କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲା ଜଟିଳ ହେବାରେ ଲାଗିଛି: କଂଗ୍ରେସ ପଦଯାତ୍ରାରେ ତାରା,ନିରଂଜନ, ନରସିଂହ ସାମିଲ ହେଲେ ନାହିଁ
ଭୁବନେଶ୍ୱର, ୧୮ ଅକ୍ଟୋବର: କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ଥାନା ଅଂଚଳରେ ଗତ ୧୦ ତାରିଖ ମଧ୍ୟାହ୍ନରେ ଘଟି ଥିବା ଗଣ ଦୁଷ୍କର୍ମ ଘଟଣାରେ ତଦନ୍ତରେ ଅବହେଳାର ପ୍ରତିବାଦ ଏବଂ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ଦାବିରେ ମଙ୍ଗଳବାର ଦିନ ବିରୋଧୀ କଂଗ୍ରେସ ପକ୍ଷରୁ ଦୁଇ ଦିନିଆ ପଦଯାତ୍ରା ଆରମ୍ଭ ହୋଇଛି । କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ସଂଯୋଜନାରେ ଆୟୋଜିତ ଏହି ପଦଯାତ୍ରା ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ଗ୍ରାମ ମୂଷାଗୁଡାରୁ ଆରମ୍ଭ ହୋଇଥିଲା । ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇ ତାହାର ନେତୃତ୍ୱ ନେଇ ଥିବାରୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସେଥିରେ ଭାଗ ନେଇ ନଥିବା ଖବର ମିଳିଛି । ସୋମବାର ତାରାଙ୍କ ନେତୃତ୍ୱରେ ଜିଲ୍ଲାରେ ସାତ ଘଂଟିଆ ବନ୍ଦ ପାଳନ ହୋଇଥିଲା । ତେବେ, ସେମାନେ ପଦଯାତ୍ରା ପାଇଁ ନିଷ୍ପତ୍ତି ନେଇ ନଥିଲେ ବୋଲି ତାରା ମଙ୍ଗଳବାର ସାମ୍ବାଦିକଙ୍କୁ କହିଛନ୍ତି । ସେ କହିଛନ୍ତି ଯେ, ୧୭ ତାରିଖ ପଦଯାତ୍ରାକୁ ତାଙ୍କୁ ଡକା ଯାଇ ନାହିଁ । ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପଦଯାତ୍ରାରେ ଯୋଗ ଦେବେ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ସେମାନେ ଯୋଗ ଦେଇ ନାହାନ୍ତି । ଅପରପକ୍ଷରେ, କଂଗ୍ରେସ ବିଧାୟକ ଶଗରିଆ କହିଛନ୍ତି ଯେ, ଗଣ ଦୁଷ୍କର୍ମ ଘଟଣାର ତଦନ୍ତରେ ଶିଥିଳତା ପ୍ରତିବାଦରେ ଚାଲିଥିବା ଦୁଇ ଦିନିଆ ପଦଯାତ୍ରାକୁ ସବୁ କଂଗ୍ରେସ ଲୋକଙ୍କୁ ଡ଼କା ଯାଇଥିଲା । ଯେଉଁମାନଙ୍କ ଘଟଣା ପ୍ରତି ସମବେଦନା ରହିଛି ସେମାନେ ଯୋଗ ଦେଇଛନ୍ତି । ଏହି ପଦଯାତ୍ରାରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଯୋଗ ଦେଇଥିବା ଦେଖିବାକୁ ମିଳିଛି । ରାଜ୍ୟ କଂଗ୍ରେସରେ ଥିବା କ୍ଷମତା କନ୍ଦଳ ମଙ୍ଗଳବାର କୋରାପୁଟ ଜିଲ୍ଲାରେ ଅନୁଷ୍ଠିତ ପଦଯାତ୍ରା ବେଳେ ଅଧିକ ସ୍ପଷ୍ଟ ହୋଇଛି ।
‘ଦେଓମାଳି ନିର୍ଭୟା ସନେ୍ଦଶ’ ନାମରେ ମଙ୍ଗଳବାର ମୂଷାଗୁଡ଼ାରୁ ଆରମ୍ଭ ହୋଇଥିବା ପଦଯାତ୍ରା ବୁଧବାର ଦିନ ଜିଲ୍ଲା ମୁଖ୍ୟାଳୟରେ ଥିବା ଦକ୍ଷିଣ-ପଶ୍ଚିମାଂଚଳ ପୁଲିସ ଡ଼ିଆଇଜିଙ୍କ କାର୍ଯ୍ୟାଳୟରେ ସରିବ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଦାବିରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଏହି ପଦଯାତ୍ରା ଆୟୋଜନ କରାଯାଇଛି ବେଲି ବିଧାୟକ ଶଗରିଆ କହିଛନ୍ତି । ପିସିସି ସଭାପତି ହରିଚନ୍ଦନଙ୍କ ସହ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏଥିରେ ଭାଗ ନେଇଛନ୍ତି । ମୂଷାଗୁଡା ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀ କୁନ୍ଦୁଲି ହାଟକୁ ଫଟୋ ଉଠାଇବାକୁ ଯାଇ ଏକାକୀ ଘରକୁ ଫେରିବା ବେଳେ ଅର୍ଦ୍ଧ ସାମରିକ ବାହିନୀର କଂବାଟ୍ ପୋଷାକ ପିନ୍ଧି ଥିବା ୪ ଜଣ ଦୁର୍ବୁତ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ମୂଷାଗୁଡା ଗ୍ରାମର ୪ ଜଣ ଯୁବକଙ୍କୁ ଉଠାଇ ନେଇ ପଚରାଉଚୁରା କରିବା ପରେ ମଙ୍ଗଳବାର ତିନି ଜଣଙ୍କୁ ଛାଡି ଦେଇଥିବା ଜଣାପଡିଛି ।
ଏହି ଗଣ ଦୁଷ୍କର୍ମ ଘଟଣାରେ ମାଓବାଦୀଙ୍କ ସଂପୃକ୍ତିକୁ ନେଇ ପୁଲିସ ସନେ୍ଦହ କରୁଥିବା ବେଳେ ମାଓବାଦୀଙ୍କ ପକ୍ଷରୁ କନ୍ଦୁଲି ଘଟଣା ପ୍ରତିବାଦରେ ୨୧ ତାରିଖ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି । ମାଓବାଦୀଙ୍କ ଘୁମୁସର -ନାଗାବଳି-ବଂଶଧାରା କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ପ୍ରକାଶ । ପୂର୍ବରୁ ଏକ ଅଡ଼ିଓ ଜାରି କରାଯାଇ କୁନ୍ଦୁଲି ଗଣ ଦୁଷ୍କର୍ମ ସହ ମାଓବାଦୀଙ୍କ କୌଣସି ସଂପର୍କ ନାହିଁ ବୋଲି ସଂଗଠନ ଦୃଢ ଭାବେ କହିଛି । ଦୁଷ୍କର୍ମ ସହ ଜଡିତ ଲୋକଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ସଂଗଠନ ବନ୍ଦ ଡାକରା ଦେଇତିବା ପ୍ରକାଶ ।
ଇତିମଧ୍ୟରେ ଭାରତ ବିକାଶ ପରିଷଦ ନାମକ ଏକ ସଂଗଠନ ପକ୍ଷରୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟରେ ଆଉ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇ କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ଏହି ଜନସ୍ୱାର୍ଥ ମାମଲାରେ ବିଏସ୍ଏଫ୍ ଡ଼ିଆଇଜିଙ୍କୁ ପକ୍ଷଭୁକ୍ତ କରାଯିବା ସହ ବିଏସ୍ଏଫ୍ ଯବାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ଦାବି କରାଯାଇଛି । ପୂର୍ବରୁ, ସୋମବାର ଦିନ କଟକର ଜଣେ ଆଇନଜୀବୀଙ୍କ ପକ୍ଷରୁ କୁନ୍ଦୁଲି ଘଟଣାର ସିବିଆଇ ବା ଏନଆଇଏ ତଦନ୍ତ ଦାବି କରାଯାଇ ପ୍ରଥମ ପିଆଇଏଲ୍ (ଜନସ୍ୱାର୍ଥ ମାମଲା) ଓଡ଼ିଶା ହାଇକୋର୍ଟରେ ଦାଏର ହୋଇଥିଲା । ଏଥିରେ ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ଶାସନ ସଚିବ, ରାଜ୍ୟ ପୁଲିସ ମହା ନିଦେ୍ର୍ଦଶକ, କୋରାପୁଟ ଏସ୍ପି, ଏନଆଇଏ ଡ଼ିଜି ଓ ଭୁବନେଶ୍ୱରସ୍ଥିତ ସିବିଆଇ ଏସ୍ପିଙ୍କୁ ପକ୍ଷଭୁକ୍ତ କରାଯାଇଛି । ପୁଲିସ ମୂଷାଗୁଡା ଗ୍ରାମର ୪ ଜଣ ଯୁବକଙ୍କ ସନେ୍ଦହରେ ଉଠାଇ ନେଇ ଅଟକ ରଖିବା ଘଟଣାରେ ଓଡ଼ିଶା ମାନବାଧିକାର କମିସନ ମଧ୍ୟ ଦକ୍ଷିଣ-ପଶ୍ଚିମାଂଚଳ ଡ଼ିଆଇଜିଙ୍କୁ ଜବାବ ତଲବ କରି ଚଳିତ ମାସ ୨୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କରିଥିବା ପ୍ରକାଶ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS