ମନ୍ତ୍ରୀଙ୍କ ହତ୍ୟା ପଛରେ ଏକା ଗୋପାଳ ନା ଆଉ କିଏ ?
ପ୍ରସାଦ ରାଓ
ଭୁବନେଶ୍ୱର
ଫେବୃଆରୀ ୦୩/୨୩
ଜାନୁୟାରୀ ୨୯ ତାରିଖ ମଧ୍ୟାହ୍ନରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧିଛକରେ ଘଟି ଥିବା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ରହସ୍ୟ ଆଜି ସୁଦ୍ଧା ଅସମାଧିତ ହୋଇ ରହିଛି । ଘଟଣା ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କ୍ରାଇମ୍ ବ୍ରାଂଚକୁ ଏହି ହତ୍ୟା ରହସ୍ୟର ଉନ୍ମୋଚନ ଦାୟିତ୍ୱ ଦେଇଥିଲେ । କ୍ରାଇମ୍ ବ୍ରାଂଚ ଏଡିଜି ଅରୁଣ ବୋଥ୍ରା ତଦନ୍ତ ପାଇଁ ନିଜ ଟିମ୍ ସହ ବ୍ରଜରାଜନଗରରେ ପହଂଚିବା ପୂର୍ବରୁ ମନ୍ତ୍ରୀଙ୍କ ହତ୍ୟାକାରୀ ଗୋପାଳ ଦାସ ପୁଲିସ ହେପାଜତରେ ଥିଲା । ଏଡିଜି ନିଜେ ଅଭିଯୁକ୍ତକୁ ଘନଘନ ଜେରା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟା ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇନଥିବା ରାଜ୍ୟ ପୁଲିସ ପ୍ରଶାସନ ଓ ସରକାରଙ୍କ ପାଇଁ ଅଡୁଆ ହୋଇଛି । ଏଭଳି ଏକ ସ୍ପର୍ଶକାତର ହତ୍ୟା ମାମଲାରେ ତିନି ଚାରି ଦିନ ମଧ୍ୟରେ କୌଣସି ନିଷ୍କର୍ଷରେ ପହଂଚି ଯିବା ସମ୍ଭବ ନୁହେଁ ବୋଲି ଓଡ଼ିଶା ପୁଲିସ ଡିଜି ସୁନିଲ ବଂଶଲ ଆଜି ଗଣମାଧ୍ୟମକୁ କହିଛନ୍ତି । ଓଡ଼ିଶା ପୁଲିସ କେନ୍ଦ୍ରୀୟ ଫେରେନ୍ସିକ୍ ସାଇନ୍ସ ଲାବୋରୋଟୋରୀ (ସିଏସଏଫଏଲ)ର ସହାୟତା ନେବାକୁ ଯୋଗାଯୋଗ କରିଥିବା ସେ ସୂଚନା ଦେଇଛନ୍ତି । ସିବି ସିଆଇଡିର ଏଡ଼ିଜି ବୋଥ୍ରା ଜଣେ ଦକ୍ଷ ଅଫିସର ଓ ଅତୀତରେ ସିବିଆଇରେ ଥିଲେ । ସେ ନବ ଦାସଙ୍କ ହତ୍ୟା ପରଠାରୁ ବ୍ରଜରାଜନଗରରେ ଉପସ୍ଥିତ ରହି ପ୍ରତ୍ୟକ୍ଷ ଭାବେ ତଦନ୍ତରେ ସାମିଲ ଥିବାରୁ ରାଜ୍ୟ ପୁଲିସ ମନ୍ତ୍ରୀଙ୍କ ହତ୍ୟା ରହସ୍ୟ ଉନ୍ମୋଚନ କରିବାରେ ସଫଳ ହେବ ବୋଲି ଡିଜିପି ବଂଶଲ ଆଶାବ୍ୟକ୍ତ କରିଛନ୍ତି ।
ତେବେ, ଓଡ଼ିଶା ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ବିରୋଧୀ ରିତିମତ ପ୍ରଶ୍ନଚିହ୍ନ ଲଗାଉ ଥିବାରୁ ଏବଂ ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବାରୁ ରାଜ୍ୟ ସରକାର ରକ୍ଷଣାତ୍ମକ ସ୍ଥିତିରେ ଥିବା ଦେଖିବାକୁ ମିଳୁଛି । ଓଡ଼ିଶା ପୁଲିସ ଓ ସରକାର ରକ୍ଷଣାତ୍ମକ ସ୍ଥିତିରେ ରହିବା କାରଣ ହେଉଛି, ମନ୍ତ୍ରୀଙ୍କୁ ସେଦିନ ଗାନ୍ଧିଛକରେ ଗୁଳି କରିଥିବା ଅଭିଯୁକ୍ତ ଗୋପାଳ ଦାସ ହେଉଛନ୍ତି ଜଣେ ପୁଲିସ କର୍ମଚାରୀ । ମନ୍ତ୍ରୀଙ୍କ ଗସ୍ତ ସମୟରେ ଗୋପାଳ ଗାନ୍ଧିଛକରେ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ଥିଲେ । ମନ୍ତ୍ରୀ ଏକ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯିବା ରାସ୍ତାରେ ଗାନ୍ଧିଛକରେ ସମର୍ଥକଙ୍କ ଗହଳି ଥିବା ଦେଖି ଅଟକି ଥିଲେ ଏବଂ ସମର୍ଥକଙ୍କଠାରୁ ଫଳମାଳ ନେବାକୁ ଗାଡିରୁ ଓହ୍ଲାଉ ଥିବା ସମୟରେ ଗୋପାଳ ଅତି ନିକଟକୁ ଯାଇ ନିଜ ସର୍ଭିସ ରିଭଲବରରୁ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇ ଥିଲେ । ପ୍ରଥମ ଗୁଳିରେ ମନ୍ତ୍ରୀ ଟଳି ପଡି ଥିଲେ । ଦ୍ୱିତୀୟ ଗୁଳି ଗାଡିକୁ ଭେଦ କରିଛି । ଘଟଣା ସ୍ଥଳରୁ ଗୋପାଳ ଖସି ପଳାଇବାକୁ ଉଦ୍ୟମ କରିବା ସମୟରେ ମନ୍ତ୍ରୀଙ୍କ ସମର୍ଥକ ଓ ଉପସ୍ଥିତ ପୁଲିସ କର୍ମଚାରୀଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ଧସ୍ତଧସ୍ତି ସମୟରେ ସେ ଫାଙ୍କା ଗୁଳିଚାଳନା କରିଥିଲେ ମଧ୍ୟ ମନ୍ତ୍ରୀଙ୍କ ସମର୍ଥକ ଓ ବ୍ରଜରାଜନଗର ପୁଲସ ତାଙ୍କୁ କାବୁ କରି ନେଇଥିଲେ । ଗୋପାଳଙ୍କୁ ନିରସ୍ତ୍ର କରାଯାଇ ଝାରସୁଗୁଡା ବିମାନ ବନ୍ଦର ଥାନାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଅଟକ ରଖାଯିବା ସହ ସୋମବାର ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର କରାଯାଇ ଚାରି ଦିନିଆ ରିମାଣ୍ଡରେ ଅଣା ଯାଇଛି । ଓଡ଼ିଶା କ୍ରାଇମ୍ ବ୍ରାଂଚ ପୁଲିସ ଅଧିକାରୀମାନେ ଗୋପାଳଙ୍କୁ ବିମାନ ବନ୍ଦର ଥାନାରେ ଅଟକ ଥିବା ସମୟରୁ ଘନଘନ ଜେରା କରୁଥିଲେ ମଧ୍ୟ ତାଙ୍କ ପାଟିରୁ ହତ୍ୟା ରହସ୍ୟ ଓଗାଳି ପାରି ନଥିବା ହିଁ ଓଡ଼ିଶା ପୁଲିସ ପ୍ରଶାସନକୁ ସମାଲୋଚନାର ଶରବ୍ୟ କରିଛି ।
ଗୋପାଳ ବ୍ୟକ୍ତିଗତ ରାଗରୁ ମନ୍ତ୍ରୀଙ୍କ ହତ୍ୟା କଲେ କି କିଛି ରାଜନୈତିକ ବା ବ୍ୟବସାୟିକ ଶତୃତାରୁ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ବେଳେ ଗାନ୍ଧିଛକ ଫାଣ୍ଡି ଏଏସଆଇ (ଏବେ କାର୍ଯ୍ୟରୁ ଅପସାରିତ) ଗୋପାଳ ଦାସଙ୍କୁ କେବଳ ଏକ ମୋହରା ଭାବେ ବ୍ୟବହାର କରାଯାଇଛି – ତାହା ଏକ ନିୟୁତ ଡଲାର ପ୍ରଶ୍ନ ରହିଛି । ବିରୋଧୀଙ୍କ କହିବା ଅନୁସାରେ ମନ୍ତ୍ରୀ ନବ ଦାସ ଝାରସୁଗୁଡାରେ କୋଇଲା ପରିବହନ ବ୍ୟବସାୟରୁ ଆରମ୍ଭ କରି ଅନ୍ୟ ବହୁ ବ୍ୟବସାୟରେ ସଂପୃକ୍ତ ଥିଲେ । ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ସେ କୋିଲା ପରିବହନ ବ୍ୟବସାୟକୁ ସଂପୂର୍ଣ୍ଣ ଭାବେ ନିଜ କବ୍ଚାରେ ରଖି ଥିଲେ । ତେଣୁ, ତାଙ୍କ ବ୍ୟବସାୟିକ ଶତୃମାନେ ତାଙ୍କୁ ରାସ୍ତାରୁ ହଟାଇବା ଷଡଯନ୍ତ୍ର କରି ଗୋପାଳଙ୍କୁ ସେଥିରେ ସାମିଲ କରିଥାଇପାରନ୍ତି । ପୁଲିସ ଅଭିଯୁକ୍ତ ଗୋପାଳ ଦାସଙ୍କୁ କାବୁ କରିବା ପରେ ଘଟଣାସ୍ଥଳରୁ ଝାରସୁଗୁଡା ବିମାନ ବନ୍ଦର ଥାନାକୁ ନେଇ ସେଠାରେ ଅଟକ ରଖିଥିଲେ ମଧ୍ୟ ଠିକ୍ ଭାବେ ଯାଂଚ ନ କରିବାରୁ ସେ ପୋଷାକ ତଳେ ଲୁଚାଇ ରଖିଥିବା କାଗଜପତ୍ର ଥାନା ପାଇଖାନା ନଳରେ ପୁରାଇ ଫ୍ଲସ୍ କରି ଦେବାର ସୁଯୋଗ ପାଇଥିଲେ । ରିମାଣ୍ଡରେ ଆସି କ୍ରାଇମ୍ ବ୍ରାଂଚର ଜେରା ସମୟରେ ଗୋପାଳ ଏହା ସ୍ୱୀକାର କରିବା ପରେ ପାଇଖାନା ଟାଂକି ଭାଂଗି କିଛି ଟୁକୁଡା କାଗଜ ଉଦ୍ଧାର କରାଯାଇଛି । ଏହି ଟୁକୁଡା କାଗଜରୁ ହତ୍ୟା ରହସ୍ୟ ଉନ୍ମୋଚନ ହେବ ବୋଲି କ୍ରାଇମ୍ ବ୍ରାଂଚ ଆଶା କରିବା ସହ ସେସବୁ ଫୋରେନ୍ସିକ୍ ତଦନ୍ତ ପାଇଁ ପଠାଇ ଥିବା ବେଳେ ତଦନ୍ତ ପ୍ରାରମ୍ଭରେ ଝାରସୁଗୁଡା ଜିଲ୍ଲା ପୁଲିସ ଏତେଦୂର ବେପରୁଆ କେମିତି ହେଲେ ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି ।
ସିବି ସିଆଇଡିର ଜୋରା ବେଳେ କୁଆଡେ ଗୋପାଳ କହିଛନ୍ତି, ସେ ମନ୍ତ୍ରୀଙ୍କୁ ଗୁଳି କରିବା ପରେ ମନ୍ତ୍ରୀଙ୍କ ପିଏସଓ (ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ) ବା ଉପସ୍ଥିତ ବ୍ରଜରାଜନଗର ଥାନା ପୁଲିସର ଗୁଳିରେ ଟଳି ପଡିବେ । ସେଥିପାଇଁ ସେ ମନ୍ତ୍ରୀଙ୍କୁ ହତ୍ୟା କରିବାର କାରଣ ଲେଖି କାଗଜଗୁଡିକୁ ପାଖରେ ଲୁଚାଇ ରଖିଥିଲେ । ତାଙ୍କ ମୃତ୍ୟୁ ପରେ ସେହି କାଗଜ ହତ୍ୟା ରହସ୍ୟ ଖୋଲିବ ବୋଲି ତାଙ୍କ ଧାରଣା ଥିଲା । ତେବେ, ଘଟଣାସ୍ଥଳରେ ମନ୍ତ୍ରୀଙ୍କ ପିଏସଓ ବା ପୁଲିସ ଆଡୁ ପାଲଟା ଗୁଳିଚାଳନାର ଉପକ୍ରମ ହେଲା ନାହିଁ, ଯାହାକି ତାଙ୍କୁ ଚକିତ କରିଥିଲା ଏବଂ ସେ ପୁଲିସ ହାତରେ ଧରାପଡି ବିମାନ ବନ୍ଦର ଥାନାକୁ ଆସିବା ପରେ ସେହି କାଗଜକୁ ଚିରି ଟୁକୁଡାଗୁଡିକୁ ପାଇଖାନାରେ ଫ୍ଲସ୍ କରି ଦେଇଥିଲେ । ଗୋପଳର ଯାହା କହୁଛନ୍ତି ତାହା ଯଦି ସତ୍ୟ ହୋଇଥାଏ ତେବେ ଘଟଣା ଘଟିବାର ଷଷ୍ଠ ଦିନ ସୁଦ୍ଧା ସେ ଓଡ଼ିଶା କ୍ରାଇମ୍ ବାଂଚ ନିକଟରେ ସତ୍ୟ ପ୍ରଘଟ କରୁ ନାହାନ୍ତି କାହିଁକି ? ସିବି ସିଆଇଡି ମଧ୍ୟ ସତ ଓଗାଳି ପାରୁନି କେମିତି ? ମନ୍ତ୍ରୀଙ୍କ ହତ୍ୟା ସମୟରେ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିର ପୁଲିସ ଏଏସଆଇ (ଏବେ କାର୍ଯ୍ୟରୁ ଅପସାରିତ) ଥିବା ଗୋପାଳ କଣ ସତରେ ଏକାକୀ ଜଣେ କରିତକର୍ମା ଷଡଯନ୍ତ୍ରକାରୀ ଥିଲେ ? ଆଜି ଦିନରେ ଏଭଳି ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ । କ୍ରାଇମ୍ ବ୍ରାଂଚ୍ ଗୋପାଳଙ୍କୁ ଚାରି ଦିନିଆ ରିମାଣ୍ଡରେ ଆଣି ତୃତୀୟ ଦିନ ଜେରା ସୁଦ୍ଧା ଗୋପାଳ ଚଳାଇ ଥିବା ଗୁଳିର ଖୋକା ଓ ଝାରସୁଗୁଡା ବିମାନ ବନ୍ଦର ଥାନା ଫାଇଖାନା ଟାଂକିରୁ କିଛି କାଗଜ ଟୁକୁଡା ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଘଟଣା ସମୟରେ ମନ୍ତ୍ରୀଙ୍କ ପିଏସଓ ସାଥିରେ ଥିଲେ ମଧ୍ୟ କେମିତି ସୁରକ୍ଷା ଦେଇ ପାରିଲେ ନାହିଁ, ତାହା ପ୍ରଶ୍ନବାଚୀ ହୋଇଥିବା ବେଳେ ପିଏସଓଙ୍କ ବୟାନ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ଗଣମାଧ୍ୟମ ସାମ୍ନାକୁ ଆଣିନି ।
ଅଭିଯୁକ୍ତ ଗୋପାଳ ଦାସ ଜଣେ ମାନସିକ ରୋଗୀ ବୋଲି ପରିବାର ସଦସ୍ୟ ଦୃଢତାର ସହ କହୁଥିବା ବେଳେ ଗୋପାଳ ମାନସିକ ଦୃଷ୍ଟିରୁ ସୁସ୍ଥ ଏବଂ ମନ୍ତ୍ରୀଙ୍କ ହତ୍ୟା ପଛରେ ଏକ ସୁପରିକଳ୍ପିତ ଷଡଯନ୍ତ୍ରକୁ ସେ କାର୍ଯ୍ୟକାରୀ କରିଛନ୍ତି ବୋଲି କ୍ରାଇମ୍ ବ୍ରାଂଚ ପୁଲିସ କହୁଛି । ତେବେ, ପାଇଖାନା ଟାଂକି ତଳୁ ମିଳିଥିବା କାଗଜ ଟୁକୁଡା ବା ହତ୍ୟା ଷଡଯନ୍ତ୍ରର ବ୍ଲୁ-ପ୍ରିଂଟ୍ କ୍ରାଇମ୍ ବ୍ରାଂଚ ତଦନ୍ତକୁ ବାଟବଣା କରିବା ପାଇଁ ଗୋପାଳ ଦାସର ଷଡଯନ୍ତ୍ରର ଆଉ ଏକ ଫର୍ଦ୍ଦ ନୁହେଁ ତ ? ଗୋପାଳ ଦୀର୍ଘ ବର୍ଷ କନେଷ୍ଟବଳ ରହିବା ପରେ ଏଏସଆଇ ପଦକୁ ପଦୋନ୍ନତି ପାଇ ବ୍ରଜରାଜନଗରରେ କାର୍ଯ୍ୟ କରୁଥିଲେ । ପୁଲିସ ଏବଂ କ୍ରାଇମ ବ୍ରାଂଚର ମୋଡସ୍ ଅପରେଂଡି ବା କାର୍ଯ୍ୟଶୈଳୀ ସଂପର୍କରେ ତାଙ୍କର ଯଥେଷ୍ଟ ଧାରଣା ଥିବ । ଏତେବଡ ଅପରାଧ ଘଟାଇବା ସମୟରେ ସେ ହତ୍ୟାର ଉଦ୍ଦେଶ୍ୟ ସଂପର୍କରେ ଲିଖିତ ପ୍ରମାଣ ସାଥିରେ ନେଇ ଥିବେ ବୋଲି କେତେଦୂର ବିଶ୍ୱାସ କରାଯାଇପାରେ ? ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି.ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ତଦନ୍ତ କରାଉଥିଲେ ମଧ୍ୟ ଏହି ହତ୍ୟାକୁ ନେଇ ଗଲା କିଛି ଦିନ ହେଲା ବିଭିନ୍ନ ଦିଗରୁ ଯେଉଁ ସବୁ ଆଲୋଚନା ହେଉଛି ତାହା ଏକ ବୃହତ୍ତର ଷଡଯନ୍ତ୍ରର ଆଭାସ ଦେଉଛି । ରାଜନୀତି ବା ବ୍ୟବସାୟିକ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ଘଟି ଥିବା ବିରୋଧୀ ସନ୍ଦେହ କରୁଛନ୍ତି ।
ଗୋପାଳ ସେଦିନ ସିଧାସଳଖ ଗୁଳି ଚଳାଇ ଥିବାରୁ ହତ୍ୟା ଘଟଣାରେ ପ୍ରମୁଖ ଅଭିଯୁକ୍ତ ରହିଛନ୍ତି । ସେ ନିଜ ଅପରାଧ ସ୍ୱୀକାର କରିଥିବା କ୍ରାଇମ ବ୍ରାଂଚ୍ କହୁଛି । ତେବେ, ହତ୍ୟାର ଉଦ୍ଦେଶ୍ୟ ଓ ପ୍ରମାଣ ଖୋଜା ଚାଲିଛି । ଅପରପକ୍ଷରେ, ଏହି ହତ୍ୟାକାଣ୍ଡ ପଛରେ କୋଇଲା ମାଫିଆଙ୍କ ମଧ୍ୟରେ ଥିବା ବ୍ୟବସାୟିକ ଶତୃତା ବା ରାଜନୈତିକ ଶତୃତା ପ୍ରମୁଖ କାରଣ ଥିବା ଏବଂ ଗୋପାଳ ଏକାକୀ ନୁହେଁ, ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ମଧ୍ୟ ଏଥିରେ ସଂପୃକ୍ତ ଥିବା ବିରୋଧୀ ସନ୍ଦେହ କରୁଛନ୍ତି ଓ ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି । ଓଡ଼ିଶା ପୁଲିସ ମୁଖ୍ୟ ବଂଶଲଙ୍କ ଭାଷାରେ କ୍ରାଇମ୍ ବ୍ରାଂଚ ଏଡିଜି ଅରୁଣ ବୋଥ୍ରାଙ୍କ ଭଳି ଜଣେ ଦକ୍ଷ ଅଧିକାରୀ ପ୍ରତ୍ୟକ୍ଷ ଭାବେ ମାମଲାର ତଦନ୍ତ କରୁଥିବାରୁ ବିଳମ୍ବ ହେଲେ ମଧ୍ୟ ରହସ୍ୟ ଉନ୍ମୋଚନ କରିବାରେ କ୍ରାଇମ୍ ବ୍ରାଂଚ ସଫଳ ହେବ । ତେବେ, ସିବି ସିଆଇଡି ସଫଳତାର ଖବର କେବେ ଦେବ, ତାହା ଉପରେ ଶାସକ ଏବଂ ବିରୋଧୀ ଉଭୟଙ୍କ ନଜର ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS