ଜୈବିକ ଚାଷର ପ୍ରବକ୍ତା ତିବ୍ବତୀୟ ଶରଣାର୍ଥୀ ସୋନମ ପାରମୋ
ଭୁବନେଶ୍ୱର, ୭ ଜାନୁୟାରୀ: ଗଜପତି ଜିଲ୍ଲାର ଜିରାଙ୍ଗ କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ, ସେଠାରେ ବସବାସ କରୁଥିବା ତିବ୍ବତୀୟ ଶରଣାର୍ଥୀମାନେ କଠିନ ପରିଶ୍ରମି ଏବଂ ଜୈବିକ ଚାଷରେ ଅଗ୍ରଣୀ । ପାହାଡ଼ ତାଡି ମକା, ବାଜରା, ମାଣ୍ଡିଆ ପ୍ରଭୃତି ଚାଷ କରି ଜୀବିକା ନିର୍ବାହ କରନ୍ତି । ରସାୟନିକ ସାର ପ୍ରୟୋଗ ଠାରୁ ବହୁ ଦୂରରେ । ଜୈବିକ ସାର ହିଁ ତାଙ୍କ ଚାଷ କାର୍ଯ୍ୟର ମୂଳ ଉପାଦାନ ବୋଲି କହିଛନ୍ତି ଜିରାଙ୍ଗ କ୍ୟାଂପ୍ ନମ୍ବର -୪ର ବାସିନ୍ଦା ସୋନମ ପାରମୋ । ସୋନମ ନିଜେ ଜୈବିକ ମକା ଓ ମାଣ୍ଡିଆ ଚାଷ ସହ ସଂପୃକ୍ତ । ଉତ୍ପାଦିତ ମକା, ମାଣ୍ଡିଆକୁ ନିଜ ଦୁଇ ଚକିଆ ଯାନରେ ଲଦି ଚାରିରୁ ପାଂଚ କିଲୋ ମିଟର ଯାଆନ୍ତି ଚୁନା କରି ଆଣିବା ପାଇଁ । ଜିରାଙ୍ଗ କ୍ୟାଂପ୍ ନମ୍ବର -୪ର ଘର ନମ୍ବର-୧୦ ଗେଟ୍ ପାଖରେ ଟେବୁଲଟିଏ ପଡିଛି । ତାହା ଉପରେ ମକା ଓ ମାଣ୍ଡିଆ ଗୁଣ୍ଡର ପ୍ୟାକେଟ୍ ଧରି ଅପେକ୍ଷା କରନ୍ତି ଜିରାଙ୍ଗ ବୁଦ୍ଧ ମନ୍ଦିକୁ ଦର୍ଶନ ପାଇଁ ଆସୁଥିବା ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କୁ । ଗେଟ୍ ବାହାରେ ଲାଲି ରଙ୍ଗର ବଡ ବ୍ୟାନର, ଯେଉଁଥିରେ ଲେଖା ହୋଇଛି – ‘ଚନ୍ଦ୍ରଗିରି ଅଂଚଳର ଏକମାତ୍ର ଜୈବିକ କୃଷି ଅନୁଷ୍ଠାନ… ୯ ବର୍ଷ ଧରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଗଠନ ଓ ବିଶ୍ୱ ମାତୃତ୍ୱ ସୁରକ୍ଷାର ପ୍ରୟାସ ଚାଲିଛି … ଜିରାଙ୍ଗର ଏହା ଏକମାତ୍ର ଜୈବିକ କୃଷି ଅନୁଷ୍ଠାନ ।
ଜିରାଙ୍ଗ ବୁଦ୍ଧ ମନ୍ଦିରକୁ ଯିବା ବାଟରେ ବିରାଟ ବିରାଟ ମକା ଭାଡି । ବ୍ୟାନର ଦେଖି ପର୍ଯ୍ୟଟକ ଅଟକି ଯାଆନ୍ତି ସୋନମ ପାରମାଙ୍କ ଘର ପାଖରେ । ଜାଣି ନ ପାରିଲେ, ଯାହାକୁ ପଚାରିଲେ ବି ଆଂଗୁଠି ଦେଖାଇ ଦେବେ ସେହି ଘର ଆଡକୁ । ହସ ହସ ମୁହଁରେ ସୋନମ ଓ ତାଙ୍କ ପରିବାର ସ୍ୱାଗତ କରନ୍ତି ଏବଂ ସଂଭ୍ରମତାର ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦିଅନ୍ତି । ‘ମୋଅନୁଭବ.କମ୍’ ପାଇଁ ଭିଡ଼ିଓ କରୁଥିବା ଦେଖି ସୋନମ ଲାଜେଇ ଯାଇ ଥିଲେ । କହିଥିଲେ, ଭିନିଓ ସାମନାରେ କହିବାକୁ ଲାଜ ଲାଗୁଛି । ତେବେ, ସେ କିଛି ସମୟ ଭିତରେ ସହଜ ହୋଇ କହିଥିଲେ, ସେମାନେ ହେଉଛନ୍ତି ତିବ୍ବତୀୟ ଶରଣାର୍ଥୀ, ୧୯୬୪ ମସିହାରେ ଭାରତ ସରକାର ଏହି ପାହାଡିଆ ଜଙ୍ଗଲ ଅଂଚଳରେ ସେମାନଙ୍କ ଭଳି ସମସ୍ତ ତିବ୍ବତୀୟ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଥିଲେ । ବର୍ତମାନ ୨ ହଜାରରୁ ଅଧିକ ପରିବାର ଚନ୍ଦ୍ରଗିରିରୁ ମହେନ୍ଦ୍ରଗଡ଼ ପର୍ଯ୍ୟନ୍ତ ଅଂଚଳରେ ବସବାସ କରୁଛନ୍ତି । ତାଙ୍କ ବାପା, ମା’ ଏଠାକୁ ଆସିବା ସମୟରେ ଘଂଚ ଜଙ୍ଗଲ ଏବଂ ବାଘ, ଭାଲୁ, ହାତୀଙ୍କ ପ୍ରବଳ ଭୟ ଥିଲା । ରାତିରେ ପରିଶ୍ରା କରିବା ସକାଶେ ବାହାରିବାକୁ ସମସ୍ତେ ଭୟ କରୁଥିଲେ । ଶରଣାର୍ଥୀମାନେ ଜଙ୍ଗଲ କାଟି, ଚାଷବାସ କରି ଜୀବିନ ଜିଇଁବା ଆରମ୍ଭ କରିଥିଲେ । ମକା, ମାଣ୍ଡିଆ ଚାଷ ସହ କୁକୁର ପାଳି ତାହାକୁ ବିକିବା ଏବଂ ଶୀତ ଋତୁରେ ରାଜ୍ୟର ବିଭିନ୍ନ ଅଂଚଳକୁ ଯାଇ ଶୀତ ପୋଷାକ ବିକିବା ସେମାନଙ୍କ ବ୍ୟବସାୟ । ଶୀତ ଦିନରେ ଅଧିକାଂଶ ପରିବାର ବିଛାଇ ହୋଇ ଯାଆନ୍ତି ରାଜ୍ୟ ସାରା ଲୁଧିଆନାରୁ ଆଣି ଥିବା ନୂଆ ନୂଆ ଡ଼ିଜାଇନର ଶୀତ ପୋଷାକ ଧରି । ସିଜିନ୍ ସରିଲେ ପୁନର୍ବାର ଫେରି ଆସନ୍ତି ଘରକୁ ଚାଷବାସ ପାଇଁ ।
ସୋନମ ନଅ ବର୍ଷ ହେଲା ତାଙ୍କର ଏହି ଜୈବିକ ଚାଷ ଏବଂ ମକା, ମାଣ୍ଡିଆ ଚୁନା ବ୍ୟବସାୟ ଚଳାଇଛନ୍ତି । ଚାରି କିମି ଦୂର ଚନ୍ଦ୍ରଗିରି ଯାଇ ମକା, ମାଣ୍ଡିଆ ଚୁନା ପ୍ରସ୍ତୁତ କରି ଆଣନ୍ତି । ତାହା ପ୍ୟାକେଟ୍ କରି ବିକ୍ରି କରନ୍ତି । କେବଳ ମକା ଗୁଣ୍ଡରେ ରୁଟି କଲେ ତାହା ଟାଣ ଲାଗେ । ତେଣୁ, ମକା ଗୁଣ୍ଡରେ ଗହମ ଚୁନା ମିଶାଇ, ଭଲ ଭାବେ ଚକଟି ରୁଟି କଲେ ତାହା ନରମ ରୁହେ । ଖାଇବାକୁ ମଧ୍ୟ ଭଲ ଲାଗେ । ସଂପୂର୍ଣ୍ଣ ଜୈବିକ ପ୍ରଣାଳୀରେ ସେ ମକା ଚାଷ କରୁଥିବାରୁ ତାଙ୍କ ଉତ୍ପାଦନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ମାଣ୍ଡିଆ ମଧ୍ୟ ଜୈବିକ ପ୍ରଣାଳୀରେ ସେ ଉତ୍ପାଦନ କରୁଛନ୍ତି । ତେଣୁ, ତାଙ୍କ ପାଖରୁ ମାଣ୍ଡଆ ଚୁନା କିଣୁ ଥିବା ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସକାଳୁ ଉଠିଲେ ତାଙ୍କ ପରିବାର ମାଣ୍ଡିଆ ସୁପ୍ ବା ମାଣ୍ଡିଆ ତୋମ୍ବା (ସେମାନଙ୍କ ଭାଷାରେ) ପିଇ ଦିନଚର୍ଯ୍ୟା ଆରମ୍ଭ କରନ୍ତି । ଏଥିସକାଶେ ପନି ପରିବାରର ଆବଶ୍ୟକତା ନାହିଁ । ମାଣ୍ଡିଆ ଚୁନା ସୁପ୍ ସହ ନାଲି ମରିଚ, ପିଆଜ, ଦହି ଥିଲେ ଯଥେଷ୍ଟ । ମକା ଗୁଣ୍ଡ ମଧ୍ୟ ସେମାନଙ୍କ ଦୈନିକ ଖାଦ୍ୟ । ତେଲ ଗରମ କରି ସେଥିରେ ପିଆଜ, ରସୁଣ, ଟମାଟୋ ଭଲ ଭାବେ ଭାଜି ଦିଅନ୍ତି । ସେଥିରେ ମକା ଗୁଣ୍ଡ ପକାଇ କଂଚା ଅଣ୍ଡାର କେଶର ଢାଲନ୍ତି । ମାଣ୍ଡିଆ ତୋମ୍ବା ଭଳି ଏହା ମଧ୍ୟ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ମାଣ୍ଡିଆ ତୋମ୍ବା ସେମାନଙ୍କ ସକାଳ ଖାଦ୍ୟ ହୋଇ ଥିବା ବେଳେ ମକା ଚୁନାରେ ପ୍ରସ୍ତୁତ ଖାଦ୍ୟ ମୁଖ୍ୟ ଖାଦ୍ୟ । ଏସବୁ ତୁରନ୍ତ ପ୍ରସ୍ତୁତ ହୋଇପାରୁ ଥିବା ଫାଷ୍ଟ୍ ଫୁଡ୍, ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟପ୍ରଦ । ମାଣ୍ଡିଆ ଚୁନା ମଧୁମେହ ନିୟନ୍ତ୍ରଣ କରେ । ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ତାହା ବିଶେଷ ଉପକାରୀ ବୋଲି ସୋନମ୍ କହିଛନ୍ତି । ପେଟରେ ଗ୍ୟାସ୍ ହେଉ ଥିଲେ ତାହାର ନିରାକରଣ ପାଇଁ ମାଣ୍ଡିଆ ଚୁନା ଏକ ଅବ୍ୟର୍ଥ ଓøଷଧ ବୋଲି ସେ କହିଛନ୍ତି ।
ରିପୋର୍ଟ: ପ୍ରସାଦ ରାଓ / ସାକ୍ଷାତକାର: ଅଭିପସା ପୁଜାରୀ
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS