ଦିଲ୍ଲୀ ସାକେତ କୋର୍ଟରେ ମହିଳାଙ୍କୁ ଗୁଳି ମାଡ !
ପ୍ରସାଦ ରାଓ
ଏପ୍ରିଲ ୨୧
ଦିଲ୍ଲୀରେ କୋର୍ଟ ପରିସରରେ ଗୁଳି ଫୁଟିବା କିଛି ନୂଆ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏକାଧିକ ଘଟଣା ଘଟିଛି । ଆଜି ସକାଳେ ଦକ୍ଷିଣ ଦିଲ୍ଲୀର ସାକେତ ଜିଲ୍ଲା କୋର୍ଟ ପରିସରରେ ଏହାର ପୁନରାବୃତ୍ତି ଘଟିଛି । ଓକିଲ ପୋଷାକ ପରିଧାନ କରିଥିବା ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଗୁଳି କରିଛନ୍ତି । ମହିଳା ଜଣକ ଖସି ପଳାଇ ଥିଲେ ମଧ୍ୟ ଆହତ ହୋଇଥିବା ଏବଂ ଜଣେ ପୁଲିସ ଅଧିକାରୀ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ତେବେ, ଗୁଳି ଫୁଟାଇ ଥିବା ବ୍ୟକ୍ତି ଜଣକ କୋର୍ଟ ପରିସରରେ ଥିବା କ୍ୟାଂଟିନ ପଛ ଦୁଆର ଦେଇ ଖସି ପଳାଇଛନ୍ତି । ଅଭିଯୁକ୍ତକୁ ଧରିବାକୁ ପୁଲିସ ଉଦ୍ୟମ କରୁଛି ।
ଘଟଣାର ଏକ ମୋବାଇଲ ଭିଡ଼ିଓ ରେକର୍ଡିଂ ହୋଇଛି । ସେଥିରୁ ଜଣାପଡିଛି ଯେ, ଗୁଳିକାଣ୍ଡ ସମୟରେ କୋର୍ଟ ପରିସରେ ଗହଳ ଚହଳ ଥିଲା । ଅଭିଯୁକ୍ତ ଜଣକ ସହ ସଂପୃକ୍ତ ମହିଳାଙ୍କ କିଛି ସମୟ ଯୁକ୍ତିତର୍କ ହୋଇଥିଲା । ପରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଉପରେ ଗୁଳି ଚଳାଇ ଥିଲେ । ମହିଳା ଜଣକ ଗୁଳି ମାଡରୁ ବର୍ତ୍ତିବା ସକାଶେ ଘଟଣା ସ୍ଥଳରୁ ଧାଇଁ ପଳାଇ ଥିଲେ ମଧ୍ୟ ଆହତ ହୋଇଛନ୍ତି । ଘଟଣା ସମୟରେ କୋର୍ଟ ପରିସରରେ ବହୁ ସଂଖ୍ୟକ ଓକିଲ ଉପସ୍ଥିତ ଥିଲେ ମଧ୍ୟ କେହି ସେଥିରେ ହସ୍ତକ୍ଷେପ କରିନଥିଲେ । ଅଭିଯୁକ୍ତ ଜଣକ ଚାରି ରାଉଣ୍ଡ ଗୁଳି ଫୁଟାଇ ଥିବା ଏକ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟରୁ ସୂଚନା ମିଳିଛି ।
ଟଙ୍କା ପଇସା କାରବାରକୁ ନେଇ ଅଭିଯୁକ୍ତ ଜଣକ ସହ ସଂପୃକ୍ତ ମହିଳାଙ୍କ ବିବାଦ ଚାଲି ଥିଲା । ଏହାକୁ ନେଇ କୋର୍ଟରେ ଚାଲି ଥିବା ଏକ ମାମଲାରେ ଶୁଣାଣୀ ସକାଶେ ମହିଳା ଜଣକ ଆସି ଥିଲେ । ଗୁଳିମାଡ କରିଥିବା ବ୍ୟକ୍ତି ଓକିଲ ପୋଷାକରେ ସକାଳେ କୋର୍ଟ ପରିସରରେ ପହଂଚି ଥିଲେ । ମହିଳା ଜଣକ ନିଜ ଓକିଲଙ୍କ ସହ ଆଲୋଚନା କରୁଥିବା ବେଳେ ଅଭିଯୁକ୍ତଙ୍କ ସହ ତାଙ୍କ ଯୁକ୍ତିତର୍କ ହୋଇଥିଲା ଏବଂ ଅଭିଯୁକ୍ତ ଜଣକ ସଂପୃକ୍ତ ମହିଳାଙ୍କ ଉପରେ ଗୁଳି ଚଳାଇ ଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି, ମହିଳାଙ୍କ ଉପରେ ଗୁଳି ଚଳାଇ ଥିବା ବ୍ୟକ୍ତି ଜଣକ ବାସ୍ତବରେ ହେଉଛନ୍ତି ଜଣେ ପେଶାଦାର ଓକିଲ । ତେବେ, କୌଣସି କାରଣରୁ ବାର୍ କାଉନସିଲ ତାଙ୍କୁ ନିଲମ୍ବିତ କରିଛନ୍ତି । ଅଭିଯୁକ୍ତ ଜଣକ ୨୦୨୨ ଜୁଲାଇରେ ସଂପୃକ୍ତ ମହିଳା ଓ ଜଣେ ଓକିଲଙ୍କ ବିରୋଧରେ ସାକେତ ପୁଲିସ ଥାନାରେ ଏକ ଜାଲିଆତି ମାମଲା ଦାଏର କରିଥିଲେ । ଏତଲାରେ ଅଭିଯୋଗ ଥିଲା ଯେ, ଉଚ୍ଚ ହାରରେ ଅର୍ଥ ଫେରସ୍ତ ମିଳିବ କହି ମହିଳା ଜଣକ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଆଜି ସକାଳେ ମହିଳା ଜଣକ କୋର୍ଟକୁ ଆସି ନିଜ ଓକିଲଙ୍କ ସହ ଆଲୋଚନା କରୁଥିବା ବେଳେ ଅଭିଯୁକ୍ତ ସେଠାରେ ପହଂଚି ଥିଲେ । ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଏହି ଗୁଳିକାଣ୍ଡ ଘଟିଛି ।
ନିକଟରେ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ୱରକାଠାରେ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ହତ୍ୟା କରାଯାଇଛି । ଦୁଇ ଜଣ ବାଇକ ଆରେହୀ ସଂପୃକ୍ତ ଓକିଲଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଦ୍ୱାରକା ଘଟଣା ପରେ ପରେ ଆଜି ସାକେତ ଜିଲ୍ଲା କୋର୍ଟ ପରିସରରେ ଘଟିଥିବା ଘଟଣା ଆଇନ ବ୍ୟବସାୟ କରୁଥିବା ଓକିଲଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଦ୍ୱାରକା ଘଟଣା ପରେ ଦିଲ୍ଲୀର ପେଶାଦାର ଓକିଲମାନେ ସେମାନଙ୍କ ସୁରକ୍ଷାକୁ ନେଇ ହାଇକୋର୍ଟରେ ଆବେଦନ କରିଛନ୍ତି । ଦିଲ୍ଲୀର ଜଣେ ବରିଷ୍ଠ ଆଇନଜୀବୀଙ୍କୁ ଦ୍ୱାରକାରେ ହତ୍ୟା କରାଯିବା ପେଶାଦାର ଆଇଜୀବୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ, ଓକିଲଙ୍କୁ ସୁରକ୍ଷା ଦେବାକୁ ଦିଲ୍ଲୀରେ ତୁରନ୍ତ ‘ଆଡଭୋକେଟ୍ସ ପ୍ରୋଟକ୍ସନ୍ ଆକ୍ଟ’ ଗୃହୀତ କରାଯିବାକୁ ଓକିଲଙ୍କ ପକ୍ଷରୁ ଦାବି ହୋଇଛି ।
କଡା ଆଇନ ନହେଲେ ଅପରାଧୀଙ୍କ ସାହାସ ବଢିବ ଏବଂ ଦିଲ୍ଲୀରେ ଓକିଲଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବ ବୋଲି ଓକିଲମାନେ କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଗତ ବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀ ରୋହିଣୀ କୋର୍ଟରେ ଓକିଲ ପୋଷାକରେ ଥିବା ଦୁଇ ଜଣ ବନ୍ଧୁକଧାରୀ ଦୁର୍ବୁତ୍ତ ଗ୍ୟାଂଗଷ୍ଟର ଜିତେନ୍ଦ୍ର ମାନ୍ ଓରଫ ଗୋଗୀକୁ ଗୁଳି ମାରି ହତ୍ୟା କରିଥିଲେ । ଅବଶ୍ୟ, ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ଦୁର୍ବୁତ୍ତଙ୍କ ପାଲଟା ଗୁଳି ଚଳାଇ ଘଟଣା ସ୍ଥଳରେ ହିଁ ସେମାନଙ୍କୁ ମାରି ଦେଇଥିଲେ । ରୋହିଣୀ କୋର୍ଟରେ ଗତ ବର୍ଷ ଏପ୍ରିଲ ମାସରେ ମଧ୍ୟ ଦୁଇ ଜଣ ଓକିଲ ଓ ମହକିଲ ମଧ୍ୟରେ ବଚସାରୁ ଗୁଳି ଫୁଟି ଥିଲା । ଏସବୁ ଘଟଣାରୁ କୋର୍ଟ ପରିସର କେତେଦୂର ଅସୁରକ୍ଷିତ ହେଲାଣି ତାହା ସ୍ପଷ୍ଟ ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS