ବିଜୁ ବାବୁଙ୍କୁ ନେଇ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶ ଗର୍ବିତ: ରାଷ୍ଟ୍ରପତି
ଭୁବନେଶ୍ୱର, ୧୮ ମାର୍ଚ୍ଚ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କେବଳ ଓଡ଼ିଶାବାସୀଙ୍କ ନୁହେଁ, ସବୁ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତାଙ୍କୁ ନେଇ ସମଗ୍ର ଦେଶ ଗର୍ବିତ । ଦଳମତ ନିର୍ବିଶେଷରେ ସେ ସବୁ ରାଜନୈତିକ ଦଳର ଶ୍ରଦ୍ଧାଭାଜନ ଥିଲେ । ତାଙ୍କ ପୁତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରିବାର ବିଜୁ ବାବୁଙ୍କ ଜନ୍ମସ୍ଥଳ ଆନନ୍ଦ ଭବନ ପରିସରକୁ ଓଡ଼ିଶାବାସୀଙ୍କୁ ଲୋକାର୍ପିତ କରିବା ସକାଶେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିବା ପ୍ରଶଂସନୀୟ ବୋଲି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦିନ ଏଠାରୁ ୨୫ କିମି ଦୂର କଟକ ଠାରେ କହିଛନ୍ତି । ବିଜୁ ବାବୁଙ୍କ ସ୍ମାରକୀ ଆନନ୍ଦ ଭବନ ମ୍ୟୁଜିୟମ ଓ ଲର୍ନିଂ ସେଂଟରକୁ ଲୋକାର୍ପଣ କରିବା ଅବସରରେ ରାଷ୍ଟ୍ରପତି ଏଭଳି ମତ ଦେଇଥିଲେ ।
ରାଷ୍ଟ୍ରପତି କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶନିବାର ପୂର୍ବାହ୍ନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ ସିଧା କଟକ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ସେ ଭାରତର ସ୍ୱାଧୀନତା ଆନେ୍ଦାଳନର ଅନ୍ୟତମ ରଥୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ସହ ଜନ୍ମସ୍ଥାନରେ ତାଙ୍କ ପ୍ରତି ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ପରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମାରକୀ ଆନନ୍ଦ ଭବନକୁ ଯାଇ ଆନନ୍ଦ ଭବନ ମ୍ୟୁଜିୟମ ଓ ଲର୍ନିଂ ସେଂଟର ଓଡ଼ିଶାବାସୀଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ ଓଡ଼ିଶା ରାଜ୍ୟପାଳ ଏସ.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଆନନ୍ଦ ଭବନ ମ୍ୟୁଜିୟମକୁ ଯେଉଁମାନେ ବୁଲିବା ପାଇଁ ଆସିବେ ସେମାନେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବହୁବିଧ ପ୍ରତିଭା ସହ ପରିଚିତ ହେବା ସଂଗେ ସଂଗେ ଓଡ଼ିଶାର ଗୌରବମୟ ଇତିହାସ ସଂପର୍କରେ ମଧ୍ୟ ବହୁ କଥା ଜାଣିବାର ସୁଯୋଗ ପାଇବେ ବୋଲି ରାଷ୍ଟ୍ରପତି କୋବିନ୍ଦ ଏହି ଅବସରରେ କହିଥିଲେ । ଦେଶର ବିକାଶ ସହ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦେଇ ରାଷ୍ଟ୍ରପତି କହିଲେ ଯେ, ଓଡ଼ିଶାରେ ଜଙ୍ଗଲ, ଖଣି ଓ ପ୍ରାକୃତିକ ସଂପଦର ପ୍ରାଚୁର୍ଯ୍ୟ ରହିଛି । ଏହି ସଂପଦର ଉପଯୁକ୍ତ ବିନିଯୋଗ କଲେ ଓଡ଼ିଶା ବିକାଶର ଶିଖରରେ ପହଂଚିବାର ଯଥେଷ୍ଟ ସୁଯୋଗ ରହିଛି । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସମୃଦ୍ଧ । ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଏହା ସହାୟକ ହୋଇ ପାରିବ ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରି ଥିଲେ ।
ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟପାଳ ଏସସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ । ରାଜ୍ୟର ବିକାଶ ପାଇଁ ତାଙ୍କ ସରକାର ଅଂଗୀକାରବଦ୍ଧ ଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ରାଷ୍ଟ୍ରପତି କୋବିନ୍ଦ ଅପରାହ୍ନରେ କଟକ ସ୍ଥିତି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଇ ଉଦବୋଧନ ଦେଇଥିଲେ । ସୁପ୍ରିମ କୋଟ ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ ଦୀପକ ମିଶ୍ର ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ।
ରାଷ୍ଟ୍ରପତି କୋବିନ୍ଦ ପୂର୍ବାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ଓଡ଼ିଶା ରାଜ୍ୟପାଳ ଏସସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ରାଜ୍ୟ ପୁଲିସ ମହା ନିଦେ୍ର୍ଦଶକ ଡ଼କ୍ଟର ଆର.ପି. ଶର୍ମା ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ପରେ ବିମାନ ବନ୍ଦର ପରିସରରେ ତାଭ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ଥିଲା । ରାଷ୍ଟ୍ରପତିଙ୍କ ସହ ତାଭ୍କ ପତ୍ନୀ ଏହି ଗସ୍ତରେ ଆସିଛନ୍ତି । କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ଭୁବନେଶ୍ୱର ଦେଇ ପୁରୀ ଯାଇଛନ୍ତି । ପୁରୀରେ ଥିବା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅତିଥି ଭବନରେ ସେ ରାତ୍ରୀଯାପନ କରିବେ । ରବିବାର ସକାଳେ ରାଷ୍ଟ୍ରପତି ସପତ୍ନୀକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଅରୁଗୁଳ ଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟାରେ ନୂଆଦିଲ୍ଲୀ ଫେରି ଯିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS