କୋଭିଡ଼ କଟକଣା ଫେରୁଛି !
ପ୍ରସାଦ ରାଓ
ଡିସେମ୍ବର ୨୨
୨୦୨୦ ଓ ୨୦୨୧ରେ କୋଭିଡ଼ର ବିଭିନ୍ନ ପ୍ରଜାତି ଦେଶରେ ଯେଉଁ ମହାମାରୀ ପରିସ୍ଥିତି ସୃଷ୍ଟି କରିଥିଲେ ତାହା ଆଜି ମଧ୍ୟ ଦେଶବାସୀ ଭୁଲି ନାହିଁ । ଦେଶର ୪ କୋଟିରୁ ଅଧିକ ଲୋକ କୋଭିଡ଼ରେ ଆକ୍ରାନ୍ତ ହୋଇଥିବା ବେଳେ ୫.୩୦ ଲକ୍ଷରୁ ଅଧିକ ମୃତ୍ୟୁ ଘଟିଛି । କୋଭିଡ଼ ପ୍ରଭାବରେ ଅସଂଖ୍ୟ ଲୋକ ସର୍ବହରା ହୋଇଛନ୍ତି । କୋଭିଡ଼ ଭୂତାଣୁ ବାରମ୍ବାର ରୂପ ବଦଳାଇ ନରସଂହାର କରିଛି । ଅକ୍ସିଜେନ ଅଭାବଜନିତ ଅସଂଖ୍ୟ ମୃତ୍ୟୁ ଘଟଣା ଆଜି ମଧ୍ୟ ଦେଶବାସୀଙ୍କ ପାଇଁ ଦୁଃସ୍ୱପ୍ନ ହୋଇ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ମହାମାରୀ ଆଇନ ଏବଂ କୋଭିଡ଼ କଟକଣାରେ ଅଣ ନିଶ୍ୱାସୀ ହୋଇପଡିଥିବା ଦେଶବାସୀଙ୍କ ପାଇଁ ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଦୁଇଟି କୋଭିଡ଼ ଭ୍ୟାକ୍ସିନ୍ ଆଶ୍ୱାସନା ହୋଇଥିଲା । କେନ୍ଦ୍ର ସରକାର ମାଗଣାରେ ଭ୍ୟାକ୍ସନ୍ ଉପଲବ୍ଧ କରାଇବା ସହ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ ଟୀକାକରଣ କରାଇବାରୁ କୋଭିଡ଼ ଭୟ କମିଛି । ଦୁଇ ଡୋଜ୍ ଟୀକା ଓ ବୁଷ୍ଟର ଡୋଜ୍ ନେଇ ଥିବା କୋଟି କୋଟି ଜନତା ମହାମାରୀ ଆଇନ ଓ କୋଭିଡ଼ କଟକଣା ଉଠିବା ପରେ ଆଶ୍ୱସ୍ତ ହୋଇ ସ୍ୱାଭାବିକ ଜୀବନଚର୍ଯ୍ୟାରେ ନିଜକୁ ସାମିଲ କରିଥିବା ବେଳେ ପୁନର୍ବାର ଓମିକ୍ରନ ପ୍ରଜାତିର ବିଏଫ.୭ ଉପପ୍ରଜାତି ନୂଆ ରୂପରେ ଫେରି ଦେଶରେ କୋଭିଡ଼ କଟକଣା ଫେରିବା ବାଟକୁ ମେଲା କରିଦେଇଛି । କୋଭିଡ଼ର ବିଏଫ.୭ ଉପପ୍ରଜାତି ସଂପ୍ରତ୍ତି ଚୀନରେ ଆତଙ୍କର କାରଣ ହୋଇଛି । ଇତିମଧ୍ୟରେ ତିନି ଜଣ ଭାରତୀୟ କୋଭିଡ଼ର ଏହି ନୂଆ ପ୍ରଜାତି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସେମାନଙ୍କ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ସୂଚନା ମିଳିବା ପରେ ଭାରତ ସରକାର ପୁନର୍ବାର ମହାମାରୀ ଆଇନ ଲାଗୁ କରିବା ସମ୍ଭାବନା ଦେଖା ଦେଇଛି । ସରକାର ବୁଧବାରରୁ ନିର୍ଦେଶାବଳୀ ଜାରି କରି କୋଭିଡ଼ ସତର୍କତା ପଦକ୍ଷେପକୁ କଡାକଡି ପାଳନ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଜନଗହଳିକୁ ଗଲେ ମୁହଁରେ ମାସ୍କ୍ ପରିଧାନ କରିବାକୁ, ଘରେ ଓ ବାହାରେ ନିୟମିତ ସାନିଟାଇଜର ଦ୍ୱାରା ହସ୍ତ ବିଶୋଧନ କରିବାକୁ ଓ ପରସ୍ପରଠାରୁ ଦୂରତ୍ୱ ବଜାୟ ରଖିବାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିର୍ଦେଶାବଳୀ ଜାରି କରିଛନ୍ତି । ସେହିଭଳି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଂଟ୍ ବ୍ୟବସ୍ଥାର ପୁନଃ ପ୍ରଚଳନ ନିମନ୍ତେ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦିଆଯାଇଛି । ଚୀନରେ ପୁନଃ ଉତ୍ପାତ ମଚାଇ ଥିବା କୋଭିଡ଼ର ନୂଆ ଉପପ୍ରଜାତି ବିଏଫ.୭ ଭୂତାଣୁ ଭାରତରେ ତିନି ଜଣଙ୍କ ଜିନମ୍ ସିକ୍ୱେନ୍ସିଂ ପରୀକ୍ଷଣରେ ଚିହ୍ନଟ ହୋଇଛି । ସେଥିରୁ ଦୁଇ ଜଣ ଗୁଜରାଟର ହୋଇଥିବା ବେଳେ ଜଣେ ଓଡ଼ିଶାର ବୋଲି ସରକାରୀ ଭାବେ କୁହାଯାଇଛି । ଦେଶର ପ୍ରଥମ ବିଏଫ.୭ ଆକ୍ରାନ୍ତ ଗତ ଅକ୍ଟୋବର ମାସରେ ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଂଟର ଅଧିକାରୀଙ୍କ ଦ୍ୱାରା ଚିହ୍ନଟ ହୋଇଛନ୍ତି । ପରେ, ଗୁଜରାଟ ଓ ଓଡ଼ିଶାର ଜଣେ ଲେଖାଏଁ ଚିହ୍ନଟ ହୋଇଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସଂସଦର ଉଭୟ ଗୃହରେ କହିଛନ୍ତି, କୋଭିଡ଼ର ଏହି ନୂଆ ଉପ ପ୍ରଜାତିକୁ ରୋକିବା ପାଇଁ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚୁ ଥିବା ବିମାନ ଯାତ୍ରୀଙ୍କ ମଧ୍ୟରୁ ଦୁଇ ପ୍ରତିଶତଙ୍କ ରାଣ୍ଡମ୍ ନମୂନା ପରୀକ୍ଷଣ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଚୀନ ଓ ଅନ୍ୟ ଦେଶରୁ ଭାରତ ଆସୁଥିବା ବିମାନ ଯାତ୍ରୀଙ୍କ ପାଇଁ ‘ଏୟାର ସୁବିଧା’ ଫର୍ମରେ ୭୨ ଘଂଟା ପୂର୍ବର ଆରଟି-ପିସିଆର୍ ରିପୋର୍ଟ ଏବଂ ଦୁଇ ଡୋଜ୍ ଟୀକା ନେଇଥିବାର ପ୍ରମାଣ ପତ୍ର ଉପସ୍ଥାପନା ପୁନର୍ବାର ବାଧ୍ୟତାମୂଳକ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ଼ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୮୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ରୋଗୀ ସଂଖ୍ୟା ୩,୪୦୨କୁ ଖସିଛି । ଫଳରେ, ଦେଶରେ ମୋଟ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୭୬ ହଜାର ହୋଇଥିବା ବେଳେ କେଭିଡ଼ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୬୮୧ ରହିଛି । ଦେଶରେ ସଦ୍ୟ ଚିହ୍ନଟ ହୋଇଥିବା ବିଏଫ.୭ ପ୍ରଜାତି ଘାତକ ନୁହେଁ, ତେଣୁ ଦେଶବାସୀ ଅତଙ୍କିତ ନହେବାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଜରୁରୀକାଳୀନ ବୈଠକ ମାଧ୍ୟମରେ ପରିସ୍ଥିତି ଉପରେ କଡା ନଜର ରଖିଥିବା ଜଣାପଡିଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ କୋଭିଡ଼ ନୂଆ ଉପ ପ୍ରଜାତିକୁ ବ୍ୟାପିବାକୁ ନଦେବାକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଶୁକ୍ରବାର ଦିନ ଜରୁରୀ ବୈଠକ ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ଆରଏମଆରସି (ରିଜୋନାଲ ମେଡିକାଲ ରିସର୍ଚ୍ଚ ସେଂଟର), ଆଇଏଲଏସ (ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସେସ୍) ଏବଂ ବିଭିନ୍ନ ମେଡିକାଲ କଲେଜ ଓ ହସପିଟାଲ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଉଥିବା ଜଣାପଡିଛି । ଚୀନ ସମେତ ଅନ୍ୟ କିଛି ଦେଶରେ ଅଚାନକ ଆତଙ୍କ ମଚାଇ ଥିବା ବିଏଫ.୭ ଉପ ପ୍ରଜାତିକୁ ଓଡ଼ିଶାରେ କେମିତି ରୋକି ହେବ ସେନେଇ ସେମାନେ କାଲି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆଶା କରାଯାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS