ମନ୍ତ୍ରୀଙ୍କୁ ଗୁଳି ମାରିଲେ ପୁଲିସ ଏଏସଆଇ !


ପ୍ରସାଦ ରାଓ
ଭୁବନେଶ୍ୱର
ଜାନୁଆରୀ ୨୯/୨୩
ରାଜ୍ୟର ଟାଣୁଆ ମନ୍ତ୍ରୀ ନବ କିଶୋର ଦାସ ଆଜି ଜଣେ ପୁଲିସ ଏଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇ ସ୍ଥାନୀୟ ଅପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ପୁଲିସ ଏଏସଆଇ ଜଣକ ମନ୍ତ୍ରୀଙ୍କୁ କାହିଁକି ଗୁଳି କଲେ ତାହା ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୁଲିସ ତାଙ୍କୁ ଅଟକ ରଖି ଜେରା କରୁଥିବା ଜଣାପଡିଛି । ବ୍ୟକ୍ତିଗତ ଶତୃତା କାରଣରୁ ଏହି ହତ୍ୟା ଉଦ୍ୟମ ହେଲା କି ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ ନିର୍ଦେଶ ଦେଇ ବରିଷ୍ଠ ସିବି ଅଧିକାରୀଙ୍କକୁ ଘଟଣା ସ୍ଥଳକୁ ପଠାଇଛନ୍ତି । ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର କହିଛନ୍ତି ।
ରାଜ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ଦାସ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା । ଦୀର୍ଘ ବର୍ଷ କଂଗ୍ରେସରେ ରହିବା ପରେ ପିସିସିର କାର୍ଯ୍ୟକାରୀ ସଭାପତି ଥାଇ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ିରେ ଯୋଗ ଦେଇଥିଲେ । ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ବିଧାନସଭାକୁ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । ଦାସ ରାଜ୍ୟରେ ୨୦୧୯ ଓ ୨୦୨୦ କୋଭିଡ଼ ମହାମାରୀର ପରିଚାଳନାରେ ବିଶେଷ ସଫଳତା ହାସଲ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିବାଦରେ ଥିଲା । ତଥାପି, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରୁ ନହଟାଇ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ବିଧାନସଭା ଉପ ନିର୍ବାଚନ ପରିଚାଳନାର ଗୁରୁଦାୟିତ୍ୱ ଦେଇଥିଲେ ।
ନିକଟରେ ମନ୍ତ୍ରୀ ଦାସ ସପରିବାର ମହାରାଷ୍ଟ୍ରର ଶନି ସିଗ୍ନାପୁରରେ ଥିବା ପ୍ରସିଦ୍ଧ ଶନିଦେବଙ୍କ ଦର୍ଶନରେ ଯାଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିରକୁ ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟର ସୁନା କଳସ (୧.୭ କେଜି ସୁନା ଓ ୫ କୋଜି ରୁପାରେ ତିଆରି) ଦାନ କରିଥିବା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ମନ୍ତ୍ରୀ ଏହାର ଉତ୍ତର ଦେବାକୁ ଯାଇ କହିଥିଲେ, ସେ ଶନି ସିଗ୍ନାପୁର ମନ୍ଦିରରେ ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ସୁଖ,ଶାନ୍ତି କାମନା କରିଛନ୍ତି । ଶନିଦେବଙ୍କ ମନ୍ଦିର ପାଇଁ ଦାନ ଦେବା କିଛି ଅପରାଧ ନୁହେଁ । ମନ୍ତ୍ରୀ ଦାସ ଶନି ସିଗ୍ନାପୁର ମନ୍ଦିରରେ ପୁଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ଶୁଭ ମନାସୀ ଥିବା ବେଳେ ଆଜି ସେ ନିଜେ ଜଣେ ପୁଲସି କର୍ମଚାରୀଙ୍କ ଗୁଳିରେ ଗୁରୁତର ଆହତ ହୋଇ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଆଜି ମଧ୍ୟାହ୍ନରେ ମନ୍ତ୍ରୀ ଦାସ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧୀ ଛକରେ ତାଙ୍କ ଉପରେ ଗୁଳିମାଡ ହୋଇଛି । ପୁଲିସ ଏଏସଆଇ ଜଣକ ସାମ୍ନା ପଟରୁ ଅତି ନିକଟରୁ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇ ଥିଲେ । ଘଟଣା ସମୟରେ ମନ୍ତ୍ରୀ କାର୍ ଡୋର ଖୋଲି ତଳକୁ ଆସୁଥିଲେ । ଦଳୀୟ କର୍ମୀ, ଶୁଭେଚ୍ଛୁ ଓ ସମର୍ଥକମାନେ ମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରୁଥିବା ସମୟରେ ଗୁଳି ତାଙ୍କ ଛାତିକୁ ଭେଦିଛି । ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା କିଛି ସମର୍ଥକ ଗଣମାଧ୍ୟମକୁ କହିଛନ୍ତି, କ୍ରାକର ଫୁଟିଲା ଭଳି ଶବ୍ଦ ହୋଇଥିଲା, କଣ ହେଲା କେହି କିଛି ଅନୁମାନ କରିବା ପୂର୍ବରୁ ମନ୍ତ୍ରୀ ଛାତିରୁ ରକ୍ତ ଝରୁଥିବା ହାତ ମାରି ଜାଣିବା ପରେ କାର୍ ଭିତରେ ଅଚେତ ହୋଇ ପଡି ଯାଇଥିଲେ ।
ହତ୍ୟା ଉଦ୍ୟମ କରିଥିବା ପୁଲିସ ଏଏସଆଇ ଜଣକ ପୁନର୍ବାର ମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଗୁଳି ଫୁଟାଇ ଥିଲେ ମଧ୍ୟ ତାହା କାର୍ ରେ ଲାଗିଛି ।
ପୁଲିସ କର୍ମଚାରୀ ଆଜି ଗାନ୍ଧୀ ଛକରେ ଡ୍ରୁଟିରେ ମୁତୟନ ହୋଇଥିଲେ । କ୍ଲୋଜ୍ ରେଂଜ୍ ରେ ମନ୍ତ୍ରୀଙ୍କ ଉପରେ ଗୁଳିମାଡ କରି ସେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ମନ୍ତ୍ରୀଙ୍କ ସମର୍ଥକମାନେ ତାଙ୍କୁ ମାଡି ବସି ଥିଲେ । ଖସି ପଳାଇବାକୁ ଉଦ୍ୟମ କରିବା ସମୟରେ ସଂପୃକ୍ତ ପୁଲିସ କର୍ମଚାରୀ ୪ରୁ ୫ ରାଉଣ୍ଡ ଫାଙ୍କା ଗୁଳି ଫୁଟାଇ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଘଟଣା ପରେ ମନ୍ତ୍ରୀଙ୍କୁ ଝରସୁଗୁଡା ହସ୍ପିଟାଲକୁ ନିଆଯାଇଥିଲା । ସେଠାକାର ଡାକ୍ତରମାନେ ଗୁରୁତର ଆହତ ମନ୍ତ୍ରୀଙ୍କୁ ଭୁବନେଶ୍ୱର ରେଫର କରି ଦେବା ପରେ ତୁରନ୍ତ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇ ମନ୍ତ୍ରୀଙ୍କୁ ଝାରସୁଗୁଡା ବିମାନ ବନ୍ଦରକୁ ଅଣାଯାଇଥିଲା ଏବଂ ସେଠାରେ ଲାଇଫ୍ ସପୋର୍ଟ ବ୍ୟବସ୍ଥା ମଧ୍ୟରେ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱର ଆପୋଲୋ ହପ୍ପିଟାଲକୁ ଅଣାଯାଇଛି । ଗୁରୁତର ଅବସ୍ଥାରେ ମନ୍ତ୍ରୀ ଦାସଙ୍କୁ ଆପୋଲୋ ହସ୍ପିଟାଲକୁ ଅଣାଯିବା ପରେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ବିଶେଷଜ୍ଞମାନେ ଚିକିତ୍ସା ଆରମ୍ଭ କରିଛନ୍ତି ।
୨୦୨୪ରେ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଥିବା ସମୟରେ ରାଜ୍ୟର ଶାସକ ଦଳର ଜଣେ ବରିଷ୍ଠ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପରେ ଜଣେ ପୁଲିସ କର୍ମଚାରୀ ଏଭଳି ମରଣାନ୍ତକ ଆକ୍ରମଣ କରିବା ଘଟଣା ରାଜ୍ୟ ପୁଲିସ ଓ ଭିଭିଆଇପି ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସର ସୁରକ୍ଷା ବଳରେ ରହୁଥିବା ମନ୍ତ୍ରୀଙ୍କୁ ପଏଂଟ୍ ବ୍ଲାକ୍ ରେଂଜରୁ ଗୁଳି କରାଯିବା ଏବଂ ଗୁଳି ତାଙ୍କ ଛାତିରେ ବାଜିବା ସାଂଘାତିକ କଥା ବୋଲି ସମାଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ଦୃଢ ଭାବେ ନିନ୍ଦା କରିବା ସହ କ୍ରାଇମ ବ୍ରାଂଚ୍ ସବୁ ଦିଗରୁ ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ମନ୍ତ୍ରୀ ଦାସଙ୍କୁ ଆପୋଲୋ ହପ୍ପିଟାଲ ଅଣାଯିବା ପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସେଠାରେ ପହଂଚି ତାଙ୍କ ଅବସ୍ଥା ବୁଝିଛନ୍ତି । ରାଜ୍ୟର ଅନ୍ୟ ମନ୍ତ୍ରୀ ଓ ଶାସକ ଦଳର ବରିଷ୍ଠ ନେତାମାନେ ହସ୍ପିଟାଲରେ ପହଂଚି ମନ୍ତ୍ରୀଙ୍କ ଅବସ୍ଥା ସଂପର୍କରେ ବୁଝୁଛନ୍ତି । ହସ୍ପିଟାଲ ବାହାରେ ପ୍ରବଳ ଭିଡ ଥିବା ବେଳେ ଭିତରକୁ ଯିବାକୁ କାହାକୁ ଅନୁମତି ଦିଆଯାଉ ନଥିବା ଓ ବାହାରେ ପୁଲିସର କଡା ବନ୍ଦୋବସ୍ତ ହୋଇଥିବା ସୂଚନା ମିଳିଛି ।
ଝାରସୁଗୁଡା ହେଉଛି ରାଜ୍ୟର ଏକ ସୀମାନ୍ତ ଜିଲ୍ଲା । ମନ୍ତ୍ରୀ ଦାସ ୨୦୦୯ରୁ ଝାରସୁଗୁଡାରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି । ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ପରିଷଦର ଦ୍ୱିତୀୟ ସର୍ବାଧିକ ଧନୀ ମନ୍ତ୍ରୀ । ତାଙ୍କର ଟ୍ରାନ୍ସପୋର୍ଟ ବ୍ୟବସାୟ ସମେତ ବିଭିନ୍ନ ବ୍ୟବସାୟ ରହିଛି । ମନ୍ତ୍ରୀଙ୍କ ଉପରେ ଆଜିର ଗୁଳିମାଡ ପଛରେ ବ୍ୟବସାୟିକ ଶତୃତା ରହିଛି ନା ସଂପୃକ୍ତ ପୁଲିସ କର୍ମଚାରୀଙ୍କ କିଛି ବ୍ୟକ୍ତିଗତ ଆକ୍ରୋଶ ରହିଛି ତାହା କ୍ରାଇମ ବ୍ରାଂଚ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS