ହନିପ୍ରୀତଙ୍କ ୫ କୋଟିକୁ ରାକ୍ଷୀଙ୍କ ୧୦ କୋଟି ଝଟ୍କା !
ହରିଆନାର ଡ଼େରା ସଚ୍ଚା ସୌଦା ଆଶ୍ରମରେ ଏକାଧିକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ହରିଆନାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇ ରୋହତକ ଜେଲରେ ଦଣ୍ଡ ଭୋଗୁ ଥିବା ଡ଼େରା ମୁଖ୍ୟ ବାବା ଗୁରୁମିତ ରାମ ରହିମ ସିଂହଙ୍କ କଥିତ ପାଳିତା କନ୍ୟା ହନିପ୍ରୀତଙ୍କ ବିରୋଧରେ ଅପପ୍ରଚାର କରି ମାନହାନୀ କରିଥିବା ଅଭିଯୋଗରେ ବଲିଉଡ୍ ତାରକା ରାକ୍ଷୀ ସାୱନ୍ତ ଏବେ ୫ କୋଟି ଟଙ୍କାର ମାନହାନୀ ମକଦ୍ଦମାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ବାବା ଗୁରୁମିତଙ୍କ ସହ ହନିପ୍ରୀତଙ୍କ ବାପା-ଝିଅ ସଂପର୍କକୁ ରାକ୍ଷୀ ନିନ୍ଦିତ କରିଥିବା ଅଭିଯୋଗ କରି ହନିପ୍ରୀତଙ୍କ ମା’ ଆଶା ତନେଜା ରାକ୍ଷୀଙ୍କୁ ଏକ ମାନହାନୀ ନୋଟିସ ପଠାଇ ଥିବା ସୂଚନା ମିଳିଛି । ଆଶା ତନେଜାଙ୍କ ପକ୍ଷରୁ ପଂଜାବ ଓ ହରିଆନା ହାଇକୋର୍ଟର ଜଣେ ଓକିଲ ମୋମିନ ମଲିକ ରାକ୍ଷୀଙ୍କୁ ଏହି ନୋଟିସ ପଠାଇବା ସହ ବାବା ରାମ ରହିମ ଗୁରୁମିତ ସିଂହଙ୍କ ସହ ହନିପ୍ରୀତଙ୍କ ସଂପର୍କକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିବା ରାକ୍ଷୀ ଆଶା ଓ ତାଙ୍କ ପରିବାର ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ, ଅଥବା ୫ କୋଟି ଟଙ୍କାର କ୍ଷତିପୂରଣ ଦିଅନ୍ତୁ ବୋଲି ତାଙ୍କ ମହକିଲ ଆଶା ତନେଜା ଚାହୁଁ ଥିବା ସୂଚନା ଦେଇଛନ୍ତି । ତେବେ, ରାକ୍ଷୀ ସାୱନ୍ତ ଏଭଳି କିଛି ନୋଟିସ ପାଇ ନାହାନ୍ତି ବୋଲି କହିବା ସହ ତାଙ୍କୁ ୫ କୋଟିର ‘ଝଟକା’ ଦିଆ ଗଲେ ସେ ମଧ୍ୟ ୧୦କୋଟି ଟଙ୍କାର ମାନହାନୀ ନୋଟିସ ପଠାଇବେ ବୋଲି କହିଛନ୍ତି ।
ଆଶା ତନେଜାଙ୍କ ମାନହାନୀ ନୋଟିସ ସଂପର୍କରେ ରାକ୍ଷୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିବା ଏକ ଜାତୀୟ ସମ୍ବାଦପତ୍ରକୁ ରାକ୍ଷୀ କହିଛନ୍ତି ଯେ, ସେ ଆଶା ତନେଜାଙ୍କ ଆଡୁ କୌଣସି ମାନହାନୀ ନୋଟିସ ପାଇ ନ ଥିଲେ ମଧ୍ୟ ଏହା ଏକ ମାମଲା ନୁହେଁ, ଧମକ ବୋଲି ବିଚାର କରୁଛନ୍ତି । ତାଙ୍କ ସେଲିବ୍ରିଟି ଷ୍ଟାଟସ୍ ରୁ ଫାଇଦା ଉଠାଇବା ସକାଶେ ଏଭଳି ଶସ୍ତା ଉଦ୍ୟମ ହୋଇଥିବା ଅଭିଯୋଗ କରି ରାକ୍ଷୀ କହିଛନ୍ତି, ସେ ହନିପ୍ରୀତଙ୍କ ସଂପର୍କରେ ଯାହା କିଛି ମନ୍ତବ୍ୟ ଦେଇଛନ୍ତି ତାହାର ପ୍ରମାଣ ତାଙ୍କ ପାଖରେ ମହଯୁଦ ଅଛି। ଆବଶ୍ୟକ ପଡିଲେ ସେ ତାହା କୋର୍ଟ ସମ୍ମୁଖରେ ଉପସ୍ଥାପନ କରିବେ । ହନିପ୍ରୀତଙ୍କ ପରିବାର ଏପରି ସ୍ତରକୁ ଖସି ତାଙ୍କୁ ୫ କୋଟି ଟଙ୍କାର ମାନହାନୀସୂଚକ କ୍ଷତିପୂରଣ ନୋଟିସ ଦେଲେ ସେ ମଧ୍ୟ ଏହି ‘ଝଟ୍କା’ ପାଇଁ ୧୦ କୋଟି ଟଙ୍କାର ମାନହାନୀସୂଚକ କ୍ଷତିପୂରଣ ନୋଟିସ ପଠାଇ ପାରିବେ । ହନିପ୍ରୀତ ତାଙ୍କ ପାଇଁ ତ ଜେଲ୍ ଯାଇ ନାହାନ୍ତି (!), ସେ କାହିଁକି କ୍ଷମା ମାଗିବେ (?) ବୋଲି ରାକ୍ଷୀ ପାଲଟା ପ୍ରଶ୍ନ କରିଛନ୍ତି । ହନିପ୍ରୀତ ଯାହା କରିଛନ୍ତି ତାହା ତାଙ୍କ ମା’ ଆଶା ତନେଜା ଜାଣନ୍ତି ନାହିଁ । ସେ ମଧ୍ୟ ବାବା ରାମ ରହିମ ଗୁରୁମିତ ସିଂହଙ୍କ ସହ କୁକର୍ମ କରିବାକୁ ହନିପ୍ରୀତ ପ୍ରବର୍ତାଇ ଥିଲେ । ତେବେ, ଏଥିପାଇଁ ସେ ଥରେ ହେଲେ ପୁଲିସର ଦ୍ୱାରସ୍ଥ ହୋଇ ନାହାନ୍ତି ବୋଲି ରାକ୍ଷୀ ଅଭିଯୋଗ କରଛନ୍ତି । ସେ କହିଛନ୍ତି, ଏବେ ତାଙ୍କ (ରାକ୍ଷୀ) ମା’ ହନିପ୍ରୀତଙ୍କ ମା’ଙ୍କୁ ଚିଠି ଲେଖି ପଚାରିବେ, ସେ କାହିଁକି ତାଙ୍କ ଝିଅକୁ ବ୍ଲାକ୍ମେଲ୍ କରୁଛନ୍ତି । ହନିପ୍ରୀତ ଜେଲ୍ ଯିବା ପରେ କାଂଗାଳ ହୋଇ ସାରି ଥିବାରୁ ହନିଙ୍କ ମା’ ଓ ପରିବାର ତାଙ୍କୁ (ରାକ୍ଷୀ) ସୁଯୋଗ ଭାବେ ବ୍ୟବହାର କରି ପଇସା ଲୁଟିବାକୁ ଚାହୁଁଛନ୍ତି ବୋଲି ରାକ୍ଷୀ ଅଭିଯୋଗ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ବାବା ଗୁରୁମିତ ରାମ ରହିମ ସିଂହ ହନିପ୍ରୀତଙ୍କୁ ତାଙ୍କ ପାଳିତା କନ୍ୟା ବୋଲି ପରିଚିତ କରାି ଆସୁଥିଲେ । ତେବେ, ଦୁହିଁଙ୍କ ମଧ୍ୟରେ ଭିନ୍ନ ସଂପର୍କ ଥିଲା ବୋଲି ରାକ୍ଷୀ ବିଭିନ୍ନ ସମୟରେ ବିଭିନ୍ନ ଚ୍ୟାନେଲର ଲାଇଭ୍ ସୋ’ରେ ଅଭିଯୋଗ କରି ଆସିଛନ୍ତି । ସିବିଆଇ ତଦନ୍ତରେ ମଧ୍ୟ ଏଭଳି ତଥ୍ୟ ଆଲୋକକୁ ଆସିଛି । ରାମ ରହିମଙ୍କୁ ହରିଆନାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦଣ୍ଡବିଧାନ କରିବା ପରେ ହରିଆନାରେ ଦଙ୍ଗା ଭିଆଇ କୋର୍ଟ ପରିସରରୁ ରାମ ରହିମଙ୍କୁ ଖସାଇ ନେବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ହନିପ୍ରୀତଙ୍କୁ (ଦେଶଦ୍ରୋହ ଅଭିଯୋରେ) ଏବେ ଜେଲ୍ ରେ ବିଚାରାଧୀନ ବନ୍ଦୀ ଭାବେ ରଖା ଯାଇଛି । ବାବା ଗୁରୁମିତ ରାମ ରହିମ ସିଂହ ଡ଼େରା ସଚ୍ଚାସୌଦା ଆଶ୍ରମର ମୁଖ୍ୟ ଥିଲେ । ଆଶ୍ରମରେ ରହୁଥିବା ବହୁ ସଂଖ୍ୟକ ନାବାଳିକା ଓ ମହିଳାଙ୍କୁ ସେ ବଳପୂର୍ବକ ଉପୋଭଗ କରିଥିବା ସମୟରେ ହନିପ୍ରୀତ ତାଙ୍କ ମୁଖ୍ୟ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ସିବିଆଇ ତଦନ୍ତରୁ ମଧ୍ୟ ଜଣା ପଡିଥିଲା । ୨୦୧୭ରେ ଦେଶର ବହୁ ବାବା ଏଭଳି କାଣ୍ଡ ପାଇଁ ଚର୍ଚ୍ଚାକୁ ଆସିଥିଲେ । ତେବେ, ଗୁରୁମିତ ରାମ ରହିମଙ୍କ ନାରକୀୟ କାଣ୍ଡ ଦେଶ,ବିଦେଶରେ ଆଲୋଡନ ସୃଷ୍ଟି କରିଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS