ଶାହାଙ୍କ ଆକ୍ରମଣାତ୍ମକ ରଣନୀତି ପ୍ରତିଫଳିତ ହେଉଛି ବିଜେପୁର ଉପ ନିର୍ବାଚନରେ…
– ପ୍ରସାଦ ରାଓ –
ଭୁବନେଶ୍ୱର,5 ଅକ୍ଟୋବର: ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ରଣନୀତି କଣ ହେବ ଆଗୁଆ ସ୍ପଷ୍ଟ କରି ଦେଇଛନ୍ତି । ଓଡ଼ିଶାରେ ଦଳ ବିଜେଡ଼ିକୁ ହଟାଇ କ୍ଷମତା ଦଖଲ କରିବାକୁ ଟାର୍ଗେଟ୍ ମଧ୍ୟ ଧାର୍ଯ୍ୟ ହୋଇ ସାରିଛି । ବିଜେପିର ‘୧୨୦ ପ୍ଲସ୍’ ଅଙ୍କକୁ ଅନ୍ୟ ରାଜନୈତିକ ଦଳ ବା ରାଜ୍ୟବାସୀ ହଠାତ୍ ବିଶ୍ୱାସକୁ ନେଇ ପାରୁ ନାହାନ୍ତି ସତ, କିନ୍ତୁ ଏହି ଅଙ୍କ ପଛରେ ଥିବା ରହସ୍ୟ ଏବେ ଧୀରେ ଧୀରେ ପଦାକୁ ଆସୁଛି । ଦଳର ରାଜ୍ୟ ଦାୟିତ୍ୱରେ ଥିବା ନେତାମାନେ ନିଜ ଅଜାଣତରେ ଶାହାଙ୍କ ନୂଆ ରଣନୀତିକୁ କାର୍ଯ୍ୟକାରୀ କରିବାକୁ ଅଂଟା ଭିଡ଼ି ସାରିଥିବା ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଆକ୍ରମଣ ରଣନୀତିକୁ ଯୋର୍ ଦେଇ ଦଳର ରଣକୌଶଳ ବଦଳାଇ ଥିବା କିଛି ମାସ ହେଲା ଅନୁଭବ କରି ହେଉଛି । ବିଜେପୁର ବିଧାନସଭା ଉପ ନିର୍ବାଚନକୁ ନେଇ ଦୁଇ ଦଳର ପ୍ରସ୍ତୁତି ଦୁଇ ଦଳର ନୂଆ ରଣନୀତିକୁ ଉଜାଗର କରିବା ସହ ‘୧୨୦ ପ୍ଲସ୍’ କୌଶଳର ପ୍ରକୃତ ଉଦେ୍ଦଶ୍ୟ ଉଜାଗର କରୁଛି ।
ପାଖାପାଖି ଦୁଇ ଦଶନ୍ଧୀ ହେଲା ବିଜେଡ଼ି ଓଡ଼ିଶାରେ ଶାସନ କରୁଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଲଗାତର ଭାବେ ଜଣେ ବ୍ୟକ୍ତି ଦୁଇ ଦଶନ୍ଧୀ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବା ନିଶ୍ଚତ ଭାବେ ଇତିହାସ । ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ବା ରାଜନୈତିକ ଦଳକୁ ଓଡ଼ିଶାବାସୀ ଏତେଦୂର ବିଶ୍ୱାସକୁ ନେଇ ନ ଥିଲେ । ନବୀନଙ୍କ ପିତା ବିଜୁ ପଟ୍ଟନାୟକଙ୍କୁ ଜଣେ ଦୁର୍ଦ୍ଦର୍ଷ ରାଜନେତା ଭାବେ ଓଡ଼ିଶାବାସୀ ଯଥେଷ୍ଟ ସମ୍ମାନ ଦେଇଥିଲେ ମଧ୍ୟ ଓଡ଼ିଶାକୁ ଲଗାତର ଭାବେ ଏତେ ବର୍ଷ ଶାସନ କରିବାର ସୁଯୋଗ ଦେଇ ନ ଥିଲେ । ଦେଶରେ କଂଗ୍ରେସର ଦବ୍ଦବା ରହି ଥିବା ବେଳେ ଓଡ଼ିଶାରେ ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ୧୯୯୦ରୁ ୧୯୯୫ କ୍ଷମତାରୁ ହଟିଥିଲେ । ଏହି ପାଂଚ ବର୍ଷ ବିଜୁ ବାବୁ କମ୍ୟୁନିଷ୍ଟଙ୍କ ସହଯୋଗରେ ଓଡ଼ିଶାର ଶାସନ ଡୋରୀ ସମ୍ଭାଳି କ୍ଷମତାରୁ କଂଗ୍ରେସକୁ ଦୂରରେ ରଖି ଥିଲେ । ଜାନକୀ ବାବୁଙ୍କ ୧୦ ବର୍ଷର ସରକାରକୁ ବ୍ୟାପକ ଦୁର୍ନୀତି, ପ୍ରିୟାପ୍ରତି ଏବଂ ଆଇନଶୃଙ୍ଖଳାରେ ଅଧୋଗତି ପାଇଁ ହଟାଇ ଦିଆଯାଇଥିଲା । ବିଜୁ ବାବୁ ହଟିଲେ ସରକାର ବିରୋଧୀ ଜନ ଅସନ୍ତୋଷରୁ । ‘ଆଂଟି ଇନ୍କମ୍ବାନ୍ସି’ ଭୋଟ ପୁନର୍ବାର କଂଗ୍ରେସକୁ କ୍ଷମତାସୀନ କଲା ସିନା ଜାନକୀ ବାବୁ ପଛ ଦୁଆର ଦେଇ ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବା କୌଶଳକୁ ରାଜ୍ୟବାସୀ ଗ୍ରହଣ କରିପାରିଲେ ନାହିଁ । ଦଳ ଭିତରେ ଅନ୍ତଦ୍ୱର୍ନ୍ଦ୍ୱ ଏବଂ କୁଶାସନ ଜାନକୀ ବାବୁଙ୍କୁ କ୍ଷମତାଚ୍ୟୁତ କରିବା ସହ ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଂଗଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଥିଲା । ବିଜୁ ବାବୁଙ୍କ ମୃତ୍ୟୁ ପରେ ନବୀନ ବାବୁ ପ୍ରଥମେ ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ନିର୍ବାଚନ ମଂଡ଼ଳୀରୁ ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ପରେ, ସେ ୨୦୦୦ ସାଧାରଣ ନିର୍ବାଚନରେ ସେହି ଗଞ୍ଜାମ ଜିଲ୍ଲାର ହିଂଜିଳି ନିର୍ବାଚନ ମଂଡ଼ଳୀରୁ ବିଧାନସଭାକୁ ନିର୍ବାଚିତ ହୋଇ ଓଡ଼ିଶାର କ୍ଷମତାର ଡ଼ୋର ଧରିଲେ । ବିଜୁ ଜନତା ଦଳ ଦୀର୍ଘ ୧୭ ବର୍ଷରୁ ଅଧିକ ହେଲା ଓଡ଼ିଶାକୁ ଶାସନ କରି ଆସୁଛି । ଓଡ଼ିଶାବାସୀ ପ୍ରଥମ ଥର ପାଇଁ ନବୀନଙ୍କୁ ଲଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିବାକୁ ସୁଯୋଗ ଦେଇଛନ୍ତି । ପଂଚମ ପାଳି ମଧ୍ୟ ବିଜୁ ଜନତା ଦଳ ଓଡ଼ିଶାର ଶାସନ ଡ଼ୋରୀ ସମ୍ଭାଳିବ ବୋଲି ବିଶ୍ୱାସ ରଖିଥିବା ବେଳେ ପ୍ରଥମ ଥର ପାଇଁ କଂଗ୍ରେସ ଆଡୁ ନୁହେଁ, ବିଜେପି ଆଡୁ ଆକ୍ରମଣାତ୍ମକ ରାଜନୀତିର ସମ୍ମୁଖୀନ ହୋଇଛି । ଅମିତ ଶାହାଙ୍କ ୧୨୦ ପ୍ଲସ୍ ଅଂକ ରାଜ୍ୟ ବିଧାନସଭାରେ ମାତ୍ର ୧୦ ଜଣ ବିଧାୟକ ଥିବା ବିଜେପିକୁ ବିଜେଡ଼ିର ବିକଳ୍ପ ହେବାର ସ୍ୱପ୍ନ ଦେଖାଇଛି । ଜାନକୀ ବାବୁଙ୍କ ଅବର୍ତମାନରେ ରାଜ୍ୟବାସୀ କଂଗ୍ରେସ ଭିତରେ ଏଭଳି ଜଣେ ନେତାଙ୍କୁ ଦେଖିପାରୁ ନାହାନ୍ତି ଯାହାଙ୍କୁ କି ନବୀନଙ୍କ ବିକଳ୍ପ ଭାବେ ଗ୍ରହଣ କରି କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣି ପାରିବେ । ତେଣୁ, ବିଜେପିରୁ ଏହି ବିକଳ୍ପ ଖୋଜୁ ଥିବା ଅନୁଭବ କରି ଦଳର ରାଷ୍ଟ୍ରୀୟ ସଭାପତି ଶାହା ‘୧୨୦ ପ୍ଲସ୍’ ମନ୍ତ୍ର ଫୁଙ୍କିଛନ୍ତି । ଏହି ଲକ୍ଷ୍ୟ ହାସଲ ପାଇଁ ବିଜେପି ତାହାର ଯୁବ ବାହିନୀ ଓ କାର୍ଯ୍ୟକର୍ତାଙ୍କୁ କାମରେ ଲଗାଇଛି । ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ପେଟ୍ରୋଲିଅମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରବର୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନଥିଲେ ମଧ୍ୟ ସେଭଳି ମୁଖା ପିନ୍ଧାଇ ‘୧୨୦ ପ୍ଲସ୍’ ଟାର୍ଗେଟ୍ ସହ ମଇଦାନକୁ ଛାଡିଛନ୍ତି । ବିଭିନ୍ନ ସରକାରୀ ଓ ଘରୋଇ ଉଦ୍ୟୋଗରେ ସିଇଓ ମାନଙ୍କୁ ଏଭଳି ଟାର୍ଗେଟ୍ ଦିଆଯାଇଥାଏ ଏବଂ ସେହି ଟାର୍ଗେଟ୍ ତଳ ସ୍ତରରୁ ହାସଲ କରିବାର କୌଶଳ ପ୍ରସ୍ତୁତ ହୋଇଥାଏ । କିଛି ନ ହେଲେ ବି ଏକ ସମ୍ମାନଜନକ ସ୍ଥିତିରେ ପହଂଚିବାର ଏହି କୌଶଳ ବିଜେପି ଆପଣାଇ ଥିବାରୁ ଶାସକ ବିଜେଡ଼ି ଉପରେ ଚାପ ବଢିଛି ଏବଂ ୧୭ ବର୍ଷ ହେଲା ନିରଂକୁଶ କ୍ଷମତା ଉପଭୋଗ କରୁଥିବା ବିଜେଡ଼ି ମନ୍ତ୍ରୀ, ବିଧାୟକ, ଜିଲ୍ଲା ଓ ବ୍ଲକସ୍ତର କର୍ମକର୍ତାମାନେ ଏବେ ବିଜେପି ଚାପରେ ଗାଁଗହଳରେ ପହଂଚୁଛନ୍ତି । ରାଜ୍ୟର ରାଜନୈତିକ ବାତାବରଣ ଉଷ୍ଣ ହେବାରେ ଲାଗିଛି ।
କ୍ଷମତା ଦଖଲ ପାଇଁ ଶାହାଙ୍କ ଆକ୍ରମଣାତ୍ମକ କୌଶଳରୁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ଓ ବିଜେପି ଭିତରେ ଯେଉଁ କଂପନ ସୃଷ୍ଟି ହୋଇଛି, ତାହା ଏବେ ଅନୁଭବ କରି ହେଉଛି ବିଜେପୁର ବିଧାନସଭା ଉପ ନିର୍ବାଚନକୁ ନେଇ ଦୁଇ ଦଳର ପ୍ରସ୍ତୁତିରୁ । ୨୦୦୪ରୁ କଂଗ୍ରେସର ଗଡ଼ ହୋଇ ରହି ଆସିଥିବା ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଆସନକୁ କଂଗ୍ରେସ ନିଜ ଭିତରେ ଅନ୍ତଦ୍ଦ୍ୱର୍ଦ୍ୱ ଯୋଗୁ ହାତଛଡା କରିବାକୁ ଯାଉଥିବା ବେଳେ ଉପ ନିର୍ବାଚନରେ ଏହି ଆସନ ଦଖଲ କରିବାକୁ ବିଜେଡ଼ି ଓ ବିଜେପି ଯୋରଦାର୍ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି । ଉପ ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ ସତ, କିନ୍ତୁ ମଇଦାନରେ ଯୁଦ୍ଧର ରଣହୁଂକାର ଶୁଭିଲାଣି । ନିକଟରେ ଦେହାନ୍ତ ହୋଇଥିବା ବିଜେପୁର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡ଼ି ନିଜ ଆଡକୁ ଟାଣି ସୁବଳଙ୍କ ପରିବାର ପ୍ରତି ଥିବା ‘ଅନୁକଂପା’କୁ ‘ବିଜେଡ଼ି ଭୋଟ’ରେ ପରିଣତ କରିବା କୌଶଳ ଆପଣାଇ ଥିବା ବେଳେ ବିଜେପି ନିଜ ଦଳର ନେତାମାନଙ୍କ ଆଶା, ଆକାଂକ୍ଷାକୁ ଜଳାଂଜଳୀ ଦେଇ ପୂର୍ବତନ ବିଜେଡ଼ି ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ହାତରେ ପଦ୍ମଫୁଲ ଧରାଇଛି । ଗେରୁଆ ଉତ୍ତରୀୟ ପିନ୍ଧି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ରୀତାଙ୍କୁ ବିଜେଡ଼ିରେ ନିଆଯିବା ବିରୋଧରେ ବରଗଡ଼ ଜିଲ୍ଲାର କିଛି ବିଜେଡ଼ି ନେତା ଅସନ୍ତୁଷ୍ଟ ଥିଲେ । ସେହିଭଳି, ପୂର୍ବତନ ବିଧାୟକ ପାଣିଗ୍ରାହୀଙ୍କୁ ବିଜେପିରେ ଗ୍ରହଣ କରାଯିବା ପ୍ରତିବାଦରେ ବିଜେପି ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁଙ୍କ ବିଦ୍ରୋହ ଏବଂ ତାଙ୍କ ଭାବନାକୁ ସମର୍ଥନ ଜଣାଇ ବିଜେପି ଜାତୀୟ କାର୍ଯ୍ୟକର୍ତା ସୁରେଶ ପୁଜାରୀଙ୍କ ମନ୍ତବ୍ୟ ବିଜେପିରେ ସବୁ କିଛି ଠିକ୍ ଚାଲି ନଥିବା ସୂଚନା ଦେଇଥିଲା । ତେବେ, ଦୁଇ ଦଳ ନିଜ ନିଜ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରି ପୁଣି ଥରେ ମୁଖ୍ୟସ୍ରୋତକୁ ଆଣିଛନ୍ତି । ବିଜେପି ପ୍ରାର୍ଥୀ କିଏ ହେବ ତାହା ଦଳର ଜାତୀୟ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ, ଯାହା କି ଏପର୍ଯ୍ୟନ୍ତ ହୋଇ ନାହିଁ କହି ସାହୁଙ୍କ କ୍ଷୋଭକୁ ଚପାଇ ଦିଆଯାଇଛି । ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀତ୍ୱକୁ ନେଇ ବିଜେଡ଼ି ଓ ବିଜେପିରେ ଆଭ୍ୟନ୍ତରୀଣ ଅନ୍ତଦ୍ଦ୍ୱର୍ନ୍ଦ୍ୱ କଂଗ୍ରେସ ପାଇଁ ସହାୟକ ହୋଇ ପାରେ ବୋଲି କିଛି ରାଜନୈତିକ ସମୀକ୍ଷକ ମତ ଦେଇ ଥିଲେ । ତେବେ, ଦୁଇ ଦଳରେ ତାଳି ପକା ସରି ଥିବାରୁ ଏହି ଆଶା କ୍ଷୀଣ ହୋଇ ଯାଇଛି । ରାଜ୍ୟରେ କଂଗ୍ରେସ ନିଜର ଅସ୍ତତ୍ୱ ହରାଇ ସାରି ଥିବାରୁ ବିଜେଡ଼ି-ବିଜେପି କଳିରୁ କି ଫାଇଦା ବା ନେଇ ପାରିବ (!) ବୋଲି ଏବେ ପ୍ରଶ୍ନ ହେଉଛିି । ବିରୋଧୀ ଭୋଟ ଭାଗ ଭାଗ ହେଲେ କଂଗ୍ରେସ ଫାଇଦାରେ ରୁହେ, ଏହା ହେଉଛି ପୁରୁଣା ଥିଓରୀ, ଯାହାକି ଆଜିର ପରିସ୍ଥିତିରେ ଆଉ କାମ କରୁ ନାହିଁ । ‘ଅନୁକଂପା’ କଥା ଯାହା କୁହାଯାଉଛି, ତାହା ସବୁ କ୍ଷେତ୍ରରେ କାମ କରେନି ବୋଲି ବୁଧବାର ଦିନ ବିଜେଡ଼ିର ବରିଷ୍ଠ ମନ୍ତ୍ରୀ ଦାମ ରାଉତ ମନ୍ତବ୍ୟ ଦେଇ ଦଳକୁ ଆଉ ଏକ ବିବାଦକୁ ଟାଣିଛନ୍ତି । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବିଜେପୁର ଉପ ନିର୍ବାଚନ ଦାୟିତ୍ୱ ନେବା ଉଚିତ ବୋଲି ସେ କହିଛନ୍ତି । ସୁବଳଙ୍କ ପରିବାର ପ୍ରତି ‘ଅନୁକଂପା’ ମିଳିଲେ ବିଜେଡ଼ିର ଜିତିବା ସହଜ ହେବ ବୋଲି ଦଳର ମୁଖିଆ ଆଶା ରଖି ଥିବା ବେଳେ ଦାମଙ୍କ ମନ୍ତବ୍ୟ ବିଜେପିକୁ ସୁହାଉଛି । ‘୧୨୦ ପ୍ଲସ୍’ ଅଂକକୁ ନେଇ ଆଗଉ ଥିବା ବିଜେପି ପୂର୍ବତନ ବିଜେଡ଼ି ବିଧାୟକ ପାଣିଗ୍ରାହୀଙ୍କ ମୁଣ୍ଡରେ ଟୋପି ପିନ୍ଧାଇ ବିଜେଡ଼ିର କିଛି ଭୋଟ ହଡପ କରିବାର ଯେଉଁ ସ୍ୱପ୍ନ ଦେଖୁଛି ତାହାର ସଫଳତା ଉପରେ ଶାହାଙ୍କ କୂଟନୀତିର ଅଗ୍ରଗତି ନିର୍ଭର କରୁଥିବାରୁ ରାଜ୍ୟ ବିଜେପି ନେତୃତ୍ୱ ଅଧିକ ଶକ୍ତି ଖଟାଇବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS