ମନ୍ତ୍ରୀଙ୍କ ପାଇଁ କ୍ଷମା ମାଗିଲେ ମମତା
ପ୍ରସାଦ ରାଓ
ନଭେମ୍ବର ୧୪
ପଶ୍ଚିମ ବଂଗର ମନ୍ତ୍ରୀ ଅଖିଳ ଗିରି ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଯେଉଁ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ଟିଏମସି ମୁଖ୍ୟା ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କ୍ଷମା ମାଗିଛନ୍ତି । ଏଭଳି ଅସୌଜନ୍ୟ ମନ୍ତବ୍ୟ ରଖିବା ତାଙ୍କ ଦଳ ନିଖିଳ ଭାରତ ତୃଣମୂଳ କଂଗ୍ରେସ ପାର୍ଟି (ଏଆଇଟିଏମସି)ର ସଂସ୍କୃତି ନୁହେଁ ଏବଂ ଏଥିପାଇଁ ମନ୍ତ୍ରୀ ଗିରିଙ୍କୁ ଦଳ ଚେତାବନୀ ଦେଇଛି ବୋଲି ମମତା ସ୍ପଷ୍ଟ କରିବା ସହ ଗିରିଙ୍କ ମନ୍ତବ୍ୟ ପାଇଁ ସେ ସର୍ବସମ୍ମୁକ୍ଷରେ କ୍ଷମା ମାଗୁଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରତି ତାଙ୍କର ଓ ତାଙ୍କ ଦଳର ଯଥେଷ୍ଟ ସମ୍ମାନ ରହିଛି । ମୁର୍ମୁ ଜଣେ ଭଦ୍ର ମହିଳା । ତାଙ୍କୁ ନେଇ ରାଜ୍ୟର ମନ୍ତ୍ରୀ ଗିରି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ନିନ୍ଦନୀୟ । ଗିରି ଯେଉଁ ଭୁଲ କରିଛନ୍ତି ସେଥିପାଇଁ ସେ (ମମତା) କ୍ଷମା ମାଗୁଛନ୍ତି । କାହାରି ଚେହେରାରେ ନୁହେଁ, ହୃଦୟରେ ସୁନ୍ଦରତା ଥାଏ ବୋଲି ମମତା କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ପଶ୍ଚିମ ବଂଗ ଜେଲ ବିଭାଗ ମନ୍ତ୍ରୀ ଅଖିଳ ଗିରି ଶୁକ୍ରବାର ଦିନ ନନ୍ଦିଗ୍ରାମରେ ଏକ ଜନସଭାରେ ଭାଷଣ ଦେବା ସମୟରେ ରାଷ୍ଟ୍ରପତି ମୁର୍ମୁଙ୍କ ଚେହେରାକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ମନ୍ତ୍ରୀଙ୍କ ଭାଷଣର ଭିଡ଼ିଓ ପଶ୍ଚିମ ବଂଗ ବିଜେପି ପକ୍ଷରୁ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପଶ୍ଚିମ ବିଂଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ତାଙ୍କ (ଅଖିଳ ଗିରି) ଚେହେରା ‘ଅସୁନ୍ଦର’ ବୋଲି କହୁଛନ୍ତି, ସେ ନିଜ ରାଷ୍ଟ୍ରପତିଙ୍କ ଚେହେରା ଦେଖନ୍ତୁ ବୋଲି ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଓଡ଼ିଶା ଓ ପଶ୍ଚିମ ବଂଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି)କୁ ବିଭିନ୍ନ ଦଳ କଟୁ ସମାଲୋଚନା କରିବା ସହ ମନ୍ତ୍ରୀ ଗିରିଙ୍କ ବହିଷ୍କାର ଓ ଗିରଫଦାରୀ ଦାବି କରିଥିଲେ । ଓଡ଼ିଶାରେ ବିଜେଡ଼ି, ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ଭାବେ ମନ୍ତ୍ରୀ ଗିରିଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ବହିଷ୍କାର ଓ ଗିରଫଦାରୀ ଦାବି କରିଥିବା ବେଳେ ପଶ୍ଚିମ ବଂଗରେ ଟିଏମସି ବିରୋଧରେ ବିଜେପି ଆନ୍ଦୋଳନ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ଟିଏମସି ମୁଖ୍ୟା ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ଗିରିଙ୍କ ଅଶାଳୀନ ମନ୍ତବ୍ୟ ପାଇଁ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି ଜୋରଦାର ହେବାରୁ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଗିରିଙ୍କ ଉକ୍ତି ପାଇଁ ଆଜି କ୍ଷମା ମାଗିଛନ୍ତି । ପୂର୍ବରୁ ମନ୍ତ୍ରୀ ଗିରି ମଧ୍ୟ ତାଙ୍କ ଉକ୍ତି ପାଇଁ କ୍ଷମା ମାଗି ସାରିଛନ୍ତି । ତଥାପି ଆଜି ଅପରାହ୍ନରେ ବିଜେପି ବିଧାୟକମାନେ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ଶୁଭେନ୍ଦୁଙ୍କ ନେତୃତ୍ୱରେ ରାଜଭବନ ଅଭିମୁଖେ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS