ବିବିସି ଡକୁମେଂଟାରୀ ଉପରେ ସରକାରୀ ରୋକ୍, ସୁପ୍ରିମ କୋର୍ଟରେ ଶୁଣାଣୀ ହେବ


ପ୍ରସାଦ ରାଓ
ଜାନୁଆରୀ ୩୦/୨୩
୨୦୦୨ ଗୁଜରାଟ ଦଂଗାକୁ ନେଇ ବିବିସି ଦ୍ୱାରା ପ୍ରସ୍ତୁତ ‘ଇଂଡିଆ: ଦି ମୋଦୀ କ୍ୱଶ୍ଚିନ’ର ପ୍ରସାରଣ ଉପରେ ଭାରତ ସରକାର ରୋକ୍ ଲଗାଇଛନ୍ତି । ଏହି ଡକୁମେଂଟାରୀ ଯେପରି ଦେଶରେ ପ୍ରସାରିତ ହୋଇନପାରିବ ତାହା ସୁନିଶ୍ଚିତ କରିବା ସକାଶେ ସରକାର ଆଇଟି ଆଇନରେ ମିଳିଥିବା ଜରୁରୀ କ୍ଷମତା ବଳରେ ସାମାଜିକ ଗଣମାଧ୍ୟମରେ ଥିବା ଏହାର ସମସ୍ତ ଲିଙ୍କ୍ କୁ ବ୍ଲକ କରି ଦେଇଛନ୍ତି । ଏହାକୁ ବିରୋଧ କରି ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ଏକାଧିକ ପିଟିସନ୍ ଉପରେ ଆସନ୍ତା ସପ୍ତାହରେ ଶୁଣାଣୀ କରାଯିବ ବୋଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡ଼ି.ୱାଇ.ଚନ୍ଦ୍ରଚୂଡ କହିଥିବା ବେଳେ ‘ଏହା ସୁପ୍ରିମ କୋର୍ଟର ମୂଲ୍ୟବାନ ସମୟର ଅପଚୟ ହେବ’ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି । ସୁପ୍ରିମ କୋର୍ଟ ଆଇନଜୀବୀ ଏମ.ଏଲ.ଶର୍ମାଙ୍କ ସରକାରଙ୍କ ପଦକ୍ଷେପ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ସାମ୍ବାଦିକ ଏନ.ରାମ ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ମଧ୍ୟ ଭିନ୍ନ ଏକ ପିଟିସନ ଦାଖଲ କରିଛନ୍ତି । କେନ୍ଦ୍ର ସରକାର ବିବିସି ଡକୁମେଂଟାରୀର ପ୍ରସାରଣ ଉପରେ ରୋକ୍ ଲଗାଇ ଥିବା ସତ୍ତ୍ୱେ ସିପିଏମ୍ ସମତେ ବିଭିନ୍ନ ବିରୋଧୀ ଦଳର ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ କ୍ୟାଂପସରେ ତାହାର ସ୍କ୍ରିନିଂ ଉଦ୍ୟମକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ ପୁଲିସ ମଧ୍ୟରେ ସଂଘର୍ଷାତ୍ମକ ପରସ୍ଥିତି ସୃଷ୍ଟି ହୋଇଛି । କେତେକ ଶିକ୍ଷାନୁଷ୍ଠାନରେ ପୁଲିସ ସ୍କ୍ରିନିଂ ଉଦ୍ୟମ କରୁଥିବା ଛାତ୍ରଛାତ୍ରୀ ସାମୟିକ ଭାବେ ଅଟକ ମଧ୍ୟ ରଖି ଥିଲେ । ଦେଶର ବିଭିନ୍ନ ଅଂଚଳର ଏହି ଡକୁମେଂଟାରୀ କଣ ଅଛି ଜାଣିବାକୁ ଉତ୍ସୁକତା ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସରକାର ତାହାର ପ୍ରସାରଣ ଉପରେ ରୋକ୍ ଲଗାଇବା ଅଗଣତାନ୍ତ୍ରିକ ପଦକ୍ଷେପ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । କିଛି ବିରୋଧୀ ଶାସିତ ରାଜ୍ୟରେ ଏହି ଡକୁମେଂଟାରୀର ସ୍କ୍ରିନିଂ ହୋଇଛି । ୨୦୦୨ ଗୁଜରାଟ ଦଂଗା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ଗୋଧ୍ରା ଟେନ୍ ପୋଡି ଘଟଣାରେ ୫୯ ଜଣ କରସେବକଙ୍କ ମୃତ୍ୟୁ ଘଟିବାରୁ ତାହାର ପ୍ରତିକ୍ରିୟା ସ୍ୱରୂପ ହୋଇଥିବା ଦଂଗାରେ ବହୁ ସଂଖ୍ୟାରେ ଜୀବନହାନୀ ଘଟିଥିଲା । ରାଜ୍ୟରେ ବିଜେପିର ସରକାର ଥିବାରୁ ପୁଲିସ ଦଂଗାକାରୀଙ୍କୁ ନିୟନ୍ତ୍ରଣ କରିବାରେ ଶିଥିଳତା ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତିନିଦିନ ଧରି ଏହି ଦଂଗା ଚାଲିବା ଫଳରେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାର ଏସଆଇଟି ତଦନ୍ତ ହୋଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦୀଙ୍କ ସମେତ ଅନ୍ୟ ଅଭିଯୋଗଙ୍କୁ କ୍ଲିନଚିଟ୍ ଦିଆଯାଇଛି । ସୁପ୍ରିମ କୋର୍ଟ ମଧ୍ୟ ବହୁ ବିଳମ୍ବରରେ ଏସଆଇଟି ଦ୍ୱାରା ଦାଖଲ ଚାର୍ଜସିଟ ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦୋଶ କହି ମାମଲାର ପରିସମାପ୍ତି ଘଟାଇଥିବା ବେଳେ ବିବିିସି ୨୦୦୨ ଦଂଗାକୁ ନେଇ ‘ଇଂଡିଆ: ଦି ମୋଦୀ କ୍ୱଶ୍ଚିନ’ ନାମରେ ଦୁଇ ପର୍ଯ୍ୟାୟ ବିଶିଷ୍ଟ ଡକୁମେଂଟାରୀ ପ୍ରସ୍ତୁତ କରିଛି, ଯାହାକି କେନ୍ଦ୍ର ସରକାରଙ୍କୁ କ୍ଷୁବ୍ଧ କରିଛି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବା ଓ ଦେଶରେ ଥିବା ସାଂପ୍ରଦାୟିକ ସଦ୍ଭାବକୁ ନଷ୍ଟ କରିବା ପାଇଁ ବିବସିର ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ବିଜେପି ଅଭିଯୋଗ କରୁଥିବା ବେଳେ ୨୦୦୨ ଗୁଜରାଟ ଦଂଗାକୁ ନେଇ ବ୍ୟାପକ ଗବେଷଣା କରାଯିବା ପରେ ନୂଆ ତଥ୍ୟକୁ ନେଇ ଏହି ଡକୁମେଂଟାରୀ ସିରିଜ ପ୍ରସ୍ତୁତ କରାଯାଇଛି ବୋଲି ବିବିସି କହୁଛି । ଏଭଳି ଏକ ବିବଦମାନ ପରିସ୍ଥିତିରେ ସରକାରଙ୍କ ବାରଣ ସତ୍ତ୍ୱେ ବିରୋଧୀ ‘ଇଂଡିଆ: ଦି ମୋଦୀ କ୍ୱଶ୍ଚିନ’ର ସ୍କ୍ରିନିଂ କରାଇବାକୁ ଜୋର୍ ଲଗାଇବାରୁ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଡକୁମେଂଟାରୀ ପ୍ରସାରଣକୁ କେନ୍ଦ୍ର ସରକାର ବ୍ଲକ୍ କରିଥିବା ମାମଲା ସୁପ୍ରିମ କୋର୍ଟରେ ପହଂଚିଛି । ଆସନ୍ତା ସପ୍ତାହରେ ସୁପ୍ରିମ କୋର୍ଟରେ ହୋଇଥିବା ଅବେଦନଗୁଡିକ ଉପରେ ଶୁଣାଣୀ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ରାଜି ହୋଇଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ରିଜ୍ଜୁ ଟ୍ୱିଟ୍ କରି ଦେଶର ହଜାର ହଜାର ଲୋକ ବିଭିନ୍ନ ମାମଲାର ଛନ୍ଦି ହୋଇ ନ୍ୟାୟ ପାଇବା ଅପେକ୍ଷାରେ ଥିବା ବେଳେ ସୁପ୍ରିମ କୋର୍ଟ ବିବିସି ଡକୁମେଂଟାରୀ ପ୍ରସାରଣ ଉପରେ ସରକାରଙ୍କ ରୋକ୍ କୁ ନେଇ ହୋଇଥିବା ଆବେଦନଗୁଡିକର ଶୁଣାଣୀ କରିବାକୁ ରାଜି ହେବା ‘ସୁପ୍ରିମ କୋର୍ଟଙ୍କ ମୂଲ୍ୟବାନ ସମୟର ଅପଚୟ ହେବ’ ବୋଲି କହିଛନ୍ତି । ସୁପ୍ରିମ କୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଯେଉଁ ‘କଲିଜିୟମ’ ବ୍ୟବସ୍ଥା ରହିଛି ତାହାକୁ କେନ୍ଦ୍ର ସରକାର ବିରୋଧ କରୁଥିବାରୁ ଗଲା କିଛି ସପ୍ତାହ ହେଲା ସରକାର ଓ ସୁପ୍ରିମ କୋର୍ଟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ, ବିବିସି ଡକୁମେଂଟାରୀର ପ୍ରସାରଣ ଉପରେ କେନ୍ଦ୍ର ସରକାରଙ୍କ ରୋକ୍ କୁ ନେଇ ଅବେଦନଗୁଡିକ ଉପରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଆସନ୍ତା ସପ୍ତାହରେ ଶୁଣାଣୀ କରିବାକୁ ରାଜି ହେବା ସରକାରଙ୍କ ପାଇଁ ଗାତ୍ରଦାହର କାରଣ ହୋଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS