ରାଜ୍ୟରେ ଶୀତ ଲହରୀ : ସବୁଠାରୁ ଅଧିକ ଥଣ୍ଡା ରହିଛି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଦାରିଙ୍ଗବାଡି ସହର
ଭୁବନେଶ୍ୱର, ୨୯ ଡ଼ିସେମ୍ବର : ଦୁଇ ଦିନ ହେଲା ଓଡ଼ିଶାରେ ଶୀତର ପ୍ରକୋପ ବଢିଛି । ରାଜ୍ୟର ଅନ୍ୟୁନ ୧୦ଟି ଜିଲ୍ଲାରେ ପାରଦ ୧୦ ଡ଼ିଗ୍ରୀ ସେଲସିଅସ୍ ତଳକୁ ଖସି ପ୍ରବଳ ଶୀତ ଅନୁଭୂତ ହେଉଥିବା ସୂଚନା ମିଳିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଦାରିଙ୍ଗବାଡି ସହରର ତାପାମାତ୍ରା ୪ ଡ଼ିଗ୍ରୀ ସେଲସିଅସ୍ ତଳେ ରହିଛି । ଏହି ଦୁଇଟି ସହର ସବୁଠାରୁ ଅଧିକ କାଲୁଆ ସହରରେ ପରିଣତ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ମୁଖ୍ୟ ସଦର ମହକୁମା ଫୁଲବାଣୀର ତାପମାତ୍ରା ୪ ଡ଼ିଗ୍ରୀ ସେଲସିଅସ୍ ଥିବା ସମୟରେ ଗୁରୁବାର ଦିନ ଦାରିଙ୍ଗବାଡ଼ି ସହରର ତାପାମତ୍ରା ୩.୫ ଡ଼ିଗ୍ରୀ ସେଲସିଅସ୍ ଥିବା ରେକର୍ଡ଼ କରାଯାଇଛି ।
ଭାରତୀୟ ପର୍ଯ୍ୟଟନ ମାନଚିତ୍ରରେ ଦାରିଙ୍ଗବାଡ଼ି ସହର ଓଡ଼ିଶାର କଶ୍ମୀର ଭାବେ ପରିଚିତ । ଶୀତ ଋତୁରେ ଦାରିଙ୍ଗବାଡ଼ିରେ ବରଫ ପଡ଼ବା ସହ ଗଛ, ଲତା, ପାହାଡ଼ ସବୁ ସଫେଦ୍ ଚାଦରରେ ଆଚ୍ଛାଦିତ ହୋଇ ପର୍ଯ୍ୟଟକଙ୍କ ମନରେ କଶ୍ମୀରର ଭ୍ରମ ସୃଷ୍ଟି କରିଥାଏ । ବର୍ଷ ସାରା ଜିଲ୍ଲାକୁ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଜାରି ରହି ଥିଲେ ମଧ୍ୟ ଶୀତ ଋତୁରେ କେବଳ ବରଫପାତର ଅନୁଭବକୁ ସାଉଁଟିବା ପାଇଁ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ସେଠାରେ ଗୋଟିଏ ମାତ୍ର ସରକାରୀ ଅତିଥି ଭବନ ଥିବାରୁ ପର୍ଯ୍ୟଟକ ମାନେ ୪୦ କିମି ଦୂର ବାଲିଗୁଡା ବା ସୁଦୂର ଫଳବାଣୀ ସହରରେ ଅବସ୍ଥାନ କରି ଦାରିଙ୍ଗବାଡିକୁ ବୁଲି ଆସନ୍ତି ।
କନ୍ଧମାଳ ଜିଲ୍ଲା ବ୍ୟତୀତ ସମ୍ବଲପୁର ଜିଲ୍ଲାର ହୀରାକୁଦ, କଳାହାଣ୍ଡି ଜିଲ୍ଲାର ଭାବାନୀପାଟଣା ଓ ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ସହରର ତାପମାତ୍ରା ୧୦ ଡ଼ିଗ୍ରୀ ସେଲସିଅସ୍ ତଳେ ଥିବା ରେକର୍ଡ ହୋଇଛି । ହୀରାକୁଦରେ ତାପମାତ୍ରା ୮.୧ ଡ଼ିଗ୍ରୀ, ଭବାନୀପାଟଣା ଓ ସୁନ୍ଦରଗଡ଼ର ତାପମାତ୍ରା ୮.୫ ଡ଼ିଗ୍ରୀ ରହି ଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୮.୮ ଡ଼ିଗ୍ରୀ, ବଲାଙ୍ଗୀରରେ ୯ ଡ଼ିଗ୍ରୀ, କୋରାପୁଟରେ ୯.୬ ଡ଼ିଗ୍ରୀ ସେଲସିଅସ୍ ରହିଥିବା ଜଣାପଡ଼ିଛି । କଟକ ଓ ଭୁବନେଶ୍ୱର ତାପମାତ୍ରା ୧୧ ଓ ୧୧.୮ ଡ଼ିଗ୍ରୀ ସେଲସିଅସ୍ ରହିଥିବା ସୂଚନା ମଳିଛି । ଆଗାମୀ ୨୪ ଘଂଟା ପର୍ଯ୍ୟନ୍ତ ଶୀତ ଲହରୀ ଲାଗି ରହିବ ଏବଂ ୩୦ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓ ଆ୍ୟନ୍ତରୀଣ ଅଂଚଳରେ ବର୍ଷାର ସମ୍ଭାବନା ସହ ୩ ତାରିଖରୁ ଥଣ୍ଡାର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି ।
ଦାରିଙ୍ଗବାଡ଼ିରେ ଗଛ, ପତ୍ର ବରଫର ଆସ୍ତରଣରେ ନିଜ ସତ୍ତା ହରାଇଛି …ଫଟୋ: ସ୍ମିତାଲି ସ୍ମୃତି ସ୍ନିଗ୍ଧା
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS