ନିର୍ବାଚନ ବର୍ଷରେ ବିବିସି ଡକୁମେଂଟାରୀ ରାଜନୀତିରେ ନିଆଁ ଲଗାଇଛି !
ପ୍ରସାଦ ରାଓ
ଜାନୁଆରୀ ୨୫/୨୩
୨୦୨୩ରେ ଦେଶର ନଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୨୦୦୨ରେ ହୋଇଥିବା ଗୁଜରାଟ ଦଂଗାକୁ ନେଇ ବିବିସି (ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ) ଦ୍ୱାରା ଦୁଇ ଭାଗରେ ପ୍ରସ୍ତୁତ ‘ଇଂଡିଆ: ଦି ମୋଦୀ କ୍ୱଶ୍ଚିନ୍’ ଶୀର୍ଷକ ଡକୁମେଂଟାରୀ ଦେଶର ରାଜନୀତିରେ ନିଆଁ ଲଗାଇ ଦେଇଛି । କେନ୍ଦ୍ର ସରକାର ବିବିସି ଡକୁମେଂଟାରୀକୁ ‘ଅପପ୍ରଚାରଧର୍ମୀ’ ଏବଂ ଦେଶରେ ସାଂପ୍ରଦାୟିକ ସୌହାର୍ଦ୍ଧ୍ୟ ନଷ୍ଟ କରିବାର ଏକ ଉପନିବଶେବାଦୀ ଷଡଯନ୍ତ୍ର କହି ତାହାର ପ୍ରଦର୍ଶନ ଓ ପ୍ରସାରଣକୁ ରୋକି ଦେଇଥିବା ବେଳେ ବିରୋଧୀ, ବିଶେଷକରି କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ବିଭିନ୍ନ ସଂଗଠନ ମୁକ୍ତ ମତପୋଷଣ କରିବା ଅଧିକାର ଉପରେ ଏହା ଏକ ଶକ୍ତ ପ୍ରହାର ବା ‘ସେନସରସିପ୍’ ଦର୍ଶାଇ ସରକାରଙ୍କୁ ଘେରିଛନ୍ତି । ବିବିସି ଡକୁମେଂଟାରୀ ସର୍ବସାଧାରଣରେ ପ୍ରଦର୍ଶନ ପାଇଁ ବିରୋଧୀ ଛାତ୍ର ସଂଗଠନଙ୍କ ପକ୍ଷରୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହା ଦେଶର ଦକ୍ଷିଣପନ୍ଥୀ ଓ ଅଣ-ଦକ୍ଷିଣପନ୍ଥୀ ରାଜନୈତିକ ଦଳଙ୍କ ମଧ୍ୟରେ ଏକପ୍ରକାର ମୁକାବିଲାତ୍ମକ ପରିସ୍ଥିତି ସୃଷ୍ଟି କରିଛି ।
ଗତ ସୋମବାର ଦିନ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ଏଚସିୟୁ) ପରିସରରେ ଦୁଇ ଛାତ୍ର ସଂଗଠନ ‘ଷ୍ଟୁଡେଂଟ ଇସଲାମିକ ଅର୍ଗାନାଇଜେସନ’ (ଏସଆଇଓ) ଓ ‘ମୁସଲିମ୍ ଷ୍ଟୁଡେଂଟ ଫେଡେରେସନ୍’ ପକ୍ଷରୁ ବିବିସିର ଏହି ଡକୁମେଂଟାରୀର ସ୍କ୍ରିନିଂ କରାଯାଇ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଂଜ କରାଯାଇଥିଲା । ୫୦ରୁ ଅଧିକ ଛାତ୍ରଛାତ୍ରୀ ଏକାଠି ହୋଇ ଏହି ଡକୁମେଂଟାରୀକୁ ଦେଖି ଥିଲେ । କେନ୍ଦ୍ର ସରକାର ଏହାର ପ୍ରଦର୍ଶନ ଓ ପ୍ରସାରଣ ଉପରେ ରୋକ୍ ଲଗାଇ ସମସ୍ତ ୟୁଟ୍ୟୁବ୍ ଓ ସାମାଜିକ ଗଣମାଧ୍ୟମ ଲିଂକ୍ ଅଚଳ କରିଥିବା ବେଳେ ବିରୋଧୀ ଛାତ୍ର ସଂଗଠନମାନେ ତାହାର ପ୍ରସାରଣ ଓ ପ୍ରଦର୍ଶନ କରୁଥିବା ରାଷ୍ଟ୍ରଦ୍ରୋହ ସଦୃଶ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇ ଏହାର ଛାତ୍ର ସଂଗଠନ ଏବିଭିପି (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ) ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଲିଖିତ ଅଭିଯୋଗ ମିଳି ନାହିଁ କହି ତେଲେଂଗାନା ସରକାର ଓ ହାଇଦ୍ରାବାଦ ପୁଲିସ ସଂପୃକ୍ତ ଛାତ୍ର ସଂଗଠନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ତେଲେଂଗାନାରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ ।
ହାଇଦ୍ରାବାଦ ପରେ କେରଳରେ କଂଗ୍ରେସ ଓ ଶାସକ ବାମପନ୍ଥୀ ସରକାର ସହ ଥିବା ବିଭିନ୍ନ ଛାତ୍ର ସଂଗଠନ ବିବିସିର ଏହି ଡକୁମେଂଟାରୀ ସର୍ବସାଧାରଣରେ ପ୍ରଦର୍ଶନ କରାଯିବ ବୋଲି ମଂଗଳବାର ଘୋଷଣା କରିଥିଲେ । କେରଳ ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ସେଲ୍ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଗୁଡିକରେ ବିବିସି ଡକୁମେଂଟାରୀର ସ୍କ୍ରିନିଂ କରିବ ବୋଲି ଘୋଷଣା କରିଥିବା ବେଳେ ବାମପନ୍ଥୀ ଛାତ୍ର ସଂଗଠନ ଏସଏଫଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍କ୍ରିନିଂ କରାଯିବ ବୋଲି ଫେସବୁକ୍ ପୋଷ୍ଟ୍ ମାଧ୍ୟମରେ ଘୋଷଣା କରି ବିଜେପିର ପଶ୍ଚାତଭାଗରେ ନିଆଁ ଲଗାଇଛି । କେରଳରେ ବାମପନ୍ଥୀ ଶାସନ ଚାଲିଛି । ବିଜେପି ରାଜ୍ୟ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏଭଳି କିଛି ପ୍ରୟାସକୁ ରୋକିବାକୁ ଆହ୍ୱାନ ଦିଆଯାଇଛି । କେରଳରେ ବିବିସି ଡକୁମେଂଟାରୀ ସ୍କ୍ରିନିଂ ହେବା ‘ରାଜଦ୍ରୋହ’ ସଦୃଶ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚେତାଇ ଦିଆଯାଇଛି ।
ଗତକାଲି ସନ୍ଧ୍ୟାରେ ଏହି ନିଆଁ ଦିଲ୍ଲୀକୁ ବ୍ୟାପିଛି । ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ବାମପନ୍ଥୀ ଛାତ୍ର ୟୁନିୟନ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଏହି ଡକୁମେଂଟାରୀ ପ୍ରଦର୍ଶନ ଉଦ୍ୟମ ହେଉଥିବା ସୂଚନା ପାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜେଏନୟୁ ଛାତ୍ର ୟୁନିୟନ ଅଫିସର ବିଜୁଳି ଓ ଇଂଟରନେଟ୍ ସଂଯୋଗ କାଟି ଦେଇଥିଲେ । ଏହାସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଅନ୍ଧାରରେ ଏକତ୍ରିତ ହୋଇ କ୍ୟୁଆର୍ କୋଡ ସ୍କାନ କରିବା ସହ ନିଜ ନିଜ ମୋବାଇଲ୍ ଓ ଲ୍ୟାପଟପ୍ ସ୍କ୍ରିନରେ ବିବିସ ଡକୁମେଂଟାରୀକୁ ଦେଖି ଥିଲେ । ଏହାର ବିରୋଧ କରି ମୋବାଇଲ ଓ ଲ୍ୟାପଟପ୍ ସ୍କ୍ରିନରେ ବିବିସି ଡକୁମେଂଟାରୀ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଦକ୍ଷିଣପନ୍ଥୀ ଛାତ୍ର ଗୋଷ୍ଠୀଙ୍କ ଆଡୁ ପ୍ରବଳ ଟେକାମାଡ ହୋଇଥିବା ଅଭିଯୋଗ ହୋଇଛି । ଏହି ଡକୁମେଂଟାରୀର ସ୍କ୍ରିନିଂ ହେଲେ ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ନଷ୍ଟ ହେବ ବୋଲି ଆଶଂକା କରି ଜେଏନୟୁ କର୍ତ୍ତୃପକ୍ଷ କଡା ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ ମଧ୍ୟ ବାମପନ୍ଥୀ ଛାତ୍ର ୟୁନିୟନକୁ ରୋକିବାରେ ବିଫଳ ହୋଇଥିଲେ ।
ଦିଲ୍ଲୀର ଅନ୍ୟତମ ପ୍ରମୁଖ ବିଶ୍ୱବିଦ୍ୟାଳୟ ‘ଜାମିଆ ମିଲିଆ ଇସଲାମିଆ’ରେ ମଧ୍ୟ ବାମପନ୍ଥୀ ଛାତ୍ର ଗୋଷ୍ଠୀ ପକ୍ଷରୁ ଏହି ଡକୁମେଂଟାରୀ ସ୍କ୍ରିନିଂ ହେବା ସୂଚନା ଦିଆଯାଇଛି । ଆଜି ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ଗଣ ଯୋଗଯୋଗ ବିଭାଗରେ ଏହି ଡକୁମେଂଟାରୀର ସ୍କ୍ରିନିଂ ହେବ ବୋଲି ବାମପନ୍ଥୀ ଛାତ୍ର ସଂଗଠନ ଏସଏଫଆଇ ପକ୍ଷରୁ ଫେସବୁକ୍ ପୃଷ୍ଠାରେ ସୂଚନା ଦିଆଯିବା ପରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାଂପସରେ କୌଣସି ବେଆଇନ ସମାଗମକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି । କ୍ଲାସ୍ ସବୁ ସସପେଂଡ୍ କରି ଦେଇଛନ୍ତି । ଦିଲ୍ଲୀ ପୁଲିସ ବାମପନ୍ଥୀ ଛାତ୍ର ୟୁନିୟନର ତିନି ଜଣ ସଦସ୍ୟଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସ୍ ସସପେଣ୍ଡ କରାଯାଇଥିବା ବେଳେ ଦିଲ୍ଲୀ ପୁଲିସ ବାମପନ୍ଥୀ ଛାତ୍ର ୟୁନିୟନର ତିନି ଜଣ ସଭ୍ୟଙ୍କୁ ଅଟକ ରଖିଛନ୍ତି । ଦକ୍ଷିଣପୂର୍ବ ଦିଲ୍ଲୀରେ ଥିବା ଶିକ୍ଷାନୁଷ୍ଠାନର ସମସ୍ତ ଫାଟକରେ ବହୁ ସଂଖ୍ୟାରେ ଦଂଗା ନିରୋଧକ ପୁଲିସ ଦସ୍ତା ନିୟୋଜିତ ହୋଇଥିବା ବେଳେ ବ୍ୟାପକ ପରିମାଣର ଲୁହବୁହା ବାଷ୍ପ ଗଚ୍ଛିତ କରାଯାଇଛି । କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ଏକପ୍ରକାର ମୁକାବିଲା ମନୋଭାବ ରଖି କାମ କରୁଥିବା ଦେଖିବାକୁ ମିଳୁଛି ।
କେନ୍ଦ୍ର ସରକାର ସଂସଦରେ ଜାତୀୟ ନାଗରିକତା ସଂଶୋଧନ ଆଇନ (ସିଏଏ) ପାରିତ କରାଇ ତାହାକୁ ଆଇନରେ ପରିଣତ କରିବା ପରେ ଦିଲ୍ଲୀର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବାମପନ୍ଥୀ ଛାତ୍ର ସଂଗଠନଙ୍କ ପକ୍ଷରୁ ଏଭଳି ବିରୋଧ ଦେଖିବାକୁ ମିଳିଥିଲା । ସେତେବେଳେ, ବିଜେପି ଓ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ବିଶେଷକରି ଜେଏନୟୁ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଦିଲ୍ଲୀ ପୁଲିସ ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କୁ ଦମନ କରିବା ପାଇଁ ମାତ୍ରାଧିକ ବଳ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା । ଅବଶ୍ୟ, ଆଜିର ପ୍ରସଙ୍ଗ ଭିନ୍ନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟରେ ହୋଇଥିବା ସାଂପ୍ରଦାୟିକ ଦଂଗାକୁ ନେଇ ବିବିସି ଦୁଇ ଭାଗରେ ଏକ ଡକୁମେଂଟାରୀ ଫିଲ୍ମ ପ୍ରସ୍ତୁତ କରିଛି, ଯାହାର ପ୍ରଦର୍ଶନ ଓ ପ୍ରସାରଣ ଉପରେ କେନ୍ଦ୍ର ସରକାର ରୋକ ଲାଗାଇ ବିରୁଡି ବସାରେ ହାତ ମାରିଛନ୍ତି ।
ଗୁଜରାଟ ଦଂଗାର ୨୨ ବର୍ଷ ପରେ ବିବିସି ଆକସ୍ମାତ ଏଭଳି ଏକ ଡକୁମେଂଟାରୀ ପ୍ରସ୍ତୁତ କରି ମୋଦୀଙ୍କୁ କାଠଗଡାରେ ଠିଆ କରାଇବା ବିଜେପି ପାଇଁ ଅସହ୍ୟ ହୋଇଛି । ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଓ ଅଭିସନ୍ଧି ରହି ଥିବା କେନ୍ଦ୍ର ସରକାର ଓ ବିଜେପି ନେତୃବର୍ଗ ସନ୍ଦେହ କରୁଛନ୍ତି । ବିଗତ ଆଠ ବର୍ଷ ହେଲା କ୍ଷମତାରେ ରହି ଲୋକପ୍ରିୟତାର ଶୀର୍ଷରେ ପହଂଚି ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବାକୁ ବିବିସି ବାଇଶି ବର୍ଷ ତଳର ଦଂଗାକୁ କବର ତଳୁ ବାହାର କରି ଡକୁମେଂଟାରୀ ବନାଇଛି, ଯାହାକି ଅପ୍ରାସଙ୍ଗିକ ଓ ପ୍ରଚାରଧର୍ମୀ ବୋଲି ବିଜେପି ନେତାମାନେ କହୁଛନ୍ତି । ତେବେ, ଏହି ଡକୁମେଂଟାରୀ ଅଧିକ ଅନୁସଂଧାନ ଓ ଅଧିକ ତଥ୍ୟ ଉପରେ ଆଧାରିତ ବୋଲି ବିବିସି ଦାବି କରୁଛି । ଦଂଗା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ।
ଗୋଧ୍ରାରେ ଏକ ତୀର୍ଥଯାତ୍ରୀ ଟ୍ରେନ୍ କୁ କେତେକ ଦୁର୍ବୁତ୍ତ ନିଆଁ ଲଗାଇ ଦେବାରୁ ୫୯ ଜଣଙ୍କ ମୃତ୍ୟୁ ଘଟି ଥିଲା । ଏହାର ପ୍ରତିକ୍ରିୟା ସ୍ୱରୂପ ୨୦୦୨ରେ ଗୁଜରାଟରେ ଯେଉଁ ସାଂପ୍ରଦାୟିକ ଦଂଗା ହୋଇଥିଲା ସେଥିରେ ତିନି ଦିନରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ଥିଲେ । ରାଜ୍ୟରେ ବିଜେପି ଶାସନ ଥିବାରୁ ପୁଲିସ ଦଂଗାକୁ ନିୟନ୍ତ୍ରଣ କରିବାରେ ଶିଥିଳତା ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଅବଶ୍ୟ, ଗୁଜରାଟ ଦଂଗାର ତଦନ୍ତ କରିଥିବା ସ୍ୱତନ୍ତ୍ର ପୁଲିସ ଦଳ (ଏସଆଇଟି) ଏହି ମାମଲାରେ ମୋଦୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ । ସେହି ଆଧାରରେ ସୁପ୍ରିମ କୋର୍ଟ ମଧ୍ୟ ସେମାନଙ୍କୁ ଦୋଶମୁକ୍ତ କରିଛନ୍ତି । ଏଭଳି ସ୍ଥିତିରେ ବିବିସିର ଡକୁମେଂଟାରୀ ଉଭୟ ପ୍ରଧାନମନ୍ତ୍ରୀ ଓ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ନିନ୍ଦିତ କରିବାକୁ ଏକ ଉପକ୍ରମ ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ‘ଅସତ୍ୟ କେବେ ଲୁଚି ରହେ ନାହିଁ, ଦିନେ ନା ଦିନେ ବାହାରକୁ ଚାଲି ଆସେ’ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଆଗାମୀ ଦିନରେ ବିବିସି ନିଆଁ ଭାରତୀୟ ରାଜନୀତିକୁ ଅଧିକ ସରଗରମ କରିବ – ତାହା ସ୍ପଷ୍ଟ ହୋଇଯାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS