କର୍ଣ୍ଣାଟକରେ ବିଜେପିର ମଂଗ ଧରିବେ ୟେଦୁରାପ୍ପା ?
ପ୍ରସାଦ ରାଓ
ଜାନୁଆରୀ ୧୭/୨୩
କର୍ଣ୍ଣାଟକ ସମତେ ନଅଟି ରାଜ୍ୟରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ହେବାକୁ ଥିବା ସମସ୍ତ ରାଜ୍ୟରେ ବିଜେପିର ବିଜୟ ସୁନିଶ୍ଚିତ କରିବାକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଗତକାଲି ନୂଆଦିଲ୍ଲୀ ମୁନସିପାଲ କାଉନସିଲ କନଭେନ୍ସନ୍ ସେଂଟର (ଏନଡିଏମସି)ରେ ଚାଲି ଥିବା ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରୀଣୀ ବୈଠକ ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ଦକ୍ଷିଣ ଭାରତରେ କେବଳ କର୍ଣ୍ଣାଟକରେ ବିଜେପିର ସରକାର ଥିବାରୁ ଦଳ କର୍ଣ୍ଣାଟକରେ ପୁନଃ ବିଜୟ ଉପରେ ବିଶେଷ ଗୁରୁତ୍ୱ ଦେଉଛି । ଯେହେତୁ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ସରକାର ବିରୋଧୀ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବିଜେପିକୁ ଅଡୁଆରେ ପକାଇଛନ୍ତି ବୋମାଇଙ୍କ ନେତୃତ୍ୱରେ ବିଜେପି ଆସନ୍ତା ବିଧାନସଭା ନିର୍ବାଚନର ସାମ୍ନା କରିବ କି ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରିବ, ସେନେଇ କିଛି ଦିନ ହେଲା ବ୍ୟାପକ ଚର୍ଚ୍ଚା ଚାଲିଥିଲା । ତେବେ, ବୋମାଇଙ୍କ ନେତୃତ୍ୱରେ ହିଁ ଦଳ ଆଗାମୀ ନିର୍ବାଚନର ସାମ୍ନା କରିବ ବୋଲି ବିଜେପି ନେତୃତ୍ୱ ଦୃଢତାର ସହ କହିଥିଲେ । କିନ୍ତୁ, ନୂଆଦିଲ୍ଲୀରେ ଚାଲିଥିବା ବିଜେପି ଜାତୀୟ କାର୍ଯ୍ୟକାରୀଣୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁରାପ୍ପାଙ୍କୁ ଭେଟି ୧୫ ମିନିଟ ଆଲୋଚନା କରିବା ନେତୃତ୍ୱ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି କରିଛି । ବରିଷ୍ଠ ଲିଂଗାୟତ ନେତା ୟେଦୁରାପ୍ପା କର୍ଣ୍ଣାଟକରେ ବିଜେପିର ମୂଳଦୁଆ ପକାଇ ଥିଲେ ଏବଂ ଏକାଧିକ ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କରି ନେତୃତ୍ୱରେ ଦଳ ରାଜ୍ୟରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା । ଶେଷଥର ପାଇଁ ସେ କର୍ଣ୍ଣାଟକରେ ଜେଡିଏସ-କଂଗ୍ରେସ ମେଂଟ ସରକାରକୁ କ୍ଷମତାଚ୍ୟୁତ କରି ବିଜେପିର ସରକାର ପ୍ରତିଷ୍ଠା କରିବା ସହ ସେ ମୁଖ୍ୟମନ୍ତ୍ରୀ ପଦରେ ଆସିନ ଥିବା ବେଳେ ଦଳ ବିଭିନ୍ନ ଗୁରୁତର ଅଭିଯୋଗର ସାମ୍ନା କରୁଥିବା ୟେଦୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ରାଜ୍ୟରେ କମ୍ ଗୁରୁତ୍ୱ ଥିବା ବାସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଥିଲା । ଗୋଟିଏ ପଟେ ୟେଦୁରାପ୍ପା ଦଳରେ କୋଣଠେସା ହୋଇ ଗଭୀର ଅସନ୍ତୋଷରେ ଥିବା ବେଳେ ଅନ୍ୟପଟେ ରାଜ୍ୟରେ ବିଜେପିର ମୁଖ୍ୟ ବିରୋଧୀ ଥିବା କଂଗ୍ରେସ ବାସବରାଜୁ ବୋମାଇ ସରକାରଙ୍କୁ ‘ପିସି-ସରକାର’ର ଅପଖ୍ୟାତି ଦେଇ କ୍ଷମତାକୁ ଫେରିବାକୁ ଜୋର୍ ଲଗାଇଛି । ବିଜେପି କର୍ଣ୍ଣାଟକରେ ଦଳର ଦୁର୍ବଳ ଅବସ୍ଥାକୁ ଅନୁଭବ କରିବା ପରେ ୟେଦୁରାପ୍ପାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିକଟରେ ତାଙ୍କୁ ଦଳର ନୀତି ନିର୍ଦ୍ଧାରଣ କରୁଥିବା ପାର୍ଲିଆମେଂଟାରୀ ବୋର୍ଡରେ ସ୍ଥାନ ଦେଇଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକର ଚାରି ଥରର ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କୁ ଭୋଟି ୧୫ ମିନିଟ ଆଲୋଚନା କରିବା ଚର୍ଚ୍ଚାର ଖୋରାକ ଯୋଗାଇଛି । ପ୍ରଧାନମନ୍ତ୍ରୀଙ୍କ ସହ ୟେଦୁରାପ୍ପାଙ୍କ ଆଲୋଚନା ତାଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି କି (?) ବୋଲି ଆଜି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପି ଗତ ନିର୍ବାଚନରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାରୁ କମ୍ ଆସ ପାଇଥିଲେ ମଧ୍ୟ ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ, କଂଗ୍ରେସ ଓ ଜନତା ଦଳ (ଏସ୍) ନିର୍ବାଚନ ପରବର୍ତ୍ତୀ ମେଂଟ କରି ଆବଶ୍ୟକ ସଂଖ୍ୟା ସହ ସରକାର ଗଠନ ପାଇଁ ଦାବିଦାର ହେବାରୁ ଯେଦୁରାପ୍ପାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ଏବଂ ଜେଡିଏସ୍ ନେତା ଏଚଡି କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇ କଂଗ୍ରେସ ରାଜ୍ୟରେ ମିଳିତ ସରକାର ପ୍ରତିଷ୍ଠା କରିଥିଲା । କିନ୍ତୁ, ବିଜେପି ମେଂଟ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ‘ଅପରେସନ୍ ଲୋଟୋସ୍’ର ଆଶ୍ରୟ ନେଇଥିବା ବିରୋଧୀ ଅଭିଯୋଗ କରିଥିଲେ । ବିଜେପି ଉଭୟ ଜେଡିଏସ୍ ଓ କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭିତ କରି ଏଚଡି କୁମାରସ୍ୱାମୀଙ୍କ ସରକାରର ପତନ ଘଟାଇବା ସହ ରାଜ୍ୟରେ ତୃତୀୟ ଥର ପାଇଁ ଦଳର ସରକାର ପ୍ରତିଷ୍ଠା କରିଥିଲା । ଏଥିରେ ୟେଦୁରାପ୍ପାଙ୍କ ବିଶେଷ ଭୂମିକା ଥିଲା । ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟ ବିଧାନସଭାର ୨୨୪ ଆସନରୁ ୧୩୬ ଆସନରେ ବିଜୟ ଲକ୍ଷ୍ୟ ରଖିଛି । ବିଜେପିର ଚାଣକ୍ୟ ଭାବେ ପରିଚିତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟ ବିଜେପିକୁ ଏହି ଟାର୍ଗେଟ୍ ଦେଇଛନ୍ତି । ତେବେ, ରାଜ୍ୟ କଂଗ୍ରେସ ନେତୃତ୍ୱ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ସରକାର ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ଆଣି ଲକ୍ଷ୍ୟ ସାଧାନରେ ବଡ ପ୍ରତିବନ୍ଧକ ହୋଇଥିବାରୁ ବିଜେପି ନେତୃତ୍ୱ ଏବେ ୟେଦୁରାପ୍ପାଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । କର୍ଣ୍ଣାଟକ ହେଉଛି ଏକମାତ୍ର ଦକ୍ଷିଣ ଭାରତୀୟ ରାଜ୍ୟ ଯେଉଁଠାରେ କି ବିଜେପିର ତୃଣମୂଳସ୍ତରରେ ସଂଗଠନ ଓ ଗ୍ରହଣୀୟତା ରହିଛି । ୟେଦୁରାପ୍ପା ୨୦୨୩ ବିଧାନସଭା ନିର୍ବାଚନ ମଂଗ ଧରିଲେ ବିଜେପି ତାହାର ଲକ୍ଷ୍ୟ ସାଧନ କରି ପାରିବ ବୋଲି ବିଜେପି ନେତୃତ୍ୱ ଆଶା କରୁଥିବାରୁ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ ଆଲୋଚନା କରିଥିବା ଅନୁମାନ କରାଯାଉଛି । ଆଜି ସରୁଥିବା ବିଜେପି ଜାତୀୟ କାର୍ଯ୍ୟକାରୀଣୀରେ ନଅଟି ରାଜନୈତିକ ପ୍ରସ୍ତାବ ଗୃହୀତ ହୋଇଥିବା ସୂଚନା ମିଳିଛି । ୨୦୨୩ରେ କର୍ଣ୍ଣାଟକ ସମେତ ନଅଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ଏହି ଦୁଇ ଦିନଆ ଜାତୀୟ କାର୍ଯ୍ୟକାରୀଣୀରେ ବିସ୍ତୃତ ଆଲୋଚନା ହୋଇଛି । ବିେରୋଧୀ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରୋଧରେ ବାରମ୍ବାର ଅପଶବ୍ଦ ପ୍ରୟୋଗ କରି ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଥିବା ଦଳର ନତୃବର୍ଗ ଅଭିଯୋଗ କରିବା ସହ ଦୃଢତାର ସହ ଏହାର ମୁକାବିଲା କରିବାକୁ ନିର୍ଣ୍ଣୟ ନେଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS