ପୁଣି ଚଡକ ପଡିଲା ‘ପଣ୍ଡା ଇନଫ୍ରା’ ମୁଣ୍ଡରେ, ଲୁହା ରେଲିଂ ଭୁଶୁଡି ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର
ଭୁବନେଶ୍ୱର, ୦୪ ମେ’: ବିମଖାଲ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ପ୍ରତାପ ପଣ୍ଡା ଓ ତାଙ୍କ ନିର୍ମାଣକାରୀ ସଂସ୍ଥା ‘ପଣ୍ଡା ଇନଫ୍ରା’ ମୁଣ୍ଡରେ ପୁଣି ଥରେ ଚଡକ ପଡିଛି । ଗତ ବର୍ଷ ସେପ୍ଟେମ୍ବର ୧୦ ତାରିଖ ମଧ୍ୟାହ୍ନରେ ଏହି ରେଳ ଓଭର ବ୍ରିଜ୍ ର ନିର୍ମାଣ କାର୍ଯ୍ୟ ଚାଲି ଥିବା ବେଳେ କଂକ୍ରିଟ୍ ସ୍ଲାବ୍ ର କିଛି ଅଂଶ ଭୁଶୁଡି ସେହି ବାଟ ଦେଇ ଦୁଇ ଚକିଆ ଯାନରେ ଆସୁଥିବା ଜଣେ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିଲା ଓ ୧୨ ଜଣ ଶ୍ରମିକ ଆହତ ହୋଇଥିଲେ । ଠିକାଦାର ପଣ୍ଡା ଓ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ଗିରଫ ହୋଇ ଜେଲ ଯିବା ପରେ ଜାମିନରେ ଆସିଛନ୍ତି । ଦୁଇ ମାସ କାମ ବନ୍ଦ ରହିବା ପରେ ଓଭରବ୍ରିଜ୍ ନିର୍ମାଣ ପୁଣି ଥରେ ଗତିଶୀଳ ହୋଇଥିଲା । ବ୍ଲାକ ଲିଷ୍ଟେଡ୍ ହୋଇ ଥିବା କଂପାନୀକୁ ପୁଣି ଥରେ କାମ କରିବାକୁ କେମିତି ସୁଯୋଗ ଦିଆ ଗଲା ବୋଲି ସେତେବେଳ ପ୍ରଶ୍ନ ଉଠି ଥିଲା । ତେବେ, ରାଜ୍ୟ ସରକାର ପ୍ରତିବାଦର ସ୍ୱରକୁ ଚପାଇ ଦେଇ ‘ପଣ୍ଡା ଇନଫ୍ରା’କୁ କାମ ଆଗେଇ ନେବାର ସୁଯୋଗ ଦେଇଥିଲେ । ଠିକାଦାର ମଧ୍ୟ ପୂର୍ବାପେକ୍ଷା ଅଧିକ ସତର୍କତା ଦେଖାଇ ନିର୍ମାଣ କାର୍ଯ୍ୟ ଆଗେଇ ନେଉ ଥିଲେ । ଅତିଶୀଘ୍ର ଏହି ନିର୍ମାଣ କାର୍ଯ୍ୟ ସରିବ ଏବଂ ଦୀର୍ଘ ତିନି ବର୍ଷରୁ ଅଧିକ ହେଲା ହିନସ୍ତା ହେଉଥିବା ଅଂଚଳବାସୀ ଓ ଜନସାଧାରଣଙ୍କୁ ତ୍ରାହୀ ପାଇବେ ବୋଲି ଆଶା କରାଯାଉଥିବା ବେଳେ ଗତ ଗୁରୁବାର (୩ ତାରିଖ) ରାତିରେ ଆଉ ଏକ ଦୁର୍ଘଟଣା ଘଟି ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏହି ଘଟଣା ପୁନର୍ବାର ଜନ ଆନେ୍ଦାଳନକୁ ନିମନ୍ତ୍ରଣ କରିବା ସହ ପଣ୍ଡା ଇନଫ୍ରାକୁ ସେହି ନିଆଁ ଭିତରକୁ ଟାଣି ଆଣିଛି ।
ସେପ୍ଟେମ୍ବର ମାସରେ ଘଟି ଥିବା ଦୁର୍ଘଟଣା ସ୍ଥଳ ଠାରୁ ମାତ୍ର ୫୦ ମିଟର ଦୂରରେ ମେ’ ୩ ତାରିଖ (ଗୁରୁବାର) ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟି ଥିବା ଜଣାପଡିଛି । ପ୍ରାୟ ୮ରୁ ୧୦ ଜଣ ଶ୍ରମିକ ନିର୍ମାଣାଧିନ ଓଭର ବ୍ରିଜ୍ ତଳେ କାମ କରୁଥିବା ବେଳେ ବି୍ରଜ୍ କୁ ଡ଼େରା ହୋଇ ରହିଥିବା ଲୁହା ରେଲିଂ ଭୁଶୁଡି ପଡିବାରୁ ଦୁଇ ଜଣ ଶ୍ରମିକ ତା’ ତଳେ ଚାପି ହୋଇ ଯାଇ ଥିଳେ । ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଓ ପୁଲିସକୁ ସୂଚନା ଦେବା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଲୁହା ରେଲିଂ ତଳୁ ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଦୁଇ ଶ୍ରମିକଙ୍କ ମଧ୍ୟରୁ ଜଣେ ସ୍ଥାନୀୟ କ୍ୟାପିଟାଲ ହସପିଟାଲରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଶ୍ରମିକ ଜଣକ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏହି ଦୁର୍ଘଟଣା ପୁଣି ଥରେ ସେପ୍ଟେମ୍ବର ୧୦ ତାରିଖ ଦୁର୍ଘଟଣାକୁ ମନେ ପକାଇ ଦେଇଛି ।
ଘଟଣା ଘଟୁ ଘଟୁ ଛାତ୍ର କଂଗ୍ରେସ ଓ ବିଜେପିର ସ୍ଥାନୀୟ ନେତାମାନେ ଘଟଣା ସ୍ଥଳରେ ପହଂଚି ରାସ୍ତା ଅବରୋଧ କରିବା ସହ ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡାଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଥିଲେ । ଜଣେ କଳା ତାଲିକାଭୁକ୍ତ ଠିକାଦାରଙ୍କୁ ପୁନର୍ବାର ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ସରକାର କେମିତି ସୁଯୋଗ ଦେଲେ ବୋଲି ରାସ୍ତା ଅବରୋଧକାରୀ ମାନେ ପ୍ରଶ୍ନ କରିବା ସହ ରେଳ ଓଭରବ୍ରିଜ୍ ନିର୍ମାଣରେ କଂପାନୀ ସହ ଶାସକ ଦଳର କିଛି ପ୍ରଭାବଶାଳୀ ନେତାଙ୍କ ଭାଗିଦାରୀ ରହିଛି ବୋଲି ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିବାରୁ ନିଜେ ପୁଲିସ ଡ଼ିସିପି ଓ ଅନ୍ୟ ଅଧିକାରୀମାନେ ପହଂଚି ପରିସ୍ଥିତି ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । କାର୍ଯ୍ୟରତ ଶ୍ରମିକଙ୍କ ଠାରୁ ଜଣାପଡିଛି ଯେ, ସେମାନେ ଗୋଟିଏ କଂକ୍ରିଟ୍ ପିଲର୍ ସହ ଲୁହା ରେଲିଂ ସଂଯୋଗ କାମ କରୁଥିବା ବେଳେ ଡ଼େରା ହୋଇ ରହିଥିବା ଓଜନଦାର ରେଲିଂଟି ଭୁଶୁଡି ପଡି ଥିଲା । ସ୍ଥାନୀୟ ବ୍ୟବସାୟୀମାନେ ସେହି ଶବ୍ଦ ଶୁଣି ଘଟଣା ସ୍ଥଳକୁ ଦୌଡି ଆସି ଥିଲେ । ଦୁଇ ଜଣ ଶ୍ରମିକ ଲୁହା ରେଲିଂ ତଳେ ଚାପି ହୋଇ ରହିଥିବା ଦେଖି ସେମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ସେପ୍ଟେମ୍ବର ୧୦ ତାରିଖ ଦୁର୍ଘଟଣା ପରେ ଜନ ଆନେ୍ଦାଳନ ତେଜିବାରୁ ପଣ୍ଡା ଇନଫ୍ରା ପ୍ରୋଜକ୍ଟ ପ୍ରାଇଭେଟ ଲିମିଟେଡ଼ର ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯିବା ସହ ୩ ଜଣ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ପ୍ରତାପ ପଣ୍ଡା ସେପ୍ଟେମ୍ବର ୧୧ରେ ଗିରଫ ହେବା ପରେ ଜେଲରେ ଥିଲେ । ପରେ, ସେ ସର୍ତର୍ମୂଳକ ଜାମିନରେ ହାଇକୋର୍ଟରୁ ମୁକୁଳିଛନ୍ତି । ଏହି ମାମଲାରେ ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ କିଶୋର ରାଉତ ଓ ପଣ୍ଡା ଇନଫ୍ରାର ପ୍ରେଜେକ୍ଟ ମ୍ୟାନେଜର ଭିପୁଲ ଚକ୍ରବର୍ତୀ ମଧ୍ୟ ଗିରଫ ହୋଇ ଜେଲ ଯାଇଥିଲେ । ୨୦୧୪ରେ ଏହି ରେଳ ଓଭର ବ୍ରିଜ୍ ର ନିର୍ମାଣ କାର୍ଯ୍ୟ ସରିବା ଲକ୍ଷ୍ୟ ରହିଥିବା ବେଳେ ୨୦୧୮ ମେ’ ସୁଦ୍ଧା କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନାହିଁ । କାର୍ଯ୍ୟ ସରିବାକୁ ସେମିତି ତିନି ବର୍ଷ ବିଳମ୍ବିତ ହେଲାଣି । ଅଧିକ ବିଳମ୍ବ ହେବା ସରକାର ଚାହୁଁ ନ ଥିବାରୁ କଳା ତାଲିକାଭୁକ୍ତ ପଣ୍ଡା ଇନଫ୍ରାକୁ ପୁନର୍ବାର କାମ କରିବାକୁ ଅନୁମତି ଦିଆଯାଇଛି ବୋଲି ଗତ ବର୍ଷ ନଭେମ୍ବର ମାସରେ ସରକାର ସଫେଇ ଦେଇଥିଲେ । ମାର୍ଚ୍ଚ ୨୦୧୮ ସୁଦ୍ଧା କାମ ସରିବ ବୋଲି ସେତେବେଳ ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୂଚାଇ ଥିଲେ । ତେବେ, ୨୦୧୮ ମେ’ ସୁଦ୍ଧା ନିର୍ମାଣ କାର୍ଯ୍ୟର ୭୫ ଭାଗ ସରିଛି। ୪୪ କୋଟି ଟଙ୍କାର ନିର୍ମାଣ କାର୍ଯ୍ୟରୁ ୨୮ କୋଟି ଟଙ୍କାର କାମ ଏକାକୀ ପଣ୍ଡା ଇନଫ୍ରା ହାତରେ ରହିଛି । ନଭେମ୍ବର ମାସର ପୂଜା ପାଠ ପଣ୍ଡା ଇନଫ୍ରାକୁ ଆଉ ଏକ ଦୁର୍ଘଟଣାରୁ ମୁକୁଳି ପାରି ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS