ଆଶାରାମଙ୍କ ଭାଗ୍ୟର ଫଇସଲା ଆଜି, ରାୟ ଶୁଣାଣୀ ହେବ ଜେଲରେ
ଯୋଧପୁର (ରାଜସ୍ଥାନ), ଏପ୍ରିଲ ୨୫: ସ୍ଥାନୀୟ କେନ୍ଦ୍ରୀୟ ଜେଲରେ ଦୀର୍ଘ ପାଂଚ ବର୍ଷ ହେଲା ବିଚାରାଧୀନ ବନ୍ଦୀ ରହିଥିବା ଆତ୍ମଘୋଷିତ ଭଗବାନ ଆଶାରାମ ବାପୁଙ୍କ ପ୍ରତି କି ଦଣ୍ଡବିଧାନ ହେବ ଜାଣିବା ସକାଶେ ଦେଶବାସୀ ଉତ୍ସୁକ । ଆଜି ଯୋଧପୁର କେନ୍ଦ୍ରୀୟ ଜେଲରେ ସ୍ୱତନ୍ତ୍ର ଅଦାଲତ ବସି ଧର୍ମଗୁରୁ ଆଶାରାମ ବାପୁଙ୍କ ବିରୋଧରେ ୨୦୧୨ରେ ହୋଇଥିବା ବଳକ୍ରାର ମାମଲାର ରାୟ ଘୋଷଣା କରାଯିବ । ରାଜସ୍ଥାନର ଜଣେ ଦଳିତ ନାବାଳିକାକୁ ନିଜ ଆଶ୍ରମରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଶାରାମ ବାପୁ ଅଭିଯୁକ୍ତ ହୋଇ ବିଚାରଣାର ସମ୍ମୁଖୀନ ହୋଇଛନ୍ତି । ଏଠାକାର ଏକ ସ୍ୱତନ୍ତ୍ର ଏସସି/ଏସଟି ଅଦାଲତ ଏପ୍ରିଲ ୭ ତାରିଖ ଦିନ ଆଶାରାମଙ୍କ ମାମଲାର ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଏପ୍ରିଲ ୨୫ ତାରିଖ ଏହି ରାୟ ପ୍ରକାଶ ପାଇବ ବୋଲି ଅଦାଲତ ଧାର୍ଯ୍ୟ କରିଥିବାରୁ ମାମଲାରେ ତଥାକଥିତ ଆଧ୍ୟାତ୍ମିକ ଗୁରୁ ଆଶାରାମ କୋର୍ଟ ଦ୍ୱାରା ଦଣ୍ଡିତ ହେବେ ନା ଖଲାସ ହେବେ ଦେଖିବା ସକାଶେ ତାଙ୍କ ଭକ୍ତ ଓ ଜନସାଧାରଣ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ରାୟ ପ୍ରକାଶ ସମୟରେ ଆଶାରାମଙ୍କ ସମର୍ଥକ ବା ଭକ୍ତମାନଙ୍କ ଆଡୁ ଯୋଧପୁରରେ ଗୁରୁତର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉ ଥିବାରୁ ଯୋଧପୁର ପୁଲିସ ଓ ସାଧାରଣ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦ୍ରୀୟ ଜେଲରେ ଅଦାଲତ ବସିବାକୁ ଥିବାରୁ ସେଠାରେ ବହୁ ସଂଖ୍ୟାରେ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଥିବା ବେଳେ ସହରରେ ୧୪୪ ଧାରା ଜାରି କରାଯାଇ ହୋଟେଲ, ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡରେ ଯୋରଦାର ଯାଂଚ ଚାଲିଛି । କୌଣସି ସନ୍ଦିଗ୍ଧ ବ୍ୟକ୍ତି ଯେଭଳି ସହର ଭିତରେ ପ୍ରବେଶ ନ କରନ୍ତି ସେଥିପାଇଁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି ।
ରାଜସ୍ଥାନରେ ଘଟିଥିବା ଏହି ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣୀ କରୁଥିବା ସ୍ୱତନ୍ତ୍ର ଏସସି/ଏସଟି ଅଦାଲତର ବିଚାରପତି ମଧୁସୂଦନ ଶର୍ମା ଦୀର୍ଘ ପାଂଚ ମାସ ଧରି ଦୁଇ ପକ୍ଷ ଓକିଲଙ୍କ ଚୂଡାନ୍ତ ଯୁକ୍ତି ଶୁଣିବା ପରେ ଏପ୍ରିଲ ୭ ତାରିଖ ଦିନ ଶୁଣାଣୀ ଶେଷ କରି ଏପ୍ରିଲ ୨୫ ତାରିଖକୁ ରାୟ ସଂରକ୍ଷିତ ରଖିଛନ୍ତି । ତେଣୁ, ଆଜି ଏହି ରାୟ ପ୍ରକାଶ ପାଇବ । ଅଭିଯୋଗକାରିଣୀ ନାବାଳିକା ହେଉଛନ୍ତି ଉତ୍ତର ପ୍ରଦେଶ ସାହାଜାହାନପୁର ଗ୍ରାମର । ସେ ରାଜସ୍ଥାନରେ ଆଶାରାମଙ୍କ ମାନିଆ ଗ୍ରାମରେ ଥିବା ଆଶ୍ରମରେ ରହି ପାଠ ପଢୁ ଥିଲେ । ଆଶ୍ରମ ଭିତରେ ଧର୍ମଗୁରୁ ଆଶାରାମ ବାପୁ ତାଙ୍କ ପ୍ରତି ବଳକ୍ରାର କରିଥିବା ନାବାଳିକା ଜଣକୁ ଅଭିଯୋଗ କରିଛନ୍ତି । ଆଶାରାମ ବାବୁ ଏହି ମାମଲାରେ ଗିରଫ ହୋଇ ୨୦୧୩ ଅଗଷ୍ଟ ୩୧ ତାରିଖରୁ ବିଚାରାଧୀନ ବନ୍ଦୀ ଭାବେ ଯୋଧପୁର କେନ୍ଦ୍ରୀୟ ଜେଲରେ ଦିନ କାଟୁଛନ୍ତି । ଗୁଜରାଟରେ ମଧ୍ୟ ବାପୁ ଓ ତାଙ୍କ ପୁଅ ନାରାୟଣ ସାଇ ଅନ୍ୟ ଏକ ବଳକ୍ରାର ମାମଲାରେ ଅଭିଯୁକ୍ତ ଥିବା ଜଣାପଡିଛି । ସୁରତ ଅଂଚଳର ଦୁଇ ଭଉଣୀ ଆଶାରାମ ବାପୁ ଓ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ଆଶାରାମ ଜେଲରୁ ଜାମିନ ପାଇବା ସକାଶେ ସବୁ ଉପର କୋର୍ଟରେ ଆବେଦନ କରି ବିଫଳ ହେବା ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟରେ ଆଶ୍ରୟ ନେଇଥିଲେ । ତେବେ, ସୁପ୍ରିମ କୋର୍ଟ ଆଶାରାମଙ୍କ ବିରୋଧରେ ରାଜସ୍ଥାନ ଓ ଗୁଜରାଟରେ ଦୁଇଟି ଦୁଷ୍କର୍ମ ମାମଲା ଥିବା ଓ ଅନ୍ୟନ୍ୟ କାରଣ ଦର୍ଶାଇ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ଅପରପକ୍ଷରେ, ଗୁଜରାଟ ପୁଲିସକୁ ଫଟକା ଲଗାଇ ଆଶାରାମ ଓ ତାଙ୍କ ପୁଅଙ୍କ ବିରୋଧରେ ସୁରଟର ଦୁଇ ଭଉଣୀଙ୍କ ଆଡୁ ହୋଇଥିବା ବଳକ୍ରାର ମାମଲାରେ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିବାରେ କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ କରିଥିଲେ । ପାଂଚ ସପ୍ତାହ ମଧ୍ୟରେ ସାକ୍ଷୀଙ୍କ ବୟାନ ରେକର୍ଡ କାର୍ଯ୍ୟ ଶେଷ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ପୁଲିସକୁ ନିର୍ଦେଶ ଦେଇଛନ୍ତି । ସବୁ ଆଡୁ ବିଫଳତାର ମୁହଁ ଦେଖିବା ପରେ ଆଶାରାମ ବାପୁ ନିଜ ଭାଗ୍ୟକୁ ଆଦରି ଜେଲରେ ଦିନ କାଟୁଛନ୍ତି । କୋଟି କୋଟି ଭକ୍ତଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରି ଆସି ଥିବା ଏହି ଧର୍ମଗୁରୁଙ୍କ ଭାଗ୍ୟର ଫଇସଲା ଆଜି ଯୋଧପୁର ଜେଲରେ ବସିବାକୁ ଥିବା ଅସ୍ଥାାୟୀ ଅଦାଲତରେ ହେବାକୁ ଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS