ସିଜେଆଇଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ
ନୂଆଦିଲ୍ଲୀ, ଏପ୍ରିଲ ୨୪: ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟସ୍ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ସାତଟି ବିରୋଧୀ ଦଳ ପକ୍ଷରୁ ଅଣା ଯାଇଥିବା ମହାଭିଯୋଗ ପ୍ରସ୍ତାବ ସୋମବାର ଦିନ ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କାୟା ନାଇଡୁଙ୍କ ଦ୍ୱାରା ଖାରଜ ହୋଇଯାଇଛି । ବିରୋଧୀଙ୍କ ଦ୍ୱାରା ଦିଆଯାଇଥିବା ମହାଭିଯୋଗ ପ୍ରସ୍ତାବର କୌଣସି ମେରିଟ୍ ନଥିବା ଦର୍ଶାଇ ନାଇଡୁ ତାହାକୁ ଗ୍ରହଣ କରି ନଥିବା କହିଛନ୍ତି । ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ନାଇଡୁ ଏହି ପ୍ରସ୍ତାବ ଖାରଜ କରିବା ପୂର୍ବରୁ ବିଭିନ୍ନ ଆଇନ ଓ ସମ୍ବିଧାନ ବିଶାରଦଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ତେବେ, ରାଜ୍ୟସଭା ଅଧ୍ୟକ୍ଷ ନାଇଡୁ ତରବରିଆ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କଂଗ୍ରେସ ଦଳର ବରିଷ୍ଠ ନେତା କପିଲ ସିବ୍ୱଲ ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ, ରାଜ୍ୟସଭା ଅଧ୍ୟକ୍ଷ ନାଇଡୁ କହିଛନ୍ତି ଯେ, ସିଜେଆଇ ଜଷ୍ଟିସ ମିଶ୍ରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ କିଛି ବିରୋଧୀ ଦଳଙ୍କ ଆଡୁ ଅଣା ଯାଇଥିବା ମହାଭିଯୋଗ ପ୍ରସ୍ତାବକୁ ସେ ଭଲ ଭାବେ ଅନୁଧ୍ୟାନ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ ମିଶ୍ରଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ଗ୍ରହଣ କଲା ଭଳି କୌଣସି ଠୋସ୍ କାରଣ ସେ ଉପସ୍ଥାପିତ ନଥିପତ୍ରରୁ ପାଇ ନାହାନ୍ତି । କଂଗ୍ରେସ ଓ ଅନ୍ୟ ବିରୋଧୀ ରାଜନୈତିକ ଦଳଙ୍କ ଆଡୁ ଯେଉଁ ପାଂଚଟି ଅଭିଯୋଗ ଏବଂ ସେ ସଂପର୍କୀତ ନଥିପତ୍ରକୁ ଦାଖଲ କରାଯାଇଥିଲା ତାହାକୁ ସେ ଭଲ ଭାବେ ଅନୁଧ୍ୟାନ କରିବା ସହ ଆଇନ ଓ ସମ୍ବିଧାନ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲେ । ଜଷ୍ଟିସ ମିଶ୍ର ନିଜ ପଦବୀର ଦୁରୁପଯୋଗ କରିଥବା ଭଳି କୌଣସି ଠୋସ୍ ଆଧାର ଅଭିଯୋଗପତ୍ରରୁ ମିଳି ନାହିଁ । ତେଣୁ, ସେ ଏହି ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଛନ୍ତି । ଏହା ଉପରେ କଂଗ୍ରେସ ଦଳ ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀ ସଂପର୍କରେ ଉଲ୍ଲେଖ କରି ରାଜ୍ୟସଭା ଅଧ୍ୟକ୍ଷ ନାଇଡୁ କହିଛନ୍ତି ଯେ, ଏଭଳି କରିବା ଦ୍ୱାରା କଂଗ୍ରେସ ଦଳ ପାର୍ଲିଆମେଂଟାରୀ ଶାଳୀନତା ଓ ବିଧିବ୍ୟବସ୍ଥାକୁ ଭଙ୍ଗ କରିବା ସହ ରାଜ୍ୟସଭାର ବିଧିକୁ ମଧ୍ୟ ଉଲଂଘନ କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS