ସିବିଆଇ ଗିରଫ କରିଥିବା କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ପୀଡ଼ିତ ନା ଚତୁର ଖେଳାଳୀ !
ଭୁବନେଶ୍ୱର, ସେପ୍ଟେମ୍ବର ୨୧: କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଗିରଫଦାରୀକୁ ନେଇ ରାଜନୀତି ଯୋର୍ ଧରିଛି । ସୋମବାର ରାତିରେ ସିବିଆଇ ଅଧିକାରୀମାନେ ବିଧାୟକ ବିଶ୍ୱାଳଙ୍କୁ ଘରୁ ଡ଼ାକି ନେଇ ରାତି ଅଧରେ ତାଙ୍କୁ ଗିରଫ କରାଗଲା ବୋଲି ତାଙ୍କ ପରିବାରକୁ ଜଣାଇ ଦେଇଥିଲେ । ଠକ ଚିଟ୍ ଫଣ୍ଡ୍ ସଂସ୍ଥା ‘ସିସୋର୍’ ସହ ତାଙ୍କ ଅର୍ଥ କାରବାରର ଯଥେଷ୍ଟ ପ୍ରମାଣ ମିଳିଛି ବୋଲି କହି ସିବିଆଇ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହ ମଙ୍ଗଳବାର କୋର୍ଟରେ ହାଜର କରାଇ ଥିଲେ । କୋର୍ଟରୁ ତାଙ୍କୁ ପାଂଚ ଦିନିଆ ରିମାଣ୍ଡରେ ନିଆଯାଇ ଅଧିକ ପଚରାଉଚୁରା କରାଯାଉଛି ।
ବିଶ୍ୱାଳଙ୍କୁ ଗିରଫ କରାଯିବା ଘଟଣାକୁ ବିଜେଡ଼ି ସହଜରେ ଗ୍ରହଣ କରିପାରୁ ନାହିଁ । ଏହା ରାଜନୈତିକ ଉଦେ୍ଦଶ୍ୟପ୍ରଣୋଦିତ କହି ବିଜେଡ଼ି ଏହାର ‘ଉଚିତ ଜବାବ’ ଦେବାକୁ ଘୋଷଣା କରିଛି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିଭିନ୍ନ ସଭାରେ ଭାଷଣ ଦେଇ ‘ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଚିଟ୍ ଫଣ୍ଡ୍ ଘୋଟାଲା ସହ ସଂପୃକ୍ତ ସମସ୍ତଙ୍କୁ ଜେଲ୍ରେ ପୁରାଇବ’ ବୋଲି ଚେତାବନୀ ଦେଇଥିଲେ । ବିଧାୟକ ବିଶ୍ୱାଳଙ୍କ ଗିରଫଦାରୀ ବିଜେପିର ଏହି ଅସୂୟା-ରାଜନୀତିର ଅଂଶବିଶେଷ ବୋଲି ଶାସକ ଦଳ ଦାବି କରିଛି । ତେବେ, ରାଜ୍ୟବାସୀ ବିଜେଡ଼ିର ଏହି ଦଲିଲକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଅତୀତରେ, ‘ଅର୍ଥତତ୍ୱ’ ସହ ସଂପର୍କ ଥିବା ଅଭିଯୋଗରେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଗିରଫ ହୋଇ ଜେଲ୍ ଯାଇଥିଲେ । ବର୍ତମାନ ସେ ଜମାନତରେ ଅଛନ୍ତି । ଅନ୍ୟ ଚିଟ୍ ଫଣ୍ଡ୍ ସଂସ୍ଥା ସହ ସଂପୃକ୍ତି ଅଭିଯୋଗରେ ବିଜେଡ଼ିର ଜଣେ ଏମପି, ଜଣେ ପୂର୍ବତନ ବିଧାୟକ, ବିଜେପିର ଜଣେ ପୂର୍ବତନ ବିଧାୟକ ଏବଂ କଂଗ୍ରେସର ଜଣେ ଯୁବ ନେତା ଗିରଫ ହୋଇ ସାରିଛନ୍ତି । ଏମାନଙ୍କ ମଧ୍ୟରୁ କଂଗ୍ରେସ ଯୁବ ନେତା ଜଣକ ଜାମିନରେ ଆସି ଥିବା ବେଳେ ଅନ୍ୟ ତିନି ଜଣ ଏଯାବତ ଜେଲ୍ରେ ଅଟକ ଅଛନ୍ତି । ଏବେ କଟକ-ଚୌଦ୍ୱାର ବିଧାୟକ ବିଶ୍ୱାଳ ସିବିଆଇର ଗିରଫ ଓ ଜେଲ୍ ଯିବା ତାଲିକାରେ ଯୋଡି ହୋଇଛନ୍ତି । ଶାସକ ବିଜେଡ଼ି ଦଳୀୟ ବିଧାୟକ ବିଶ୍ୱାଳଙ୍କ ଗିରଫଦାରୀ ପରେ ତାଙ୍କୁ ‘ପୀଡ଼ିତ’ କହି ସହାନୁଭୂତି ଗୋଟାଇବାକୁ ଉଦ୍ୟମ କରୁଛି । ଅପରପକ୍ଷରେ, ବିଜେପି ଗିରଫ ବିଧାୟକ ବିଶ୍ୱାଳଙ୍କୁ ‘ଜଣେ ଚତୁର ଖେଳାଳୀ’ କହି ଏହା ପଛରେ କୌଣସି ରାଜନୀତିକ ଉଦେ୍ଦଶ୍ୟ ନ ଥିବା ଦାବି କରିଛି । ଏହି ଗିରଫଦାରୀକୁ ନେଇ ରାଜ୍ୟରେ ବିଜେଡ଼ି-ବିଜେପି ମୁହାଁମୁହିଁ ହୋଇଥିବା ବଳେ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଚତୁରତାର ସହ ଗୋଟିଚାଳନା କରି, ବିଜେଡ଼ି-ବିଜେପି ବିବାଦରେ ସିବିଆଇକୁ ମୋହରା କରାଯିବା ଉଚିତ ନୁହେଁ କହିଛନ୍ତି । କଂଗ୍ରେସ ମଝି ମଝିଆ ସ୍ଥିତିରେ ଥିବା ସେ ସ୍ପଷ୍ଟ କରି ଦେଇଛନ୍ତି ।
ଚିଟ୍ ଫଣ୍ଡ୍ ସଂସ୍ଥା ‘ସିସୋର୍’ ସହ ହୋଇଥିବା ଏକ ଜମି କାରବାରକୁ ନେଇ ବିଧାୟକ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ସିବିଆଇ ସ୍କାନରରେ ଥିଲେ । ଗତ ତିନି ବର୍ଷ ମଧ୍ୟରେ ସେମାନଙ୍କୁ ଏକାଧିକବାର ଜେରା କରାଯିବା ସହ ନିକଟରେ ବିଧାୟକଙ୍କ ପୈତୃକ ଓ ସରକାରୀ ବାସଭବନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ‘ସିସୋର’ ମୁଖ୍ୟ ପ୍ରଶାନ୍ତ ଦାଶ ଓ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ମଧ୍ୟରେ ୨୫ ଲକ୍ଷ ଟଙ୍କାର ଏକ ଜମି କାରବାରକୁ ନେଇ ସିବିଆଇ ସନେ୍ଦହ ପ୍ରକାଶ କରିଛି । ଏହି କାରବାର ସଂପର୍କୀତ ଦସ୍ତାବିଜ ଉପସ୍ଥାପନ ପାଇଁ ସିବିଆଇ ସେମାନଙ୍କୁ ସମୟ ଦେଇଥିଲା । ତେବେ, ସେମାନେ ଦାଖଲ କରିଥିବା ଦଲିଲ୍, ଦସ୍ତାବିଜ୍ ଜାଲ୍ ବୋଲି ଫୋରେନସିକ୍ ଟେଷ୍ଟ୍ରୁ ଜଣାପଡିଥିବା ଏବେ ସିବିଆଇ ଅଭିଯୋଗ କରୁଛି । ସୋମବାର ରାତିରେ ବିଧାୟକ ବିଶ୍ୱାଳଙ୍କୁ ଗିରଫ କରାଯିବା ପଛରେ ଏହି କାରଣ ରହିଥିବା ସିବିଆଇ କହୁଥିବା ବେଳେ ଲକ୍ଷ୍ମୀ ବିଳାସିନୀଙ୍କ ଯୁକ୍ତି ହେଉଛି, ‘ସିସୋର’ ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସହ ସେ ଏହି ଜମି କାରବାର କରିଥିଲେ । ସିବିଆଇ ତାଙ୍କୁ ଗିରଫ ନ କରି ବିଧାୟକ ବିଶ୍ୱାଳଙ୍କୁ ଗିରଫ କରିବା ରହସ୍ୟମୟ । ଯଦି କିଛି ଅସଙ୍ଗତି ଅଛି ସିବିଆଇ ତାଙ୍କୁ ଗିରଫ କରିବା ଉଚିତ ଥିଲା ।
ବୁଧବାର ଲକ୍ଷ୍ମୀ ବିଳାସିନୀ ମିଡ଼ିଆ ସମ୍ମୁଖରେ ଏହି ଯୁକ୍ତି ଉପସ୍ଥାପନ କରିବା ପରେ ବିଧାୟକ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ପଛରେ ରାଜନୈତିକ ଅଭସନ୍ଧି’ ରହିଥିବା ସନେ୍ଦହ ବଢିଛି । ତେବେ, କଟକ ଜିଲ୍ଲାରେ ‘ସିସୋର୍’ ଯେଉଁ ଏକାଧିକ ବ୍ୟବସାୟରେ ଚିଟ୍ ଫଣ୍ଡ୍ ଟଙ୍କା ବିନିଯୋଗ କରିଥିଲା ତାହା ପଛରେ ବିଧାୟକଙ୍କ ପ୍ରୋତ୍ସାହନ ଥିଲା ଏବଂ ଏହା ପଛରେ ଥିବା ଆର୍ଥିକ ପ୍ରଲୋଭନର ଯଥେଷ୍ଟ ପ୍ରମାଣ ମିଳିଛି ବୋଲି ସିବିଆଇ ଅଧିକାରୀମାନେ ଯୁକ୍ତି ଉପସ୍ଥାପନ କରି ବିଧାୟକଙ୍କୁ ଗିରଫ କରାଯିବା ଯଥାର୍ଥ ବୋଲି ଦର୍ଶାଇଛନ୍ତି । ଆଉ ଦୁଇ ଜଣ ପୂର୍ବତନ ମନ୍ତ୍ରୀ (ବର୍ତମାନର ବିଧାୟକ), ଜଣେ ଏମପିଙ୍କ ସମେତ ‘ନବୀନ ନିବାସ’ର ଜଣେ କର୍ମଚାରୀ ସିବିଆଇର ଛଂଚାଣ ଦୃଷ୍ଟିରେ ଥିବାରୁ ବିଜେପି ଚାପରେ ହେଉ ବା ତଥ୍ୟ-ପ୍ରମାଣ ଭିତ୍ତିରେ ହେଉ ‘ନବୀନ ନିବାସ’ ଆଡେ ସିବିଆଇ ମୁହାଁଇ ଥିବା ଆଭାସ ମିଳୁଛି । ବିଶ୍ୱାଳଙ୍କୁ ଗିରଫ କରିବା ସକାଶେ ସିବିଆଇ ଯେଉଁ ସମୟକୁ ବାଛିଲା, ତାହା ବିଜେଡ଼ି ପାଇଁ ‘ମାଷ୍ଟର ଷ୍ଟ୍ରୋକ୍’ ହୋଇଛି । ପେଟ୍ରୋଲ ଓ ଡ଼ିଜେଲର ଦରବୃଦ୍ଧି ପ୍ରତିବାଦରେ ସୋମବାର ସକାଳେ ଶାସକ ବିଜେଡ଼ି ପକ୍ଷରୁ ରାଜ୍ୟବ୍ୟାପୀ ପାଂଚ ଘଂଟିଆ ହରତାଳ କରାଯାଇଥିଲା । ତାହାକୁ ସଫଳ କରି ସନ୍ଧ୍ୟାରେ ଦଳର ନେତାମାନେ ମସଗୁଲ ଥିବା ବେଳେ ବିଧାୟକ ବିଶ୍ୱାଳଙ୍କୁ ସିବିଆଇ ଟେକି ନେଇ ବିଜେଡ଼ରେ ହୃଦ୍କଂପ ସୃଷ୍ଟି କଲା ।
‘ଆଇନ ତା’ ବାଟରେ ଯିବ’ ବୋଲି ସର୍ବଦା କହି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ-ଚୌଦ୍ୱାର ବିଧାୟକ ବିଶ୍ୱାଳଙ୍କ ଗିରଫ ଘଟଣାକୁ ନେଇ ବିଚଳିତ ଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ‘ନବୀନ ନିବାସ’ରେ ଦଳର ଏକ ଉଚ୍ଚସ୍ତରୀୟ ବୈଠକ ବସି ଥିଲା । ବିଜେପିର ଏହି ଆକ୍ରୋଶମୂଳକ ରାଜନୀତିର ମୁକାବିଲାର ଦୃଢ ଜବାବ ଦିଆଯିବ ବୋଲି ନିଷ୍ପତ୍ତ୍ ହୋଇଛି । ବୈଠକ ପରେ ଦଳର ବରିଷ୍ଠ ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ପୂର୍ବରୁ, ‘ଅର୍ଥତତ୍ୱ’ ସହ ସଂପୃକ୍ତି ଅଭିଯୋଗରେ ବାଂକୀ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ଠକ ଚିଟ୍ ଫଣ୍ଡ୍ ସଂସ୍ଥା ‘ନବ ଦିଗନ୍ତ’ ସହ ସଂପୃକ୍ତି ଅଭିଯୋଗରେ ମୟୁରଭଂଜ ଏମ୍ପି ରାମଚନ୍ଦ୍ର ହାଂସଦା ଗିରଫ ହୋଇ ଦଳରୁ ନିଳମ୍ବିତ ହୋଇ ଥିବାରୁ କଟକ-ଚୌଦ୍ୱାର ବିଧାୟକ ବିଶ୍ୱାଳ ମଧ୍ୟ ଏଭଳି ନିଲମ୍ବନର ସମ୍ମୁଖୀନ ହେବେ ହେବେ ବୋଲି ଦଳର ନେତାମାନେ ଅନୁମାନ କରୁଥିଲେ । ତେବେ, ବିଶ୍ୱାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ବିଜେଡ଼ି ନେତାଙ୍କୁ ବିସ୍ମିତ କରିଛି । ଦଳର କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ କଟକ ସାଂସଦ ଭର୍ତୃହରି ମହତାବ ଏବେ ବିଜେପି-ପ୍ରୀତି ପ୍ରଦର୍ଶନ କରୁ ଥିବାରୁ ଏବଂ ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ସୋମବାର ହରତାଳ ବେଳେ ହୋଇଥିବା ବିଜେଡ଼ି କର୍ମୀଙ୍କ ମାତ୍ରାଧିକକୁ ଦୃଢ ବିରୋଧ କରି ଥିବାରୁ ଦଳରେ ଅଧିକ ଅଶାନ୍ତି ସୃଷ୍ଟି ହେବା ବୋଧହୁଏ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଚାହିଁଲେ ନାହିଁ । ତେଣୁ, କଟକ-ଚୌଦ୍ୱାର ବିଧାୟକ ବିଶ୍ୱାଳ କାର୍ଯ୍ୟାନୁଷ୍ଠାନରୁ ବର୍ତି ଗଲେ ବୋଲି ଦଳରେ ଚର୍ଚ୍ଚା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS