ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ଭୋଟ ସରିଲା, ୬୮ ପ୍ରତିଶତ ମତଦାନ
ଅହମ୍ମଦାବାଦ, ୧୦ ଡ଼ିସେମ୍ବର: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୁଜରାଟରେ ଶନିବାର (୯ତାରିଖ) ଦିନ ପ୍ରଥମ ପର୍ଯ୍ୟାୟ ଭୋଟ ସରିଛି । ରାଜ୍ୟ ବିଧାନସଭାର ୧୮୨ ଆସନରୁ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ପାଇଁ ଭୋଟ ହୋଇଥିଲା । ୬୮ ପ୍ରତିଶତ ଭୋଟଦାତା ମତଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ରାଜ୍ୟ ବିଜେପି ସଭାପତି ଜିତୁ ବାଘନାନୀ, କଂଗ୍ରେସ ନେତା ଶକ୍ତିସିଂହ ଗୋହିଲ, ଅର୍ଜୁନ ମୋଧଭାଦିଆ, ପରେଶ ଧାନାନୀଙ୍କ ସମେତ ମୋଟ ୯୭୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇଛି । ଶନିବାର ଭୋଟ ହୋଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ଅଂଚଳର । ମତଦାନ ପରିମାଣ ଉତ୍ସାହଜନକ ଥିବାରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେତ୍ଲି ସନ୍ତୋଷ ପ୍ରକାଶ କରିଛନ୍ତି । ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ସୁନିଶ୍ଚିତ ବୋଲି ଦୁହେଁ ଟ୍ୱିଟ୍ କରିଛନ୍ତି । ରାଜକୋଟ, ରାଜପିପଲା, ଭାବାନଗର, ପାଲିତାନା, ପୋରବନ୍ଦର ସମେତ ବିଭିନ୍ନ ଅଂଚଳରେ ଇଭିଏମ୍ ମେସିନରେ ତ୍ରୁଟିକୁ ନେଇ ଅଭିଯୋଗ ହୋଇଛି । ଏହାର ଯାଂଚ୍ ପାଇଁ ନିଦେ୍ର୍ଦଶ ଦିଆଯାଇଛି ବୋଲି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ କହିଛନ୍ତି । ତେବେ, ଇଭିଏମ୍ ଟାଂପରିଂ ଅଭିଯୋଗକୁ ନିର୍ବାଚନ କମିସନ୍ ଅଗ୍ରାହ୍ୟ କରିଛନ୍ତି । ରାଜ୍ୟର ବାକି ଥିବା ବିଧାନସଭା ଆସନରେ ୧୪ ତାରିଖ ଶେଷ ପର୍ଯ୍ୟାୟ ଭୋଟ ହେବାକୁ ଥିବାରୁ ଉଭୟ ବିଜେପି ଓ କଂଗ୍ରେସ ନେତୃବର୍ଗ ଶନିବାର ମତଦାନ ସରୁ ସରୁ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ହୋଇ ଯାଇଛନ୍ତି । ୧୪ ତାରିଖ ଭୋଟ ସରିଲେ ୧୮ ତାରିଖ ଭୋଟ ଗଣତି ହୋଇ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।
ପ୍ରଥମ ପର୍ଯ୍ୟାୟ ମତଦାନର ଠିକ୍ ପୂର୍ବଦିନ ବିଜେପି ତା’ର ନିର୍ବାଚନ ଇସ୍ତାହାର ପ୍ରକାଶ କରି ଥିବାରୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଥିଲା । ଶନିବାର ଭୋଟଦାନ ସରିବା ପରେ ବିଜେପି ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଅଭିଯାନ ଆରମ୍ଭ କରି କଂଗ୍ରେସର ନିର୍ବାଚନ ଇସ୍ତାହାରକୁ ସମାଲୋଚନା କରିଛି । କଂଗ୍ରେସର ନିର୍ବାଚନ ଇସ୍ତାହାରରେ ପଟିଦାରଙ୍କୁ ସଂରକ୍ଷଣ ଓ ଚାଷୀଙ୍କୁ କୃଷି ଋଣ ଛାଡର ଯେଉଁ ପ୍ରତିଶ୍ରୁତି ଦିଆ ଯାଇଛି ତାହା କାର୍ଯ୍ୟକାରୀ ହେବା ଅସମ୍ଭବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେତ୍ଲି କହିଛନ୍ତି । ଗୁଜରାଟର ବାର୍ଷିକ ରାଜସ୍ୱ ଆୟ ପ୍ରାୟ ୯୦,୦୦୦କୋଟି ଟଙ୍କା ହୋଇଥିବା ବେଳେ କଂଗ୍ରେସ କେମିତି ୨୦,୦୦୦ କୋଟି ଟଙ୍କା ଟିକସ ଛାଡ କରିଦେବ ବୋଲି ସେ ପ୍ରଶ୍ନ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS