ଜାହାଜରେ ବେଆଇନ ବାଲି ଚାଲାଣ ରୋକିବାକୁ ଗଞ୍ଜାମ ବିଜେପିର ଦାବି
ବ୍ରହ୍ମପୁର, ୦୨ ଏପ୍ରିଲ (ମୋ ଅନୁଭବ): ଗୋପାଳପୁର ବନ୍ଦରରୁ ବେଆଇନ ଭାବେ ବାଲି ଚାଲାଣ ଚାଲି ଥିବାରୁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ତାହାର ଦୃଢ ବିରୋଧ କରାଯାଇ ଦକ୍ଷିଣାଂଚଳ ରାଜସ୍ୱ କମିସନରଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି । ଜିଲ୍ଲା ପ୍ରଶାସନର ଜାଣତରେ ଏଭଳି କାର୍ଯ୍ୟ ହେଉ ଥିବାରୁ ଜିଲ୍ଲା ପ୍ରଶାସନ, ବାଲି ମାଫିଆ ଓ ରପ୍ତାନୀ କରୁଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଜେପି ନେତା ବିଭୁତି ଜେନା ଦାବି କରିଛନ୍ତି ।
ଆରଡ଼ିସିଙ୍କୁ ଦିଆ ଯାଇଥିବା ସ୍ମାରକପତ୍ରରେ ଅଭିଯୋଗ କରାଯାଇଛି ଯେ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର କନକା ବାଲି ଶଯ୍ୟା ନିଲାମଧାରୀ ବର୍ଷେକାଳ ନୀରବ ରହିବା ପରେ ହଠାତ୍ ବାଲିର ବେଆଇନ ଚାଲାଣ ଆରମ୍ଭ କରିଛନ୍ତି । ଗୋପାଳପୁର ବନ୍ଦର ଦେଇ ଜାହାଜରେ ୫୦ ହଜାର ଟନ୍ ବାଲି ରପ୍ତାନୀ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବାଲି ବୋଝେଇ ହେଉଛି । ସଂପୃକ୍ତ ରପ୍ତନୀକାରୀ କନକା ବାଲି ଶଯ୍ୟାରୁ ବାଲି ନ ଆଣି ଜିଲ୍ଲାର ବିଭିନ୍ନ ଅଂଚଳରୁ ନଦୀ ବାଲି ଉଠାଇ ଚାଲାଣ କରୁଥିବା ଜେନା ଅଭିଯୋଗ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ୨୦୧୭ ସେପ୍ଟେମ୍ବର ୧୦ ତାରିଖରେ ନିର୍ଗୁଣ୍ଡି ରେଳ ଷ୍ଟେସନରୁ ୫୯ଟି ର୍ୟାକ୍ ରେ ବେଆଇନ ବାଲି ଚାଲାଣ ଉଦ୍ୟମ ବେଳେ କଟକ ଜିଲ୍ଲାପାଳ ତାହାକୁ ଜବତ କରି ମାଫିଆଙ୍କ ବିରୋଧରେ ଏତଲା ଦେଇଥିଲେ । ୨୦୧୬ ଡ଼ିସେମ୍ବର ୨୯ ତାରିଖରେ ଗୋପାଳପୁର ବନ୍ଦରରୁ ବାଂଲାଦେଶକୁ ଓଏମଏମସି ନିୟମ ଉଲଂଘନ କରାଯାଇ ପଥର ରପ୍ତନୀ କରାଯାଉଥିବା ଜାଣି ପ୍ରଶାସନ ପକ୍ଷରୁ ତାହାକୁ ରୋକା ଯାଇ ଥିଲା । ଅନ୍ୟ ରାଜ୍ୟକୂୁ ନଦୀ ବାଲି ଚାଲାଣ ହୋଇ ପାରିବ ନାହିଁ ବୋଲି ଡ଼ବ୍ଲୁପିସି ୧୨୨୩୨/୧୨ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ । ୨୦୧୪ ଡ଼ିସେମ୍ବର ୨ ତାରିଖରେ ତତ୍କାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାରା ଦତ୍ତ ମଧ୍ୟ ଗଜପତି ଜିଲ୍ଲାରୁ ବାଲି ରପ୍ତାନୀ ଉପରେ ଏକ ନିଦେ୍ର୍ଦଶନାମା ଜାରି କରି କହିଥିଲେ ଯେ, ଓଏମଏମସି ନିୟମ ପ୍ରକାରେ ଅନ୍ୟ ରାଜ୍ୟକୁ ନଦୀ ବାଲି ରପ୍ତାନୀ ହୋଇ ପାରିବ ନାହିଁ । ଉପରୋକ୍ତ ନିଦେ୍ର୍ଦଶ ବଳବତ୍ତର ଥିବା ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୋପାଳପୁର ବନ୍ଦର ଦେଇ ବେଆଇନ ବାଲି ରପ୍ତାନୀ ପ୍ରତି ଉଦାସୀନ ରହିବା ବାଲି ମାଫିଆଙ୍କ ସହ ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକାର ଆଭାସ ଦେଉଛି । ରାଜସ୍ୱ ବିଭାଗ ଓ ଖଣି ବିଭାଗ ଠାରୁ ଅନୁମତି ନିଆ ଯାଇ ବାଲି ରପ୍ତାନୀ ଅନୁମତି ନଦୀ ବାଲି ଚାଲାଣ ହେଉଥିବା କୁହାଯିବା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଜ ଘର ପାଇଁ ବାଲି ନେବାରେ କଟକଣା ଲାଗୁ କରାଯାଇ ସାଧାରଣ ଲୋକଙ୍କ ଠାରୁ ଜବରଦସ୍ତ ଫାଇନ ଆଦାୟ କରାଯାଉ ଥିବା ବେଳେ ଲକ୍ଷ ଲକ୍ଷ ଟନ୍ ବାଲି ଜାହାଜରେ ବେଆଇନ ଭାବେ ରପ୍ତାନୀ କରାଯିବା କେତେଦୂର ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଆରଡ଼ିସି ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଆଇନ ବାଲି ଚାଲାଣ ରୋକିବାକୁ ଏବଂ ସଂପୃକ୍ତ ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ସ୍ମାରକପତ୍ର ପ୍ରଦାନ ସମୟରେ ଜେନାଙ୍କ ସହ ଯୁବ ବିଜେପି ନେତା ରାମ କୁମାର ପାତ୍ର ଓ ଅନ୍ୟ ବହୁ ବିଜେପି ନେତା ଆରଡ଼ିସିଙ୍କ କାର୍ଯ୍ୟାଳୟ ନିକଟରେ ଉପସ୍ଥିତ ରହି ପ୍ରଶାସନ ଓ ବାଲି ମାଫିଆଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS