ରାହୁଲଙ୍କ ପଦଯାତ୍ରା ଜମ୍ମୁ ପହଂଚିବା ପୂର୍ବରୁ ଦୁଇଟି ବିସ୍ଫୋରଣ, ସୁରକ୍ଷା ଚିନ୍ତା ବଢିଲା
ପ୍ରସାଦ ରାଓ
ଜାନୁଆରୀ ୨୧/୨୩
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଜମ୍ମୁ-କଶ୍ମୀରରେ । ଶେଷ ପର୍ଯ୍ୟାୟରେ ଥିବା ‘ଭାରତ ଯୋଡୋ’ ଯାତ୍ରା ଜାନୁୟାରୀ ୩୦ ତାରିଖ ଦିନ କଶ୍ମୀରରେ ଉଦ୍ୟାପନ ହେବାକୁ ଥିବା ବେଳେ ଆଜି ସକାଳେ ଜମ୍ମୁର ନରୱାଲ ଶିଳ୍ପାଂଚଳରେ ଦୁଇଟି ବିସ୍ଫୋରଣ ଘଟି ସାତ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରଯାଇଥିବା ବେଳେ ସେଥିରୁ ଜଣକ ଅବସ୍ଥା ଗୁରୁତର ଥିବା ଜମ୍ମୁର ପୁଲିସ ଅତିରିକ୍ତ ଡ଼ିଜି ମୁକେଶ ସିଂହ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ପଦଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଅତି କଡାକଡି ଥିବା ବେଳେ ନରୱାଲ ଶିଳ୍ପାଂଚଳରେ ସକାଳେ ଘଟିଥିବା ଦୁଇଟି ବିସ୍ଫୋରଣ ରାହୁଲଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି । ରାହୁଲ ଗାନ୍ଧୀଙ୍କ ପଦଯାତ୍ରୀ ଦଳ ଗତକାଲି ଜମ୍ମୁ-କଶ୍ମୀରରେ ପ୍ରବେଶ କରି ପଦଯାତ୍ରା ଆରମ୍ଭ କରିବା ପରେ ଆଜି ଜମ୍ମୁରୁ ୬୦ କିମି ଦୂର ଚାଦୱାଲରେ ବିଶ୍ରାମ ନେଉଛନ୍ତି । ଦିନକ ପାଇଁ ପଦଯାତ୍ରା ବନ୍ଦ ରହିଛି । ଆସନ୍ତା କାଲି ତାହା ଆରମ୍ଭ ହେବ । ଫେରେନ୍ସିକ ବିଶେଷଜ୍ଞ ଦଳ ବିସ୍ଫୋରଣ ସ୍ଥଳରେ ପହଂଚି ଯାଂଚ କରୁଛନ୍ତି । ବିସ୍ଫାରଣ କେଉଁ ଧରଣର ତାହା ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ସଂପୃକ୍ତ ଅଂଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ସୁରକ୍ଷା ବଳ ରାସ୍ତାରେ ଯାଉଥିବା ସବୁ ଯାନବାହନକୁ ଯାଂଚ କରୁଛନ୍ତି । ଅଂଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଜମ୍ମୁ-କଶ୍ମୀରର ଲ୍ୟୁଟିନାଂଟ ଜେନେରାଲ (ଏଲଜି) ମନୋଜ ସିହ୍ନା ପ୍ରତ୍ୟେକ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା କାପୁରୁଷୋଚିତ କାର୍ଯ୍ୟ ବୋଲି ଏଲଜି ସିହ୍ନା କହିବା ସହ ବିସ୍ଫୋରଣ ଘଟଣା ପାଇଁ ଯେଉଁମାନେ ଦାୟି ସେମାନଙ୍କୁ ତୁରନ୍ତ ଖୋଜି ବାହାର କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି । ଆଜି ସକାଳର ଘଟଣା ଆତଙ୍କବାଦ କାର୍ଯ୍ୟକଳାପ ବୋଲି ସନ୍ଦେହ କରାଯାଉଛି । ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ଗତକାଲି ଜମ୍ମୁ-କଶ୍ମୀରରେ ପହଂଚିବା ପରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏକ ବିବୃତି ଦେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏହି ପୂର୍ବତନ ରାଜ୍ୟ (ବର୍ତ୍ତମାନ କେନ୍ଦ୍ର ଶାସିତ ଅଂଚଳ)କୁ ସ୍ୱାଧୀନତା ପରବର୍ତ୍ତୀ ସମୟରୁ ମିଳି ଥିବା ସ୍ୱତନ୍ତ୍ର ପାହ୍ୟା ମର୍ଯ୍ୟାଦାକୁ ୨୦୧୯ ଅଗଷ୍ଟ ୫ ତାରିଖ ଦିନ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଥିବା ରାଜ୍ୟବାସୀଙ୍କ ପ୍ରତି ‘ଅପମାନସୂଚକ’ ବୋଲି ଦର୍ଶାଇ ଜମ୍ମୁ-କଶ୍ମୀରକୁ ପୁନର୍ବାର ପୂର୍ଣ୍ଣାଂଗ ରାଜ୍ୟର ମାନ୍ୟତା ଦିଆଯିବାକୁ ସେ ଦାବି ଉପସ୍ଥାପନ କରିଛନ୍ତି । କେବଳ ଜମ୍ମୁ-କଶ୍ମୀର ନୁହେଁ, ଦେଶର ଅନ୍ୟ ବହୁ ରାଜ୍ୟ ମଧ୍ୟ ସମ୍ବିଧାନର ୩୭୧ ଧାରାରେ ସ୍ୱତନ୍ତ୍ର ରାଜ୍ୟର ମର୍ଯ୍ୟାଦା ଉପଗୋ କରୁଥିବା ସେ କହିଛନ୍ତି । ପ୍ରବଳ ଥଣ୍ଡା ଓ ସୁରକ୍ଷା କାରଣରୁ ରାଜ୍ୟର କିଛି ଅଂଚଳରେ ସବ୍ ଯୋଗେ ‘ଭାରତ ଯୋଡୋ’ ହେବ ବୋଲି ଗଣଯୋଗାଯୋଗ ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସଂପାଦକ ରମେଶ ଗତକାଲି ସୂଚନା ଦେଇଥିଲେ । ରାହୁଲ ଗାନ୍ଧୀଙ୍କ ଏହି ‘ଭାରତ ଯୋଡୋ’ ପଦଯାତ୍ରା ୨୦୨୨ ସେପ୍ଟେମ୍ବର ୭ ତାରିଖରେ ତମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା । ୧୨୫ ଦିନରେ ପ୍ରାୟ ୩,୪୦୦ କିମି ପଦଯାତ୍ରା କରାଯାଇ ଜାନୁୟାରୀ ୩୦ରେ ତାହା କଶ୍ମୀରରେ ଏକ ବଡ ଧରଣର ସମାବେଶ ମାଧ୍ୟମରେ ସମାପନ କରାଯିବା କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ଅଣ-ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିରୋଧୀ ଦଳର ବରିଷ୍ଠ ନେତାଙ୍କୁ କଶ୍ମୀରରେ ହେବାକୁ ଥିବା ଉଦ୍ୟାପନ ସମାବେଶରେ ଯୋଗ ଦେବାକୁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରରେ କଡା ସୁରକ୍ଷା ବଳୟ ଭିତରେ ତାଙ୍କ ପଦଯାତ୍ରାରେ ଥିବା ଜଣାପଡିଛି । ବର୍ଷା ସତ୍ତ୍ୱେ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ତାଙ୍କୁ ଘେରି ରହି ତାଙ୍କ ସହ ପଦଯାତ୍ରା କରୁଛନ୍ତି । ଜମ୍ମୁ-କଶ୍ମୀରରେ ପହଂଚିବା ପରେ ରାହୁଲ କହିଛନ୍ତି, ତାଙ୍କୁ ଘରକୁ ଫେରିଲା ଭଳି ଲାଗୁଛି । ସେ ଅଂଚଳବାସୀଙ୍କ ଅନ୍ତରର ବ୍ୟଥା ଶୁଣିବାକୁ ପଦଯାତ୍ରାରେ ଆସିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS