ଗୁଜରାଟ ନିର୍ବାଚନ ପ୍ରଚାର ଶେଷ, ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅହମ୍ମଦାବାଦ, ୧୩ ଡ଼ିସେମ୍ବର: ଗୁଜରାଟ ବିଧାନସଭା ପାଇଁ ଦ୍ୱିତୀୟ ଓ ଶେଷ ପର୍ଯ୍ୟାୟ ଭୋଟ ୧୪ ତାରିଖ ଦିନ ହେବାକୁ ଯାଉଛି । ୨୪ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେବାକୁ ନିୟମ ଥିବାରୁ ମଙ୍ଗଳବାର ସନ୍ଧ୍ୟା ୫ଟା ସମୟରେ ଭୋଟ ପ୍ରଚାର ଶେଷ ହୋଇଛି । କଂଗ୍ରେସର ପାକିସ୍ତାନ୍ ଲିଂକ୍ ଠାରୁ ଆରମ୍ଭ କରି ବିକାଶ ‘ବାଟବଣା’ ହେବା ପର୍ଯ୍ୟନ୍ତ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସର ପ୍ରଚାର ଆଧାର ଥିଲା । ଗୁଜରାଟରୁ ରାଜ୍ୟସଭା ସାଂସଦ ତିବା ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ କରିବା ସକାଶେ ପାକିସ୍ତାନ ଚକ୍ରାନ୍ତ କରି ଥିବା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନ ହେଲା ବିଭିନ୍ନ ନିର୍ବାଚନ ସଭାରେ ଅଭିଯୋଗ କରି ଆସୁଥିଲେ । ନୂଆଦିଲ୍ଲୀରେ ଥିବା ରାଜ୍ୟସଭା ସାଂସଦ ମଣିଶଙ୍କର ଆୟାରଙ୍କ ବାସଭବନରେ ଏସଂପର୍କୀତ ଏକ ବୈଠକ ହୋଇ ଥିଲା ଏବଂ କଂଗ୍ରେସର କିଛି ବରିଷ୍ଠ ନେତା ପାକିସ୍ତାନୀ କୂଟନୀତିଜ୍ଞଙ୍କ ସହ ଏକ ଗୋପନ ବୈଠକ ମିଳିତ ହୋଇ ଷଡଯନ୍ତ୍ର କରି ଥିଲେ । ଯେଉଁ ବୈଠକରେ କି ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଯୋଗ ଦେଇ ଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଅଭିଯୋଗ କରି ନିର୍ବାଚନ ପ୍ରଚାର ମାହୋଲ୍କୁ ଗରମ କରି ଦେଇ ଥିଲେ ।
ମୋଦୀଙ୍କ ଏହି ଅଭିଯୋଗ ସଂପୂର୍ଣର୍ ‘ମିଥ୍ୟା’ ବୋଲି ପୂର୍ବତନ ପ୍ରଧାନ ମନ୍ତ୍ରୀ ସିଂହ କହିବା ସହ ଏଭଳି ମିଥ୍ୟା ପ୍ରଚାର କରି ଥିବାରୁ ମୋଦୀ ନିଃସର୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି । ଗୁଜରାଟ ନିର୍ବାଚନରେ ବିଜେପିର ପରାଜୟ ଭୟରେ ଏଭଳି ମିଥ୍ୟା ଓ ଅବାନ୍ତର ପ୍ରଚାର କରାଯାଉଛି ବୋଲି ପୂର୍ବତନ ପ୍ରଧାନ ମନ୍ତ୍ରୀ ସିଂହ ପାଲଟା ଅଭିଯୋଗ କରିଛନ୍ତି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ପ୍ରଚାର ଅତ୍ୟନ୍ତ ବ୍ୟକ୍ତଗତ ସ୍ତରକୁ ଚାଲି ଯାଇ ଥିଲା । ‘ବିକାଶ’କୁ ପଛରେ ପକାଇ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ପରସ୍ପରକୁ ବ୍ୟକ୍ତିଗତ ଆକ୍ଷେପ କରୁଥିବା ଦେଖିବାକୁ ମିଳି ଥିଲା । ତେଣୁ, ପ୍ରଚାର ଶେଷ ଦିନ ଅହମ୍ମଦାବାଦ ସହରରେ ରୋଡ୍-ସୋ କଲେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ଆଶଙ୍କା କରି ଅହମ୍ମଦାବାଦ ସିଟି ପୁଲିସ ମଙ୍ଗଳବାର ଦିନ ସହରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମସ୍ତ ରୋଡ୍ -ସୋ ବାତିଲ କରି ଦେଇଥିଲେ । ତେବେ, ପ୍ରଧାନ ମନ୍ତ୍ରୀ ମୋଦୀ ମଙ୍ଗଳବାର ପ୍ରଥମ ଥର ପାଇଁ ନିର୍ବାଚନ ପ୍ରଚାରରେ ଏକ ସି-ପ୍ଳେନ୍ ବ୍ୟବହାର କରି ସାବରମତୀ ନଦୀ କୂଳରୁ ମେହେଶାନ ଜିଲ୍ଲାର ଧାରୋଇ ଡ଼୍ୟାମ୍ ପର୍ଯ୍ୟନ୍ତ ଯାଇ ନିର୍ବାଚନ ପ୍ରଚାର କରିଥିଲେ । ସି-ପ୍ଲେନ୍ ଗୁଜରାଟର ବିକାଶର ପ୍ରତୀକ, କଂଗ୍ରେସ ସ୍ୱପ୍ନରେ ସୁଦ୍ଧା ଏଭଳି ବିକାଶ କଥା ଚିନ୍ତା କରିପାରିବ ନାହିଁ ବୋଲି ମୋଦୀ ନିର୍ବାଚନ ପ୍ରଚାର ବେଳେ କହିଥିଲେ ।
ଗୁଜରାଟ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଲୋଗାନ ଥିଲା ‘ହମ୍ ଛୁ ବିକାଶ, ହମ୍ ଛୁ ଗୁଜରାଟ’ । ଏହାର ଅର୍ଥ ହେଉଛି – ‘ମୁଁ ହିଁ ବିକାଶ, ମୁଁ ହିଁ ଗୁଜରାଟ’ । ରାଜ୍ୟରେ ପଂଚମ ଥର ପାଇଁ କ୍ଷମତା ଦଖଲ କରିବାକୁ ବିଜେପ ନାକେଦମ୍ ଉଦ୍ୟମ କରିଥିବା ନିର୍ବାଚନ ପ୍ରଚାର ବେଳେ ଦେଖିବାକୁ ମିଳିଛି । ଦଳ ୨୦ ବର୍ଷ ହେଲା ରାଜ୍ୟରେ କ୍ଷମତାରେ ରହିଛି । ତେଣୁ, ଜନସାଧାରଣରେ ବିଜେପି ବିରୋଧରେ ହାୱା କାମ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଓ ଗୁଜୁରାଟ ଭାଜପା ନେତାମାନେ ଅନୁଭବ କରୁ ଥିଲେ । ପ୍ରଧାନ ମନ୍ତ୍ରୀ ମୋଦୀ ସରକାର ବିରୋଧୀ ହାୱାର ମୁକାବିଲା କରିବା ସକାଶେ ବର୍ଷେ ହେଲା ଘନଘନ ଗୁଜରାଟ ଗସ୍ତ କରିବା ସହ ବହୁ ସଂଖ୍ୟକ ବିକାଶମୂଳକ ପ୍ରକଳ୍ପର ଶୁଭଦାନ ଏବଂ ଉଦ୍ଘାଟନ କରି ରାଜ୍ୟବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରିଥିଲେ । ଅହମ୍ମଦାବାଦ ପୁଲିସ ମଙ୍ଗଳବାର ସମସ୍ତ ପ୍ରକାର ରୋଡ୍-ସୋକୁ ନିଷିଦ୍ଧ କରିଥିବା ସତ୍ୱେ ପଟିବାର ଆନେ୍ଦାଳନ ନେତା ହାର୍ଦ୍ଦିକ ପଟେଲ ରୋଡ୍ -ସୋ କରିଥିବା ସୂଚନା ମିଳିଛି ।
୧୪ ତାରିଖ ଦିନ ଗୁଜରାଟ ବିଧାନସଭାର ୧୮୨ ଆସନରୁ ୯୩ଟି ପାଇଁ ଭୋଟ ହେବ । ଅନ୍ୟ ଆସନଗୁଡ଼ିକ ପାଇଁ ଗତ ୯ ତାରିଖରେ ଭୋଟ ସାରିଛି । ପ୍ରଥମ ପର୍ଯ୍ୟାୟରେ ୬୮ ପ୍ରତିଶତ ମତଦାତା ୯ ତାରିଖ ଦିନ ଭୋଟ ଦେଇଥିଲେ । ଯେଉଁ ୯୩ଟି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଛି ସେଥିରୁ ୫୨ଟିରେ ୨୦୧୨ ନିର୍ବାଚନରେ ବିଜେପିର ବିଜୟ ହୋଇଥିବା ବେଳେ କଂଗ୍ରେସ ହାତରେ ୩୯ଟି ଆସନ ରହିଛି । ଗୁରୁବାର ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀ ସବୁ ଉତ୍ତର ଗୁଜରାଟର ହୋଇ ଥିବାରୁ ଉଭୟ ବିଜେପି ଓ କଂଗ୍ରେସ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମାଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା, ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲ, ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ ହେଉଛନ୍ତି ଉତ୍ତର ଗୁଜରାଟ ବାସିନ୍ଦା । ବିଜେପି ବିରୋଧରେ ମୋର୍ଚ୍ଚା ଖୋଲି ଥିବା ଦୁଇ ଯୁବ ନେତା – ପଟିଦାର ଆନେ୍ଦାଳନ ନେତା ହାର୍ଦ୍ଦିକ ପଟେଲ ଓ ଓବିସି ନେତା ଅଳ୍ପେଶ ଠାକୁର ମଧ୍ୟ ଉତ୍ତର ଗୁଜରାଟ ବାସିନ୍ଦା । ଦଳିତ ନେତା ଜିଗ୍ନେଶ ମେୱାନୀ ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବଡ଼ଗାଓଁ ବିଧାନସଭା ଆସନରୁ କଂଗ୍ରେସ ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅଛନ୍ତି । ଏହି ତିନି ଯୁବ ନେତା ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ନାକେଦମ୍ କରି ଥିଲେ । ଗୁରୁବାର ଦିନ ଭୋଟ ସରିବା ପରେ ୧୮ ତାରିଖରେ ଭୋଟ ଗଣତି ହୋଇ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ତେଣୁ, ଉଭୟ କଂଗ୍ରେସ ଓ ବିଜେପିରେ ଉତ୍ସୁକତା ଦେଖିବାକୁ ମିଳୁଛି । ଏହି ନିର୍ବାଚନରେ ବିଜେପି ଭଲ ଫଳାଫଳ କରିବ ବୋଲି ମୂଳରୁ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ଓ ସେମାନଙ୍କ ସହ ଥିବା ସର୍ଭେ ସଂସ୍ଥାମାନେ ଆକଳନ କରି ଆସୁଛନ୍ତି । ତେବେ, ବିଜେପି ବିରୋଧରେ ଥିବା ଜନ ଅସନ୍ତୋଷ ପରେ ପଦାକୁ ଆସି ଥିବାରୁ କଂଗ୍ରେସ ଓ ଏଆସିସି ଭାବୀ ସଭାପତି ରାହୁଲ ଗାନ୍ଧୀ ଫଳାଫଳକୁ ନେଇ ବେଶ୍ ଆଶାବାଦୀ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS