ଛତିଶଗଡ଼ରେ ମାଓବାଦୀଙ୍କ ସଂହାରଲୀଳା, ୯ ସିଆରପିଏଫ ଯବାନ ମୃତ
ସୁକମା (ଛତିଶଗଡ଼), ୧୪ ମାର୍ଚ୍ଚ: ଛତିଶଗଡ଼ର ସୁକମା ଜିଲ୍ଲାରେ ମଙ୍ଗଳବାର ଅପରାହ୍ନରେ ମାଓବାଦୀମାନେ ଏକ ଶକ୍ତିଶାଳୀ ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣ ଘଟାଇ ସିଆରପିଏଫ ଯବାନଙ୍କୁ ନେଇ ଯାଉଥିବା ଏକ ମାଇନ୍ ପ୍ରୋଟେକ୍ଟିଭ ଭେଇକିଲ୍ (ଏମପିଭି)କୁ ଉଡାଇ ଦେଇଛନ୍ତି । ଫଳରେ, ଏହି ଅତ୍ୟାଧୁନିକ ଏମପିଭି ଚୁରମାର ହୋଇଯିବା ସହ ୯ ଜଣ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି । ଆଉ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଥିବା ସୂଚନା ମିଳିଛି ।
ଏହି ଯବାନମାନେ କିସ୍ତାରାମରୁ ସୁକମାର ପାଲେଡି କ୍ୟାଂପ୍ କୁ ଯାଉଥିବା ବେଳେ ନକ୍ସଲ ଆକ୍ରମଣର ସମ୍ମୁଖୀନ ହୋଇଥିଲେ । ମାଓବାଦୀମାନେ ଅତ୍ୟାଧୁନିକ ଏମପିଭିକୁ ବିସ୍ଫୋରଣ ଘଟାଇ ଉଡାଇ ଦେଇଥିବା ଚିନ୍ତାର ବିଷୟ ହୋଇଛି । ଏହି ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣ ହେବାର କିଛି ସମୟ ପୂର୍ବରୁ ସୁକମା ଏସପି ଅଭିଷେକ ମୀନା ସେହି ରାସ୍ତା ଅତିକ୍ରମ କରିଥିଲେ । ଅଭିଷେକ ନକ୍ସଲଙ୍କ ଟାର୍ଗେଟ୍ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ସିପିଆଇ (ମାଓବାଦୀ) ସଂଗଠନ ପ୍ରତି ବର୍ଷ ମାର୍ଚ୍ଚରୁ ଜୁନ୍ ମଧ୍ୟରେ ନିରାପତ୍ତା ବାହିନୀ ବିରୋଧରେ କାଉଂଟର ଅଫେନ୍ସିଭ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ନିରାପତ୍ତା ବାହିନୀର ସର୍ବାଧିକ କ୍ଷତି ଘଟାଇବା ହେଉଛି ଏହି ଆକ୍ରମଣର ଉଦେ୍ଦଶ୍ୟ । ମଙ୍ଗଳବାର ଘଟଣା ବି ନିରାପତ୍ତା ବାହିନୀ ବିରୋଧରେ ନକ୍ସଲଙ୍କ କାଉଂଟର ଅଫେନ୍ସିଭ ଆକ୍ରମଣ ଥିଲା ବୋଲି ଅନୁମାନ କରାଯାଉଛି । ଯବାନଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ ହେବା ପରେ ସିଆରପିଏଫ ମୁଖ୍ୟ ଆର ଆର ଭାଟ୍ଟନଗର ଛତିଶଗଡ଼ରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଭାଟ୍ଟନଗର କହିଛନ୍ତି ଯେ, ସୁକମା ଏସପି ଅଭିଷେକ ମୀନା ପାଲୋଡି କ୍ୟାଂପ୍ ଗସ୍ତ କରିବା କାର୍ଯ୍ୟକ୍ରମ ଥିଲା । ତାଙ୍କ ଗସ୍ତ ପୂର୍ବରୁ ସିଆରପିଏଫ କୋବ୍ରା ୟୁନିଟର ପ୍ରାୟ ଅଧ ଡଜନ ଯବାନ ଆଗୁଆ ଦଳ ଭାବେ ସକାଳ ୮ଟାରେ ପାଦରେ ଓ ମଟର ସାଇକଲରେ ଏହି ରାସ୍ତା ଅତିକ୍ରମ କରିଥିଲେ । ମାଓବାଦୀ ମାନେ ଏହି ଆଗୁଆ ଦଳ ମଧ୍ୟରୁ କେତେକଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ ମଧ୍ୟ ପାଲଟା ଗୁଳି ଚାଳନା ହେବାରୁ ଦୌଡ଼ି ପଳାଇ ଥିଲେ । ଏସପିଙ୍କ ଗାଡି ଦୁଇଟି ମାଇନ୍ ପ୍ରୋଟେକ୍ଟିଭ ଭେଇକିଲ (ଏମପିଭି) ସହ ଦିନ ସାଢେ ୧୨ଟାରେ ଏହି ରାସ୍ତା ଅତିକ୍ରମ କରୁଥିଲା । ଏସପିଙ୍କ ଗାଡି ଓ ପ୍ରଥମ ଏମପିଭି ବିନା ବାଧାରେ ଘଟଣାସ୍ଥଳ ପାରି ହୋଇଥିବା ବେଳେ ଯବାନଙ୍କୁ ନେଇ ଯାଉଥିବା ଦ୍ୱିତୀୟ ଏମପିଭିକୁ ସେମାନେ ଶକ୍ତିଶାଳୀ ବିସ୍ଫୋରଣ ଘଟାଇ ଉଡାଇ ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS