ବିଜେପିର ଅଡୁଆ ବଢିଲା, ଶନିବାର ଅପରାହ୍ନରେ ୟେଦୁରାପ୍ପାଙ୍କ ଶକ୍ତି ପରୀକ୍ଷା
ନୂଆଦିଲ୍ଲୀ, ୧୮ ମେ’: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରାପ୍ପା ଶନିବାର ଅପରାହ୍ନ ୪ଟା ସମୟରେ ରାଜ୍ୟ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସୁପ୍ରିମ କୋର୍ଟ ଆଜି ପୂର୍ବାହ୍ନରେ ନିର୍ଦେଶ ଦେବା ପରେ ଶାସକ ବିଜେପିର ଅଡ଼ୁଆ ବଢିଛି । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା କଂଗ୍ରେସ-ଜେଡ଼ିଏସ୍ ମେଂଟର ସରକାର ଗଠନ ଦାବିକୁ ଉପେକ୍ଷା କରି ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନ ଥିବା ବିଜେପିକୁ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବା ଏବଂ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ୧୫ ଦିନ ସମୟ ଦେବା ନିଷ୍ପତ୍ତିର ବିରୋଧ କରି କଂଗ୍ରେସ ଓ ଜେଡ଼ିଏସ୍ ପକ୍ଷରୁ ୧୬ ତାରିଖ ବିଳମ୍ବ ରାତ୍ରୀରେ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଲୋଡା ଯାଇଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏହି ଅବେଦନ ଉପରେ ଶୁଣାଣୀ ପାଇଁ ରାଜି ହେବା ପରେ ୧୭ ତାରିଖ ଭୋରରେ ଏକ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ ଆରମ୍ଭ କରିଥିଲେ । ଭୋର ୨ଟାରୁ ୪ଟା୨୦ ମିନିଟ ପର୍ଯ୍ୟନ୍ତ ମାମଲାର ଶୁଣାଣୀ ପରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରାପ୍ପାଙ୍କ ୧୭ ତାରିଖ ସକାଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇ ନ ଥିଲେ ମଧ୍ୟ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ହୋଇଥିବା ଆବେଦନ ଉପରେ ଶୁକ୍ରବାର (୧୮ ତାରିଖ) ସକାଳ ୧୦ଟାରେ ଶୁଣାଣୀ ପାଇଁ ସମୟ ଧାର୍ଯ୍ୟ କରିଥିଲେ ।
ଶୁକ୍ରବାର ସକାଳେ ସୁପ୍ରିମ କୋର୍ଟ ବିଚାରପତି ଏକେ ସିକ୍ରିଙ୍କ ନେତୃତ୍ୱରେ ବିଚାରପତି ଏସ.ଏ.ବୋବଡେ ଓ ବିଚାପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରି କର୍ଣ୍ଣାଟକର ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କ ପ୍ରତି ବିଧାନସଭାରେ ଦୁଇ ତୃତୀୟାଂଶ ବିଧାୟକଙ୍କ ସମର୍ଥନ ରହିଛି କି ନାହିଁ, ତାହା ପ୍ରମାଣ କରିବା ସକାଶେ ବିଧାନସଭା ହିଁ ପ୍ରକୃଷ୍ଟ କ୍ଷେତ୍ର ବୋଲି ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ଶନିବାର ଅପରାହ୍ନ ୪ଟାରେ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟର ସିନିୟର ଆଡଗୋକେଟ୍ ମୁକୁଲ ରେହତଗି ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କ ପାଇଁ ଖଣ୍ଡପୀଠ ସମ୍ମୁଖରେ ହାଜର ହୋଇ ଶକ୍ତି ପରୀକ୍ଷା ପାଇଁ ସୋମବାର ପର୍ଯ୍ୟନ୍ତ ସମୟ ଦିଆ ଯିବାକୁ ଅନୁରୋଧ କରିଥିଲେ । ତେବେ, କୋର୍ଟ ତାହାକୁ ଅଗ୍ରାହ୍ୟ କରି ଶନିବାର ଅପରାହ୍ନ ୪ଟାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଦେଶ ଦେଇ ରାୟ ପ୍ରକାଶ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS