ତାଜମହଲକୁ ନେଇ ସୁପ୍ରିମ କୋର୍ଟ ଚିନ୍ତାରେ !
ନୂଆଦିଲ୍ଲୀ: ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଆଗ୍ରାର ତାଜମହଲ ଅନ୍ୟତମ । ମୋଗଲ ସମ୍ରାଟ ଶହାଜାହାନ ଓ ତାଙ୍କ ପତ୍ନୀ ମୁମତାଜଙ୍କ ନୈସର୍ଗିକ ପ୍ରେମର ଏକ ଜୀବନ୍ତ ସ୍ମୃତି । ୧୭ ଶତାବ୍ଦୀର ଏହି ଐତିହାସିକ କୀର୍ତିର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ନେଇ ସରକାରଙ୍କ ଉଦାସୀନତା ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଚିନ୍ତିତ କରିଛି । ସ୍ୱଚ୍ଛ ଧବଳ ମାର୍ବଲ ପଥରରେ ନିର୍ମିତ ଏହି ପ୍ରେମର ପ୍ରତୀକ ଇଷତ ହଳଦିଆରୁ ଏବେ ଧୂଷର ଓ ସବୁଜ ରଂଗରେ ପରିଣତ ହୋଇ ଥିବାରୁ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ କ୍ଷୋଭ ପ୍ରକାଶ କରିଛନ୍ତି । ହସ୍ତଗତ ହୋଇଥିବା ତାଜମହଲର ବର୍ତମାନର ଫଟୋଚିତ୍ରକୁ ଦେଖି ଖଣ୍ଡପୀଠ ଚିନ୍ତାବ୍ୟକ୍ତ କରିବା ସହ ଦେଶର ଐତିହାସିକ କୀର୍ତର୍ୀରାଜିକୁ ସୁରକ୍ଷା ଦେବାରେ ସରକାରଙ୍କ ନିକଟରେ ବିଶେଷଜ୍ଞଙ୍କ ଅଭାବ ଅଛି କି (?) ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।
ମାନ୍ୟବର ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ମଦନ ବି. ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ପରିବେଶ ଆଇନଜୀବୀ ଏମ.ସି. ମେହେଟ୍ଟା ଗତ ମେ’ ୨ ତାରିଖ ଦିନ ଏହି ଐତିହାସିକ କୀର୍ତିର କିଛି ଫଟୋଚିତ୍ର ଉପସ୍ଥାପନ କରି ସରକାରଙ୍କ ଅବହେଳାରୁ ଏହି ଐତିହାସିକ କୀର୍ତର ସ୍ଥିତିି ବିପର୍ଯ୍ୟସ୍ତ ହୋଇପଡି ଥିବା ଅଭିଯୋଗ କରିଥିଲେ । ତାଜମହଲକୁ ଲାଗି ପ୍ରବାହିତ ହେଉ ଥିବା ଯମୁନା ନଦୀ ଶୁଖି ଯାଇଛି। ପାଖପାଖି ଅଂଚଳ ଜବରଦଖଲ ହେବା ସହ ଶିଳ୍ପ ସଂସ୍ଥାମାନ ଗଢି ଉଠିଲାଣି । ସେଠାରେ ଲାଗି ଥିବା କୌଣସି ସିସିଟିଭି କାମ କରୁ ନାହିଁ । ସରକାର କେବଳ ଏହି ଐତିହାସିକ କୀର୍ତିକୁ ଅର୍ଥ କମାଇବାର ମାଧ୍ୟମ କରିଛନ୍ତି ସିନା ରକ୍ଷଣାବେକ୍ଷଣ ପ୍ରତି ମୋଟେ ଧ୍ୟାନ ଦେଉ ନାହାନ୍ତି ବୋଲି ମେହେଟ୍ଟା କୋର୍ଟକୁ କହିଥିଲେ ।
‘ବୋଧହୁଏ, ଆପଣମାନେ ଏସବୁକୁ ଖାତିର କରୁ ନାହାନ୍ତି, ସହାୟତା ନିଅନ୍ତୁ’ ବୋଲି ବିଚାରପତି ଜଷ୍ଟିସ ଲୋକୁର ଅଦାଲତରେ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ଏଏନଏସ ନାଦକର୍ଣ୍ଣୀଙ୍କୁ କହିଥିଲେ । ହାତରେ ଧରିଥିବା ଫଟୋଚିତ୍ରରେ ତାଜମହଲର ବିବର୍ଣ୍ଣ ରୂପକୁ ଦେଖି ‘ଏବେ ଏହା ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ’ ହୋଇଯିବ ବୋଲି ବିଚାରପତି ଜଷ୍ଟିସ ଲୋକୁର କ୍ଷୋଭର ସହ ମନ୍ତବ୍ୟ ରଖି ଥିଲେ । ଏହି ଐତିହାସିକ କୀର୍ତିର ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ପାଖରେ ବିଶେଷଜ୍ଞ ନାହାନ୍ତି ନା ବିଶେଷଜ୍ଞ ଥାଇ ମଧ୍ୟ ସେମାନଙ୍କୁ ବ୍ୟବହାର କରାଯାଉ ନାହିଁ (?) ବୋଲି ଜଷ୍ଟିସ ଲୋକୁର ପ୍ରଶ୍ନ କରିବା ସହ ତାଜମହଲର ପୂର୍ବ ଗୌରବ ଫେରାଇ ଆଣିବା ସକାଶେ ସରକାର ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କ ସହାୟତା ନେବାକୁ ନିର୍ଦେଶ ଦେଇ ଥିଲେ । ଜଷ୍ଟିସ ଲୋକୁର କହିଲେ , ବିଦେଶରୁ ଆସୁଥିବା ଅତିଥିମାନଙ୍କ ଭ୍ରମଣ ତାଲିକାରେ ଏବେ ବି ସରକାର ତାଜମହଲକୁ ସ୍ଥାନିତ କରୁ ଥିବାରୁ ଏହି ଐତିହାସିକ ସ୍ଥାନର ସୁରକ୍ଷା ଓ ସଂରକ୍ଷଣ ପ୍ରତି ସରକାର ଆଗ୍ରହୀ ଥିବା ମନେ ହେଉଛି ।
ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ନାଦକର୍ଣ୍ଣୀ କୋର୍ଟରେ କରିଥିଲେ ଯେ, ଏହି ଐତିହାସିକ କୀର୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱ ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଂଡିଆ ଉପରେ ନ୍ୟସ୍ତ ରହିଛି । ଏହାଛଡା, ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ୍ ଫର୍ ଆର୍ଟ ଏଣ୍ଡ୍ କଲଚରାଲ ହେରିଟେଜ୍ (ଇନଟାକ୍) ଭଳି ବିଶେଷଜ୍ଞ ସଂସ୍ଥାମାନେ ଏଭଳି ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟ କରୁଛନ୍ତି । ଗୋଆର ଏକ ଐତିହାସିକ ଦୁର୍ଗର ସଂରକ୍ଷଣ କାର୍ଯ୍ୟ ‘ଇନଟାକ୍’ ଦ୍ୱାରା ହୋଇଛି । ଅତିରିକ୍ତ ସଲିସିଟର ଜେନେରାଲଙ୍କ କଥା ଶୁଣିବା ପରେ ବିଚାରପତି ଜଷ୍ଟିସ୍ ଲୋକୁର ହାତରେ ଧରି ଥିବା ଫଟୋଚିତ୍ରକୁ ପୁଣି ଥରେ ଦେଖି ‘ସରକାରଙ୍କ ଉଚ୍ଛାଶକ୍ତିର ଅଭାବ ଥିବା ଏହି ଫଟୋଚିତ୍ର ସୂଚିତ କରୁଛି’ ବୋଲି ମନ୍ତବ୍ୟ ଦେଇ ଥିଲେ । ‘ଆପଣ ଶେଷ ଥର କେବେ ତାଜମହଲ ଦେଖି ଥିଲେ (?)’ ବୋଲି ବିଚାରପତି ଜଷ୍ଟିସ ଲୋକୁର ସରକାରୀ ଓକିଲଙ୍କୁ ପ୍ରଶ୍ନ କରିବାରୁ ‘ପ୍ରାୟ ୧୦ ବର୍ଷ ତଳେ’ ବୋଲି ସରକାରୀ ଓକିଲ ଉତ୍ତର ଦେଇଥିଲେ । ‘ଆପଣ ଏବେ ଥରେ ଯାଇ ଦେଖି ଆସନ୍ତୁ’ ବୋଲି ବିଚାରପତି ଲୋକୁର ତାଙ୍କୁ କହିଥିଲେ । ଏହି ଐତିହାସିକ କୀର୍ତିର ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ କୋର୍ଟରେ ହାଜର ହୋଇଥିବା ଓକିଲ ଏଏସଜି ମେହେଟ୍ଟା କୋର୍ଟକୁ ପ୍ରତିଶ୍ରୁତି ଦେଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS