‘ଭାରତ ଯୋଡୋ’ ପରେ କଣ ?
ପ୍ରସାଦ ରାଓ
ଜାନୁଆରୀ ୨୮/୨୩
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ’ ପଦଯାତ୍ରା ୩୦ତାରିଖ କଶ୍ମୀରର ଶ୍ରୀନଗରରେ ଏକ ଭବ୍ୟ ରାଜନୈତିକ ସମାବେଶ ମାଧ୍ୟମରେ ଉଦ୍ୟାପିତ ହେବାକୁ ଯାଉଛି । ଏହି ପଦଯାତ୍ରା ୨୦୨୨ ସେପ୍ଟେମ୍ବର ୭ ତାରିଖ ଦିନ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା । ୩,୫୦୦ କିମିରୁ ଅଧିକ ରାସ୍ତା ଅତିକ୍ରମ କରି ରାହୁଲ ଗାନ୍ଧୀ ୨୦୨୩ ଜାନୁୟାରୀ ୨୯ ତାରିଖରେ କଶ୍ମୀରରେ ପହଂଚିବେ ଏବଂ ଆତଙ୍କବାଦ ଅଧ୍ୟୁଷିତ ଜମ୍ମୁ-କଶ୍ମୀରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିବ, ଏହା ବିରୋଧୀଙ୍କ ବିଶ୍ୱାସ ବାହାରେ ଥିଲା । ସମସ୍ତଙ୍କ ଧାରଣା ଥିଲା ବହ୍ୱାଡମ୍ବରରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କଂଗ୍ରେସର ପ୍ରଭାବ ଥିବା ଦକ୍ଷିଣାଂଚଳ ରାଜ୍ୟ ଅତିକ୍ରମ କରିବା ପରେ ଜନସମର୍ଥନ ଅଭାବରୁ ଭୁଶୁଡି ଯିବ ଏବଂ ରାହୁଲ ଅଧାବାଟରୁ ଘରକୁ ଫେରି ଯିବେ । କିନ୍ତୁ, ରାହୁଲ ଗାନ୍ଧୀ ଉତ୍ତର ଭାରତରେ ମଧ୍ୟ ତାଙ୍କ ପଦଯାତ୍ରାର ପ୍ରଭାବ ଦେଖାଇଛନ୍ତି । ‘ଭାରତ ଯୋଡୋ’ ପଦଯାତ୍ରା ଅତିକ୍ରମ କରିଥିବା ସମସ୍ତ ରାଜ୍ୟରେ ରାହୁଲ ଗାନ୍ଧୀଙ୍କୁ ଆଶାତୀତ ଜନସମର୍ଥନ ମିଳିଛି । ପଂଜାବ, ହରିୟାଣା ଦେଇ ଜମ୍ମୁ-କଶ୍ମୀରରେ ପଦଯାତ୍ରୀ ପହଂଚିବା ପରେ ଅନ୍ୟ ରାଜ୍ୟ ଭଳି ସେଠାରେ ମଧ୍ୟ ଲକ୍ଷାଧିକ ଜନତା ରାହୁଲଙ୍କ ସହ ଯୋଡି ହୋଇ ପାଦ ସହ ପାଦ ମିଳାଇ ପଦଯାତ୍ରା କରୁଥିବା ଦୃଶ୍ୟ ଅବିଶ୍ୱସନୀୟ ମନେ ହେଲେ ମଧ୍ୟ ସତ୍ୟରେ ପରଣତ ହୋଇଛି । ପାକିସ୍ତାନ ସମର୍ଥିତ ଆତଙ୍କବାଦର କେନ୍ଦ୍ର ଭାବେ ପ୍ରମାଣିତ କଶ୍ମୀର ଉପତ୍ୟକାରେ ଆଜି ରାହୁଲ ଗାନ୍ଧୀଙ୍କ ପଦଯାତ୍ରୀ ଦଳ ତ୍ରିରଙ୍ଗା ଲହରାଇ ଓ ଭାରତକୁ ଯୋଡିବାକୁ ଆହ୍ୱାନ ଦେଇ ଆଗକୁ ମାଡି ଚାଲିବା ଏବଂ ପଦଯାତ୍ରା ପ୍ରତି ବିପୁଳ ଜନସମର୍ଥନ ମିଳିବା ଏହି ପଦଯାତ୍ରାର ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଆଚମ୍ବିତ କରିଛି । ପଦଯାତ୍ରା ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ଦିନ ରାଜ୍ୟର ପ୍ରମୁଖ ରାଜନେତା, ଜାତୀୟ କନ୍ଫରେନ୍ସ (ଏନସି) ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଫାରୁକ ଅବଦୁଲ୍ଲା ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରିଥିଲେ । ଗତାକଲି ତାଙ୍କ ପୁତ୍ର ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ରାହୁଲଙ୍କ ସହ ପଦଯାତ୍ରାରେ ସାମିଲ ହୋଇ କିଛି ବାଟ ଚାଲି ଥିଲେ । ତେବେ, ଶୁକ୍ରବାର ଦିନ କଶ୍ମୀର ଉପତ୍ୟାକାରେ ଏକ ଲମ୍ବା ରାସ୍ତା (ପ୍ରାୟ ୨୦ କିମି) ଚାଲିବା ଯୋଜନା ରଖିଥିବା ରାହୁଲ ଗାନ୍ଧୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ମାତ୍ର ଗୋଟିଏ କିମି ଅତିକ୍ରମ କରି ଅଚାନକ ପଦଯାତ୍ରା ବନ୍ଦ ରଖିଥିଲେ । ତାଙ୍କୁ ସ୍ୱାଗତ କରିବା ପାଇଁ ଶୁଭେଚ୍ଛୁଙ୍କ ଆଶାତୀତ ଭିଡ ହୋଇଥିବା ବେଳେ ଜମ୍ମୁ-କଶ୍ମୀର ପୁଲିସର ସୁରକ୍ଷା ବ୍ୟବସ୍ଥା ବିଗିଡି ଯିବାରୁ ସେ ପଦଯାତ୍ରା ବନ୍ଦ କରିବାକୁ ବାଧ୍ୟ ହେଲେ ବୋଲି ରାହୁଲ ଗତକାଲି ଏମ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ । କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ବିଜେପିର ଏଲଜି ମୁଖ୍ୟ ପ୍ରଶାସକ ରହିଛନ୍ତି । ସୁରକ୍ଷା ତ୍ରୁଟି ଦର୍ଶାଇ ରାହୁଲ ଶୁକ୍ରବାର ପଦଯାତ୍ରାକୁ ବନ୍ଦ ରଖିବା ଓ ତୃଟି ପାଇଁ ରାଜ୍ୟ ପୁଲିସକୁ ଦାୟି କରିବା ବିଜେପି ପାଇଁ ଅସହ୍ୟ ହୋଇଛି । କଂଗ୍ରେସର ଅଭିଯୋଗକୁ ବିଜେପି, ରାଜ୍ୟ ପୁଲିସ ଓ ପ୍ରଶାସନ ଗତକାଲି ଦୃଢ ଭାବେ ଅସ୍ୱୀକାର କରିଥିଲେ ମଧ୍ୟ ଆଜି ପର୍ଯ୍ୟାପ୍ତ ସୁରକ୍ଷାର ବ୍ୟବସ୍ଥା କରିଛନ୍ତି ଏବଂ ରାହୁଲଙ୍କ ପଦଯାତ୍ରା ଶ୍ରୀନଗର ଅଭିମୁଖେ ଚାଲିଛି । ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜିର ପଦଯାତ୍ରାରେ ଭାଗ ନେଇଛନ୍ତି । କଶ୍ମୀର ଉପତ୍ୟକାରେ ରାହୁଲଙ୍କ ପଦଯାତ୍ରା ପ୍ରତି ମିଳୁଥିବା ଆଶାତୀତ ଜନସମର୍ଥନ ବିରୋଧୀଙ୍କୁ ବିବ୍ରତ କଲା ଭଳି ହୋଇଛି । ଜେଡ୍ ପ୍ଲସ୍ ସିକ୍ୟୁରିଟି ଥିବା ରାହୁଲଙ୍କ ସୁରକ୍ଷାରେ ଗତକାଲି ହୋଇଥିବା ତୃଟି ଅଭିଯୋଗକୁ ନେଇ କଂଗ୍ରେସ-ବିଜେପି ମଧ୍ୟରେ ଅଭିଯୋଗ, ପ୍ରତ୍ୟାଭିଯୋଗର ଝଡ ଚାଲି ଥିବା ଆଜିର ପଦଯାତ୍ରାରେ ପିଡ଼ିପି (ପିପୁଲ୍ସ ଡେମୋକ୍ରେଟିକ ପାର୍ଟି) ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ରାହୁଲଙ୍କ ସହ ସାମିଲ ହେବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ହୋଇଛି । ମେହେବୁବୁଙ୍କୁ ମିଶାଇ ରାଜ୍ୟର ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରାହୁଲଙ୍କ ପଦଯାତ୍ରାରେ ସାମିଲ ହେବା ସହ ପାଦରେ ପାଦ ମିଳାଇ ଭାରତ ଯୋଡୋ ଯାତ୍ରାକୁ ଆଗେଇ ନେବା କଂଗ୍ରେସ ପାଇଁ ଏକ ବଡ ଉପଲବ୍ଧୀ ବୋଲି ଆଲୋଚନା ହେଉଛି । ଏହି ପଦଯାତ୍ରା ତାମିଲନାଡୁରୁ ଆରମ୍ଭ ହୋଇଥିବା ବେଳେ କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଂଗାନା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ୟୁପି, ହରିୟାଣା, ପଂଜାବ ଦେଇ ଜମ୍ମୁ-କଶ୍ମୀରରେ ଶେଷ ହେବାକୁ ଯାଉଛି । ୩୦ ତାରିଖ ଶ୍ରୀନଗରରେ ଭବ୍ୟ ଉଦ୍ୟାପନ କାର୍ଯ୍ୟକ୍ରମ ହେବାକୁ ଥିବାରୁ ଏବଂ ସେଥିରେ ବରିଷ୍ଠ ନେତାଙ୍କ ସମେତ ଅନ୍ୟ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଯୋଗଦେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦିଆଯିବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଶନିବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଦେଶରେ ଗତ କିଛି ବର୍ଷ ହେଲା ବେକାରୀ, ଅର୍ଥନୈତିକ ବୈଷମ୍ୟ, ଅସହିଷ୍ଣୁତା, ସାଂପ୍ରଦାୟିକ ବିଦ୍ୱେଷ ଏବଂ ଅବିଶ୍ୱାସ ଭାବ ବଢି ଥିବାରୁ ସମସ୍ତ ଭାରତୀୟଙ୍କୁ ଭଲ ପାଇବାର ବନ୍ଧନରେ ବାନ୍ଧିବା ଏହି ପଦଯାତ୍ରାର ମୌଳିକ ଉଦ୍ଦେଶ୍ୟ, ଏହା ପଛରେ ଅନ୍ୟ କିଛି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଦଯାତ୍ରା ପ୍ରାରମ୍ଭରୁ କହି ଆସୁଛନ୍ତି । ତେବେ, କେନ୍ଦ୍ର ସମେତ ଦେଶର ଅନେକ ରାଜ୍ୟରେ କ୍ଷମତାରେ ଥିବା ବିଜେପି ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛି । ୨୦୨୪ ସାଧାରଣ ନିର୍ବାଚନରେ ରାହୁଲ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସକାଶେ ଏଭଳି ଏକ ନାଟକବାଜୀର ଆଶ୍ରୟ ନେଇଛନ୍ତି ବୋଲି ବିଜେପି ନେତୃବର୍ଗ ଅଭିଯୋଗ କରିବା ସହ ଅଣ-ବିଜେପି ରାଜନୈତିକ ଦଳର ନେତୃବର୍ଗଙ୍କୁ ଉସୁକାଇବାକୁ ଉଦ୍ୟମ କରୁଛନ୍ତି । ୟୁପିରେ ରାହୁଲଙ୍କ ପଦଯାତ୍ରାରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି ମୁଖ୍ୟା ମାୟାବତୀ ଅନୁପସ୍ଥିତ ରହିବା, ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ତାଙ୍କ ଦଳ ଟିଆରଏସକୁ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ନାମରେ ନାମିତ କରି କଂଗ୍ରେସ ଓ ବିଜେପିର ବିକଳ୍ପ ଭାବେ ତୃତୀୟ ରାଜନୈତିକ ମେଂଟ ଗଠନ ପ୍ରୟାସରେ ଥିବା, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହେବାର ମହତ୍ୱାକାଂକ୍ଷା ରଖିବା ବିଜେପିର ଅପ୍ରତିଦ୍ୱନ୍ଦ୍ୱୀ ସ୍ଥିତିକୁ ସୁଦୃଢ ରଖିଛି ବୋଲି ବିଜେପି ତାହାର ପ୍ରଚାର ଜାରି ରଖିଛି । ଦେଶରେ ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାର ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା, ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପିତା ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ ନାମରେ ପଦ୍ମ ବିଭୂଷଣ ପୁରସ୍କାର ଘୋଷଣା କରିଛନ୍ତି । ୟୁପିରେ ଦେଶର ସର୍ବାଧିକ ସଂଖ୍ୟକ ଲୋକସଭା ଆସନ ରହିଛି । ଇତିମଧ୍ୟରେ, ଇଣ୍ଡିଆ ଟୁଡେ-ସି ଭୋଟର୍ ଦ୍ୱାରା ପ୍ରସ୍ତୁତ ‘ମୁଡ୍ ଅଫ୍ ଦି ନେସନ୍’ ସର୍ବେକ୍ଷଣ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି । ୨୦୨୪ ନିର୍ବାଚନରେ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଆଜି ଦିନରେ ଦେଶରେ ସାଧାରଣ ନିର୍ବାଚନ ହେଲେ ବିଜେପି ନେତୃତ୍ୱାଧିନ ଏନଡିଏ ୨୯୮ ଓ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ୧୫୩ ଆସନ ଏବଂ ଅନ୍ୟମାନେ ୯୨ ଆସନ ପାଇବେ ବୋଲି ସର୍ବେକ୍ଷଣରୁ ଜଣାପଡିଥିବା କୁହାଯାଇଛି । ବିଜେପି ଆଗାମୀ ନିର୍ବାଚନୁ ଆଖିରେ ରଖି ଭୋଟରଙ୍କ ମନରେ ଛାପ ଛାଡିବାକୁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଥିବା ବେଳେ ଅଣ-ବିଜେପି ବିରୋଧୀ ଦଳମାନେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁକାବିଲା କରିବା ସକାଶେ ଏପର୍ଯ୍ୟନ୍ତ ଏକାଠି ହେବାର ପ୍ରୟାସ କରି ନାହାନ୍ତି । ଏକ ବିଭାଜିତ ବିରୋଧୀ ଦେଶର ମତଦାତାଙ୍କୁ ନିରାଶ କରିଥୁବା ବେଳେ ବିଜେପିର ପ୍ରଚାର ଯନ୍ତ୍ର ଏହି ନିରାଶାକୁ ଅଧିକ ତୀବ୍ର କରୁଛି । ଏଭଳି ପରିସ୍ଥିତିରେ ରାହୁଲଙ୍କ ‘ଭାରତ ଯୋଡୋ’ ଯାତ୍ରା ବିରୋଧୀଙ୍କୁ ସଂଗଠିତ କରିବାରେ ଓ ମିଳିତ ବିରୋଧୀ ମେଂଟର ନେତୃତ୍ୱ ନେବାରେ କଂଗ୍ରେସ ପାଇଁ କେତେଦୂର ସହାୟକ ହେଉଛି ଦେଖିବା ସମୟ ଆସିଛି । ୩୦ ତାରିଖରେ ଶ୍ରୀନଗରରେ ହେବାକୁ ଥିବା ‘ଭାରତ ଯୋଡୋ’ ଯାତ୍ରାର ଉଦ୍ୟାପନ ସମାରୋହରେ ଯୋଗଦେବାକୁ ବିଭିନ୍ନ ବିରୋଧୀ ରାଜନୈତିକ ଦଳର ନେତାମାନେ କଂଗ୍ରେସ ନେତୃତ୍ୱ ଦ୍ୱାରା ନିମନ୍ତ୍ରିତ ହୋଇଛନ୍ତି । ସମାରୋହରେ କେତେ ଜଣ ଓ କେଉଁମାନେ ଏହି ସମାରୋହରରେ ଯୋଗ ଦେଉଛନ୍ତି ୩୦ ତାରିଖ ଦିନ ଦେଖିବା ପରେ ଆଗାମୀ ଦିନ ପାଇଁ ଅଧିକ ଅଂକକଷା ହେବ ବୋଲି କୁହାଯାଇପାରେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS