ଶେଷରେ, ସନ୍ଥ ଶେଷ ଜୀବନ ଯୋଧପୁର ଜେଲରେ କାଟିବେ !
– ପ୍ରସାଦ ରାଓ –
ବିଶ୍ୱାସ ଭଙ୍ଗର ଏହା ଏକ ଜ୍ୱଳନ୍ତ ଉଦାହରଣ । ତାହା ପୁଣି ଜଣେ ନିଜକୁ ସନ୍ଥ ଭାବେ ଘୋଷଣା କରିଥିବା ତଥାକଥିତ ଧର୍ମଗୁରୁଙ୍କ ଦ୍ୱାରା । ଏବେ ବି ଆଶାରାମ ବାପୁଙ୍କ ଭକ୍ତମାନେ ଏହି ‘ବିଶ୍ୱାସ ଭଙ୍ଗ’ କଥାକୁ ବିଶ୍ୱାସ କରିପାରୁ ନାହାନ୍ତି । ବାପୁଙ୍କୁ ଫସାଇ ଦିଆଯାଇଛି ବୋଲି ସେମାନେ ବିଶ୍ୱାସ କରୁଛନ୍ତି । ବାପୁଙ୍କ ଆଶ୍ରମକୁ ବ୍ୟାରିକେଡ କରି ରଖା ଯାଇ ଥିଲେ ମଧ୍ୟ ଭକ୍ତଙ୍କ ଯିବା ଆସିବା ଲାଗି ରହିଛି । ତାହା ପୁଣି ଆଶାରାମ ବାପୁଙ୍କୁ ଯୋଧପୁର (ରାଜସ୍ଥାନ)ର କେନ୍ଦ୍ରୀୟ କାରାଗାରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଅଦାଲତରେ (ଏସସି/ଏସଟି ଅଦାଲତ) ଜଣେ ୧୬ ବର୍ଷିୟା ଦଳିତ ନାବାଳିକାକୁ ନିଜ ଆଶ୍ରମରେ ଅଟକ ରଖି ବଳକ୍ରାର କରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ହେବା ପରେ ।
ଏହି ଘୃଣ୍ୟ କାର୍ଯ୍ୟ ପାଇଁ ଅଦାଲତ ସନ୍ଥ ଆଶାରାମ ବାପୁଙ୍କୁ ଏପ୍ରିଲ ୨୫ ତାରିଖ ବୁଧବାର ଦିନ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଏହି କାର୍ଯ୍ୟରେ ସହାୟତା କରିଥିବା ଅଭିଯୋଗରେ ତାଙ୍କ ଦୁଇ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଦଣ୍ଡିତ ହୋଇଥିବା ସହଯୋଗୀ ଦ୍ୱୟ ହେଉଛନ୍ତି – ଛିନ୍ଦୱାର (ଏମପି)ରେ ଥିବା ବାପୁଙ୍କ ଗୁରୁକୁଳ ଆଶ୍ରମର ହଷ୍ଟେଲ୍ ୱାର୍ଡନ ଶିଳ୍ପୀ ଏବଂ ଗୁରୁକୁଳର ମ୍ୟାନେଜର ଶରଦ । ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଓ ତାଙ୍କ ଭାଇ ଏହି ଆଶ୍ରମରେ ରହି ପାଠ ପଢୁ ଥିଲେ । ୨୦୧୩ ଅଗଷ୍ଟ ୧୫ ତାରିଖ ରାତିରେ ଆଶାରାମ ତାଙ୍କୁ ଯୋଧପୁର ନିକଟସ୍ଥ ମାନିଆ ଆଶ୍ରମକୁ ଡ଼କାଇ ବଳକ୍ରାର କରିଥିଲେ ବୋଲି ନାବାଳିକା ଜଣକ ଅଭିଯୋଗ କରିଥିଲେ । ଶିଳ୍ପୀ ଓ ଶରଦ ନାବାଳିକାଙ୍କୁ ବାପୁଙ୍କ ମାନିଆ ଆଶ୍ରମକୁ ଯିବାକୁ ପ୍ରବର୍ତାଇ ଥିବା ଅଭିଯୋଗପତ୍ରରେ ଦର୍ଶା ଯାଇ ଥିଲା ।
ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁ କେବଳ ନାବାଳିକା ଜଣକର ବିଶ୍ୱାସ ଭଙ୍ଗ କରି ନାହାନ୍ତି, ଜନସାଧାରଣରେ ସାଧୁ, ସନ୍ଥଙ୍କ ପ୍ରତି ଥିବା ବିଶ୍ୱାସକୁ ମଧ୍ୟ ଭଙ୍ଗ କରିଛନ୍ତି ବୋଲି ସ୍ୱତନ୍ତ୍ର ଏସସି/ଏସଟି ଅଦାଲତର ବିଚାରପତି ମଧୁସୂଦନ ଶର୍ମା ଏହି ମାମଲାର ରାୟ ଦେବା ବେଳେ ଦୁଃଖର ସହ କହିଥିଲେ । ପୁଲିସ ଏହି ବଳକ୍ରାର ମାମଲାରେ ଆଶାରାମ ଓ ତାଙ୍କର ଚାରି ଜଣ ସହଯୋଗୀଙ୍କ ବିରୋଧରେ ୨୦୧୩ ନଭେମ୍ବର ୬ ତାରିଖରେ ‘ପୋକ୍ ସୋ’ (ପ୍ରେଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ୍) ଆଇନ ଓ ଆଇପିସିର ବିଭିନ୍ନ ଦଫାରେ ଚାର୍ଜସିଟ୍ ଦାଖଲ କରିଥିଲେ । ବୁଧବାର (ଏପ୍ରିଲ ୨୫ ତାରିଖ) ଦିନ ଯୋଧପୁର ଜେଲ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଦାଲତରେ ବିଚାରପତି ଜଷ୍ଟିସ ଶର୍ମା ୪୫୩ ପୃଷ୍ଠାର ରାୟ ପଢି ଶୁଣାଇ ଥିଲେ । ୭୭ ବର୍ଷ ବୟସ୍କ ସନ୍ଥ ଆଶାରାମ ଏହି ବଳକ୍ରାର ମାମଲାରେ ୨୦୧୩ ସେପ୍ଟେମ୍ବର ୧ ତାରିଖରେ ତାଙ୍କ ଇନେ୍ଦାର ଆଶ୍ରମରୁ ଗିରଫ ହେବା ପରେ ଦୀର୍ଘ ପାଂଚ ବର୍ଷ ହେଲା ଯୋଧପୁର କେନ୍ଦ୍ରୀୟ ଜେଲରେ ଅଟକ ଅଛନ୍ତି । ବୁଧବାର ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ହେବା ଫଳରେ ସେ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ କଟାଇବା ନିଶ୍ଚିତ ହୋଇ ଯାଇଛି । ତେବେ, ଆଶାରାମଙ୍କ ଓକିଲ କହିଛନ୍ତି ଯେ, ହାଇକୋର୍ଟରେ ତଳ କୋର୍ଟର ରାୟକୁ ଚ୍ୟାଲେଂଜ କରାଯିବ ।
ଆଶାରାମଙ୍କ ସହ ଏହି ମାମଲାରେ ଗିରଫ ହୋଇଥିବା ଶିଳ୍ପୀ ଓ ଶରଦଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଶିବା (ଆଶ୍ରମର କର୍ମଚାରୀ) ଓ ପ୍ରକାଶ (ଆଶ୍ରମର ରୋଷେଇଆ)ଙ୍କୁ କୋର୍ଟ ନିର୍ଦୋଶରେ ଖଲାସ କରିଛନ୍ତି । ବିଚାରପତି ଶର୍ମା ତାଙ୍କ ରାୟରେ କହିଛନ୍ତି ଯେ, ଆଶାରାମଙ୍କୁ ଜଣେ ସନ୍ଥ ଭାବେ ବିଚାର କରି କେବଳ ଦେଶ ଭିତରେ ନୁହେଁ, ଦେଶ ବିଦେଶରେ ତାଙ୍କ ଦ୍ୱାରା ପରିଚାଳିତ ପ୍ରାୟ ୪୦୦ ଆଶ୍ରମର ଲକ୍ଷ, ଲକ୍ଷ ଭକ୍ତ ବିଶ୍ୱସ କରୁଥିଲେ । ଧର୍ଷିତା ନାବାଳିକାର ପିତା ବାପୁଙ୍କ ଜଣେ ଭକ୍ତ ଥିଲେ ଏବଂ ୟୁପିର ଶାହାଜାହାନପୁର ଠାରେ ଆଶାରାମଙ୍କୁ ଆଶ୍ରମ ପ୍ରତିଷ୍ଠା ସକାଶେ ଆବଶ୍ୟକ ସହାୟତା ଦେଇଥିଲେ । ବାପୁଙ୍କ ପ୍ରତି ତାଙ୍କର ଏତେଦୂର ବିଶ୍ୱାସ ଥିଲା ଯେ ସେ ନିଜ ନାବାଳିକା ଝିଅ ଓ ପୁଅକୁ ପାଠ ପଢିବା ପାଇଁ ବାପୁଙ୍କ ଛିନ୍ଦୱାର ଆଶ୍ରମରେ ଛାଡି ଥିଲେ । ତେବେ, ଆଶାରାମ ବାପୁ ବାପା, ମା’ଙ୍କ ଠାରୁ ଝିଅକୁ ଦୂରେଇ ରଖିବା ସହ ପ୍ରାର୍ଥନା କରିବା ଆଳରେ ଡ଼କାଇ ବଳକ୍ରାର ଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତି ।
ଆଶାରାମଙ୍କ ବୟସ ଏବଂ ସେ କରୁଥିବା ସମାଜ ସେବାକୁ ଦୃଷ୍ଟିରେ ରଖି ତାଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରାଯିବାକୁ ଆଶାରାମଙ୍କ ଓକିଲ ସଜ୍ଜନ ରାଜ ସୁରାନା ବୁଧବାର ଦିନ ବିଚାରପତି ଶର୍ମାଙ୍କୁ ନିବେଦନ କରିଥିବା ବେଳେ ସରକାରୀ ଓକିଲ ପୋକର ରାମ ବିଷ୍ଣୋଇ ତାହାର ବିରୋଧ କରି ଆଶାରାମଙ୍କୁ କଠୋର ଦଣ୍ଡ ଦିଆ ଯିବାକୁ ଯୁକ୍ତି ବାଢି ଥିଲେ । ଆଶାରାମ କୌଣସି ପ୍ରକାର ସମାଜ ସେବା କରୁ ନଥିଲେ ବୋଲି ବିଷ୍ଣୋଇ ଦର୍ଶାଇ ଥିଲେ । ବୁଧବାର ଅପରାହ୍ନ ୩ଟା ସମୟରେ ବିଚାରପତି ଶର୍ମା ତାଙ୍କ ରାୟ ଶୁଣାଇ ଆଶାରାମ ବାପୁଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରଖା ଯିବାକୁ ନିର୍ଦେଶ ଦେଇଥିଲେ । ଆଇପିସିର ୩୭୬ (୨) (ଏଫ୍) (ନାବାଳିକାକୁ ବଳକ୍ରାର), ଦଫା ୩୭୬ (ଡ଼ି), ଦଫା ୩୭୦ (୪), ଦଫା ୩୪୨ (ଯୋର ଜବରଦସ୍ତ ଅଟକ ରଖିବା), ଆଇପିସିର ୫୦୬ ଦଫାରେ ବିଚାରପତି ଏହି ଦଣ୍ଡାଦେଶ ଶୁଣାଇବା ସହ ୩ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଆଶାରାମଙ୍କ ଦଣ୍ଡ ଘୋଷଣା ସମୟରେ ତାଙ୍କ ଭକ୍ତଙ୍କ ଆଡୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବା ସହ ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଯୋଧପୁର ଜେଲରେ ଏହି ସ୍ୱତନ୍ତ୍ର ଅଦାଲତ ବସି ଥିଲା । ତେବେ, ବୁଧବାର କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା । ଗୁରୁବାର ମଧ୍ୟ ତାଙ୍କ ଆଶ୍ରମ ନିକଟରେ ଭକ୍ତମାନେ ଏକାଠି ହୋଇ ବ୍ୟାରିକେଡ ଦେଇ ଜଣକ ପରେ ଜଣେ ଆଶ୍ରମ ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ସେମାନେ କେହି ଆଶାରାମଙ୍କୁ ବଳକ୍ରାରୀ ଭାବେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନ ଥିବା ଦେଖିବାକୁ ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS