ଶ୍ରୀଶାନ୍ତଙ୍କ ବିରୋଧରେ ବିସିସିଆଇର ‘ଆଜୀବନ ବାସନ୍ଦ’କୁ କାଏମ ରଖିଲେ କେରଳ ହାଇକୋର୍ଟ ଡ଼ିଭିଜନ ବେଂଚ୍
କୋଚି (କେରଳ), ୧୮ ଅକ୍ଟୋବର: ଦେଶରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଫାଷ୍ଟ୍ ବୋଲର ଏସ. ଶ୍ରୀଶାନ୍ତ । ୨୦୧୩ରେ ସ୍ପଟ୍-ଫିକ୍ସିଂରେ ଫସି ବିସିସିଆଇ ଦ୍ୱାରା ଆଜୀବନ ବାସନ୍ଦ ଘୋଷିତ ହୋଇଥିବା ଶ୍ରୀଶାନ୍ତ ଗତ ଅଗଷ୍ଟ ମାସରେ କେରଳ ହାଇକୋର୍ଟର ଏକ ଜଣିକିଆ ବେଂଚଙ୍କ ରାୟରୁ କିଛିଟା ରିଲିଫ ପାଇଥିଲେ । କୋର୍ଟ ତାଙ୍କ ବିରୋଧରେ ବିସିସିଆଇ ଲାଗୁ କରିଥିବା ଆଜୀବନ ବାସନ୍ଦ ଆଦେଶକୁ ହଟାଇ ଦେବା ଫଳରେ ତାଙ୍କ ଆଶ୍ୱସ୍ତି ମିଳି ଥିଲା । ତେବେ, ଜଣିକିଆ ବେଂଚଙ୍କ ରାୟ ବିରୋଧରେ ବିସିସିଆଇ କେରଳ ହାଇକୋର୍ଟରେ ଯେଉଁ ଅପିଲ କରିଥିଲେ ତାହା ଉପରେ ଏକ କୋଚି ସ୍ଥିତି ହାଇକୋର୍ଟର ଏକ ଡ଼ିଭିଜନ ବେଂଚ୍ ମଙ୍ଗଳବାର ଦିନ ରାୟ ଦେଇ ଶ୍ରାଶାନ୍ତଙ୍କ ବିରୋଧରେ ବିସିସିଆଇର ଆଜୀବନ ବାସନ୍ଦକୁ ପୁନଃ କାଏମ୍ମ୍କରି ଦେଇଛନ୍ତି । ହାଇକୋର୍ଟ ଡ଼ିଭିଜନ ବେଂଚଙ୍କ ରାୟ ଶ୍ରୀଶାନ୍ତ ପୁନର୍ବାର ଭାରତୀୟ କ୍ରିକେଟ୍ ଟିମ୍କୁ ଫେରିବା ଆଶା ପ୍ରତି ଶକ୍ତ ଧକ୍କା ହୋଇଛି । ତାଙ୍କୁ ପୁନର୍ବାର ଭାରତୀୟ କ୍ରିକେଟ୍ର ମୁଖ୍ୟସ୍ରୋତରେ ସାମିଲ କରାଇବା ସକାଶେ କେରଳ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଯେଉଁ ପ୍ରସ୍ତୁତି ଚାଲି ଥିଲା, ସେଥିରେ ମଧ୍ୟ ବିଘ୍ନ ଘଟିଛି ।
୨୦୧୩ରେ ଆୟୋଜିତ ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ୍)ରେ ସ୍ପଷ୍ଟ-ଫିକ୍ସିଂ ଅଭିଯୋଗ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରି ଥିଲା । ଏହି ଅଭିଯୋଗ ଉପରେ ପଂଖାନୁପୁଂଖ ତଦନ୍ତ କରିବା ପରେ ବିସିସିଆଇ (ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ) ସ୍ପଟ୍-ଫିକ୍ସିଂରେ ସଂପୃକ୍ତି ଅଭିଯୋଗରେ ଫାଷ୍ଟ୍ ବୋଲର୍ ଶ୍ରୀଶାନ୍ତଙ୍କ ପ୍ରତି ଆଜୀବନ ବାସନ୍ଦ ଲାଗୁ କରିଥିଲା । ଶ୍ରୀଶାନ୍ତ ସ୍ପଟ୍-ଫିକ୍ସିଂ ଅଭିଯୋଗରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲେ । ଜେଲରୁ ମୁକୁଳିବା ପରେ ଶ୍ରୀଶାନ୍ତ ବିସିସିଆଇର ଆଜୀବନ ବାସନ୍ଦ ଆଦେଶ ବିରୋଧରେ କେରଳ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟର ଏକ ଜଣିକିଆ ବେଂଚ୍ ଏହି ଆବେଦନର ବିଚାର କରି ଗତ ଅଗଷ୍ଟ ୭ ତାରିଖରେ ଶ୍ରୀଶାନ୍ତଙ୍କ ବିରୋଧରେ ବିସିସିଆଇର ଆଜୀବନ ବାସନ୍ଦ ଆଦେଶକୁ ବାତିଲ କରିବା ସହ ଅନ୍ୟ ସମସ୍ତ ପ୍ରୋସିଡିଂକୁ ମଧ୍ୟ ରଦ୍ଦ କରି ଦେଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ ଏ. ମୁହମ୍ମଦ ମୁସ୍ତାକ ତାଙ୍କ ରାୟରେ ଶ୍ରୀଶାନ୍ତଙ୍କ ବିରୋଧରେ ବିସିସିଆଇ ଳାଗୁ କରିଥିବା ଆଜୀବନ ବାସନ୍ଦକୁ ହଟାଇ ଦିଆଗଲା ଏବଂ ଅନ୍ୟ ସମସ୍ତ ପ୍ରୋସିଡ଼ିଂକୁ ମଧ୍ୟ ରଦ୍ଦ କରାଗଲା ବୋଲି କହି ଥିଲେ । ବିସିସିଆଇ କେରଳ ହାଇକୋର୍ଟ ଜଣିକିଆ ବେଂଚ୍ର ଏହି ରାୟକୁ ଚ୍ୟାଲେଂଜ୍ କରି କୋର୍ଟକୁ ଅପିଲ୍ରେ ଯାଇଥିଲେ । ବିସିସିଆଇର ଅପିଲ୍ ଉପରେ ବିଚାର କରି କୋଚିରେ ଥିବା କେରଳ ହାଇକୋର୍ଟର ଏକ ଡ଼ିଭିଜନ ବେଂଚ ୧୭ ତାରିଖ (ମଙ୍ଗଳବାର) ଦିନ ବିସିସିଆଇ ସପକ୍ଷରେ ରାୟ ଦେଇଛନ୍ତି । ଶ୍ରୀଶାନ୍ତଙ୍କ ବିରୋଧରେ ବିସିସିଆଇ ଲାଗୁ କରିଥିବା ଆଜୀବନ ବାସନ୍ଦକୁ କାଏମ୍ ରଖିବା ସହ କୋର୍ଟ କହିଛନ୍ତି ଯେ, କୋର୍ଟ ବିସିସିଆଇର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଜୁଡ଼ିସିଆଲ ରିଭ୍ୟୁ କରିପାରିବ ନାହିଁ ।
କେରଳ ହାଇକୋର୍ଟର ଏକ ଜଣିକିଆ ବେଂଚ୍ ଶ୍ରୀଶାନ୍ତଙ୍କ ଉପରୁ ଆଜୀବନ ବାସନ୍ଦକୁ ରଦ୍ଦ କରିବା ପରେ କେରଳ କ୍ରିକେଟ୍ ଆସୋସିଏସନ୍ ତାଙ୍କୁ ଭାରତୀୟ କ୍ରିକେଟ୍ର ମୁଖ୍ୟସ୍ରୋତକୁ ଫେରାଇବା ସକାଶେ ଫିଟ୍ନେସ୍ ଟେଷ୍ଟ୍ କରାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ମଙ୍ଗଳବାର ହାଇକୋର୍ଟ ଡ଼ିଭିଜନ ବେଂଚ୍ଙ୍କ ରାୟ ପ୍ରକାଶ ପାଇବା ପରେ ସେଥିରେ ଭଟ୍ଟା ପଡିଛି । ‘କୋର୍ଟର ସଦ୍ୟ ରାୟକୁ ଆମେ ସମ୍ମାନ କରିବାକୁ ବାଧ୍ୟ’ ବୋଲି କେରଳ କ୍ରିକେଟ୍ ଆସୋସିଏସନ୍ ସଂପାଦକ ଜୟେଶ୍ ଜର୍ଜ କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ୨୦୧୫ ଜୁଲାଇରେ ପାତିଆଲା ହାଉସ୍ କୋର୍ଟ ୨୦୧୩ ଆଇପିଏଲ-୬ ସ୍ପଟ୍-ଫିକ୍ସିଂ ମାମଲାରେ ୩୪ ବର୍ଷିୟ ଶ୍ରୀଶାନ୍ତ, ଅନିକେତ ଚଭନ ଓ ଅଜିତ ଚାନ୍ଦିଲାଙ୍କ ସମେତ ସମସ୍ତ ୩୬ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ଥିଲେ ମଧ୍ୟ ଶ୍ରୀଶାନ୍ତଙ୍କ ବିରୋଧରେ ବିସିସିଆଇର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ପରିବର୍ତନ ପାଇଁ ମନା କରି ଦେଇଥିଲେ । ଫଳରେ, ଶ୍ରୀଶାନ୍ତ କେରଳ ହାଇକୋର୍ଟର ଆଶ୍ରୟ ନେଇଥିଲେ । ହାଇକୋର୍ଟର ଜଣିକିଆ ବେଂଚ ଅଗଷ୍ଟ ୭ ତାରିଖ ରାୟ ଦେଇ ଆଜୀବନ ବାସନ୍ଦକୁ ହଟାଇ ଦେବାରୁ ସେ କ୍ରିକେଟ୍ର ମୁଖ୍ୟସ୍ରୋତକୁ ଫେରିବା ଆଶା ରଖି ଥିଲେ । କିନ୍ତୁ, ଜଣିକିଆ ବେଂଚ୍ର ରାୟ ବିରୋଧରେ ବିସିସିଆଇର ଆବେଦନ ଏବଂ ହାଇକୋର୍ଟର କୋଚିସ୍ଥିତ ଡ଼ିଭିଜନ ବେଂଚଙ୍କ ରାୟ ଶ୍ରୀଶାନ୍ତଙ୍କୁ ପୁନର୍ବାର ପୁରୁଣା ସ୍ଥିତିକୁ ଫେରାଇ ଆଣିଛି । ବିସିସିଆଇର ଆଜୀବନ ବାସନ୍ଦ ଆଦେଶ ବିରୋଧରେ ତାଙ୍କ ଲଢେଇ ଜାରି ରହିବ ବୋଲି ମଙ୍ଗଳବାର ରାୟ ପ୍ରକାଶ ପାଇବା ପରେ ଶ୍ରୀଶାନ୍ତ ନିଜ ସମର୍ଥକମାନଙ୍କୁ ଟ୍ୱିିଟ୍ କରି ଆଶ୍ୱାସନା ଦେଇଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS