ବିଜେପୁର ଭୋଟ, ମୁଖ୍ୟମନ୍ତ୍ରୀଙ୍କୁ ଯୋତା ଫିଙ୍ଗା ବଦଳାଇ ଦେଇଛି ପରିସ୍ଥିତି
ଭୁବନେଶ୍ୱର, ୨୨ ଫେବୃୟାରୀ: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ଶ୍ରୀମତୀ ରୀତା ସାହୁଙ୍କୁ ୨୪ ତାରିଖ ହେଉଥିବା ଉପ ନିର୍ବାଚନରେ ବିଜେଡ଼ିରୁ ପ୍ରାର୍ଥୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ବାଜି ଜିତି ଥିଲେ । ଏବେ ଦ୍ୱିତୀୟ ବାଜି ଜିତିଛନ୍ତି ବରପାଲି ବ୍ଲକର କୁମ୍ଭାରୀ ଗାଁରେ ୨୦ ତାରିଖ ଦିନ ତାଙ୍କ ଉପରେ ହୋଇଥିବା ଯୋତା ଫିଙ୍ଗା ଘଟଣା ପରେ । କାର୍ତିକ ମେହେର ନାମକ ଯୁବକ ତାଙ୍କ ଉପରକୁ ଫିଙ୍ଗି ଥିବା ଦୁଇ ପଟ ଯୋତା ତାଙ୍କୁ ବାଜି ନାହିଁ । ତାଙ୍କ ଦେହରକ୍ଷୀ ଢାଲ ହୋଇ ଝପଟି ନେଇ ଥିଲେ ଯୋତା ଦୁଇଟି ଏବଂ ଯୋତା ବାଜିବାରୁ ତାଙ୍କୁ ବଂଚାଇ ଦେଇ ଥିଲେ । ତେବେ, ଏହି ଯୋତା ଫିଙ୍ଗା ଘଟଣାରେ ଗଭୀର ଭାବେ ମର୍ମାହତ ହୋଇ ବିଜେପୁରବାସୀ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ପଡି ଥିବା ଘଟଣା ବିଜେଡ଼ି ଶିବିରକୁ ଉତ୍ସାହିତ କରିଛି। ଭୋଟରଙ୍କ ଏହି ପରିବର୍ତିତ ମତିଗତି ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ବିଜେପୁର ଗସ୍ତ ଅବସରରେ ସଭା, ଶୋଭାଯାତ୍ରାରେ ଭିଡ଼ ଓ ଜନସାଧାରଣଙ୍କ ଆଡୁ ମିଳି ଥିବା ସଂବର୍ଦ୍ଧନାରୁ ।
ବିଜେପୁର ବିଧାନସଭା ଉପ ନିର୍ବାଚନ ପ୍ରଚାରରେ ଶାସକ ବିଜେଡ଼ିକୁ କଡା ଟକ୍କର ଦେଉଥିବା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଯୋତା ଫିଙ୍ଗା ଘଟଣା ପରେ ବଦଳି ଯାଇଥିବା ଭୋଟରଙ୍କ ମୁଡ୍ ଦେଖି ଚିନ୍ତାରେ । ଯୋତା ଫିଙ୍ଗା ସହ ବିଜେପିର ସଂପର୍କ ନାହିଁ କହି ଓଡ଼ିଶାରେ ଦଳର ମୋର୍ଚ୍ଚା ସମ୍ଭାଳୁ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ଠାରୁ ଆରମ୍ଭ କରି ଅନ୍ୟ ନେତାମାନେ କ୍ଷତି ଭରଣା ଉଦ୍ୟମ କରୁଥିଲେ ମଧ୍ୟ କେହି ତାହା ବିଶ୍ୱାସ କରିବା ଅବସ୍ଥାରେ ନାହାନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ଏକ ସଭାରେ (ବିଜେପୁର ନିର୍ବାଚନ ମଣ୍ଡଳୀରେ ନୁହେଁ) ଅଣ୍ଡାମାଡ କରି ନିସ୍ତୁକ ମାଡ ଖାଇ ଥିବା ଜଣେ ବିଜେପି ମହିଳା କର୍ମୀ ଏବେ ବିଜେପୁର ଉପ ନିର୍ବାଚନରେ ବିଜେପିର ପ୍ରଚାର କାର୍ଯ୍ୟରେ ନିୟୋଜିତ ଥିବାରୁ ଯୋତା ମାଡ କରିଥିବା ଯୁବକ ଜଣକ ବିଜେପିର ନୁହେଁ କହିଲେ କିଏ ବା ବିଶ୍ୱାସ କରିବ? ସଂପୃକ୍ତ ମହିଳାଙ୍କୁ ଗୁରୁତର ଆହତ ଅବସ୍ଥାରେ ପୁଲିସ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରିବା ପରେ ଜେଲ ପଠାଇ ଥିଲେ । ପରେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ମହିଳାଙ୍କ ବିରୋଧରେ ମାମଲା ଉଠାଇ ନେବାକୁ ପୁଲିସକୁ ନିଦେ୍ର୍ଦଶ ଦେଇ ନିଜର ଦୟାଶୀଳତା ଦେଖାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଯୋତା ଫିଙ୍ଗି ଥିବା ଯୁବକ ମାନସିକ ଦୃଷ୍ଟିରୁ ସୁସ୍ଥ ଏବଂ ତାଙ୍କ ନିକଟରୁ ବିଜେପି ପତାକା ଜବତ ହୋଇଛି ବୋଲି ୨୦ ତାରିଖ ପୁଲିସ ସୂଚନା ଦେଇ ଥିବା ବେଳେ ୨୧ ତାରିଖ ମତ ବଦଳାଇ ଯୁବକଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ, ସେ କେଉଁ ଦଳ ସହ ସଂପୃକ୍ତ କହି ହେବ ନାହିଁ ବୋଲି କହିବା ତଥ୍ୟାଭିଜ୍ଞ ମହଲକୁ ଆଚମ୍ବିତ କରିଛି । ଗୋଟିଏ ପରେ ରାଜ୍ୟ ସରକାର ଓ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଚାପରେ ପେଶି ହୋଇ ରାଜ୍ୟ ପୁଲିସ ଏଭଳି ବାଉଳାଚାଉଳା ହେଉଥିବା ଅନୁମାନ କରାଯାଉଛି ।
ତେବେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ଯୋତା ଫିଙ୍ଗାକୁ ୨୦ ତାରିଖ ରାଜ୍ୟର ସବୁ ରାଜନୈତିକ ଦଳ ନିନ୍ଦା କରିଛନ୍ତି । ବିଜେପୁର ଉପ ନିର୍ବାଚନରେ ଶାସକ ବିଜେଡ଼ିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି ନିଜକୁ ଦାବି କରୁଥିବା ବିଜେପି ତ ବାଧ୍ୟବାଧକତାରେ ହେଉ ପଛେ ଘଟଣାର ନିନ୍ଦା କରିବାକୁ ପଛାଇ ନାହିଁ । ରାଜ୍ୟ କଂଗ୍ରେସ ନେତାମାନେ ମଧ୍ୟ ବିବୃତି ଦେଇ ଏଭଳି ରାଜନୈତିକ ହିଂସା ନିନ୍ଦନୀୟ ବୋଲି କହିଛନ୍ତି । ୨୦ ତାରିଖ ଘଟଣା ପରେ ପୁଲିସ ବିଜେପିର ବିଜେପୁର ପ୍ରାର୍ଥୀ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କ ପ୍ରରୋଚନାରେ କାର୍ତିକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଯୋତା ଫିଙ୍ଗି ଥିଲା ବୋଲି ସୂଚନା ଦେଇଥିଲା । ୨୧ ତାରିଖ ପରିବର୍ତିତ ପରିସ୍ଥିତିରେ ପୁଲିସର ପଇଁତରା ବଦଳୁଛି କି ନାହିଁ ଦେଖିବା ସକାଶେ ଉତ୍ସୁକତା ବଢୁଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମଧ୍ୟ ଯୋତା ଫିଙ୍ଗା ଘଟଣା ପରେ ମିଳି ଥିବା ସହାନୁଭୂତିରୁ ତୁରନ୍ତ ଫାଇଦା ଉଠାଇବା ମୌକାକୁ ହାତଛଡା କରି ନାହାନ୍ତି । ତାଙ୍କ ସଭା ଓ ଶୋଭାଯାତ୍ରରେ ଭିଡ଼କୁ ଦେଖି ସେ ବିଜେପୁରବାସୀଙ୍କୁ ଆପଣେଇବାକୁ ରୀତା ବିଧାୟିକା ନିର୍ବାଚିତ ହେଲେ ବି ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ଉନ୍ନୟନ ଦାୟିତ୍ୱ ସେ ନିଜେ ମୁଣ୍ଡାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବରଗଡ଼ ଜିଲ୍ଲା ପୁଲିସ ନିକଟରେ ଗୋଟିଏ କାର ଓ ବାଇକ୍ କୁ ଯାଂଚ କରି ୪୫ ଲକ୍ଷ ଟଙ୍କା ଜବତ କରିଥିଲେ । ଏହି ଟଙ୍କା ବିଜେପୁର ଉପ ନିର୍ବାଚନରେ ବଂଟା ହେବାକୁ ଯାଉଥିବା ଅଭିଯୋଗ ହୋଇଥିଲା । ପୁଲିସ ଟଙ୍କା ସହ ଯେଉଁ ବାପ, ପୁଅଙ୍କୁ ଗିରଫ କରିଛନ୍ତି ସେମାନେ ବିଜେପି ସହ ସଂପୃକ୍ତ ବୋଲି ଅଭିଯୋଗ ହୋଇଛି । ପୁଲିସ ସେମାନଙ୍କୁ ଜେଲ୍ ହାଜତକୁ ପଠାଇଛି । ଜବତ ଟଙ୍କାକୁ ନେଇ ବିଜେଡ଼ି-ବିଜେପି ମଧ୍ୟରେ କାଦୁଅ ପିଙ୍ଗା ଅବ୍ୟାହତ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଯୋତା ଫିଙ୍ଗା ବିଜେପି ବିରୋଧରେ ‘ମାଷ୍ଟର ଷ୍ଟ୍ରୋକ୍’ ବୋଲି ଏବେ ଚର୍ଚ୍ଚା ହେଉଛି । ୨୧ ତାରିଖ ବିଜେଡ଼ି ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଯୋତା ଫିଙ୍ଗା ଘଟଣାର ତଦନ୍ତ ଦାବି କରି ଥିଲେ । ବିଜେପୁର ଉପ ନିର୍ବାଚନରେ ବିଜେପି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରୁଥିବା ଶାସକ ବିଜେଡ଼ି ଆଡୁ ଅଭିଯୋଗ ହୋଇଥିଲା । ସିିଇସି ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସିଇସିଙ୍କ ପକ୍ଷରୁ ଘଟଣାର ନିନ୍ଦା କରା ଯାଇଛି । ଏହା ନିର୍ବାଚନ ପ୍ରଚାରରେ ଥିବା ବିଜେଡ଼ିି କର୍ମୀଙ୍କ ମନୋବଳ ବଢାଇ ଥିବା ବେଳେ ଉପ ନିର୍ବାଚନରେ ବିଜୟ ସମ୍ଭାବନାକୁ ନେଇ ବିଜେପି ଅଧିକ ଆଶଂକିତ ହୋଇ ପଡିଛି । ୨୪ ତାରିଖ ଏହି ଉପ ନିର୍ବାଚନ ପାଇଁ ଭୋଟ ହେବ ଏବଂ ୨୮ ତାରଖ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ବିଜେପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ପ୍ରଣୟ ସାହୁ । ୨୦୦୪ରୁ ଲଗାତର ତିନି ଥର କଂଗ୍ରେସ ଏହି ଆସନରୁ ବିଜୟୀ ହୋଇ ଥିବାରୁ ଚତୁର୍ଥ ଥର ପାଇଁ ବିଜୟର ଆଶା ଛାଡିନି । ଉପ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଥିବା ରୀତା ସାହୁଙ୍କ ପତି ସୁବଳ ସାହୁ ୨୦୧୭ ଅଗଷ୍ଟ ପର୍ଯ୍ୟନ୍ତ ବିଜେପୁର ବିଧାୟକ ଥିଲେ । ତାଙ୍କ ଅକାଳ ମୃତ୍ୟୁ ଯୋଗୁ ଏହି ଉପ ନିର୍ବାଚନ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS