ଗୁରୁଡିଝାଟିଆ ଜଂଗଲରୁ ମିଳିଲା ମହିଳା କ୍ରିକେଟରଙ୍କ ଶବ !
କଟକ
ଜାନୁଆରୀ ୧୩/୨୩
ଜାନୁଆରୀ ୧୧ ତାରିଖରୁ ନିଖୋଜ ଥିବା ଓଡ଼ିଶା ମହିଳା କ୍ରିକେଟର୍ ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଆଜି କଟକ ଆଠଗଡ ଅଂଚଳର ଗୁରୁଡିଝାଟିଆ ଘଂଚ ଜଂଗଲରୁ ଉଦ୍ଧାର ହୋଇଛି । ଜଂଗଲ ଭିତରେ ଗୋଟିଏ ଗଛରେ ଝୁଲୁଥିବା ଅବସ୍ଥାରେ ପୁଲିସ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା କଟକ ଡ଼ିସିପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜଶ୍ରୀ ୧୧ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ କୋଚ୍ ଗତକାଲି (ଗୁରୁବାର) କଟକ ମଂଗଳାବାଗ ଥାନାରେ ଏତଲା ଦେଇଥିଲେ । ପୁଲିସ ତଦନ୍ତ କରୁଥିବା ସମୟରେ ଗୁରୁଡିଝାଟିଆ ଜଂଗଲରୁ ଶବ ଉଦ୍ଧାର ହୋଇଛି । ଏହା ଏକ ଆତ୍ମହତ୍ୟା ଭଳି ଲାଗୁଥିଲେ ମଧ୍ୟ ରାଜଶ୍ରୀଙ୍କ ପରିବାର ଏହା ହତ୍ୟା ବୋଲି ସନ୍ଦେହ କରୁଛନ୍ତି । ଗୁରୁଡିଝାଟିଆ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୁଲିସ ସବୁ ଦିଗରୁ ଘଟଣାର ତଦନ୍ତ କରୁଥିବା କଟକ ପୁଲିସ ଡ଼ିସିପି ମିଶ୍ର କହିଛନ୍ତି । ରାଜଶ୍ରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ବୋଲି ପୁଲିସ କହୁଛି । ରାଜଶ୍ରୀଙ୍କ ଶବ ଗଛରେ ଝୁଲାଥିବା ଅବସ୍ଥାରେ ମିଳିଥିଲେ ମଧ୍ୟ ଦେହରେ କେତେକ କ୍ଷତଚିହ୍ନ ଥିବାରୁ ଏବଂ ଆଖି ନଷ୍ଟ ହୋଇଯାଇଥିବାରୁ ପରିବାର ଲୋକମାନେ ଏହା ଏକ ହତ୍ୟା ବୋଲି ସନ୍ଦେହ କରୁଥିବା ସୂଚନା ମିଳିଛି । ପୁଡୁଚେରୀରେ ହେବାକୁ ଯାଉଥିବା ଏକ ଜାତୀୟସ୍ତର କ୍ରିକେଟ୍ ଟୁର୍ଣ୍ଣାମେଂଟ ପାଇଁ ରାଜ୍ୟ ମହିଳା କ୍ରିକେଟ୍ ଦଳ ମନୋନୟନ କରିବାକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ) ପକ୍ଷରୁ କଟକ ବଜ୍ରକବାଟୀରେ ଏକ ତାଲିମ ଶିବିର ଚାଲି ଥିଲା । ରାଜଶ୍ରୀଙ୍କ ସମେତ ୨୫ ଜଣ ମହିଳା କ୍ରିକେଟର୍ ସେଥିରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ମହିଳା କ୍ରିକେଟର୍ ସେହି ଅଂଚଳରେ ଥିବା ଏକ ହୋଟେଲରେ ଅବସ୍ଥାନ କରୁଥିଲେ । ପୁଡୁଚେରୀରେ ଖେଳିବା ସକାଶେ ମନୋନୀତ ଓଡ଼ିଶା ରାଜ୍ୟ ମହିଳା କ୍ରିକେଟ୍ ଟିମ୍ ର ଚୂଡାନ୍ତ ନାମ ତାଲିକା ଜାନୁଆରୀ ୧୦ତାରିଖରେ ପ୍ରକାଶ ପାଇବା ପରେ ଏହି ଅଘଟଣ ଘଟିଛି । ଚୂଡାନ୍ତ ତାଲିକାରେ ରାଜଶ୍ରୀଙ୍କ ନାମ ନଥିଲା । ପରଦିନ, ସମସ୍ତ ମହିଳା କ୍ରିକେଟର୍ ପ୍ରାକ୍ଟିସ୍ ପାଇଁ ଟାଂଗି ଅଂଚଳରେ ଥିବା ଏକ କ୍ରିକେଟ୍ ପଡିଆକୁ ଯାଇଥିଲେ ମଧ୍ୟ ରାଜଶ୍ରୀ ବାପାଙ୍କୁ ଭେଟିବାକୁ ପୁରୀ ଯାଉଛନ୍ତି ବୋଲି କୋଚ୍ ଙ୍କୁ ଜଣାଇ ତାଲିମ ନେବାକୁ ଯାଇ ନଥିଲେ । ପରଦିନ, ରାଜଶ୍ରୀ ତାଲିମକୁ ଫେରି ନଥିଲେ । କୋଚ୍ ଜଣକ ଖୋଳତାଡ କରି ରାଜଶ୍ରୀ ଘରକୁ ମଧ୍ୟ ଯାଇନଥିବା ଜାଣିବାକୁ ପାଇଥିଲେ । ପରେ, କୋଚ୍ କଟକ ମଂଗଳାବାଗ ଥାନାକୁ ଯାଇ ଏକ ନିଖୋଜ ଏତଲା ଦେଇଥିଲେ । ଏତଲା ପାଇବା ପରେ ପୁଲିସ ତଦନ୍ତ କରୁଥିଲା । ଆଜି ଆଠଗଡ ଗୁରୁଡିଝାଟିଆର ଘଂଚ ଜଂଗଲରୁ ରାଜଶ୍ରୀଙ୍କ ମୃତଦେହ ମିଳିବା ପରେ ଏହା ଆତ୍ମହତ୍ୟା କି ହତ୍ୟା, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯେହେତୁ ପୁଡୁଚେରୀରେ ହେବାକୁ ଥିବା ଜାତୀୟସ୍ତର କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଭାଗ ନେବା ନିମନ୍ତେ ପ୍ରକାଶ ପାଇଥିବା ଓଡ଼ିଶାର ମହିଳା କ୍ରିକେଟ୍ ଦଳର ଚୂଡାନ୍ତ ତାଲିକାରେ ରାଜଶ୍ରୀଙ୍କ ନାମ ନଥିଲା ସେ ନିରାଶ ହୋଇ ଆତ୍ମହତ୍ୟା କରିଥିବେ ବୋଲି ପୁଲିସ ଆଶଙ୍କା ବ୍ୟକ୍ତ କରୁଥିବା ବେଳେ ଗୁରୁଡିଝାଟିଆର ଘଂଚ ଜଂଗଲ ଭିତରୁ ଗଛରେ ଝୁଲୁଥିବା ଅବସ୍ଥାରେ ତାଙ୍କ ଶବ ମିଳିବା ହତ୍ୟା ସନ୍ଦେହକୁ ମଧ୍ୟ ଦୃଢିଭୂତ କରୁଛି । ସବୁ ଦିଗରୁ ପୁଲିସ ତଦନ୍ତ କରୁଛି ବୋଲି କଟକ ଡ଼ିସିପି କହି ଥିବାରୁ ଅତିଶୀଘ୍ର ରାଜଶ୍ରୀଙ୍କ ମୃତ ରହସ୍ୟ ଖାଲିବା ଆଶା କରାଯାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS