ଏନଡ଼ିଏରୁ ଓହରିଲା ଟିଡ଼ିପି, ମୋଦୀ ସରକାର ବିରୋଧରେ ଆଣିବ ଅନାସ୍ଥା ପ୍ରସ୍ତାବ
ନୂଆଦିଲ୍ଲୀ, ୧୬ ମାର୍ଚ୍ଚ: ଶେଷରେ, ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ)ରୁ ଓହରି ଯାଇଛି ଆନ୍ଧ୍ର ପ୍ରଦେଶର ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି) । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ସକାଳେ ଏହା ଘୋଷଣା କରିବା ପରେ ଜାତୀୟ ରାଜନୀତିରେ ସମୀକରଣ ବଦଳିବା ସୁନିଶ୍ଚିତି ହୋଇଛି । ଲୋକସଭାରେ ଟିଡ଼ିପିର ୧୬ ସାଂସଦ ଅଛନ୍ତି । ନିକଟରେ ଅନୁଷ୍ଠିତ ବିହାର ଓ ୟୁପି ଲୋକସଭା ଉପ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ମୋଦୀ ସରକାର ପାଇଁ ବଡ ଝଟକା ହୋଇଥିଲା । ଟିଡ଼ିପି ଜାତୀୟ ଗଣତାନ୍ତ୍ରିକ ମେଂଟରୁ ଓହରିବା ଆଉ ଏକ ଝଟକା ହୋଇଛି । ତେବେ, ବିଜେପି ଏଭଳି ଏକ ପରିସ୍ଥିତି ସଂପର୍କରେ ଆଗରୁ ଆକଳନ କରି ସାରି ଥିବାରୁ ଝଟକା ପାଇଁ ପ୍ରସ୍ତୁତ ଥିଲା । ତେଣୁ, ଚନ୍ଦ୍ରବାବୁଙ୍କ ଏହି ନିଷ୍ପତ୍ତି ‘ସୁବିଧାବାଦୀ’ କହି ଦଳ ତାହାକୁ ହଜମ କରିବାକୁ ଚେଷ୍ଟା କରୁଛି ।
ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ (ସ୍ପେଶାଲ କାଟାଗୋରୀ ଷ୍ଟେଟ୍)ର ମାନ୍ୟତା ଦିଆଯିବା ଏବଂ ଏପି ପୁନର୍ଗଠନ ଆଇନ, ୨୦୧୪ ଅନୁସାରେ ରାଜ୍ୟକୁ ଅଧିକ କେନ୍ଦ୍ରୀୟ ଅନୁଦାନ ମଂଜୁରୀ ସକାଶେ କେନ୍ଦ୍ର ସରକାର ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ଏଯାବତ୍ ରକ୍ଷା କରୁ ନ ଥିବା ଦେଖି ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି) ଏନଡ଼ିଏରୁ ଓହରିବାକୁ ବାଧ୍ୟ ହେଲା ବୋଲି ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀ ଠାରେ ଶୁକ୍ରବାର ସକାଳେ କହିଛନ୍ତି । ରାଜ୍ୟ ପ୍ରତି କରାଯାଇ ଥିବା ଅନ୍ୟାୟର ପ୍ରତିବାଦରେ ଟିଡ଼ିପି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଦଳ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ସରକାର ଅଧିକ ଅନୁଦାନ ଦେବା ସମ୍ଭବ ନୁହେଁ ବୋଲି ପାର୍ଲାମେଂଟରେ ବଜେଟ୍ ଉପସ୍ଥାପନ କରିବା ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଥିଲେ । ଏହାକୁ ନେଇ ବିଜେପି ସହ ଟିଡ଼ିପିର ସଂପର୍କ ତୀକ୍ତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତୁରନ୍ତ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏସଂପର୍କରେ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ନାଇଡୁ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଟିଡ଼ିପିର ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ପି. ଅଶୋକ ଗଜପତି ରାଜୁ ଓ ୱାଇ. ଏସ. ଚୌଧୁରୀଙ୍କୁ ପ୍ରତ୍ୟାହାର କରି ନିଆ ଗଲା ବୋଲି ଘୋଷଣା କରିଥିଲେ । ଟିଡ଼ିପିର ଏହି କାର୍ଯ୍ୟାନୁଷ୍ଠାନର ପାଲଟା ଜବାବ ସ୍ୱରୂପ ବିଜେପି ଆନ୍ଧ୍ର ସରକାରରେ ୨୦୧୪ରୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ଥିବା ଦୁଇ ଜଣ ମନ୍ତ୍ରୀଙ୍କୁ ପ୍ରତ୍ୟାହାର କରି ନେଇଥିଲା । ଦୁଇ ଦଳର ଏହି ଇସ୍ତଫା ଡ୍ରାମାରୁ ବିଜେପି-ଟିଡ଼ିପି ସଂପର୍କରେ ଯେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି, ତାହାର ସ୍ପଷ୍ଟ ହୋଇ ଯାଇ ଥିଲା । ଚତୁର୍ଦ୍ଦଶ ଅର୍ଥ କମିସନ ସୁପାରିଶ ଅନୁସାରେ ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯିବା ସମ୍ଭବ ନୁହେଁ, ତାହା ଟିଡ଼ିପି ଜାଣି ଥିଲା । ତେବେ, ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ,୨୦୧୪ କାର୍ଯ୍ୟକାରୀ କଲା ବେଳେ ରାଜ୍ୟକୁ ଅଧିକ କେନ୍ଦ୍ରୀ ଅନୁଦାନ ମିଳିବ ବୋଲି କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଚାରି ବର୍ଷ ହେଲା କାର୍ଯ୍ୟକାରୀ ନ ହେବାର କାରଣ କର (?) ବୋଲି ଟିଡ଼ିପି ପ୍ରଶ୍ନ କରିଛି ।
ଟିଡ଼ିପି ମୁଖ୍ୟ ନାଇଡ଼ୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ୧୫ ଜଣିଆ ପଲିଟିବ୍ୟୁରୋର ମୁଖ୍ୟ ଅଛନ୍ତି । ସକାଳେ ସେ ପଲିଟିବ୍ୟୁରୋ ସଦସ୍ୟମାନଙ୍କ ସହ ଟେଲି-କନଫରେନ୍ସ କରି ସହମତି ଭିତ୍ତିରେ ଏନଡ଼ିଏରୁ ଓହରିବା ନିଷ୍ପତ୍ତି ନେଇ ଥିଲେ । ଦଳ ଆଜି (ଶୁକ୍ରବାର) ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସ୍ଥିର କରିଛି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ଏନଡ଼ିଏର ଅନ୍ୟ ଅଂଶୀଦାରମାନଙ୍କୁ ଚିଠି ଲେଖି ଟିଡ଼ିପି ତାହାର ନିଷ୍ପତ୍ତି ଜଣାଇ ଦେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଟିଡ଼ିପି ହେଉଛି ଏନନିଏର ଦ୍ୱିତୀୟ ଅଂଶୀଦାର, ଯିଏକି ୨୦୧୯ ନିର୍ବାଚନ ପୂର୍ବରୁ ଏନଡ଼ିଏରୁ ଓହରିଛି । ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ ଚଳିତ ମାସରେ ଏନଡ଼ିଏ ଛାଡି ଥିଲେ । ଶିବ ସେନା ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମେଂଟର ଅଂଶୀଦାର ରହିବ ନାହି ବୋଲି ଜଣାଇ ସାରିଛି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଏନଡ଼ିଏ ସରକାରଙ୍କ ଅହଂକାର ବିରୋଧରେ ଦେଶର ଅଣ-ବିଜେପି ରାଜନୈତିକ ଦଳମାନେ ସଂଗଠିତ ହେଉଥିବା ବେଳେ ଏନଡ଼ିଏ ଅଂଶୀଦାରମାନେ ଜଣକ ପରେ ଜଣେ ମେଂଟ ଛାଡିବା ମୋଦୀ ସରକାରଙ୍କ ପାଇଁ ବିପଦଘଂଟି ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS