ସଂଯମତା ଓ ଶୃଙ୍ଖଳା ହିଁ ବାସ୍ତବ ଧର୍ମ : ବାବା ବଳିଆ
ରାଉରକେଲା,୧୫ ଫେବୃୟାରୀ (ମୋ ଅନୁଭବ): ସଂଯମତା ଓ ଶୃଙ୍ଖଳା ହିଁ ବାସ୍ତବ ଧର୍ମ ଏବଂ ଭାରତୀୟ ସଂସ୍କୃତି କ୍ରମଶଃ ବୈଦିକ ଧର୍ମ ପରମ୍ପରା ଠାରୁ ଦୁରେଇ ଯିବା ସହ ଅଧୋଃପତନ ଆଡକୁ ଅଗ୍ରସର ହେଉଛି । ସମାଜରେ ଦଣ୍ଡ ବ୍ୟବସ୍ଥା ଭାଙ୍ଗି ଯାଇଥିବା ବେଳେ ଆମେ ଅନେକ କୁସଂସ୍କାରକୁ ଧର୍ମ ଭିତରେ ପୁରେଇ ଥିବାରୁ ହିନ୍ଦୁ ଧର୍ମ ତାର ବୈଶିଷ୍ଟ୍ୟ ହରାଇବାରେ ଲାଗିଛି ବୋଲି ଶିଶୁ ଅନନ୍ତ ଆଶ୍ରମର ପ୍ରତିଷ୍ଠାତା ବାବା ବଳିଆ ସେକ୍ଟର-୬ ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ତିନି ଦିନିଆ ହରି କଥା ଆଲୋଚନା କାର୍ଯ୍ୟକ୍ରମରେ ପ୍ରବଚକ ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ ପରିବେଶ ସୁରକ୍ଷା, ମହାନଦୀ ଜଳ ବିବାଦ, ଓଡିଆ ଭାଷାର ସୁରକ୍ଷା ଏବଂ ବିବାଦୀୟ ବାବା ମାନଙ୍କ ସଂପର୍କରେ ଅନେକ ଉଦାହରଣ ଦେଇ ‘ଆମ ଜାତୀୟତା କ୍ରମଶଃ ଦୁର୍ବଳ ହେବା ସହ ଗଣତନ୍ତ୍ର ପହସନରେ ପରିଣତ ହୋଇଛି’ ବୋଲି ସେ ମତ ଦେଇଥିଲେ । ନେତା ମାନଙ୍କୁ ବଡ ବଡ ଫୁଲମାଳ ଦେବା ବ୍ୟବସ୍ଥାକୁ କଟାକ୍ଷ କରି ବାବା ବଳିଆ କହିଲେ, ଆମେ ସୁନ୍ଦର ଫୁଲକୁ ଅପାତ୍ରରେ ଦାନ କରି ପୃଥିବୀରେ ଅଙ୍ଗାରକାମ୍ଳ ବୃଦ୍ଧି କରିବା ସହ ମହୁମାଛି ଆହରଣ କରିବାକୁ ଥିବା ମଧୁକୁ ମଧ୍ୟ ନଷ୍ଟ କରୁଛେ ।
ସେ ପ୍ରଥମ ଦିବସ ବା ଅଧିବାସ ଦିବସରେ ଭାଗବତ ଗୀତା, ଦ୍ୱିତୀୟ ଦିବସରେ ହିରଣ୍ୟ କଶ୍ୟପୁ-ପ୍ରହଲ୍ଳାଦ ଚରିତ୍ରରୁ ହରି କଥାର ସ୍ମରଣ କରିବା ସହ ଉଦ୍ୟାପନୀ ଦିବସରେ ଶିବ ପୁରାଣ ସହ ହରି କଥାର ଆଲୋଚନା କରିଥିଲେ । ଏହି ଅବସରରେ ସମାଜରେ ଘଟୁଥିବା ବିଭିନ୍ନ ଦୁର୍ଘଟଣା ଲାଗି ସେ ମଣିଷ ସମାଜକୁ ଦାୟି କରି କହିଲେ, ମଣିଷ କେବଳ ଭଗବାନ ବା ବିଭିନ୍ନ ମହାପୁରୁଷଙ୍କୁ ଆଦର୍ଶ କହି ପୂଜା କରୁଥିବା ବେଳେ ସେମାନଙ୍କ ଆଦର୍ଶକୁ ଗ୍ରହଣ ନ କରି କେବଳ ଅଭିନୟରେ ବ୍ୟସ୍ତ ରହୁ ଥିବାରୁ ଏଭଳି ସବୁ ଘଟୁଛି । ସୁନ୍ଦରଗଡ଼ର ସୁନ୍ଦର ଆଦିବାସୀ ସଂସ୍କୃତିର ଅବତାରଣା କରି ସେ କହିଲେ, ପ୍ରାଚୀନ ଆଦିବାସୀ ସଂସ୍କୃତି ମଧ୍ୟ କ୍ରମଶଃ ବିପଥଗାମୀ ହେଉଛି । ଅଦିବାସୀ ମାନଙ୍କ ପୂଜ୍ୟ ମାରାଙ୍ଗ ଗୁରୁ, ହନୁମାନ, ଶିବ ଓ ରାମ – ସମସ୍ତେ ସମାନ ବୋଲି ଉଲ୍ଲେଖ କରି ସେ ସବୁ ଧର୍ମ, ମତ ମଧ୍ୟରେ ଥିବା ସାମଂଜସ୍ୟର ଅବତାରଣା କରିଥିଲେ । ଶିବରାତ୍ରୀ ଅବସରରେ ଆୟୋଜିତ ଏହି ତିନି ଦିନିଆ କାର୍ଯ୍ୟକ୍ରମକୁ ପ୍ରଥମ ଦିବସ ସମାବେଶକୁ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭାତ ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଦ୍ୱିତୀୟ ଦିବସରେ ‘ଉକôଳମେଲ୍’ ସଂପାଦକ ପିତବାସ ମିଶ୍ର ଉଦ୍ଘାଟକ ଭାବେ ଯୋଗଦେଇ ହରିକଥାର ପଷ୍ଠଭୂମି ସଂପର୍କରେ ସାମ୍ୟକ୍ ମତ ରଖିଥିଲେ । ଆଖଣ୍ଡଳମଣି କମିଟିର ସଭାପତି ବୈଷ୍ଣବ ଚରଣ ତ୍ରିପାଠୀଙ୍କ ସମେତ ସମସ୍ତ ସଦସ୍ୟ ଏହାର ପରିଚାଳନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS