ବିଜେପୁର ବିଧାନସଭା ଉପ ନିର୍ବାଚନ ଭୋଟ ଆଜି
ଭୁବନେଶ୍ୱର, ୨୪ ଫେବୃୟାରୀ: ଓଡ଼ିଶାର ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନ ପାଇଁ ଶନିବାର ଭୋଟ ଗ୍ରହଣ ହେବାକୁ ଯାଉଛି । ଏହି ନିର୍ବାଚନ ମଣ୍ଡଳୀର ୨. ୮୧ ଲକ୍ଷ ଭୋଟର ୨୮୧ଟି ବୁଥ୍ ରେ ଶନିବାର ଭୋଟ ଦାନ କରିବେ । ୧୫୫ଟି ବୁଥ୍ ଅତ୍ୟନ୍ତ ସ୍ପର୍ଶକାତର ଥିବା ଚିହ୍ନଟ ହୋଇଛି । କିଛି ଦିନ ହେଲା ସମଗ୍ର ନିର୍ବାଚନ ମଣ୍ଡଳୀର ବାତାବରଣ ଉତ୍ତେଜନାପୂର୍ଣ୍ଣ ଥିବାରୁ ଶୃଙ୍ଖଳିତ ଭାବେ ନିର୍ବାଚନ ପରିଚାଳନା ପାଇଁ ୫ କଂପାନୀ କେନ୍ଦ୍ରୀୟ ବାହିନୀ ଓ ୩୬ ପ୍ଲାଟୁନ ଓଡ଼ିଶା ପୁଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି । ମୋଟ ୧୨ଟି ସ୍କ୍ୱାଡ ଭୋଟ ଗ୍ରହଣ ଉପରେ ନଜର ରଖିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
ଗତ ବର୍ଷ ଅଗଷ୍ଟ ମାସରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହେବାରୁ ଖାଲି ପଡିଥିବା ବିଜେପୁର ବିଧାନସଭା ଆସନ ପାଇଁ ଏହି ଉପ ନିର୍ବାଚନ ହେଉଛି । ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ଉପ ନିର୍ବାଚନରେ ଶାସକ ବିଜେଡ଼ିରୁ ପ୍ରାର୍ଥୀ ଥିବା ବେଳେ ବିଜେପି ମଧ୍ୟ ବିଜେଡ଼ିରୁ ଡ଼ିଆଁ ମାରି ଦଳକୁ ଆସି ଥିବା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରି ବିଜେଡ଼ି ସହ ମୁକାବିଲା କରୁଛି । ୨୦୦୪ରୁ ଲଗାତର ଭାବେ ତିନି ଥର ବିଜେପୁର ବିଧାନସଭା ଆସନକୁ ନିଜ ଦଖଲକୁ ନେଇ ଥିବା କଂଗ୍ରେସ ଦଳ ୨୦୧୮ ଉପ ନିର୍ବାଚନରେ ସାମାନ୍ୟ ଦୁର୍ବଳ ମନେ ହେଉ ଥିଲେ ବି ଅଂଚଳର ନେତା ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରି ଭାଗ୍ୟ ପରୀକ୍ଷା କରୁଛି । ନିର୍ବାଚନ ମଇଦାନରେ ମୋଟ ୧୩ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ମୁଖ୍ୟତଃ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟର ଏହି ପ୍ରତିଦ୍ୱନ୍ଦିତା ହେଉଥିବା ଦେଖିବାକୁ ମିଳୁଛି ।
୨୦୧୭ ପଂଚାୟତ ନିର୍ବାଚନରେ ବିଜେପୁର ନିର୍ବାଚନ ମଂଡଳୀରେ ବିଜେପି ଶାସକ ବିଜେଡ଼ିକୁ ମାତ୍ ଦେଇ ଭଲ ଫଳାଫଳ କରି ଥିବାରୁ ବିଧାନସଭା ଉପ ନିର୍ବାଚନରେ ମଧ୍ୟ ତାହା ଦୋହରାଇବାର ପ୍ରୟାସ କରୁଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ନିର୍ବାଚନ ପ୍ରଚାର ମଙ୍ଗ ଧରି ଥିଲେ । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ଏକାଧିକ କେନ୍ଦ୍ର ମନ୍ତ୍ରୀ ବିଜେପୁର ଆସି ବିଜେପି ପ୍ରାର୍ଥୀ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରି ଫେରିଛନ୍ତି । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଥିଲେ ଶାସକ ଦଳର ଷ୍ଟାର ପ୍ରଚାରକ । ଫେବୃୟାରୀ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ତାଙ୍କ ପ୍ରଚାର କାର୍ଯ୍ୟକ୍ରମ ଥିଲା ଘଟଣାବହୁଳ । ୨୦ ତାରିଖର କୁମ୍ଭରୀ ଗାଁ ନିର୍ବାଚନ ସଭାରେ ତାଙ୍କ ଉପରେ ଜଣେ ଆରଏସଏସ କର୍ମୀ ଯୋତା ମାଡ କରିବା ଘଟଣାାକୁ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରିଛନ୍ତି । ଏହାକୁ ନେଇ ରାଜନୀତି ସରଗରମ ରହିଛି । ତେବେ, ମୁଖ୍ୟମନ୍ତ୍ରୀ ଏସଂପର୍କରେ କୌଣସି ମନ୍ତବ୍ୟ ନ ଦେଇ ନୀରବ ରହିବା ସମସ୍ତଙ୍କୁ ଆଚମ୍ବିତ କରିଛି । ନିର୍ବାଚନ ପ୍ରଚାର ସମୟରେ ବିଜେପି ଚାପରେ ବରଗଡ ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କୁ ନିର୍ବାଚନ କମିସନ ବଦଳି କଲେ । ଜଣେ ତଳିଆ ପୁଲିସ ଅଧିକାରୀଙ୍କୁ ମଧ୍ୟ ନିକଟରେ ବଦଳି କରାଯାଇଛି । ଶାସକ ଦଳର ମନ୍ତ୍ରୀ ସୁଶାଂନ୍ତ ସିଂହ ନିର୍ବାଚନ ମଂଡଳୀରେ ଆତଙ୍କରାଜ ଚଳାଇଛନ୍ତି ବୋଲି ବିଜେପି ଅଭିଯୋଗ କରି ତାଙ୍କୁ ତଡ଼ିପାର୍ କରିବାକୁ ଦାବି କରିଥିବା ବେଳେ ମନ୍ତ୍ରୀଙ୍କ ଭାଇ ସୁବ୍ରତ ସିଂହଙ୍କ ଉପରେ ଗୁରୁବାର ରାତିରେ ଗୁଳି ମାଡ ଓ ଆକ୍ରମଣ ହେବା ଅଭିଯୋଗ ପରିବେଶକୁ ଅଧିକ ସରଗରମ କରିଛି । ଶାସକ ବିଜେଡ଼ି ଓ ବିଜେପି ମଧ୍ୟରେ ଏଭଳି ଘୃଣାର ରାଜନୀତି ପୂର୍ବ ସବୁ ନିର୍ବାଚନକୁ ଟପି ଯାଇଛି ବୋଳି ଆଲୋଚନା ହେଉଛି । ତେଣୁ, ଶୃଙ୍ଖଳିତ ଭାବେ ଭୋଟ ଗ୍ରହଣ କାର୍ଯ୍ୟ ସାରିବା ଜିଲ୍ଲାର ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଂଜ ହୋଇଥିବା ଜରାପଡିଛି ।
ତେବେ, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ନିର୍ବାଚନ ପ୍ରଚାର ବିଜେଡ଼ି, ବିଜେପି ଭଳି ହାଇ ପ୍ରୋଫାଇଲ୍ ନ ଥିଲା । ପ୍ରାର୍ଥୀ ଓ ଦଳର ରାଜ୍ୟସ୍ତର ନେତାମାନେ ବଳଦ ଗାଡିରେ ବସି ନିର୍ବାଚନ ପ୍ରଚାର କରିବା ନିଆରା ଥିଲା । ଦଳର ଅଧିକାଂଶ ରାଜ୍ୟସ୍ତର ନେତା ନିଜ ଭିତରେ ଥିବା ମନାନ୍ତର ଭୁଲି ମିଳିତ ଭାବେ ସାହୁଙ୍କ ପାଇଁ ପ୍ରଚାର କରିବା ମାଧ୍ୟମରେ ଏକ ସକାରାତ୍ମକ ବାର୍ତା ଦେଇଛନ୍ତି । ସାହୁ ନିଜକୁ ‘ମାଟିର ପୁଅ’ ଭାବେ ଉପସ୍ଥାପିତ କରି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି । ୨୮ ତାରିଖ ଏହି ଉପ ନିର୍ବାଚନର ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଗୋଟିଏ ପଟେ କଂଗ୍ରେସର ‘ମାଟିପୁୁଅ’ଏବଂ ଅନ୍ୟପଟେ ବିଜେପି ଓ ବିଜେଡ଼ିର ହାଇ-ପ୍ରୋଫାଇଲ୍ ପ୍ରଚାର, ସରକାରୀ ଦଳର ହାକିମ ସର୍ବସ୍ୱ କୂଟନୀତି ଏବଂ ‘ବିକାଶ’ର ଧୂଆଁବାଣ । ଭୋଟର କାହାକୁ ଆପଣେଇବେ ଓ କାହାକୁ ଛାଡିବେ ତାହା ଫଳାଫଳ ପ୍ରକାଶ ପାଇଲେ ହିଁ ଜଣାପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS