ଉତ୍ତର ପୂର୍ବାଂଚଳ ରାଜ୍ୟଙ୍କ ଉପରେ ବିଜେପିର ଆଖି


ପ୍ରସାଦ ରାଓ
ଜାନୁଆରୀ ୧୯/୨୩
ଚଳିତ ବର୍ଷ ପ୍ରାରମ୍ଭରୁ ତିନିଟି ଉତ୍ତର ପୂର୍ବାଂଚଳ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ତିନିଟି ରାଜ୍ୟ ମଧ୍ୟରୁ ତ୍ରିପୁରାରେ ବିଜେପି ସରକାର ରହିଛି । ଅନ୍ୟ ଦୁଇଟି ରାଜ୍ୟ ନାଗାଲାଣ୍ଡ ଓ ମେଘାଳୟରେ ଆଂଚଳିକ ଦଳ ଶାସନରେ ଅଛନ୍ତି । ତିନି ରାଜ୍ୟର ମୋଟ ୧୮୦ ବିଧାନସଭା ଆସନ ପାଇଁ ଫେବୃୟାରୀ ୧୬ ଓ ୨୭ରେ ନିର୍ବାଚନ କରିବାକୁ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ତାରିଖ ଧାର୍ଯ୍ୟ କରିଛନ୍ତି । ତ୍ରିପୁରାର ୬୦ ବିଧାନସଭା ଆସନ ପାଇଁ ଫେବୃୟାରୀ ୧୬ରେ ନିର୍ବାଚନ ହେବାକୁ ଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡର ୬୦ ଲେଖାଏଁ ଆସନ ପାଇଁ ସେହି ମାସ ୨୭ ତାରିଖ ନିର୍ବାଚନ ହେବ । ବୁଧବାର (ଜାନୁଆରୀ ୧୮ ତାରିଖ) ଦିନ ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ତିନି ରାଜ୍ୟ ପାଇଁ ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରିବା ପରେ ଉତ୍ତର ପୂର୍ବାଂଚଳ ରାଜନୀତି ଚଳଚଂଚଳ ହୋଇଛି ।
ଦେଶର ଉତ୍ତର ପୂର୍ବାଂଚଳରେ ଥିବା ଆଠଟି ରାଜ୍ୟ ମଧ୍ୟରେ ତ୍ରିପୁରା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ, ଯାହାକି ୧୯୭୭ରୁ ୨୦୧୮ ନିର୍ବାଚନ ପର୍ଯ୍ୟନ୍ତ ବାମପନ୍ଥୀଙ୍କ ଶାସନାଧିନ ଥିଲା । ପୂର୍ବରୁ ୧୯୭୨ରୁ ୧୯୭୭ ପର୍ଯ୍ୟନ୍ତ ରାଜ୍ୟରେ କଂଗ୍ରେସ ସରକାର ଥିଲା । ୧୯୭୨ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ତ୍ରିପୁରାର ୬୦ ବିଧାନସଭା ଆସନରୁ ୪୧ଟିରେ ବିଜୟୀ ହୋଇଥିବା ବେଳେ ସିପିଏମକୁ ୧୬, ସିପିଆଇକୁ ଗୋଟିଏ ଓ ସ୍ୱାଧୀନଙ୍କୁ ଦୁଇଟି ଆସନ ମିଳିଥିଲା । ୧୯୭୭ ନିର୍ବାଚନରେ ରାଜ୍ୟର ୬୦ ବିଧାନସଭା ଆସନରୁ ସିପିଏମକୁ ୫୧ଟି ଆସନରେ ବିଜୟ ମିଳି ଥିବା ବେଳେ ଆରଏସପିକୁ ୨ଟି ଆସନ, ୧୯୮୩ରେ ସିପିଏମକୁ ୩୭ଟି, କଂଗ୍ରେସକୁ ୧୨ଟି ଓ ଆରଏସପିକୁ ୨ଟି ଆସନ, ୧୯୮୮ ନିର୍ବାଚନରେ ସିପିଏମକୁ ୨୬, କଂଗ୍ରେସକୁ ୨୫ ଆରଏସପିକୁ ୨ଟି ଆସନ, ୧୯୯୩ ନିର୍ବାଚନରେ ସିପିଏମକୁ ୪୪, କଂଗ୍ରେସକୁ ୧୦ଟି, ଆରଏସପିକୁ ୨ଟି, ୧୯୯୮ ନିର୍ବାଚନରେ ସିପିଏମକୁ ୩୮, କଂଗ୍ରେସକୁ ୧୩, ସିପିଆଇକୁ ଗୋଟିଏ ଓ ଆରଏସପିକୁ ଦୁଇଟି ଆସନ ମିଳିଥିଲା ।
୨୦୦୩ ନିର୍ବାଚନରେ ତ୍ରିପୁରାରେ ସିପିଏମକୁ ୩୮, କଂଗ୍ରେସକୁ ୧୩ ଓ ଆରଏସପିକୁ ଦୁଇଟି ଓ ସିପିଆଇକୁ ଗୋଟିଏ ଆସନ ମିଳିଥିବା ବେଳେ ୨୦୦୮ ସିପିଏମ ୪୬, କଂଗ୍ରେସ ୧୦, ସିପିଆଇ ଗୋଟିଏ ଓ ଆରଏସପି ଦୁଇଟି ଆସନରେ ବିଜୟୀ ହୋଇଥିଲା । ୨୦୧୩ ନିର୍ବାଚନରେ ସିପିଏମ ୪୯, କଂଗ୍ରେସ ୧୦ ଓ ସିପିଆଇ ଗୋଟିଏ ଆସନ ପାଇଥିଲେ । ତେବେ, ୨୦୧୮ ବିଧାନସଭା ନିର୍ବାଚନରେ ତ୍ରିପୁରାର ପାଣିପାଗ ବଦଳି ଗଲା । ରାଜ୍ୟର ୫୯ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ବିଜେପି ପ୍ରଥମ ଥର ପାଇଁ ୩୬ଟି ଆସନରେ ବିଜୟୀ ହୋଇ ସରକାର ପାଂଚ ବର୍ଷ ହେଲା ଶାସନରେ ଥିବା ବେଳେ ସିପିଆଇ, ସିପିଏମ, ଆରଏସପି, ଏଆଇଏଫବି ମେଂଟ ୧୬ଟି ଆସନରେ ସୀମିତ ରହିଛି । ରାଜ୍ୟରେ କଂଗ୍ରେସ ମୋଟେ ଖାତା ଖୋଲିନି । ୨୦୨୩ ଫେବୃଆରୀ ୧୬ରେ ରାଜ୍ୟରେ ବିଧାନସଭା ଭୋଟ ହେବାକୁ ଥିବା ବେଳେ ବିଜେପି ଦ୍ୱତୀୟ ଥର ପାଇଁ କ୍ଷମତାକୁ ଫେରିବା ଉଦ୍ୟମରେ ଥିବା ବେଳେ ସିପିଏମ ଓ ଅନ୍ୟ ବାମ ଦଳମାନେ କ୍ଷମତା ଦଖଲ ପାଇଁ ନୂତନ ମେଂଟର ସନ୍ଧାନରେ ଥିବା ସୂଚନା ମିଳିଛି ।
ଫେବୃଆରୀ ୨୭ ତାରିଖରେ ମେଘାଳୟର ଓ ନାଗାଲାଣ୍ଡର ୬୦ଟି ଲେଖାଏଁ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ୨୦୧୮ରେ ମେଘାଳୟ ବିଧାନସଭା ପାଇଁ ୫୯ ଆସନରେ ନିର୍ବାଚନ ହୋଇଥିବା ବେଳେ କଂଗ୍ରେସ ସର୍ବାଧିକ ୨୧ଟି ଆସନ (୨୮.୫ ପ୍ରତିଶତ ଭୋଟ)ରେ ବିଜୟୀ ହୋଇ ମଧ୍ୟ ସରକାର ଗଠନ କରିବାରେ ସକ୍ଷମ ହୋଇନଥିଲା । ବିଜେପି ମାତ୍ର ୨ଟି ଆସନ (୯.୬ ପ୍ରତିଶତ ଭୋଟ), ଆଂଚଳିକ ଦଳ ଏନପିପି ୧୯ଟି (୨୦.୬ ପ୍ରତିଶତ), ୟୁଡ଼ିପି ୬ଟି ଆସନ (୧୧.୬ ପ୍ରତିଶତ ଭୋଟ), ଏନସିପି ଗୋଟିଏ ଆସନ (୧.୬ ପ୍ରତିଶତ ଭୋଟ), ପିଡ଼ିଏଫ ୪ଟି ଆସନ (୮.୨ ପ୍ରତିଶତ) ଓ ଅନ୍ୟମାନେ ୬ଟି ଆସନ (୧୯.୯ ପ୍ରତିଶତ ଭୋଟ)ରେ ବିଜୟୀ ହୋଇଥିଲେ । ବିଜେପି ସଂଖ୍ୟା ଦୃଷ୍ଟିରୁ ବହୁ ପଛରେ ଥିଲେ ମଧ୍ୟ କଂଗ୍ରେସକୁ ସରକାର ଗଠନରୁ ଦୂରରେ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲା ଏବଂ ଆଂଚଳିକ ଦଳଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିବା ସରକାର ପ୍ରତି ଦଳର ସମର୍ଥନ ରହିଥିଲା ।
ନାଗାଲାଣ୍ଡରେ ମଧ୍ୟ ୬୦ରୁ ୫୯ ବିଧାନସଭା ଆସନ ପାଇଁ ୨୦୧୮ରେ ନିର୍ବାଚନ ହୋଇଥିଲା ଏବଂ ଆଂଚଳିକ ଦଳ ଏନପିଏଫ ସର୍ବାଧିକ ୨୬ଟି ଆସନ (୩୮.୮ ପ୍ରତିଶତ ଭୋଟ ସେୟାର)ରେ ବିଜୟୀ ହୋଇଥିବା ବେଳେ ବିଜେପି ୧୫.୩ ଭୋଟ ପାଇ ୧୨ଟି ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ୨.୧ ପ୍ରତିଶତ ଭୋଟ ପାଇ ଥିଲେ ମଧ୍ୟ ଗୋଟିଏ ହେଲେ ଆସନ ପାଇ ନାହିଁ । ଅନ୍ୟ ପକ୍ଷରେ ନାଗାଲାଣ୍ଡର ଆଂଚଳିକ ଦଳ ଏନଡ଼ିପିପି ୨୫.୩ ପ୍ରତିଶତ ଭୋଟ ପାଇ ୧୭ଟି ଆସନ ଓ ଅନ୍ୟମାନେ ୧୮.୫ ପ୍ରତିଶତ ଭୋଟ ପାଇ ୪ଟି ଆସନରେ ବିଜୟୀ ହୋଇଛନ୍ତି । ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ନେତୃତ୍ୱରେ ବିଜେପି ସରକାର ଚାଲି ଥିବା ବେଳେ ମେଘାୟଳରେ ମୁଖ୍ୟମନ୍ତ୍ରୀ କନରାଡ ସାଂଗାମାଙ୍କ ନ୍ୟାସନାଲ ପିପିୁଲ୍ସ ପାର୍ଟି (ଏନପିପି)ର ଓ ନାଗାଲାଣ୍ଡରେ ନ୍ୟାସନାଲିଷ୍ଟ ଡ଼େମୋକ୍ରଟିକ ପ୍ରୋଗ୍ରେସିଭ ପାର୍ଟି (ଏନଡିପିପି) ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓଙ୍କ ସରକାର ରହିିଛି ।
୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ମେଘାଳୟରେ ସର୍ବାଧିକ ସଂଖ୍ୟକ ଆସନ ପାଇଥିଲେ ମଧ୍ୟ ତୁରନ୍ତ ସରକାର ଗଠନ କରିବାରେ ବିଫଳ ହେବାରୁ ବିଜେପି ତାହାର ସୁଯୋଗ ନେଇଥିଲା । ଏନପିପି ଓ ଆଂଚଳିକ ଦଳମାନେ ମେଂଟରେ ଏନପିପିର ସରକାର ପ୍ରତିଷ୍ଠା କରିଥିଲେ ଏବଂ ବିଜେପି ସେମାନଙ୍କ ସହ ରହିଛି । ୨୦୨୩ରେ ଏହି ତିନିଟି ପୂର୍ବାଂଚଳ ରାଜ୍ୟ କେବଳ ନୁହେଁ, ଡସେମ୍ବର ଆଡକୁ ମିଜୋରାମରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସଂପ୍ରତ୍ତି ମିଜେରାମରେ ମୁଖ୍ୟମନ୍ତ୍ରୀ ଜେରାମଥାଂଗାଙ୍କ ମିଜୋ ନ୍ୟାସନାଲ ଫ୍ରଂଟ୍ (ଏମଏନଏଫ) ସରକାର ଚାଲିଛି । ଦେଶର ସାତଟି ଉତ୍ତର ପୂର୍ବାଂଚଳ ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ମେଘାଳୟ, ମିଜେରାମ ଓ ନାଗାଲାଣ୍ଡ (ସାତ ଭଉଣୀ ଭାବେ ପରିଚିତ) ମଧ୍ୟରୁ ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଅରୁଣାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପ୍ରେମା ଖଣ୍ଡୁ ଓ ମଣିପୁରରେ ଏନ.ବିରେନ ସିଂହଙ୍କ ନେତୃତ୍ୱରେ ବିଜେପିର ସରକାର ରହିଛି । ଏହି ସାତଟି ରାଜ୍ୟ ବ୍ୟତୀତ ଉତ୍ତର ପୂର୍ବାଚଳ ରାଜ୍ୟ ସମୂହରେ ଅନ୍ୟତମ ପାହାଡୀ ରାଜ୍ୟ ସିକ୍କିମ ଅନ୍ତର୍ଭୁକ୍ତ । ସିକ୍କିମ ହେଉଛି ସାତ ଭଉଣୀରେ ଜଣେ ଭାଇ । ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଂଗଙ୍କ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ରାଜ୍ୟରେ ଶାସନରେ ରହିଛି ।
୨୦୨୨ରେ ଅନୁଷ୍ଠିତ ମଣିପୁର ବିଧାନସଭା ନିର୍ବାଚନରେ ୬୦ରୁ ୩୨ଟି ଆସନ ବିଜେପିକୁ ମିଳିଛି । ଅନ୍ୟ ରାଜନୈତିକ ଦଳଙ୍କ ମଧ୍ୟରେ କଂଗ୍ରେସ ୫ଟି, ଜେଡିୟୁ ୬ଟି, ଏନପିଏଫ ୫ଟି ଓ ଏନପିପି ୭ଟି ଆସନରେ ବିଜୟୀ ହୋଇଥିଲେ । ରାଜ୍ୟରେ ବିଜେପି ସରକାର ରହିଛି । ୩୨ ଆସନ ବିଶିଷ୍ଟ ସିକ୍କିମ ଓ ୬୦ ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ୨୦୨୪ରେ ନିର୍ବାଚନ ହେବ । ମୋଟାମୋଟି ଭାବେ କହିବାକୁ ଗଲେ ଉତ୍ତର ପୂବାଂଚଳର ସାତଟି ରାଜ୍ୟ (ସାତ ଭଉଣୀ)ରୁ ୪ଟି ରାଜ୍ୟରେ ବିଜେପି ସରକାର ଥିବା ବେଳେ ବିଜେପି ୨୦୨୩ରେ ମେଘାଳୟକୁ ସେଥିରେ ଯୋଡିବା ଲକ୍ଷ୍ୟରେ ରହିଛି । ଏନଡିପିପି ୨୦୧୮ ନିର୍ବାଚନରେ ନାଗାଲାଣ୍ଡରେ ବିଜେପିର ମିତ୍ରଦଳ ଥିଲା । ତେବେ, ରାଜ୍ୟର ବିଭିନ୍ନ ନାଗା ଗୋଷ୍ଠୀର କାର୍ଯ୍ୟକଳାପ ଏବେ ବିଜେପିକୁ ଅଡୁଆରେ ପକାଇଛି । ନାଗା ଗୋଷ୍ଠୀଙ୍କ ମଧ୍ୟରୁ ଗୋଟିଏ ନାଗାଲାଣ୍ଡରେ ଉଗ୍ରବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଗୋଷ୍ଠୀଙ୍କ ସହ ୨୦୨୩ ନିର୍ବାଚନ ପୂର୍ବରୁ ଶାନ୍ତି ରାଜିନାମା ସ୍ୱାକ୍ଷର ହେବା ଚାହୁଁଛି । ଅନ୍ୟ ଏକ ଗୋଷ୍ଠୀ ନାଗାଲାଣ୍ଡ ପୂର୍ବାଂଚଳ ପାଇଁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି କରୁଛି ।
ଏହି ଦୁଇ ଗୋଷ୍ଠୀ ନିଜ ନିଜ ଦାବି ସପକ୍ଷରେ ନିର୍ବାଚନ ବର୍ଜନ ଧମକ ଦେବା କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ପାଇଁ ଅଡୁ୍ରା ହୋଇଛି । ତେଣୁ, ବିଜେପି ୨୦୧୮ରେ ସହଯୋଗୀ ଦଳ ଥିବା ଏନଡିପିପିଠାରୁ ଦୂରେଇବାକୁ ଚାହୁଁ ଥିବା ସୂଚନା ମିଳୁଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଉତ୍ତର ପୂର୍ବାଂଚଳ ରାଜ୍ୟ ପାଇଁ ବିଜେପିର ନିର୍ବାଚନ ରଣନୀତିକାର ଅଛନ୍ତି । ମେଘାଳୟ ଖ୍ରୀଷ୍ଟିଆନ ବହୁଳ ରାଜ୍ୟ । ଆସନ୍ତା ନିର୍ବାଚନରେ ବିଜେପି ମେଘାଳୟ ଦଖଲ କରିବାକୁ ଚାହୁଁଥିବା ବିଶ୍ୱଶର୍ମା କହୁଥିବା ବେଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ମେଘାଳୟରେ ପାଦ ଥାପିବାକୁ ଉଦ୍ୟମ କରୁଛି । ସାତଟି ଉତ୍ତର ପୂର୍ବାଂଚଳ ରାଜ୍ୟରେ ୨୪ଟି ଲୋକସଭା ଆସନ ରହିଛି । ସେଥିରୁ ୧୭ଟି ଲୋକସଭା ଆସନ ବର୍ତ୍ତମାନ ଏନଡ଼ିଏ ହାତରେ ଅଛି । ମିଜେରାମରେ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ଜୋରାମଥାଂଗାଙ୍କ ମିଜୋ ନ୍ୟାସନାଲ ଫ୍ରଂଟ୍ (ଏମଏନଏଫ) ସରକାରରେ ବିଜେପି ସାମିଲ ନଥିଲେ ମଧ୍ୟ ଏମଏନଏଫ କେନ୍ଦ୍ରରେ ଏନଡ଼ିଏର ସହଯୋଗୀ ରହିଛି । ବିଜେପି ଉତ୍ତର ପୂର୍ବାଂଚଳ ରାଜ୍ୟରେ ନିଜର ଶକ୍ତିବୃଦ୍ଧି କରି ୨୦୨୪ ସାଧାରଣ ନିର୍ବାଚନରେ ଅଧିକ ଲୋକସଭା ଆସନ ହାତେଇବା ରଣନୀତିରେ ଥିବାରୁ ବିଧାନସଭା ନିର୍ବାଚନଗୁଡିକରେ ବିଜୟକୁ ଅଧିକ ପ୍ରାଧାନ୍ୟ ଦେଉଛି ।
ଦିନଥିଲା ଉତ୍ତର ପୂର୍ବାଂଚଳରେ କଂଗ୍ରେସର ବେଶ୍ ପ୍ରାଧାନ୍ୟ ଥିଲା । ଏବେ ଦଳର ସ୍ଥିତି ପ୍ରୟତଃ ନିଷ୍ପ୍ରଭ । ୨୦୨୩ ଫେବୃୟାରୀରେ ନିର୍ବାଚନ ହେବାକୁ ଥିବା ତିନିଟି ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମଣିପୁର ମଧ୍ୟରୁ ନାଗାଲାଣ୍ଡ ଓ ତ୍ରିପୁରାରେ ୨୦୧୮ ନିର୍ବାଚନରେ କଂଗ୍ରେସକୁ ଗୋଟିଏ ହେଲେ ଆସନ ମିଳି ନାହିଁ । ସେହିଭଳି, ମେଘାଳୟରେ ୨୦୧୮ ନିର୍ବାଚନରେ କଂଗ୍ରେସ ସର୍ବାଧିକ ୨୧ ଆସନ ପାଇ ମଧ୍ୟ ନିଜ ଅବହେଳାରୁ ସରକାର ଗଠନ କରିବାକୁ ସକ୍ଷମ ହେଲା ନାହିଁ । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଂଗାମା ଗତବର୍ଷ ଦଳର ଅଧାରୁ ଅଧିକ ବିଧାୟକଙ୍କୁ ଧରି ତୃଣମୂଳ କଂଗ୍ରେସ ପାର୍ଟିକୁ ଚାଲି ଯାଇଥିଲେ । ୨୦୨୩ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ୨୦୧୮ ନିର୍ବାଚନରେ କ୍ଷମତା ହରାଇ ଥିବା ବାମପନ୍ଥୀମାନେ ୨୦୨୩ ନିର୍ବାଚନରେ ବିଜେପିକୁ ସାମ୍ନା କରିବା ପାଇଁ ମିତ୍ରଙ୍କ ତଲାସରେ ଥିବା ସୂଚନା ମିଳିଛି । ଅପରପକ୍ଷରେ, ବିଜେପି ତ୍ରପୁରା, ମେଘାଳୟ ଓ ନାଗାଲାଣ୍ଡରେ ବିଜୟ ପାଇଁ ଗୋଟିଚାଳନାରେ ବ୍ୟସ୍ତ । ଦଳ ଉତ୍ତର ପୂର୍ବାଂଚଳର ବିକାଶ କଥା କହୁଛି । ଆଂଚଳିକ ଦଳଙ୍କ ସହ ବୁଝାମଣା ଉଦ୍ୟମ ମଧ୍ୟ ଜାରି ରଖିଛି ।
ତେବେ, ବିଜେପି ପାଇଁ ଦୁଇଟି ପ୍ରମୁଖ ସମସ୍ୟା ରହିଛି । ଗୋଟିଏ ହେଉଛି, ଉତ୍ତର ପୂର୍ବାଂଚଳ ରାଜ୍ୟମାନଙ୍କ ମଧ୍ୟରେ ରହି ଆସି ଥିବା ସୀମା ବିବାଦ । ଦ୍ୱିତୀୟରେ, ବିଜେପି ପ୍ରତି ଆଂଚଳିକ ଦଳଙ୍କ ମଧ୍ୟରେ ବଢୁଥିବା ସନ୍ଦେହ । କେନ୍ଦ୍ର ସରକାର ସୀମା ବିବାଦରେ ମୁଣ୍ଡପୁରାଇ ସଂପୃକ୍ତ ରାଜ୍ୟ ସରକାରଙ୍କୁ ପରସ୍ପର ବିରୋଧରେ ଲଢାଇ କରାଉଛନ୍ତି । ସେହିଭଳି, ଆଂଚଳିକ ଦଳଙ୍କ ମିତ୍ରତା କରି ବିଜେପି ସେମାନଙ୍କ ମାଧ୍ୟମରେ ନିଜର ବିସ୍ତାର କରୁଛି ବୋଲି ଆଂଚଳିକ ଦଳମାନେ ଅନୁଭବ କଲେଣି । ତେଣୁ, ଗତବର୍ଷ ଦୁଇ ମିତ୍ରଦଳ ବିଜେପି ଓ ଏନପିପି ମଣିପୁର ବିଧାନସଭା ନିର୍ବାଚନରେ ଭିନ୍ନ ଭିନ୍ନ ଭାବେ ଲଢି ଥିଲେ । ଫେବୃଆରୀରେ ହେବାକୁ ଥିବା ମେଘାଳୟ ନିର୍ବାଚନରେ ଏନପିପି ୬୦ରୁ ୫୮ ବିଧାନସଭା ଆସନରେ ପ୍ରାର୍ଥୀ ଦେବା କଥା କହୁଛି । କେନ୍ଦ୍ର ସରକାର ଗତବର୍ଷ ଉତ୍ତର ପୂର୍ବାଂଚଳର ବହୁ ଭାଗରୁ ଏଏଫଏସପିଏର ପ୍ରତ୍ୟାହାର କରି ଉତ୍ତର ପୂର୍ବାଂଚଳବାସୀଙ୍କୁ ଆଶ୍ୱସ୍ତ କରିଥିବାରୁ ବିଜେପି ପାଇଁ ତାହା ଅନୁକୂଳ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ତେବେ, ଉଗ୍ରବାଦର ସଂପୂର୍ଣ୍ଣ ବିଲୋପ ନହେବା ଯାଏଁ ଉତ୍ତର ପୂର୍ବାଂଚଳର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ନୁହେଁ ବୋଲି ବିଶେଷଜ୍ଞ ମତ । ଏଦିଗରେ ବିଜେପିର ରଣନୀତି କଣ ରହିବ, ତାହା ଏହି ନିର୍ବାଚନରେ ଜଣାପଡିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS