍ୟନ୍ତ ଦୁର୍ବଳ ହୋଇଥିବ ।
୨୦୧୮ରେ ପାର୍ଲାମେଂଟରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ସରକାର ଏହି ସୂଚନା ଦେବା ସହ ବିହାର, ଓଡ଼ିଶା ଓ ଝାଡ଼ଖଣ୍ଡର ଦାବିକୁ ଅଗ୍ରାହ୍ୟ କରିଥିଲେ । ସ୍ୱତନ୍ତ୍ର ପାହ୍ୟା ପାଇଁ ଆବେଦନ କରିଥିବା ରାଜ୍ୟ ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ରହି ଥିଲେ ମଧ୍ୟ ମାନ୍ୟତା ପାଇବା ସକାଶେ ମାପଦଣ୍ଡ ପୂରଣ କରୁନଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ୨୦୦୭ରୁ ବିହାର ସରକାର ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦିଆଯିବା ଦାବି କରିଆସୁଛନ୍ତି । ଓଡ଼ିଶା ସରକାର ମଧ୍ୟ ବିଭିନ୍ନ ନିର୍ବାଚନ ସମୟରେ କେନ୍ଦ୍ର ନିକଟରେ ଏହି ଦାବି ଉପସ୍ଥାପନ କରୁଛନ୍ତି । ବିଜୁ ଜନତା ଦଳ (ବିଜେଡ଼ି) ଦୀର୍ଘ ୨୨ ବର୍ଷ ହେଲା ଲଗାତର ଭାବେ ଓଡ଼ିଶାରେ ଶାସନ କରୁଛି । ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳାକୁ ଦଳ ସର୍ବଦା ପ୍ରସଙ୍ଗ କରି ତେବେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡ଼ି ରାଜ୍ୟ ପ୍ରତି କେନ୍ଦ୍ରୀୟ ଅବହେଳାକୁ ଆଉ ପ୍ରସଙ୍ଗ ନକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀ, ରାଜ୍ୟରେ ହୋଇଥିବା ବିକାଶ କାର୍ଯ୍ୟ ଏବଂ ଅନ୍ୟାନ୍ୟ ରାଜ୍ୟ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି । କେନ୍ଦ୍ରରେ ଉଭୟ ୟୁପିଏ ଓ ଏନଡ଼ିଏର ସରକାର ସମୟରେ ଓଡ଼ିଶାକୁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ଦିଆଯିବା ଦାବି ଅଗ୍ରାହ୍ୟ ହୋଇଥିବାରୁ ଏହି ପ୍ରସଙ୍ଗକୁ ନେଇ ୨୦୨୪ରେ ବିଜେଡ଼ିର ରଣନୀତି କଣ ରହିବ, ତାହା ଦେଖିବା ସମୟ ଆସିଛି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମେଂଟରେ ଥିବା ବେଳେ ମଧ୍ୟ ବିହାରକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯିବାକୁ କେନ୍ଦ୍ର ନିକଟରେ ଦାବି କରୁଥିଲେ । ବିଭିନ୍ନ ନିର୍ବାଚନ ସମୟରେ ହେଉ ବା ସହଯୋଗୀ ବିଜେପିକୁ ଚାପରେ ରଖିବାକୁ ହେଉ ସେ ଏହି ପ୍ରସଙ୍ଗ ଉଠାଉ ଥିଲେ । ବର୍ତ୍ତମାନ ସେ ବିଜେପି ଓ ଏନଡ଼ିଏରୁ ଦୂରେଇ ୟୁପିଏରେ ଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ଓ କଂଗ୍ରେସ ସହ ମିଶି ବିହାରରେ ମହାଗଠବନ୍ଧନ ସରକାର କରିଛନ୍ତି । ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଥିବା ଆରଜେଡ଼ି ନେତା ତେଜସ୍ୱୀ ଯାଦବ ମଧ୍ୟ ବିହାରକୁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ଦାବି କରୁଛନ୍ତି । ନୀତିଶ ବିଜେପିର ହାତ ଛାଡିବା ପରେ ଛୋଟ ଛୋଟ କଥାରେ ବିଜେପି ନେତାଙ୍କ ଦ୍ୱାରା ସମାଲୋଚିତ ହେଉଛନ୍ତି । ବିଜେପିକୁ ନେଇ ନୀତିଶ ସରକାର ଚଲାଇ ଥିବା ବେଳେ ରାଜ୍ୟରେ ସୁଶାସନ ଥିଲା । ଏବେ ଆରଜେଡ଼ି ଓ କଂଗ୍ରେସ ସହ ମେଂଟରେ ନୀତିଶଙ୍କ ଶାସନ ‘ଅପରାଧୀଙ୍କ ଶାସନ’ରେ ପରିଣତ ହୋଇଛି ବୋଲି ବିଜେପିର ପ୍ରଚାର ମେସିନାରୀ ଜୋରଦାର ପ୍ରଚାର ଚଳାଇଛି ।
ଏଭଳି ପରିସ୍ଥିତିରେ ଜେଡିୟୁ ନେତା ନୀତିଶ କୁମାର ଦେଶରେ ଅଣ-ବିଜେପି ବିରୋଧୀ ଦଳଙ୍କୁ ଏକାଠି କରିବା ଓ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ପ୍ରଚାର ମେସିନାରୀକୁ ଉପଯୁକ୍ତ ଜବାବ ଦେବା ଉଦ୍ଦେଶ୍ୟ ରଖି ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ପ୍ରସଙ୍ଗକୁ ଆଗକୁ ଆଣିଛନ୍ତି । ତେବେ, ବିଜେଡ଼ି ଭଳି କେତେକ ରାଜନୈତିକ ଦଳ ଏନଡ଼ିଏରେ ସାମିଲ ନଥିଲେ ମଧ୍ୟ ଠିକଣା ସମୟରେ ସଂସଦରେ ବିଭିନ୍ନ ବିଲ୍ ପାରିତ କରାଇବାରେ କେନ୍ଦ୍ର ସରକାରଙ୍କୁ ସହଯୋଗ, ସମର୍ଥନ ଦେଇ ଆସୁଛନ୍ତି । ୨୦୨୪ ନିର୍ବାଚନ ପାଇଁ ସେମାନେ କେତେଦୂର ନୀତିଶଙ୍କ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ଥୋପ ଗିଳିବେ, ତାହା ମଧ୍ୟ ବଡ ପ୍ରଶ୍ନ ହୋଇଛି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯଦିବା ଦେଶରେ ଏକ ବିରୋଧୀ ମେଂଟ ଗଠନ ସମ୍ଭବ ହୁଏ ତାହାର ନେତୃତ୍ୱ କିଏ ନେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ନୀତିଶ କୁମାର ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ ଶୀତଳ ଭଣ୍ଡାରରେ । ସେ ବିରୋଧୀ ମେଂଟ ଗଠନର ମୁଖ୍ୟ କାରପଟଦାର ହେବାକୁ ଚାହୁଁଥିଲେ ମଧ୍ୟ ମେଂଟର ପ୍ରଧାନମନ୍ତ୍ରୀ ମୁହଁ ହେବାକୁ ଆଗ୍ରହୀ ନଥିବା ନୀତିଶ ବାରମ୍ବାର କହିଲେଣି । ତେଣୁ, ୨୦୨୪କୁ ନେଇ ତାଙ୍କ ପ୍ରତିଶ୍ରୁତି ଅଣ-ବିଜେପି ଦଳଙ୍କ ଦ୍ୱାରା କେତେଦୂର ଗ୍ରହଣୀୟ ହେବ, ତାହା ମଧ୍ୟ ପ୍ରଶ୍ନ ହେଉଛି । ତେବେ, ନୀତିଶ କୁମାରଙ୍କ ଭଳି ଜଣେ ବରିଷ୍ଠ ରାଜନେତା ଓ ଦକ୍ଷ ପ୍ରଶାସକ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ନ ହୁଅନ୍ତୁ ୨୦୨୪ରେ ଯଦି କେନ୍ଦ୍ରରେ ବିରୋଧୀ ମେଂଟ ସରକାର ପ୍ରତିଷ୍ଠା ହୁଏ ତେବେ ସରକାର ଉପରେ ନୀତିଶଙ୍କ ପ୍ରଭାବ ରହିବା ସୁନିଶ୍ଚିତ ବୋଲି ନୀତିଶ-ସମର୍ଥକ ଦାବି କରୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS