କୋଶିଆରୀ ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେବେ ?
ପ୍ରସାଦ ରାଓ
ଜାନୁଆରୀ ୨୩/୨୩
ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ସେ ରାଜ୍ୟପାଳ ପଦ ତ୍ୟାଗ କରି ଲେଖା, ପଢାରେ ସମୟ ବିତାଇବାକୁ ଆଗ୍ରହୀ ଅଛନ୍ତି ବୋଲି କୋଶିଆରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇ ଥିବା ସୂଚନା ମିଳିଛି । ୨୦୧୯ ସେପ୍ଟେମ୍ବରରେ ସେ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ସେବେଠାରୁ ସେ ବିଭିନ୍ନ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ରାଜ୍ୟପାଳ କୋଶିଆରୀ ରାଜଭବନରୁ ଗଣମାଧ୍ୟମ ଉଦ୍ଦେଶ୍ୟରେ ଦେଇଥିବା ଏକ ବିବୃତିରେ କହିଛନ୍ତି, ରାଜ୍ୟ ସେବକ ବା ରାଜ୍ୟପାଳ ଭାବେ ମହାରାଷ୍ଟ୍ର ଭଳି ଏକ ବୃହତ୍ତ ରାଜ୍ୟର ସେବା କରିବା ତାଙ୍କ ପାଇଁ ବଡ ସୁଯୋଗ ଓ ସମ୍ମାନର ବିଷୟ ଥିଲା । ତେବେ, ସେ ବାକି ଦିନଗୁଡିକ ଲେଖାଲେଖି, ପଢାପଢି ଓ ଅନ୍ୟାନ୍ୟ କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରିବାକୁ ଚାହୁଁ ଥିବାରୁ ରାଜ୍ୟପାଳ ପଦ ତ୍ୟାଗ କରିବାକୁ ନିଜର ଇଚ୍ଛା ପ୍ରଧାନମନ୍ତ୍ରୀଙ୍କୁ ସୂଚିତ କରିଛନ୍ତି । କୋଶିଆରୀ ମହାରାଷ୍ଟ୍ରରେ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ରାଜ୍ୟରେ ବିରୋଧୀ କ୍ଷମତାକୁ ଆସିଲେ । ବିଧାନସଭା ନିର୍ବାଚନ ସରୁ ସରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମେଂଟ ଭିତରେ ଝଗଡା ଲାଗିଲା ଓ ଶିବସେନା ବିଜେପି ସହ ସଂପର୍କ ତୁଟାଇ ଏନସିପି ଓ କଂଗ୍ରେସ ସହ ମେଂଟରେ ରାଜ୍ୟରେ ମହା ବିକାଶ ଅଘାଡି (ଏମଭିଏ) ସରକାର ପ୍ରତିଷ୍ଠା କଲା । ଶିବସେନା ମୁଖ୍ୟ ଥିବା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମହା ବିକାଶ ଅଘାଡି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ରଖିବା ପୂର୍ବରୁ ରାଜ୍ୟପାଳ କୋଶିଆରୀ ପୂର୍ବ ବିଜେପି-ଶିବସେନା ସରକାରରେ ମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଏନସିପି ନେତା ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ପାଠ କରାଇ ବିବାଦ ଘେରକୁ ଆସି ଯାଇଥିଲେ । ପରେ, ରାଜ୍ୟରେ ମହା ବିକାଶ ଅଘାଡି ସରକାର ପ୍ରତିଷ୍ଠା ହେଲା ଏବଂ ରାଜ୍ୟପାଳ କୋଶିଆରୀଙ୍କ ସହ ରାଜ୍ୟ ସରକାରଙ୍କ ସଂପର୍କ ତୀକ୍ତ ରହିଥିଲା । ୨୦୨୨ରେ ମହାରାଷ୍ଟ୍ରରେ କ୍ଷମତାରେ ଥିବା ଶିବସେନାରେ ବିଦ୍ରୋହ ସଂଗଠିତ ହୋଇ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀ ଦଳରେ ବିଭାଜନ ଘଟିଇବା, ସିନ୍ଧେଙ୍କ ନେତୃତ୍ୱରେ ରାଜ୍ୟରେ ଶିବସେନା (ବିଦ୍ରୋହୀ ଗୋଷ୍ଠୀ) ଓ ବିଜେପିର ମିଳିତ ସରକାର ପ୍ରତିଷ୍ଠା ହେବା, ସିନ୍ଧେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପି ନେତା ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ହେବା ଏବଂ ଗତ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ସିନ୍ଧେ ଲେଖିଥିବା ଚିଠି ଅନୁସାରେ ରାଜ୍ୟପାଳ ପୂର୍ବ ଏମଭିଏ ସରକାର ଦ୍ୱାରା ଉପସ୍ଥାପିତ ୧୨ ଜଣ ମନୋନୀତ ସଦସ୍ୟ (ଏମଏଲସି)ଙ୍କ ତାଲିକାକୁ ରଦ୍ଦ କରି ଦେବା, ସାବିତ୍ରୀବାଇ ଫୁଲେ, ଜ୍ୟୋତିବା ଫୁଲେ ଓ ଛତ୍ରପତି ଶିବାଜୀଙ୍କ ସଂପର୍କରେ ବବଦମାନ ମନ୍ତବ୍ୟ ଦେବା ରାଜ୍ୟପାଳ କୋଶିଆରୀଙ୍କୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରଖିଥିଲା । ରାଜ୍ୟପାଳ କୋଶିଆରୀ ମହାରାଷ୍ଟ୍ର ଓ ମହାରାଷ୍ଟ୍ର ବାସିନ୍ଦାଙ୍କ ଅସ୍ମିତାକୁ ଅପମାନିତ କରିଛନ୍ତି ବୋଲି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ଅଭିଯୋଗ କରିଥିବା ବେଳେ ରାଜ୍ୟପାଳଙ୍କ ଶାସକ ଦଳ ପ୍ରତି ଏକପାଖିଆ ଅନୁଗତ୍ୟ ପାଇଁ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବାକୁ ବିରୋଧୀ ଦଳମାନେ କେନ୍ଦ୍ର ନିକଟରେ ଦାବି ରଖି ଥିଲେ । ଏଭଳି ଏକ ପରିସ୍ଥିତିରେ ରାଜ୍ୟପାଳ କୋଶିୟାରୀ ପଦତ୍ୟାଗ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଇଚ୍ଛା ବ୍ୟକ୍ତ କରିଥିବା ବେଶ୍ ଗୁରୁତ୍ୱ ରଖୁଛି । ରାଜ୍ୟପାଳମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହେଉଛନ୍ତି । ତେବେ, କେଉଁମାନଙ୍କୁ ରାଜ୍ୟପାଳ ନିଯୁକ୍ତ ଦିଆଯିବା ଉଚିତ ସେନେଇ ନିୟମ କାନୁନ ପ୍ରଣୟନ ହେବା ଆବଶ୍ୟକ ବୋଲି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମତ ଦେଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS