ବିଜେପି ‘ଘୃଣା’ର ରାଜନୀତି କରୁଛି – କଂଗ୍ରେସର ରାଜନୈତିକ ପ୍ରସ୍ତାବରେ ଅଭିଯୋଗ
ନୂଆଦିଲ୍ଲୀ,୧୭ ମାର୍ଚ୍ଚ: ଜାତୀୟ ରାଜନୀତିରେ ବିଜେପିର ଶକ୍ତିକ୍ଷୟ ଦେଖି କଂଗ୍ରେସ ବେଶ୍ ଉତ୍ସାହିତ । ନିକଟରେ ଅନୁଷ୍ଠିତ ବିଭିନ୍ନ ଉପ ନିର୍ବାଚନରେ ବିଜେପି ପ୍ରତି ଭୋଟରମାନେ ବିମୁଖ ଥିବା ବିଜେପିର ପରାଜୟରୁ ସ୍ପଷ୍ଟ ହେଉଛିି ବୋଲି କଂଗ୍ରେସ ଦଳ କହିବା ସହ ଭାରତୀୟ ଜାତୀୟ କଂଗ୍ରେସ ଜନସମର୍ଥନ ପାଇ ୨୦୧୯ରେ ଦେଶରେ ସରକାର ଗଠନ କରିବ ବୋଲି ଦୃଢ ଦାବି କରିଛି । ସଚିନ ପାଇଲଟଙ୍କ ଭଳି ଦଳର ଯୁବ ନେତାମାନେ ଏଠାରେ ଚାଲି ଥିବା କଂଗ୍୍େରସର ୮୪ତମ ସାଧାରଣ ଅଧିବେଶନରେ ଏଭଳି ଦାବି କରି ଥିବା ବେଳେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । କେନ୍ଦ୍ରରେ କ୍ଷମତାସୀନ ଦଳ ‘ଘୃଣା’ ବାଂଟୁ ଥିବା ବେଳେ ‘ଆମେ ଶାନ୍ତି ଓ ସୌହାର୍ଦ୍ଧ୍ୟ ସପକ୍ଷରେ ରହିଛୁ’ ବୋଲି ରାହୁଲ ତାଙ୍କ ଉଦଘାଟନୀ ଭାଷଣରେ କହିଛନ୍ତି । ‘କଂଗ୍ରେସ ହିଁ ଦେଶର ଭବିଷ୍ୟତ’ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଶୁକ୍ରବାରରୁ ଆରମ୍ଭ ହୋଇ ଥିବା ଭାରତୀୟ ଜାତୀୟ କଂଗ୍ରେସର ୮୪ତମ ସାଧାରଣ ଅଧିବେଶନର ଦ୍ୱିତୀୟ ଦିବସରେ ଶନିବାର ଦଳ ପକ୍ଷରୁ ଉପସ୍ଥାପନ କରାଯାଇ ଥିବା ରାଜନୈତିକ ପ୍ରସ୍ତାବ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତିକୁ ସୂଚିତ କରୁଛି । ମହିଳା ସଶକ୍ତୀକରଣ ଠାରୁ ଆରମ୍ଭ କରି ସଂଖ୍ୟାଲଘୁଙ୍କ ସୁରକ୍ଷା ପର୍ଯ୍ୟନ୍ତ ସବୁ ବିଷୟରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଭାରତୀୟ ଜାତୀୟ କଂଗ୍ରେସ ତାହାର ଆଭିମୁଖ୍ୟକୁ ଦୋହରାଇ କେନ୍ଦ୍ର ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏ ସଂପର୍କୀତ ବିଲ୍ ସଂସଦରେ ପାରିତ କରାଇବା ସହ ତାହାକୁ କାର୍ଯ୍ୟକାରୀ କରିବାକୁ ଦାବି ଉପସ୍ଥାପନ କରିଛି । ସେହିଭଳି, କେନ୍ଦ୍ର ସରକାର ୨୦୧୪ ସାଧାରଣ ନିର୍ବାଚନ ସମୟରେ ଯୁବ ସମାଜକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇ ଥିବାରୁ ରାଜନୈତିକ ପ୍ରସ୍ତାବରେ କଟୁ ସମାଲୋଚନା କରାଯାଇଛି । ବର୍ଷକୁ ଦୁଇ କୋଟି ବେକାର ଯୁବକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାର ପ୍ରତିଶ୍ରୁତି ରକ୍ଷା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିଫଳ ହୋଇଛନ୍ତି ଏବଂ ଯୁବ ସମାଜ ପ୍ରତି ବିଶ୍ୱାସଘାତ କରିଛନ୍ତି ବୋଲି ଏଥିରେ କୁହାଯାଇଛି । ବିଜେପି ଶାସନରେ ଦେଶର ସଂଖ୍ୟାଲଘୁ, ଆଦିବାସୀ ଓ ଦଳିତ ସଂପ୍ରଦାୟ ନିଜକୁ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗ କରାଯାଇ ସେମାନଙ୍କ ସ୍ୱାଧୀନତା ଓ ସାମ୍ବିଧାନିକ ଅଧିକାର ବିପନ୍ନ ହୋଇ ଥିବା କୁହାଯାଉଛି । ଦେଶର ନାଗରିକଙ୍କ ଖାଦ୍ୟ ଓ ପୋଷାକକୁ ନେଇ ଶାସନରେ ଥିବା ଦଳ କଟକଣା ଲଗାଇବା ଗ୍ରହଣଯୋଗ୍ୟ ନୁହେଁ ବୋଲି ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ ସ୍ପଷ୍ଟ ଭାବେ କହିଛି । ସବୁ ସଂଖ୍ୟାଲଘୁ ଗୋଷ୍ଠୀ ଓ ସଂପ୍ରଦାୟର ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବାକୁ କଂଗ୍ରେସ ଦଳ ଅଙ୍ଗୀକାରବଦ୍ଧ ବୋଲି ଦଳର ରାଜନୈତିକ ପ୍ରସ୍ତାବରେ କୁହା ଯାଇଛି ।
ଆରଏସଏସ ଓ ବିଜେପିକୁ ଏଥିରେ କଟୁ ସମାଲୋଚନା କରାଯାଇ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି ଦଳ କୌଣସି ସମାଲୋଚନାକୁ ସହ୍ୟ କରିବା ଅବସ୍ଥାରେ ନଥିବା ଏବଂ ସମାଲୋଚନା ହେଲେ ତାହାର ଉତ୍ତରରେ ଅସହିଷ୍ଣୁତା ପ୍ରଦର୍ଶନ କରାଯାଉ ଥିବା କଂଗ୍ରେସ ଅଭିଯୋଗ କରିଛି । କ୍ଷମତାକୁ ଜାବୁଡି ଧରିବା ପାଇଁ ଉଭୟ ବିଜେପି ଓ ଆରଏସଏସ ଅପପ୍ରଚାରର ଆଶ୍ରୟ ନେବା ସହ ଜନସାଧାରଣଙ୍କ ଧାର୍ମିକ ଭାବନାର ଅନୁଚିତ ଉପଯୋଗ କରୁଛନ୍ତି । ଧର୍ମ ଓ ରାଜନୀତିର ମିଶ୍ରଣ ସମାଜ ଓ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ନିଜକୁ ଏକ ସାମାଜିକ ଓ ସାଂସ୍କୃତିକ ସଂଗଠନ ବୋଲି ଦାବି କରୁଥିବା ଆରଏସଏସ ହିନ୍ଦୁତ୍ୱର ଏକାକୀ ଠିକା ନେଇତିବା ଭଳି ବ୍ୟବହାର କରୁଥିବା କ୍ଷୋଭର ବିଷୟ । କଂଗ୍ରେସ ଦଳ ଦେଶର ସମସ୍ତ ନାଗରିକଙ୍କୁ ସମାନ ଭାବେ ବିଚାର କରୁଛି, କାହାରି ପ୍ରତି କିଛି ବାଛବିଚାର ନାହିଁ ଦଳ ତାହାର ରାଜନୈତିକ ପ୍ରସ୍ତାବରେ ଉଲ୍ଲେଖ କରିଛି । ଇଲୋକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍)ର ଅପବ୍ୟବହାର ନେଇ ବିଭିନ୍ନ ରାଜନୈତିକ ଦଳ ଓ ଜନସାଧାରଣଙ୍କ ମନରେ ସନେ୍ଦହ ଥିବାରୁ ଦେଶରେ ପୁନର୍ବାର ପେପର୍ ବାଲେଟ୍ ପ୍ରଚଳନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ତାହାର ରାଜନୈତିକ ପ୍ରସ୍ତାବରେ ଦାବି କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS