ଗଣତନ୍ତ୍ର ବାଟବଣା, ୟେଦୁରାପ୍ପାଙ୍କୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିମନ୍ତ୍ରଣ, କଂଗ୍ରେସ-ଜେଡ଼ିଏସ୍ ସୁପ୍ରିମ କୋର୍ଟରେ, ରାତି ଅଧରେ ଶୁଣାଣୀ
ବେଙ୍ଗାଲୁର, ୧୭ ମେ’: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ସର୍ବବୃହତ୍ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଦଳ ନିକଟରେ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନାହିଁ । କଂଗ୍ରେସ ଦଳ ଦ୍ୱତୀୟ ଓ ଜନତା ଦଳ (ଧର୍ମନିରପେକ୍ଷ) ବା ଜେଡ଼ିଏସ୍ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ, ଭୋଟ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ଓ ଜେଡ଼ିଏସ୍ ନିଜ ଭିତରେ ମେଂଟ କରି ସରକାର ଗଠନ ପାଇଁ ଦାବିଦାର ହୋଇଥିବା ବେଳେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା ବିଜେପିକୁ ଆମନ୍ତ୍ରଣ କରିବା ସହ ସରକାରଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ସକାଶେ ୧୫ ଦିନ ସମୟ ଦେବା ଉଭୟ କଂଗ୍ରେସ ଓ ଜେଡ଼ିଏସ୍ କୁ କ୍ଷୁବ୍ଧ କରିଛି । ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଂଜ୍ କରି ଉଭୟ ଦଳ ୧୬ ତାରିଖ ବିଳମ୍ବିତ ରାତ୍ରୀରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନର ତୁରନ୍ତ ଶୁଣାଣୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାଖଲ ପିଟିସନକୁ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଗ୍ରହଣ କରିଛନ୍ତି । ୬ ନମ୍ବର କୋର୍ଟରେ ଶୁଣାଣୀ ଆରମ୍ଭ ହୋଇଥିବା ଏବଂ କଂଗ୍ରେସ-ଜେଡ଼ିଏସ୍ ପକ୍ଷରୁ ଯୁକ୍ତି ଉପସ୍ଥାପନ ପାଇଁ ଆଡଭୋକେଟ୍ ଅଭିଷେକ ମନୁ ସିଂଘଭି ରାତି ୨ଟାରେ କୋର୍ଟରେ ପହଂଚି ଥିବା ନୂଆଦିଲ୍ଲୀରୁ ଖବର ମିଳିଛି ।
୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର ୨୨୨ ଆସନ ପାଇଁ ଗତ ୧୨ ତାରିଖ ଭୋଟ ହୋଇଥିଲା ଏବଂ ୧୫ ତାରିଖ ଫଳାଫଳ ପ୍ରକାଶ ପାଇଲା । ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନାହିଁ । ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୭୮ ଆସନରେ ଓ ଜେଡ଼ିଏସ ୩୮ଟି ଆସନରେ ବିଜୟୀ ହୋଇଛି । ୨ଟି ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି ଅନ୍ତତଃ ୧୨୦ଟି ଆସନରେ ବିଜୟୀ ହୋଇ ରାଜ୍ୟରେ ସରକାର ଗଠନ କରିବା ଆଶା ରଖି ଥିବା ବେଳେ କର୍ଣ୍ଣାଟକବାସୀ ଦଳକୁ ଏହି ସୁଯୋଗ ଦେଇ ନାହାନ୍ତି । ଅପରପକ୍ଷରେ, କଂଗ୍ରେସର ଗତ ପାଂଚ ବର୍ଷର ଶାସନକୁ ନେଇ ରାଜ୍ୟରେ ସରକାର ବିରୋଧୀ ହାୱା ପ୍ରବଳ ଥିଲା । ତେଣୁ, ଦଳକୁ ପୁନର୍ବାର କ୍ଷମତାକୁ ଫେରିବା ସୁଯୋଗ ମିଳି ନାହିଁ । ଜେଡ଼ିଏସ ଏକାକୀ ବହୁମତ ନ ପାଇଲେ ମଧ୍ୟ ‘କିଙ୍ଗ୍ ମେକର’ ଭୂମିକାରେ ରହିବ, ସେହି ଆଶା ରଖି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲା । ନିର୍ବାଚନ ଫଳାଫଳ ତିନି ଦଳକୁ ନିରାଶ କରିଛି ।
ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେବେଳେ ଜେଡ଼ିଏସ୍ ମୁଖ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡ଼ି. ଦେବେଗୌଡାଙ୍କୁ ପ୍ରଶଂସା କରୁଥିଲେ ତ କେତେବେଳେ କଟୁ ସମାଲୋଚନା କରୁଥିଲେ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ଆବଶ୍ୟକତା ପଡିଲେ ଜେଡ଼ିଏସ୍ ର ସମର୍ଥନ ଲୋଡିବ ବୋଲି ଏଥିରୁ ଅନୁମାନ କରାଯାଉଥିଲା । ତେବେ,୧୫ ତାରିଖ ଭୋଟ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ସର୍ବବୃହତ୍ ଦଳ ଭାବେ ଉଭା ହୋଇ ବଡ ଭାଇର ଭୂମିକାରେ ରହିବାରୁ ଜେଡ଼ିଏସ୍ କଂଗ୍ରେସ ସହ ମେଂଟ କରି କ୍ଷମତାକୁ ଫେରିବାର ବାଟ ବାଛି ଥିଲା । ଜେଡ଼ିଏସ୍ ମୁଖିଆ ସରକାର ଗଢିବାକୁ ପାଗ ଭିଡ଼ିଲେଣି ବୋଲି ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଜବରଦସ୍ତ ପ୍ରଚାର ଚାଲି ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରାପ୍ପା ନବନିର୍ବାଚିତ ବିଜେପି ବିଧାୟକମାନଙ୍କ ଦ୍ୱାରା ବିଧାୟକ ଦଳ ନେତା ନିର୍ବାଚିତ ହୋଇ ରାଜ୍ୟରେ ତାଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠା ନିଶ୍ଚିତ ବୋଲି ଘୋଷଣା କରିଥିଲେ ।
ଦୁଇ ଦିନ ଧରି ସରକାର ଗଠନ ପାଇଁ ବିଜେପି ଏବଂ କଂଗ୍ରେସ-ଜେଡ଼ିଏସ ମେଂଟ ମଧ୍ୟରେ ଏଭଳି ଛକାପଂଝା ଚାଲି ଥିବା ବେଳେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲାଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭକ୍ତ କୁହାଯାଉଥିବା ରାଜ୍ୟପାଳ ଭାଲା ଶେଷରେ ନିଜର ପ୍ରଭୁଭକ୍ତିର ପରିଚୟ ଦେଇ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପି ବିଧାୟକ ଦଳ ନେତା ବିଏସ ୟେଦୁରାପ୍ପାଙ୍କୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିଛନ୍ତି । କଂଗ୍ରେସ-ଜେଡ଼ିଏସ ମେଂଟର ବିଧାୟକଙ୍କ ସଂଖ୍ୟା ୧୧୬ ଥିବା ସ୍ଥଳେ ୧୦୪ ବିଧାୟକ ଥିବା ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯିବା ସହ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ସକାଶେ ୧୫ ଦିନ ସମୟ ଦିଆଯିବା ଗଣତନ୍ତ୍ରର ହତ୍ୟା ବୋଲି ଉଭୟ କଂଗ୍ରେସ ଓ ଜେଡ଼ିଏସ ବିଧାୟକମାନେ ଅଭିଯୋଗ କରିଛନ୍ତି । ତେବେ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମେଂଟ ହୋଇଥିବାରୁ କଂଗ୍ରେସ ଓ ଜେଡ଼ିଏସକୁ ସରକାର ଗଠନ ପାଇଁ ସୁଯୋଗ ଦିଆ ନ ଯାଇ ଏକକ ସଂଖ୍ୟାଗରିଷ୍ଠତା ଥିବା ବିଜେପିକୁ ଏହି ସୁଯୋଗ ଦିଆଗଲା ବୋଲି ରାଜ୍ୟପାାଳଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ତେବେ, ବିହାର, ଗୋଆ ପ୍ରଭୃତି ରାଜ୍ୟରେ ସରକାର ଗଠନ ବେଳେ ଏହି ନୀତି ଅନୁସରଣ ହୋଇ ନ ଥିବା ବେଳେ କର୍ଣ୍ଣାଟକରେ ଅନୁସରଣ କରାଯିବା ବିଜେପିର ଦୋଗଲା ନୀତିର ପରିଚୟ ଦେଉଛି ବୋଲି ଅଣ-ବିଜେପି ଦଳମାନେ ଅଭିଯୋଗ କରିଛନ୍ତି । ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୧୦୪ ଥିବା ବେଳେ ଜଣେ ନିର୍ଦ୍ଦଳୀୟ ବିଧାୟକ ବିଜେପିକୁ ସମର୍ଥନ ଦେଇ ଏହି ସଂଖ୍ୟା ୧୦୫ରେ ବଢାଇଛନ୍ତିି । ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପାଇଁ ଆହୁରି ସାତ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । ଏଥିସକାଶେ ୟେଦୁରାପ୍ପା ସରକାର ଘୋଡା ବେପାରର ଆଶ୍ରୟ ନେଇ ପାରନ୍ତି ବୋଲି ଆଶଙ୍କା କରାଯାଉଥିବା ବେଳେ ଜେଡ଼ିଏସ୍ ସହ କଂଗ୍ରେସର ମେଂଟକୁ ବିରୋଧ କରୁଥିବା ସାତ ଜଣ କଂଗ୍ରେସ ବିଧାୟକ ବିଜେପିକୁ ସମର୍ଥନ ଦେବା ନେଇ ସାମାଜିକ ଗଣମାଧ୍ୟମରେ ଯୋରଦାର ଚର୍ଚ୍ଚା ହେଉଛି । ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି ଉଭୟ କଂଗ୍ରେସ ଓ ଜେଡ଼ିଏସ୍ ବୁଧବାର ବିଳମ୍ବ ରାତ୍ରୀରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରସ୍ଥ ହୋଇ ତୁରନ୍ତ ଶୁଣାଣୀ ପାଇଁ ନିବେଦନ କରିଥିବା ବେଳେ ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରାପ୍ପା ଗୁରୁବାର ସକାଳ ୯ଟାରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ପ୍ରସ୍ତୁତି ଚଳାଇ ଥିବା କର୍ଣ୍ଣାଟକ ରାଜନୀତିକୁ ଚଳଚଂଚଳ କରିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS