ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷିଙ୍କ ଶତ୍ରୁ?
– ପ୍ରସାଦ ରାଓ-
ଭୁବନେଶ୍ୱର, ୧୨ ନଭେମ୍ବର: ପଶ୍ଚିମ ଓଡ଼ିଶାରେ ଚାଷି ଆତ୍ମହତ୍ୟା ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି । ଓଡ଼ିଶାର ଭାତ ହାଣ୍ଡି ରୂପେ ପରିଚିତ ବରଗଡ଼ ଜିଲ୍ଲାରେ ସର୍ବାଧିକ ଚାଷି ଆତ୍ମହତ୍ୟା ଘଟଣା ଘଟିଛି । ଚାଷିମାନେ ସ୍ୱାଭିମାନୀ ଏବଂ ସେମାନେ କେବେ ଆତ୍ମହତ୍ୟା କରନ୍ତି ନାହିିଁ ବୋଲି ରାଜ୍ୟ କୃଷି ମନ୍ତ୍ରୀ ଦାମୋଦର ରାଉତ ମତ ଦେଇ ଚାଷି ଆତ୍ମହତ୍ୟା ଘଟଣାଗୁଡ଼ିକୁ ହାଲକା କରିବାକୁ ଅପଉଦ୍ୟମ କରିଥିବା ବେଳେ ପଶ୍ଚିମ ଓଡ଼ିଶାର ମନ୍ତ୍ରୀ ସୁଶାନ୍ତ ସିଂହ ବିଜେପିର ପ୍ରରୋଚନାରେ ଚାଷି ଆତ୍ମହତ୍ୟା କରୁଛନ୍ତି କହି ନିକଟରେ ଘଟିଥିବା ବୃନ୍ଦା ସାହୁଙ୍କ ଆତ୍ମହତ୍ୟାକୁ ରାଜନୈତିକ ପୁଟ ଦେବାକୁ ଚାହିଁଛନ୍ତି । ଆତ୍ମହତ୍ୟା ପୁର୍ବରୁ ରେକଡ଼ିଂ ହୋଇଥିବା ଏକ ଭିଡ଼ିଓକୁ ଏଥି ସକାଶେ ଅସ୍ତ୍ର କରାଯାଇଛି । ଅପରପକ୍ଷରେ, ବୃନ୍ଦାଙ୍କ ପରିବାର ମନ୍ତ୍ରୀଙ୍କ ଏପ୍ରକାର ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିବା ସହ ବୃନ୍ଦା ବାରମ୍ବାର ଚାଷିଙ୍କ ସମସ୍ୟା ସଂପର୍କରେ ରାଜ୍ୟ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ୱେ କୌଣସି ପ୍ରତିକାର ନ ହେବାରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି । ବାଦ ବିବାଦ ଭିତରେ ଏହି ଘଟଣାର ଗୁରୁତ୍ୱ କମିଛି ଏବଂ ରାଜନୀତି ବେଶ୍ ଜମିଛି ।
କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷରେ ଚାଷି ଆତ୍ମହତ୍ୟା ଏକ ବଡ ସମସ୍ୟା ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟୋଗପତିଙ୍କ ପ୍ରତି ଯେତିକି ସହାନୁଭୂତିଶୀଳ, ଚାଷିଙ୍କ ପ୍ରତି ସେତିକି ଉଦାସୀନ । ଉଦ୍ୟୋଗପତିଙ୍କୁ ଋଣ ଦେବା ଏବଂ ଅନାଦେୟ ଋଣକୁ ସାଧାରଣ ଜନତାଙ୍କ ଉପରେ ଟିକସ ଆକାରରେ ଲଦି ଭରଣା କରିବା ବ୍ୟାଙ୍କଗୁଡ଼ିକ ପାଇଁ ଖେଳ ହୋଇଥିବା ବେଳେ ଚାଷିକୁ କୃଷି ଋଣ ଦେବାକୁ ସମସ୍ତେ ଅମଙ୍ଗ । ଚାଷ ଉପରେ ନିର୍ଭର କରୁଥିବା ଶତକଡା ୮୦ ଭାଗ ପରିବାରର ନିଜସ୍ୱ ଜମି ନାହିଁ ବା ନାମକୁ ମାତ୍ର ଜମି ରହିଛି । ବର୍ଷ ସାରା ସେମାନେ ଚାଷ ଉପରେ ନିର୍ଭର କରୁଛନ୍ତି । ଯାହା ନାମରେ ଜମି ଅଛି ସେମାନେ ଚାଷ କରନ୍ତୁ ବା ନ କରନ୍ତୁ ସମବାୟ ବ୍ୟାଙ୍କରୁ ଋଣ ଆଣିବାକୁ ସକ୍ଷମ । କିନ୍ତୁ, ପ୍ରକୃତରେ ବିଲରେ ଖଟୁ ଥିବା ଚାଷି ଜାତୀୟ ବା ସମବାୟ ବ୍ୟାଙ୍କରୁ ଋଣ ନ ପାଇ ମହାଜନ ବା ସ୍ୱୟଂ ସହାୟକ ସଂସ୍ଥା ଉପରେ ନିର୍ଭର କରୁଛି । ଚଢା ହାର ସୁଦ୍ଧରେ ଘରୋଇ ସୂତ୍ରରୁ ଋଣ ଆଣି ଚାଷ କାର୍ଯ୍ୟରେ ଲଗାଇବା ହାଡଭଙ୍ଗା ପରିଶ୍ରମ କରୁଛି । ଫସଲ ଫଳିଲେ ବର୍ଷ ସାରା ଚଳିବା ସହ କିଛି ବିକି ଘର ଛପର କରିବା ବା ଝିଅ ବାହାଘର କରିବା ତା’ର ଲକ୍ଷ୍ୟ । କିନ୍ତୁ, ଯେତେବେଳେ ଅଦିନିଆ ବର୍ଷ, ବନ୍ୟା ବା ପୋକର ପ୍ରାଦୁର୍ଭାବ ତାହାର ଫସଲକୁ ନଷ୍ଟ କରି ଦେଉଛି, ସେ ଅନ୍ୟ ଉପାୟ ନ ପାଇ ପ୍ରଶାସନ ଓ ସରକାରଙ୍କ ଦ୍ୱାରସ୍ଥ ହେଉଛି । ଯେତେବେଳେ କେହି ଗୁହାରୀ ଶୁଣୁ ନାହାନ୍ତି ଏବଂ ପରିବାର ଚଳାଇବା ଏକ ବୋଝ ହୋଇ ଯାଉଛ. ସେ ବିଷାକ୍ତ କୀଟନାଶକ ପିଇ ଆତ୍ମହତ୍ୟା କରୁଛି ବା ହତୋତ୍ସାହ ହୋଇ ନିଜ ଜମିରେ ଉପୁଜାଇଥିବା ଫସଲକୁ ପୋଡି ପକାଉଛି ବା ରାସ୍ତାରେ ଆଣି ଫିଙ୍ଗୁଛି ।
ବର୍ତମାନ ଦେଶରେ ଆଉ ଏକ ନୂଆ ଧାରା ସୃଷ୍ଟି ହେଲାଣି । ବାପା ଘରୋଇ ସୂତ୍ରରୁ ଋଣ ଆଣି ଫସଲ ଫଳାଇବା ପରେ ତାହା ଯଦି ରୋଗ, ପୋକ ବା ପ୍ରକୃତିକ ବିପର୍ଯ୍ୟୟରେ ନଷ୍ଟ ହୋଇ ଯାଉଛି, ପରିବାରର ଚଳଣି ଉପରେ ତାହାର ପ୍ରଭାବ ପଡୁଛି । ଋଣ ଶୁଝି ପାରୁ ନଥିବା ବାପା ଆତ୍ମହତ୍ୟା କରିବା ପୁର୍ବରୁ ପିଲାମାନେ ନିଜକୁ ଋଣଗ୍ରସ୍ତ ବାପ ଉପରେ ବୋଝ ବୋଲି ଭାବି ଆତ୍ମହତ୍ୟାର ରାସ୍ତା ବାଛୁ ଥିବା ଅଭିଯୋଗ ହେଲାଣି । ଶୁକ୍ରବାର (୧୦ତାରିଖ) ସନ୍ଧ୍ୟାରେ ଏକ ଜାତୀୟ ଟେଲିଭିଜନ ଚ୍ୟାନେଲରେ ଅନ୍ୟୁନ ୧୦ଟି ରାଜ୍ୟର ଚାଷି ପ୍ରତିନିଧିଙ୍କ ସହ ଆଲୋଚନାର ସିିଧା ପ୍ରସାରଣ ହୋଇଥିଲା । ଓଡ଼ିଶାର କେହି ପ୍ରତିନିଧି ସେଥିରେ ନ ଥିଲେ । ପଂଜାବ, ବିହାର, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ପଶ୍ଚିମବଂଗ ପ୍ରଭୃତି ରାଜ୍ୟର ପ୍ରତିନିଧିମାନେ ନୂଆଦିଲ୍ଲୀ ଠାରେ ଏକାଠି ହୋଇ ସେମାନଙ୍କ ସମସ୍ୟା ଲୋକ ଲୋଚନକୁ ଆଣି ଥିଲେ । ବିଶିଷ୍ଟ ସାମାଜିକ କର୍ମୀ ତଥା ଚାଷି ନେତା ଯୋଗେନ୍ଦ୍ର ଯାଦବଙ୍କ ଉପସ୍ଥିତରେ ତାହା ପ୍ରସାରଣ ହୋଇ ଥିଲା । ଚର୍ଚ୍ଚା ବେଳେ ଋଣଗ୍ରସ୍ତ ପିତାର ପିଲାଛୁଆ କିଭଳି ଆତ୍ମହତ୍ୟା ମନସ୍କ ହେଲେଣି ତାହା ମହାରାଷ୍ଟ୍ରର ଜଣେ କୃଷକ ନେତା ଜାତୀୟ ଟେଲିଭିଜନର ଦୃଷ୍ଟି ଆକର୍ଷଣ କରିଥିଲେ । ଚାଷ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ବିବେଚିତ ପଂଜାବରେ ମଧ୍ୟ ଏକା ଅବସ୍ଥା । ଆଲୋଚନାରେ ଭାଗ ନେଇ ଥିବା ସମସ୍ତ ଚାଷି ସଂଗଠନ ନେତାଙ୍କ ଅଭିଯୋଗ ଥିଲା ଏକା ଧରଣର । ସେମାନେ କହିବା ଅନୁସାରେ, କ୍ଷୁଦ୍ର ଓ ନାମମାତ୍ର ଚାଷିମାନେ ଚଢା ସୁଦ୍ଧରେ ଋଣ ଆଣି ଚାଷ କାର୍ଯ୍ୟରେ ବିନିଯୋଗ କରୁଛନ୍ତି । ଯାହା ଉତ୍ପାଦନ ହେଉଛି, ତାହାର ସରକାରୀ ନିର୍ଦ୍ଧାରିତ ସହାୟକ ମୂଲ୍ୟ ମିଳୁ ନାହିଁ । ଗୋଟିଏ ଏକର ଜମିରେ ଫସଲ ଫଳାଇବା ପାଇଁ କୁଇଂଟାଲ ପିଛି ୨୦୦୦ ଟଙ୍କାରୁ ଅଧିକ ଲଗାଣ ହେଉଥିବା ବେଳେ ଉତ୍ପାଦିତ ଫସଲ ବିକ୍ରି ବାବଦରେ କୁଇଂଟାଲ ପିଛା ହଜାର ଟଙ୍କା ମଧ୍ୟ ମିଳୁ ନାହିଁ । ଚାଷି ହାତକୁ ୭୦୦ରୁ ୮୦୦ ଟଙ୍କା ଆସିଲେ ଅଧିକ । ମୁନାଫା ଖାଉଛନ୍ତି ମଧ୍ୟସ୍ଥି ଓ ସରକାରଙ୍କ ଦ୍ୱାରା ପୋଷ୍ୟ କଂପାନୀ । ଏପରିକି, ଦେଶରେ ପିଆଜ ଦର ଆକାଶଛୁଆଁ ବୃଦ୍ଧି ପାଇ ଥିବା ବେଳେ ଚାଷି ବିକିଛି କିଲୋ ୯ ପଇସାରେ । ଏହା ଏକ ବିଡମ୍ବନା ନୁହେଁ କି ? ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ ଏହି ପ୍ରଶ୍ନ କରିଛନ୍ତି । ଆଉ ଗୋଟିଏ କଥା ହେଉଛି, ବର୍ଷ ସାରା ଚାଷ ଉପରେ ନିର୍ଭର କରୁଥିବା କ୍ଷୁଦ୍ର ଓ ନାମମାତ୍ର ଚାଷି ଯାହା ଫସଲ ଫଳାନ୍ତି ସେଥିରୁ ଅଧିକ ହେଲେ ତିନିରୁ ଛଅ ମାସ ଯାଏଁ ପରିବାର ପ୍ରତିପୋଷଣ ସମ୍ଭବ ହୋଇ ଥାଏ । ବର୍ଷର ଅନ୍ୟ ସମୟରେ ପରିବାର ପ୍ରତିପୋଷଣ ପାଇଁ ସେମାନେ ମୂଲ ଲାଗନ୍ତି ବା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତି । ରାଜ୍ୟ କୃଷି ମନ୍ତ୍ରୀଙ୍କ ଭାଷାରେ ‘ସ୍ୱାଭିମାନୀ’ ଚାଷି ଓ କୃଷି ଶ୍ରମିକ ଯେବେ ପରିବାର ପ୍ରତିପୋଷଣ ପାଇଁ ମୂଲ ଲାଗିବାକୁ ଯାଆନ୍ତି ସେମାନଙ୍କ ଅନ୍ତରାତ୍ମା କାନେ୍ଦ । ବର୍ଷର ଅଧିକାଂଶ ଦିନ ମୂଲ ମିଳିବା କଷ୍ଟକର । କେନ୍ଦ୍ର ସରକାରଙ୍କ ‘ମନରେଗା’ କାର୍ଯ୍ୟକ୍ରମରେ ବର୍ଷକୁ ୧୦୦ ଦିନ କାମ ଯୋଗାଇ ଦେବା ବ୍ୟବସ୍ଥା ଥିଲେ ବି ଅଧା ଦିନ ବି କାମ ମିଳୁନି । ବାହାରେ ମଜୁରୀ ଖଟିଲେ ଦିନକୁ ୩୦୦ ଟଙ୍କା ମଜୁରୀ ହାତକୁ ଆସୁଥିବା ବେଳେ ‘ମନରେଗା’ରେ ମଜୁରୀ କମ୍ । ତାହା ମଧ୍ୟ ଠିକ ସମୟରେ ମିଳେ ନାହିଁ । ତିନି ମାସ ବା ଛଅ ମାସରେ ଥରେ ମଜୁରୀ ମିଳିଲେ ଖଟିଖିଆ ଚାଷି ପରିବାର ଚଳିବେ କେମିତି ? ଗୋଟିଏ ପଟେ ମୁଣ୍ଡରେ ଋଣ ବୋଝ ଏବଂ ଅନ୍ୟ ପଟେ କାମଧନ୍ଦାର ଅଭାବ ଚାଷିଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛି ।
କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ଯେତିକି ଯତ୍ନବାନ କୃଷି ପ୍ରତି ସେତିକି ନୁହନ୍ତି । ଫଳରେ, ଚାଷ ଜମି ସବୁ କଂପାନୀ ହାତକୁ ଚାଲି ଯାଉଛି । ଚାଷି ଦିନ ମଜୁରୀରେ ଖଟୁଛି । ଚାଷକୁ ସରକାର ଅଣଦେଖା କରିବା ହିଁ ଆଜିର ଦିନରେ ବଡ଼ ସଂକଟ ହୋଇଛି । ଚାଷ ଜମି ବିଲୁପ୍ତ ହୋଇ ସେଠାରେ ବଡ଼ ବଡ଼ ଶିଳ୍ପ ସଂସ୍ଥା ମୁଣ୍ଡ ଟେକୁ ଥିବା ବେଳେ ଚାଷି ଜୀବୀକା ହରାଇ ପରିବାର ପୋଷଣର ଅନ୍ୟ ବିକଳ୍ପ ନ ପାଇ ଆତ୍ମହତ୍ୟା କରୁଛି । ସ୍ୱାଧୀନତା ପରବର୍ତୀ କାଳରେ ଚାଷ ଋଗ୍ଣ ହୋଇ ପଡ଼ି ଥିବା ସମୟରେ ଶିଳ୍ପ ସଂସ୍ଥା ସରକାରୀ ପ୍ରୋତ୍ସାହନରେ ଅଧିକରୁ ଅଧିକ ସମୃଦ୍ଧ ହେଉଥିବା ସମସ୍ତେ ଅନୁଭବ କରୁଛନ୍ତି । କେବଳ ବିଜେପି ନୁହେଁ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ମଧ୍ୟ ସମାନ ସ୍ଥିତି ଥିଲା । ମୋଟାମୋଟି ଭାବେ କେନ୍ଦ୍ର ଓ ରାଜ୍ୟ ସରକାର – ଉଭୟଙ୍କ ନୀତି କୃଷି ଓ କୃଷକଙ୍କୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରି ଦେବା ସକାଶେ ଅଭିପ୍ରେତ ବୋଲି ଚାଷି ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ନଭେମ୍ବର ୨୦ ତାରିଖ ଦିନ ଅନ୍ୟୁନ ୧୦ଟି ରାଜ୍ୟର ଚାଷି ପ୍ରତିନିଧି ନୂଆଦିଲ୍ଲୀରେ ଏକାଠି ହେବେ ଏବଂ କୃଷି ଓ କୃଷକଙ୍କ ସମସ୍ୟାକୁ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ଥୋଇବେ ବୋଲି ସେମାନେ ଘୋଷଣା କରିଛନ୍ତି ।
ଚାଷିଙ୍କ ଅଭିଯୋଗ ହେଉଛି, କେନ୍ଦ୍ର ସରକାର ବିଭିନ୍ନ କୃଷି ଉତ୍ପାଦର ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ସମୟରେ ବାସ୍ତବତା ଠାରୁ ଦୂରେଇ ଯାଉଛନ୍ତି । ଫଳରେ, ଚାଷ ଆଉ ବଂଚିବାର ମାଧ୍ୟମ ହୋଇ ରହି ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଭାବେ ଓଡ଼ିଶାକୁ ନିଆଯାଇ ପାରେ । ଧାନ ଉତ୍ପାଦନରେ ଚାଷି କୁଇଂଟାଲ ପିଛା ପାଖାପାଖି ୨୩ ଶହ ଟଙ୍କା ଖର୍ଚ କରୁ ଥିବା ବେଳେ କେନ୍ଦ୍ର ସରକାର ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି କୁଇଂଟାଲ ପିଛା ୧୫୫୦ ଟଙ୍କା । ପୁର୍ବ ବର୍ଷ ତାହା ୧୪୭୦ ଟଙ୍କା ଥିଲା । ରାଜ୍ୟ ସରକାର ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରିବା ସକାଶେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ରାଜ୍ୟ ବିଧାନସଭାରେ ସର୍ବସମ୍ମତକ୍ରମେ ପ୍ରସ୍ତାବ ପାରିତ ହେଲା ବାଚସ୍ପତିଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ କମିଟି ଦିଲ୍ଲୀ ଯାଇ ପ୍ରଧାନ ମନ୍ତ୍ରୀଙ୍କୁ ଭେଟିବେ । ଏଥି ସକାଶେ ପ୍ରଧାନ ମନ୍ତ୍ରୀଙ୍କୁ ସମୟ ମଗା ଗଲା । କିନ୍ତୁ, ପ୍ରଧାନ ମନ୍ତ୍ରୀ ନିକଟରେ ସମୟ ନ ଥିଲା ଓଡ଼ିଶା ଚାଷିଙ୍କ ଦୁଃଖ ଶୁଣିବା ପାଇଁ! ଚାଷିଙ୍କ ସ୍ୱାର୍ଥରକ୍ଷା ସଂପର୍କୀତ ପ୍ରସ୍ତାବ ନେଇ ପ୍ରଧାନ ମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁ ଥିବା ବାଚସ୍ପତିଙ୍କ ନେତୃତ୍ୱାଧୀନ ବିଧାନ ସଭାର ସର୍ବଦଳୀୟ କମିଟିକୁ ସେ ସୁଯୋଗ ମିଳିଲା ନାହିଁ । କେନ୍ଦ୍ର ସରକାର ଏକପାଖିଆ ଭାବେ ଧାନର ସହାୟକ ମୂଲ୍ୟ ଧାର୍ଯ୍ୟ କରି ଦେଲେ । ତାହା ମଧ୍ୟ କୁଇଂଟାଲ ପିଛା ମାତ୍ର ୮୦ ଟଙ୍କା ବୃଦ୍ଧି । ଏବେ, ଓଡ଼ିଶାର ବରଗଡ଼ ଜିଲ୍ଲାରେ ଚକଡା ପୋକର ପ୍ରାଦୂର୍ଭାବ ଓ ଚାଷି ଆତ୍ମହତ୍ୟାର ସୁଯୋଗ ନେଇ ରାଜନୀତି କରିବାକୁ ଆସୁଛନ୍ତି କେନ୍ଦ୍ରୀୟ ବିଜେପି ନେତା । ରାଜ୍ୟ ନେତାମାନେ ସେମାନଙ୍କୁ ଡାକି ଆଣି ରାଜ୍ୟ ସରକାରଙ୍କ ଶ୍ରାଦ୍ଧର କରାଉଛନ୍ତି । ଏହାକୁ ସୁବିଧାବାଦ ରାଜନୀତି କୁହାଯିବନି ତ ଅଉ କଣ କୁହାଯିବ?
କେନ୍ଦ୍ର କୃଷି ଋଣ ଛାଡକୁ ବିରୋଧ କରୁଥିବା ବେଳେ ରାଜ୍ୟ ବିଜେପି ନେତାମାନେ କୃଷି ଋଣ ଛାଡ ଦାବି କରି ସରକାରଙ୍କ ବିରୋଧରେ ଆନେ୍ଦାଳନ କରୁଛନ୍ତି । କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରି ଚାଷିଙ୍କୁ ଠକିବା ବେଳେ ଏହି ନେତାମାନେ ନୀରବ ଥିଲେ କାହିଁକି ବୋଲି ପ୍ରଶ୍ନ କରିବା ଭୁଳ ହେବ ନାହିଁ । ରାଜ୍ୟ ବିିଜେଡ଼ି ସରକାର ମଧ୍ୟ ଚାଷିଙ୍କ ପ୍ରତି ଉଦାସୀନ । ଗଲା ୧୭ ବର୍ଷ ଭିତରେ ରାଜ୍ୟରେ ଜଳ ସେଚନ କ୍ଷେତ୍ରରେ କାଣିଚାଏ ଅଭିବୃଦ୍ଧି ଘଟି ନାହିଁ । ଭେଜାଲ ବିହନ ଓ ପୋକମରା ଓøଷଧ ବିକ୍ରିର ଅପବାଦ ରାଜ୍ୟ ସରକାର ମୁଣ୍ଡାଇ ଚାଲିଛନ୍ତି । ଚାଷି ଆତ୍ମହତ୍ୟାକୁ ଦେଖି ସରକାର ହଡବଡାଉଛନ୍ତି । ଏହାକୁ ଫାଙ୍କିବାର ବାଟ ଖୋଜୁଛନ୍ତି । ଆଗକୁ ନିର୍ବାଚନ ଆସୁଥିବା ଦେଖି ପ୍ୟାକେଜ ପରେ ପ୍ୟାକେଜ ଘୋଷଣା କରୁଛନ୍ତି । ବାସ୍ତବରେ ପ୍ୟାକେଜ୍ ସବୁ କେତେଦୂର କାର୍ଯ୍ୟକାରୀ ହେବ, ତାହା ସରକାର ହିଁ କହି ପାରିବେ । ସରକାର ବାଟବଣା ହେଉଥିବା ଦେଖି ଚାଷିଙ୍କ ‘ତ୍ରାଣକର୍ତା’ ସାଜିଛନ୍ତି କିଛି ବିରୋଧୀ ନେତା । ଚାଷିଙ୍କୁ ପେନସନ୍, ପ୍ରେସଟିଜ୍ ଦିଆଯିବା ନେଇ କେତେ କେତେ ଦାବି ଉଠୁଛି । ନିର୍ବାଚନ ସରିବା ପରେ ଏହି ନେତାଙ୍କ ଦରବାର କେତେଦୂର ଚାଲିବ, ତାହା ସମୟ ହିଁ କହିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS