ନିରଂଜନଙ୍କୁ ମିଳିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ


ପ୍ରସାଦ ରାଓ
ଭୁବନେଶ୍ୱର
ଜାନୁଆରୀ ୩୦/୨୩
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ପରେ ଅର୍ଥମନ୍ତ୍ରୀ ପୁଜାରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତକାଲି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀ ଛକରେ ଜଣେ ପୁଲିସ କର୍ମଚାରୀ ଗୁଳି କରି ହତ୍ୟା କରିଛନ୍ତି । ମନ୍ତ୍ରୀ ଦାସଙ୍କୁ ସଂକଟପନ୍ନ ଅବସ୍ଥାରେ ଝାରସୁଗୁଡାରୁ ଏୟାର ଲିଫ୍ଟ୍ କରାଯାଇ ଭୁବନେଶ୍ୱର ଅଣାଯିବା ସହ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ଭତ୍ତି କରାଯାଇଥିଲା । ଗୁଳି ଛାତିକୁ ଭେଦି ପଛପଟୁ ବାହାରି ଯାଇଥିବାରୁ ତାଙ୍କ ହୃଦୟ ଓ ଫୁସଫୁସ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଆପୋଲୋ ହସ୍ପିଟାଲର ବିଶେଷଜ୍ଞ ଚିକିତ୍ସକମାନେ ଅସ୍ତ୍ରୋପଚାର କରି କ୍ଷତକୁ ବନ୍ଦ କରିଥିଲେ ମଧ୍ୟ ପ୍ରବଳ ରକ୍ତସ୍ରାବ କାରଣରୁ ରାତି ପ୍ରାୟ ସାଢେ ସାତଟାରେ ତାଙ୍କ ମୃତ୍ୟୁ ଘଟିଥିଲା । ଓଡ଼ିଶା କ୍ରାଇମ ବ୍ରାଂଚ ଅଧିକାରୀମାନେ ଗତକାଲିଠାରୁ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ମନ୍ତ୍ରୀଙ୍କୁ ଗୁଳି ମାରିଥିବା ପୁଲିସ ଏଏସଆଇ ଗୋପାଳ ଦାସ ବ୍ରଜରାଜନଗର ଗାନ୍ଧୀ ଛକ ଫାଣ୍ଡି ଦାୟିତ୍ୱରେ ଥିଲେ ଏବଂ ମନ୍ତ୍ରୀଙ୍କ ଗସ୍ତ ଅବସରରେ ତାଙ୍କୁ ଗାନ୍ଧୀ ଛକରେ ଟ୍ରାଫିକ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ତେବେ, ଗୋପାଳ ୯ଏମଏମ ପିସ୍ତଲରୁ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇ ଥିବାରୁ ସେ କିପ୍ରକାର ଟ୍ରାଫିକ୍ ପରିଚାଳନା କରୁଥିଲେ (?) ବୋଲି ପ୍ରଶ୍ନ ହେଉଛି । ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ଥାନାରେ ଯେଉଁ ପ୍ରାଥମିକ ଏତଲା ଦେଇଛନ୍ତି ସେଥିରେ ଏଏସଆଇ ଗୋପାଳ କୃଷ୍ଣ ଦାସ ମନ୍ତ୍ରୀଙ୍କୁ ହତ୍ୟା କରିବାର ସ୍ପଷ୍ଟ ଉଦ୍ଦେଶ୍ୟ ନେଇ ତାଙ୍କ ଉପରେ ଗୁଳିମାଡ କରିଥିଲେ ବୋଲି ଅଭିଯୋଗ କରିଛନ୍ତି । ଉଲ୍ଲେଖନୀୟ ଯେ, ଗୋପାଳ ଦାସ ମନ୍ତ୍ରୀଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲେ । ଗୋଟିଏ ଗୁଳି ମନ୍ତ୍ରୀଙ୍କ ଛାତି ଭେଟି ଥିବା ବେଳେ ଅନ୍ୟ ଗୁଳିଟି ଜଣେ ବିଜେଡ଼ି କର୍ମୀଙ୍କ ଦେହରେ ଘସି ହୋଇ ପଳାଇ ଥିବା କୁହାଯାଉଛି । ବ୍ରଜରାଜନଗର ଥାନା ଆଇଆଇସି ସ୍ୱାଇଁ ଓ ରାମପୁର ପୁଲିସ ଫାଣ୍ଡି କନେଷ୍ଟବଳ କେ.ସି.ପ୍ରଧାନ ଘଟଣାସ୍ଥଳରେ ଉପସ୍ଥିତ ବିଜେଡ଼ି କର୍ମୀଙ୍କ ସହଯୋଗରେ ଗୋପାଳଙ୍କୁ କାବୁ କରିଥିଲେ । ଗୋପାଳ ଧସ୍ତଧସ୍ତି ସମୟରେ ମଧ୍ୟ ୪ରୁ୫ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମ ବ୍ରାଂଚ ଜେରା କରୁଥିଲେ ମଧ୍ୟ ମନ୍ତ୍ରୀଙ୍କ ଉପରେ ସେ ଗୁଳିମାଡ କରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ପୁଲିସ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ପଟ୍ଟାନୟକଙ୍କ ହାତରେ ରାଜ୍ୟର ଗୃହ ମନ୍ତ୍ରଣାଳୟ ଥିବାରୁ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବିରୋଧୀ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ଜଣେ ପୁଲିସ କର୍ମଚାରୀ ସ୍ପଷ୍ଟ ଦିବାଲୋକରେ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଛାତିକୁ ଗୁଳି କରିବା ଏବଂ କିଛି ଘଂଟା ପରେ ଗୁରୁତର ଆହତ ମନ୍ତ୍ରୀଙ୍କ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିବା ରାଜ୍ୟର ବର୍ତ୍ତମାନର ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ଖରାପ ଅବସ୍ଥାରେ ରହିଛି ତାହାର ସ୍ପଷ୍ଟ ସୂଚନା ଦେଉଛି ବୋଲି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ଅଭିଯୋଗ କରିଥିବା ବେଳେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି ରଖିଛନ୍ତି । ଜଣେ କଥିତ ମାନସିକ ଅସୁସ୍ଥ ପୁଲିସ କର୍ମଚାରୀଙ୍କୁ କିଭଳି ସରକାର ପିସ୍ତଲ ଇସ୍ୟୁ କରିବା ସହ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରିଥିଲେ (?) ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସଲୁଜା, ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସରକାରଙ୍କୁ ଘେରିଛନ୍ତି । ବିଧାୟକ ସାଲୁଜା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ ମନ୍ତ୍ରୀ ନବ ଦାସଙ୍କ ଉପରେ ଆକ୍ରମଣ ସୁଚିନ୍ତିତ ଥିଲା ବୋଲି ଦର୍ଶାଇ କଂଗ୍ରେସ ବିଧାୟକ ଦଳ ନେତା ମିଶ୍ର ପୁଲିସ ଗୁଇନ୍ଦା ବିଭାଗକୁ ଦାୟି କରିଛନ୍ତି । ଗୁଇନ୍ଦା ତଥ୍ୟ ସଂଗ୍ରହରେ ପୁଲିସ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ସେ କହିଛନ୍ତି । ଗତକାଲିର ଗୁଳିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଆଇଏଏସରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଅସୁରକ୍ଷିତ ହୋଇପଡିଥିବା ଦର୍ଶାଇ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଥିବାରୁ ରାଜ୍ୟ ସରକାର ଜଣେ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଇବାକୁ କଂଗ୍ରେସ ବିଧାୟକ ରାଉତରାୟ ଦାବି କରିଛନ୍ତି । ଦିବଂଗତ ମନ୍ତ୍ରୀ ନବ ଦାସ ୨୦୦୯ ଓ ୨୦୧୪ରେ କେଂଗ୍ରେସ ଟଇକଟରେ ଓ ୨୦୧୯ରେ ବିଜେଡ଼ି ଟିକଟରେ ଝାରସୁଗୁଡା ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଠିକ୍ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ଅସମୟରେ ଘଟିଥିବା ନବ ଦାସଙ୍କ ମୃତ୍ୟୁ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି । ରାଜ୍ୟ ସରକାର ଦିବଂଗତ ମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ରାଜ୍ୟରେ ତିନି ଦିନିଆ ଶୋକ ପାଳନ କରୁଥିବା ବେଳେ ଆଜି ତାଙ୍କ ଜନ୍ମ ମାଟିରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯାଇଛି । ମନ୍ତ୍ରୀ ନବ ଦାସଙ୍କ ଅବର୍ତ୍ତମାନରେ ଆଜି ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଇଥିବା ଅର୍ଥମନ୍ତ୍ରୀ ପୁଜାରୀ ଅବକାରୀ ମନ୍ତ୍ରଣାଳୟର ମଧ୍ୟ ଅତିରିକ୍ତ ଦାୟିତ୍ୱରେ ଅବସ୍ଥାପିତ ଅଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS