ପଲିଟିକାଲ୍ ଡ଼ାଏରୀ – ଓଡ଼ିଶା : ସମସ୍ତଙ୍କୁ ଚକିତ କଲେ ନବୀନ
– ପ୍ରସାଦ ରାଓ –
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅତି ନିକଟତମ ଲୋକଙ୍କ ପାଇଁ ମଧ୍ୟ ଅପହଂଚ । ଏକଥା ପ୍ରମାଣ କରିଛି, ଭାରତର ପରବର୍ତୀ ରାଷ୍ଟ୍ରପତି ପଦ ପାଇଁ ହେଉଥିବା ନିର୍ବାଚନରେ ବିଜେଡ଼ି ପକ୍ଷରୁ ଆକସ୍ମିକ ଭାବେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ପ୍ରାର୍ଥୀ ରାମ ନାଥ କୋବିନ୍ଦ୍ଙ୍କ ପ୍ରତି ସମର୍ଥନ ଘୋଷଣା । କୋବିନ୍ଦ ପ୍ରାର୍ଥୀ ହେଉଥିବା ଏନଡ଼ିଏ ଘୋଷଣା କରିବା ଦିନ ସକାଳେ ନବୀନ ମିଡ଼ିଆକୁ କହିଥିଲେ, କାହାକୁ ସମର୍ଥନ କରିବେ ଦଳର ସିନିୟର ନେତାଙ୍କ ସହ ପରାମର୍ଶ କରବା ପରେ ଜଣାଇବେ । କିନ୍ତୁ, ବିଳମ୍ବିତ ସଂଧ୍ୟାରେ ଏନଡ଼ିଏକୁ ସମର୍ଥନ କରିବେ ବୋଲି ଘୋଷଣା କରି ସେ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ନବୀନଙ୍କ ସଫେଇ ଥିଲା, ବିଗତ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କ ବିପକ୍ଷରେ ପୂର୍ବତନ ବାଚସ୍ପତି ପି.ଏ.ସାଙ୍ଗାମାଙ୍କୁ ପ୍ରାର୍ଥୀ କରାଯିବାକୁ ବିଜେଡ଼ି ପ୍ରସ୍ତାବ ଦେଇଥିଲା ଏବଂ ବିଜେପି ତାହାକୁ ସମର୍ଥନ କରିଥିଲା । ବର୍ତମାନ କୋବିନ୍ଦଙ୍କ ଭଳି ଜଣେ ଦଳିତ ନେତାଙ୍କୁ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେଡ଼ିର ସମର୍ଥନ ମାଗିଛି । ପ୍ରଧାନମନ୍ତ୍ରୀ ଫୋନ୍ କରି ସମର୍ଥନ ଲୋଡ଼ିଛନ୍ତି । ତେଣୁ, ସେ ଏନଡ଼ିଏ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ସିଦ୍ଧାନ୍ତ ନେଲେ । ନିଜର ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ ନବୀନ ୨୩ ତାରିଖ କୋବିନ୍ଦଙ୍କ ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିଜେଡ଼ି ପ୍ରତିନିଧି ଭାବେ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଦିଲ୍ଲୀ ପଠାଇଲେ । ନାମାଙ୍କନପତ୍ର ଦାଖଲ ବେଳେ ମନ୍ତ୍ରୀ ପାତ୍ର ଅନ୍ୟ ଏନଡ଼ିଏ ସମର୍ଥକଙ୍କ ସହ ପାର୍ଲାମେଂଟକୁ ଯାଇ କୋବିନ୍ଦଙ୍କ ପ୍ରାର୍ଥୀତ୍ୱ ପ୍ରତି ବିଜେଡରÿ ସମର୍ଥନକୁ ଅଧିକ ସ୍ପଷ୍ଟ କରି ଦେଇଛନ୍ତି ।
ସମସ୍ତେ ଆଶା କରିଥିଲେ, କଂଗ୍ରେସ ନେତୃତ୍ୱରେ ୧୭ଟି ବିରୋଧୀ ଦଳ ଏକାଠି ହୋଇ ପୂର୍ବତନ ଲୋକସଭା ବାଚସ୍ପତି ଡ଼. ମୀରା କୁମାରଙ୍କୁ ମିଳିତ ବିରୋଧୀ ଦଳ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ଘୋଷଣା କରିବା ପରେ ନବୀନ ତାଙ୍କ ପୂର୍ବ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସମୟ ନେବେ । କିନ୍ତୁ ସେ ଭଳି କିଛି ହେଲା ନାହିଁ । ମୀରା କୁମାରଙ୍କ ଭଳି ଭଳି ଜଣେ ଦଳିତ ତଥା ପ୍ରଭାବଶାଳୀ ନେତ୍ରୀ ବିପକ୍ଷ ପ୍ରାର୍ଥୀ ହେବା ଜାଣି ମଧ୍ୟ ବିଜେଡ଼ି ତାହାର ଦୂତ ପଠାଇ କୋବିନ୍ଦଙ୍କୁ ସମର୍ଥନ ଦେବା ମାଧ୍ୟମରେ ବିଜେପି ସହ ଜାତୀୟ ସ୍ତରରେ ରହି ଥିବା ସ୍ପଷ୍ଟ କରି ଦେଲା । କାହାକୁ ସମର୍ଥନ ଦେବା ବା ନ ଦେବା – ତାହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ତେବେ, ପ୍ରଶ୍ନ ଉଠୁଛି ରାଜ୍ୟର ସ୍ୱାର୍ଥ ସଂପର୍କିୀତ ପ୍ରଶ୍ନକୁ ନେଇ କେନ୍ଦ୍ର ବିଜେପି ସରକାରଙ୍କ ବିରୋଧରେ ବିଜେଡ଼ି ବିଷୋଦ୍ଗାର କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧକୁ ଏତେ ସହଜରେ କେମିତି ଗ୍ରହଣ କରି ନେଲା? କେନ୍ଦ୍ରରେ ସମର୍ଥନ ଓ ରାଜ୍ୟରେ ବିରୋଧ, ଦୁଇ ଦଳ ଓଡ଼ିଶାବାସୀଙ୍କ ବିଶ୍ୱାସ ସହ ଖେଳୁଥିବା ନାଟକ ଅଂଶ ନୁହେଁ ତ??
୨୦୦୯ରେ ବିଜେଡ଼ି ବିଜେପିକୁ ସାଂପ୍ରଦାୟିକ ଦଳ କହି ନିଜ ଠାରୁ ଅଲଗା କରି ଦେବା ପର ଠାରୁ ଦୁଇ ଦଳ ମଧ୍ୟରେ ସଂପର୍କ ତୀକ୍ତ ରହି ଆସିଛି । ବିଜେଡ଼ି ଏକାକୀ ଉଭୟ ବିଜେପି ଓ କଂଗ୍ରେସକୁ ଚିତ୍ କରିବାକୁ ସକ୍ଷମ, ତାହା ୨୦୦୯ ଓ ୨୦୧୪ ନିର୍ବାଚନରେ ସ୍ପଷ୍ଟ କରି ସାରିଛି । ୨୦୧୭ ଫେବୃୟାରୀ ପଂଚାୟତ ନିର୍ବାଚନରେ ବିଜେପି ସାମାନ୍ୟ ସଫଳତାର ସ୍ୱାଦ ଚାଖିବା ପରେ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ସରକାର ଗଠନର ସ୍ୱପ୍ନ ଦେଖୁଛି । ବିଜେଡ଼ି ଭଳି ପଂଚାୟତ ଓ ବୁଥ୍ ସ୍ତରରେ ସଂଗଠନ ତିଆରି ପାଇଁ ବିଜେପି ସମସ୍ତ ଶକ୍ତି ଖଟାଉ ଥିବାରୁ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପରସ୍ପର ପ୍ରତି ଆକ୍ଷେପ ଏତେ ବ୍ୟକ୍ତିଗତ ସ୍ତରକୁ ଗଲାଣି ଯେ, କେବଳ ତଳସ୍ତରରେ ନୁହେଁ, ସର୍ବୋଚ୍ଚ ସ୍ତରରେ ମଧ୍ୟ ଅତି କଟୁ ବକ୍ତବ୍ୟ ରଖିବାକୁ ଦୁଇ ଦଳର ନେତା ପଛାଉ ନାହାନ୍ତି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡ଼ି ପୂର୍ବ ତୁଳନାରେ କିଛି କମ୍ ଜିଲ୍ଲା ପରିଷଦ ଆସନ ପାଇଛି । ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଗ୍ରାମାଂଚଳରେ ଅଦୃଶ୍ୟ ସମର୍ଥନ ବୃଦ୍ଧି ଯୋଗୁ ହେଉ ବା ରାଜ୍ୟ ବିଜେଡ଼ି ସରକାରଙ୍କ ପ୍ରତି ଅସନ୍ତୋଷ ବୃଦ୍ଧି ପାଇଁ ହେଉ ବିଜେପି ପଂଚାୟତ ନିର୍ବାଚନରେ ଆଶାଠାରୁ ଅଧିକ ସଫଳତା ପାଇଛି । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ଅସୂୟା ଓ ଅହଂକାରର ଯୁଦ୍ଧ ଅତି ନିମ୍ନ ସ୍ତରକୁ ଚାଲି ଯାଇଥିବା ଲକ୍ଷ୍ୟ କରାଯାଉଛି । ଗ୍ରାମାଂଚଳ ଭୋଟରେ ଶାସକ ଦଳ ପ୍ରତି ମୁହଁ ମୋଡିବାରୁ ଏଭଳି ଫଳାଫଳ ହେଲା ବୋଲି ବିଜେପି ପ୍ରଚାର କରୁଛି । ବିଜେଡ଼ି ମଧ୍ୟ ଗ୍ରାମାଂଚଳରେ ନିଜର ସମର୍ଥନ ଆଧାର କମୁ ଥିବା ଅନୁଭବ କରିବା ପରେ ଦଳରେ ସୁଧାର ଆଣିବାକୁ ଉଦ୍ୟମ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ଭାବମୂର୍ତୀ ସଂକଟରେ ପଡ଼ିଥିବା ଅନୁଭବ କରିବା ପରେ ଦଳରେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଚାନକ ସେ ନିଜର ଜନସଂପର୍କ କୌଶଳ ବଦଳାଇବା ସହ ରାଜ୍ୟ ମନ୍ତ୍ରୀ ପରିଷଦରେ ମଧ୍ୟ ଅଦଳ ବଦଳ କରିଛନ୍ତି । କିଛି ଯୁବ ନେତାଙ୍କୁ ମନ୍ତ୍ରୀ ପରିଷଦରୁ ଅପସାରଣ କରି ସଂଗଠନ ସଜାଡିବା ଦାୟିତ୍ୱ ଦେଇଥିବା ବେଳେ କିଛି ବରିଷ୍ଠ (ଚତୁର୍ଥ ପାଳିରେ ମନ୍ତ୍ରୀ ହେବାର ସୁଯୋଗ ପାଇ ନଥିବା) ନେତାଙ୍କୁ ଦୁଇ ବର୍ଷ ପାଇଁ ମନ୍ତ୍ରୀ କରିଛନ୍ତି । ତେବେ, ଅଦଳବଦଳ ପରେ ବି ସହଗଠନକୁ ନେଇ ଦଳ ଭିତରୁ ହିଁ ସମାଲୋଚନାର ସ୍ୱର ଶୁଣାବିକୁ ମିଳିଛି । କିଛି ଅକର୍ମାଙ୍କୁ କାଢି, ସେମାନଙ୍କ ସ୍ଥାନରେ କିଛି ଆଉ କିଛି ପୁରୁଖା ମୂଷାଙ୍କୁ ନିଆଯାଇଛି, ଯାହାକି ଦଳର ଭାବମୂର୍ତୀକୁ କଳଂକିତ କରିଛି ବୋଲି ନବୀନ-ବିରୋଧୀ ସମାଲୋଚନା କରୁଛନ୍ତି । ‘ଅକର୍ମା’ ଶବ୍ଦ ଦଳ ଭିତରୁ ହିଁଁ ଆସିଛି । ବିଜେଡ଼ିର ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଖୋଲାଖୋଲି ଅଭିଯୋଗ କରିଥିଲେ, ‘କିଛି ଚୋ.. (!) ଗଲେ, ସେମାନଙ୍କ ସ୍ଥାନରେ ଆଉ କିଛି ପୁରୁଣା ଚୋ…ମନ୍ତ୍ରୀ ହୋଇଛନ୍ତି । ଦଳରେ କମ୍ବଳ ସାରା ବାଳ । ନବୀନ କେତେ ବାଛିବେ ! ସେମାନଙ୍କୁ ବାଛି ବାଛି ଦଳରୁ ବିଦା କଲେ ଅଧା ଦଳ ଖାଲି ହୋଇଯିବ’ । ତଥାଗତ ନିଜର ଏହି ମୁଖୁରା ଗୁଣ ପାଇଁ ପରେ ଦୁଃଖ ପ୍ରକାଶ କରି ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ସହ କୋଳାକୋଳି ହେଲେ । ସୁପ୍ରିମୋଙ୍କ ଆଡୁ କାର୍ଯ୍ୟାନୁଷ୍ଠାନ ହେବାର ଭୟରେ ସେ ଏହା କରିଥିବା ଚର୍ଚ୍ଚା ହେଉଛି । ତଥାଗତ – ଦେବୀ ଯେତେ କୋଳାକୋଳି ହେଲେ ବି ଦଳରେ ଯେଉଁ କଳଙ୍କ ଲାଗିଲା, ତାହାର ଇଲମ କାହାରି ପାଖରେ ନାହିଁ ।
କେବଳ ତଥାଗତ ନୁହନ୍ତି; କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, କଟକ ସାଂସଦ ଭର୍ତୃହରି ମହତାବ, ରାଜ୍ୟ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ଭଳି କିଛି ନେତା ଦଳରେ ଥାଇ ପ୍ରତିଦିନ ଏଭଳି କିଚି ମନ୍ତବ୍ୟ ଦେଉଛନ୍ତି, ଯାହାକି ଦଳର ଶକ୍ତି ବୃଦ୍ଧି କରିବା ବଦଳରେ ଶକ୍ତିକ୍ଷୟ କରୁଥିବା ଅଭିଯୋଗ ହେଉଛି । ରାଜ୍ୟରେ ଏବେ ବିଜେପିର ମଂଗ ଧରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଓଡ଼ିଶାର ହୋଇ ମଧ୍ୟ ବିହାରରୁ ରାଜ୍ୟସଭାକୁ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ଖାସ୍ ବୋଲି ନିଜକୁ ପ୍ରେଜେକ୍ଟ୍ କରି ଆସୁଥିବା ମନ୍ତ୍ରୀ ଧର୍ମେନ୍ଦ୍ର ଏବେ ନବୀନଙ୍କ ବଡ ସମାଲୋଚକ । କଂଟାବାଡରେ ଲୁଗା ପକାଇ କଳି କଲା ଭଳି ନବୀନ-ଧର୍ମେନ୍ଦ୍ର ବାକ୍ ଯୁଦ୍ଧ ଏବେ ବ୍ୟକ୍ତିଗତ ସ୍ତରକୁ ଖସି ଆସି ଆଇଓସିଏଲ୍ (ଇଂଡ଼ିଆନ୍ ଅଏଲ୍ କର୍ପୋରେସନ୍) ଭଳି କେନ୍ଦ୍ରୀୟ ଉଦ୍ୟୋଗକୁ ବିବାଦ ଘେରକୁ ଟାଣି ଆଣିଛି । ମହାନଦୀ ଜଳ ବିବାଦ, ରାଜ୍ୟ ପ୍ରତି କେନ୍ଦ୍ରୀୟ ଅବହେଳା ଅଭିଯୋଗ, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଘୋଷଣାରେ କେନ୍ଦ୍ରର ଟାଳଟୁଳ ନୀତି, ରାଜ୍ୟକୁ ବିଭିନ୍ନ ବାଟରେ କେନ୍ଦ୍ରୀୟ ଅନୁଦାନ କମାଇ ଦିଆଯିବା, ବିଭିନ୍ନ କେନ୍ଦ୍ରୀୟ ଉଦ୍ୟୋଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅପଦସ୍ତ କରିବା ଉଦ୍ୟମ ହେବା ପ୍ରଭୃତି ଇସ୍ୟୁକୁ ନେଇ ରାଜ୍ୟରେ ବିଜେଡ଼ି-ବିଜେପି କଳି ଚାଲିଥିବା ବେଳେ ରାଜ୍ୟର ସ୍ୱାର୍ଥ ବିରୋଧୀ ଇସ୍ୟୁରେ ମଧ୍ୟ ରାଜ୍ୟ ବିଜେପି ନେତାମାନେ ଅନ୍ଧ ଭାବେ ନିଜ ଦଳ କେନ୍ଦ୍ରୀୟ ନେତାଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବା ବିସ୍ମୟକର । କେବଳ ବିଜେଡ଼ି ସହ କଳି କରିବା ପାଇଁ ବିଜେପି ଯଦି ଏଭଳି ରଣନୀତି ଆପଣାଇ ଥିବ, ତେବେ ତାହା ଦୀର୍ଘକାଳୀନ ଭିତ୍ତିରେ ବିଜେପି ପାଇଁ ହିଁ ମହଙ୍ଗା ପଡିବ । ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ରାଜ୍ୟର ଦାବୀ ଓ କେନ୍ଦ୍ରର ଘୋଷଣାକୁ ଉଦାହରଣ ଭାବେ ନିଆଯାଇ ପାରେ । ରାଜ୍ୟ ସରକାର ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପିଛା ୨,୯୩୦ଟଙ୍କା ଦିଆଯିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ବିଧାନସଭା ବାଚସ୍ପତିଙ୍କ ଅଧ୍ୟତାରେ ଏକ ସର୍ବଦଳୀୟ ବୈଠକ ବସି ଏହି ନିଷ୍ପତ୍ତି ନିଆଯିବା ସହ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିଲା । ସର୍ବଦଳୀୟ ବୈଠକରେ ପାରିତ ହୋଇଥିବା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟୀ ସମୟ ମାଗି ଥିଲେ । କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଆଡୁ ଏହାକୁ ଏଡାଇ ଦିଆ ଯାଇଥିଲେ । ଏବେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକତରଫା ଭାବେ ଧାନର କୁଇଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ୧୫୫୦ ଟଙ୍କା ଘୋଷଣା କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଭଲ ଧାନ ହୋିଥିଲେ ଚାଷୀଙ୍କୁ ମିଳିବ ୧୫୯୦ ଟଙ୍କା । ପୂର୍ବରୁ ଧାନର ଏମଏସପି ଥିଲା ୧୪୭୦ ଟଙ୍କା । ରାଜ୍ୟ ସରକାର କୁଇଂଟାଲ ପିଛା ମାତ୍ର ୮୦ ଟଙ୍କା ବଢାଇଛନ୍ତି । ଧାନ ଉତ୍ପାଦନରେ କୁଇଂଟାଲ ପିଛା ୨୨୦୦ ଟଙ୍କା ଖର୍ଚ ହେଉଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଧାର୍ଯ୍ୟ ହେବା ଦ୍ୱାରା ଚାଷୀଙ୍କୁ କଣ ମିଳିବ (?) ବୋଲି ଚାଷୀ ପ୍ରଶ୍ନ କରୁଛନ୍ତି । କେନ୍ଦ୍ରର ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ବିଜେଡ଼ିର ପକ୍ଷରୁ ଗଲା ୨୩ ତାରିଖ ଦିନ ରାଜ୍ୟ ରାଜଭବନ ସମ୍ମୁଖରେ ଦୁଇ ଘଂଟିଆ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଏହି ଆନେ୍ଦାଳନ ଜିଲ୍ଲା ଓ ବ୍ଲକ ସ୍ତରକୁ ନିଆଯିବ ବୋଲି ଦଳ ଘୋଷଣା କରିଛି । ରାଜ୍ୟ ବିଜେପି ନେତା ମାନେ ଦଳର ସ୍ୱାର୍ଥ ସାମନାରେ ଚାଷୀଙ୍କ ସ୍ୱାର୍ଥକୁ ଭୁଲି କୃଷି ଋଣ ଛାଡ ଦାବିରେ ପାଲଟା ବିକ୍ଷୋଭ କରିଛନ୍ତି । ତାଙ୍କରି ଦଳର ବରିଷ୍ଠ ମନ୍ତ୍ରୀ ଭେଙ୍କାୟା ନାଇଡୁ କୃଷି ଋଣ ଛାଡ ଦାବି ଏକ ‘ଫେସନ୍’ରେ ପରିଣତ ହେଲାଣି ବୋଲି ସାଧାରଣରେ ମନ୍ତବ୍ୟ ଦେଉଥିବା ବେଳେ ରାଜ୍ୟରେ ବିଜେପି ନେତାମାନେ କୃଷି ଋଣ ଛାଡ ଦାବିରେ ବିଜେଡ଼ି ସରକାରଙ୍କ ବିରୋଧରେ ବିଞୋଭ ପ୍ରଦର୍ଶନ କରିବା ଦୋ ମୁହାଁ ନୀତି ନୁହେଁ କି ! କେବଳ ରାଜନୀତି କରିବାକୁୁ ବିଜେପି ରାଜ୍ୟ ସ୍ୱାର୍ଥକୁ ଅଣଦେଖା କରୁଛି ବୋଲି କହିବା ଭୁଲ ହେବ ନାହିଁ ।
ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୯ରେ ଓଡ଼ିଶା ଦଖଲର ସ୍ୱପ୍ନ ଦେଖୁଥିବା ଦୃଷ୍ଟିରୁ ରାଜ୍ୟ ସ୍ୱାର୍ଥକୁ ଅଣଦେଖା କରି ବିଜେଡ଼ି-ବିରୋଧୀ ପ୍ରଚାର ଅଭିଯାନକୁ ଶାଣିତ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫୋନ୍ କଲ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନିଷ୍ପତ୍ତି ପଛରେ କି ବାଧ୍ୟବାଧକତା ଅଛି ଜଣାପଡୁ ନାହିଁ । ରାଜ୍ୟ ସରକାର ୧୭ ବର୍ଷର ଶାସନ କାଳରେ ଶହ ଶହ କୋଟି ଟଙ୍କାର ‘ଚିଟ୍ଫଣ୍ଡ୍ ସ୍କାମ୍’ରେ ଫସିଛନ୍ତି । ସିବିଆଇ ଏହାର ତଦନ୍ତ କରୁଛି । ବିଜେଡ଼ିର କିଛି ନେତା ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ଜେଲ୍ରେ ଥିବା ବେଳେ ଆଉ କିଛି ସିବିଆଇ ସ୍କାନର୍ରେ ଅଛନ୍ତି । ସରୋଜ ସାହୁ ନାମକ ଜନୈକ ରାଜନୈତିକ କର୍ମଚାରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ମଧ୍ୟ ସିବିଆଇ ସ୍କାନରକୁ ଚାଲି ଆସିଛି । ସିବିଆଇ ତଦନ୍ତ ମାନେ୍ଦଇ ଥିଲେ ବି ପିଛା ଛାଡିନି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅମାନିଆପଣ ଏବେ ତାଙ୍କ ପରିବାର ପାଇଁ ବିପଦର କାରଣ ହୋଇ ଥିବାରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କୌଣସି ରିସ୍କ୍ ନେବାକୁ ଚାହୁଁ ନାହାନ୍ତି । ତେଣୁ, ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫୋନ୍ କଲ୍ ରାଷ୍ଟ୍ରପତି ନିର୍ବାଚନର ସମୀକରଣ ବଦଳାଇ ଦେଇଛି ବୋଲି ତଥ୍ୟାଭିଜ୍ଞ ମହଲ ମତ ଦେଉଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS