କୋରାପୁଟ ଜିଲ୍ଲାରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ, ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ସଂପୃକ୍ତି ଅଭିଯୋଗ
କୋରାପୁଟ (ଅନୁଭବ ମିଡ଼ିଆ),୧୧ ଅକ୍ଟୋବର: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ମୁସୁଲିଗୁଡା ଗ୍ରାମର ଜଣେ ଆଦିବାସୀ ଛାତ୍ରୀଙ୍କୁ ଚାରି ଜଣ ଦୁର୍ବୁତ୍ତ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଅଭିଯୁକ୍ତମାନେ କୋରାପୁଟ ଜିଲ୍ଲାରେ ମାଓ ବିରୋଧୀ ଅଭିଯାନ ଚଳାଇ ଥିବା ସିଆରପିଏଫ ବା ବିଏସ୍ଏଫ୍ର ଯବାନ ବୋଲି ସନେ୍ଦହ କରାଯାଉଥିବା ବେଳେ ଉଭୟ ଅର୍ଦ୍ଧସାମରିକ ବାହାନୀର ଅଧିକାରୀମାନେ ଏହାକୁ ଅସ୍ୱୀକାର କରିଛନ୍ତି । ତେବେ, ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ଭାଇ ଦୁଷ୍କର୍ମକାରୀମାନେ ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କ ସଦୃଶ ପୋଷାକ ପିନ୍ଧିଥିଲେ ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ଏହି ଘଟିଛି ।
ନବମ ଶ୍ରେଣୀରେ ପଢୁଥିବା ନାବାଳିକା ଜଣକ କୁନ୍ଦୁଲିହାଟ ଅଂଚଳରେ ‘ଆଧାର’ କାର୍ଡ ପାଇଁ ବାୟୋମେଟ୍ରିକ ରେଜିଷ୍ଟ୍ରେସନ (ଫଟୋ ଉଠା) କାର୍ଯ୍ୟ ଶେଷ କରି ପ୍ରଥମେ ଅଟୋରିକ୍ସାରେ ଏବଂ ପରେ ପାଦରେ ଚାଲି ଚାଲି ଜଙ୍ଗଲ ରାସ୍ତା ଦେଇ ଗାଁକୁ ଫେରୁ ଥିବା ବେଳେ ଦୁର୍ବୁତ୍ତଙ୍କ ଶିକାର ହୋଇ ଥିଲେ । ଅଂଚଳରେ ମାଓ-ବିରୋଧୀ ଅଭିଯାନ ଚଳାଇ ଥିବା ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ପୋଷାକ ଭଳି ପୋଷାକ ପିନ୍ଧିଥିବା ଏବଂ ହାତରେ ବନ୍ଧୁକ ଧରିଥିବା ଚାରି ଜଣ ତାଙ୍କୁ ଭୟଭୀତ କରି, ସେ ପିନ୍ଧିଥିବା ଓଢଣୀରେ ପାଟିକୁ ବାନ୍ଧି ଦେଇ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ କରିବା ପରେ ମୂମୂର୍ଷୁ ଅବସ୍ଥାରେ ଝିଅଟିକୁ ଛାଡି ସେମାନେ ପଳାଇ ଥିଲେ । ଝିଅଟି ଯନ୍ତ୍ରଣାକାତର ଅବସ୍ଥାରେ ଘୁଷୁଡୁ ଘୁଷୁଡି ମୁଖ୍ୟ ରାସ୍ତା ଆଡକୁ ଆସିଥିବା ବେଳେ ସେହି ବାଟ ଦେଇ ଯିବା ଆସିବା କରୁଥିବା ଲୋକମାନେ ତାଙ୍କୁ ଦେଖି ପୁଲିସକୁ ଖବର ଦେବା ସହ ଝିଅଟିକୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇ ଥିଲେ । ଝିଅଟି କୋରାପୁଟ ଜିଲ୍ଲା ହସପିଟାଲରେ ଚିକିତ୍ସିତ ହେଉଛି ଏବଂ ତା’ ଅବସ୍ଥା ସଂକଟାପନ୍ନ ବୋଲି ପୁଲିସ କହିଛନ୍ତି । ଅଭିଯୁକ୍ତମାନେ ଫୋରାର ଥିବା କୁହାଯାଉଛି । ବିଏସ୍ଏଫ୍ ଯବାନମାନେ ଏହି କାଣ୍ଡ ଘଟାଇ ଥିବା ନାବାଳିକାର ଭାଇ ଅଭିଯୋଗ କରିବା ସହ ତାଙ୍କର ଜଣେ ସଂପର୍କୀୟା ଝିଅଟିକୁ ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିବା କହିଛନ୍ତି । ତେବେ, ବିଏସ୍ଏଫ୍ ଡ଼ିଆଇଜି ଜେସି ନାୟକ ଏହି ଘଟଣାରେ ବିଏସ୍ଏଫ୍ ଯବାନଙ୍କ ସଂପୃକ୍ତି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ଘଟଣାସ୍ଥଳ ଠାରୁ ୩୫ କିମି ଦୂରରେ ତାଙ୍କ କଂପାନୀ କ୍ରାଂପ୍ କରିଛି । ଏହି ଅଂଚଳ ମଧ୍ୟ ବିଏସଏଫ୍ ଅପରେସନ୍ ପରିସର ଭିତରେ ନାହିଁ । ତେଣୁ, ଦୁଷ୍କର୍ମ ସହ ବିଏସ୍ଏଫ୍ ଯବାନ ସଂପୃକ୍ତ ନାହାନ୍ତି ।
ଏହି ଦୁଷ୍କର୍ମ ଘଟଣା ସଂପୃକ୍ତ ଅଂଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଉତ୍କ୍ଷୀପ୍ତ ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ । କଂଗ୍ରେସ କର୍ମୀ ଓ ସର୍ମଥକମାନେ ମଧ୍ୟ କୋରାପୁଟ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଥିଲେ । କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଘଟଣାର ତଦନ୍ତ ତ୍ୱରାନ୍ୱୀତ କରାଯିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଛନ୍ତି । ଏଥିରେ କୌଣସି ପ୍ରକାର ହେଳା କରାଗଲେ ଜନ ଆନେ୍ଦାଳନ ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ପଟାଙ୍ଗି ଥାନାରେ ଏହି ଦୁଷ୍କର୍ମ ଘଟଣାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲି ଥିବା ଏବଂ ଅଭିଯୁକ୍ତମାନେ ଅର୍ଦ୍ଧ ସାମରିକ ବାହାନୀର ପୋଷାକ ପିନ୍ଧି ଥିଲେ ବୋଲି ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣକ ପୁଲିସକୁ ବୟାନ ଦେଇଥିବା କୋରାପୁଟ ଏସପି କନୱର ଭିଶାଲ ସିଂହ ମିଡ଼ିଆକୁ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS