ଅଢେଇ ଦିନିଆ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କ ବିଦାୟ
ବେଙ୍ଗାଲୁରୁ, ମେ’୧୯: ୧୭ ତାରିଖ ସକାଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଜେପି ବିଧାୟକ ଦଳ ନେତା ବିଏସ୍ ୟେଦୁରାପ୍ପା ୧୯ ତାରିଖ (ଶନିବାର) ଅପରାହ୍ନରେ ରାଜ୍ୟ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଫଳରେ, ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଥିବା ୟେଦୁରାପ୍ପା ‘ଅଢେଇ ଦିନିଆ ମୁଖ୍ୟମନ୍ତ୍ରୀ’ ହୋଇ ଯାଇଛନ୍ତି ।
ମେ’୧୫ ତାରିଖ ପ୍ରକାଶ ପାଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ରାଜ୍ୟରେ ଏକ ଅଭବନୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଭୋଟର କୌଣସି ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଦେଇ ନ ଥିବାରୁ ଝୁଲା ଅବସ୍ଥା ସୃଷ୍ଟି ହୋଇ ଘୋଡା ବେପାରର ଆଶଙ୍କା ବଢି ଯାଇଥିଲା । ରାଜ୍ୟର ୨୨୪ ବିଧାନସଭା ଆସନରୁ ୨୨୨ଟିରେ ଭୋଟ ହୋଇ ଥିବା ବେଳେ ବିଜେପିକୁ ସର୍ବାଧିକ ୧୦୪ ଆସନ ମିଳି ଥିଲେ ମଧ୍ୟ ଦଳ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ସଂଖ୍ୟା ଠାରୁ ସାତଟି ଆସନ ଦୂରରେ ଥିଲା । ଅପରପକ୍ଷରେ, କଂଗ୍ରେସ ଦଳ ୭୮ ଓ ଜନତା ଦଳ (ଧର୍ମନିରପେକ୍ଷ) ବା ଜେଡ଼ିଏସ୍ ୩୮ ଆସନ ପାଇ ଥିବା ସମୟରେ ବାକି ଦୁଇଟି ଆସନ ନିର୍ଦଳୀୟ ବିଧାୟକଙ୍କ ହାତକୁ ଯାଇଥିଲା । କୌଣସି ଦଳ ଏକାକୀ ସରକାର ଗଠନ କରିବା ଅବସ୍ଥାରେ ନ ଥିବା ବେଳେ ବିଜେପିର ବାଜି ମାରି ନେବାକୁ ଉଦ୍ୟମ କରୁଥିବା ଦେଖି କଂଗ୍ରେସ ଦଳ ସନ୍ତର୍ପଣରେ ଜେଡ଼ିଏସ୍ ସହ ନିର୍ବାଚନ-ପର ମେଂଟ କରି ରାଜ୍ୟରେ ସରକାର ଗଠନର ଦାବିଦାର ହୋଇଥିଲା । ମେଂଟ ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ୧୧୬ ବିଧାୟକଙ୍କ ତାଲିକା ଉପସ୍ଥାପନ କରାଯାଇ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାକୁ ଦାବି ଉପସ୍ଥାପନ କରାଯିବାରୁ ରାଜନୀତି ସରଗରମ ହୋଇଥିଲା । ବିଜେପି ଦୁଇ ନିର୍ଦଳୀୟ ବିଧାୟକଙ୍କୁ ଆଖେଇ ଥିଲେ ମଧ୍ୟ ସେମାନେ କଂଗ୍ରେସ-ଜେଡ଼ିଏସ୍ ମେଂଟରେ ସାମିଲ ହୋଇଥିଲେ । କଂଗ୍ରେସ – ଜେଡ଼ିଏସ୍ ମେଂଟ ବାଜି ମାରି ନେବା ସମ୍ଭାବନା ଦେଖି ବିଜେପି ରାଜ୍ୟପାଳଙ୍କୁ ଅସ୍ତ୍ର କରିଥିଲା ।
ଏଭଳି ସ୍ଥିତିରେ କର୍ଣ୍ଣାଟକ ରାଜ୍ୟପାଳଙ୍କ ଭୂମିକା ଥିଲା ଶଠତାପୂର୍ଣ୍ଣ । ସେ କଂଗ୍ରେସ-ଜେଡ଼ିଏସ୍ ମେଂଟର ଦାବିକୁ ଉପେକ୍ଷା କରି ଏକକ ସଂଖ୍ୟାଗରିଷ୍ଠ ଥିବା ବିଜେପିର ବିଧାୟକ ଦଳ ନେତା ବିଏସ୍ ୟେଦୁରାପ୍ପାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ । ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ୧୫ ଦିନ ସମୟ ମଧ୍ୟ ଦେଇଥିଲେ । ୟେଦୁରାପ୍ପା ଆବଶ୍ୟକ ସଂଖ୍ୟା ନ ଥିଲେ ବି ପରେ ସଂଖ୍ୟା ଯୋଗାଡ କରିବା ଚକ୍କରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଦେଖି କଂଗ୍ରେସ-ଜେଡ଼ିଏସ୍ ମେଂଟ ୧୬ ତାରିଖ ରାତିରେ ହିଁ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟରେ ଗୁହାରୀ ହୋଇ ତୁରନ୍ତ ଶୁଣାଣୀ ପାଇଁ ଆବେଦନ କରିଥିଲେ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସି ଦୀପକ ମିଶ୍ର ରାତି ଅଧରେ ଏହି ଆବେଦନକୁ ଶୁଣାଣୀ ପାଇଁ ଗ୍ରହଣ କରିବା ସହ ଏକ ତିନି ଜଣିଆ ଖଣ୍ଡପୀଠ ଗଠନ କରି ଶୁଣାଣୀ ଦାୟିତ୍ୱ ଦେଇଥିଲେ। ଜଷ୍ଟିସ୍ ଏକେ ସିକ୍ରିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୧୭ ତାରିଖ ଭୋର ୨ଟାରୁ ଶୁଣାଣୀ ଆରମ୍ଭ କରି ସାଢେ ୪ଟାରେ ରାୟ ଦେଇ ଥିଲେ । ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ଉପରେ ଖଣ୍ଡପୀଠ କୌଣସି ରୋକ୍ ନ ଲଗାଇ ୧୮ ତାରିଖ ସକାଳ ୧୦ଟାରେ ମାମଲାର ପୁନର୍ବାର ଶୁଣାଣୀ ହେବ ବୋଲି ଖଣ୍ଡପୀଠଙ୍କ ରାୟ କଂଗ୍ରେସ-ଜେଡ଼ିଏସ୍ ମେଂଟକୁ ଆଶ୍ୱସ୍ତ କରିଥିଲା ।
ବିଜେପିର ସରକାର ଗଠନରେ ସୁପ୍ରିମ କୋର୍ଟ ରାୟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁ ଥିବା ଜାଣି ମଧ୍ୟ ୟେଦୁରାପ୍ପା ୧୭ ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଏବଂ କର୍ଣ୍ଣାଟକ ରାଜ୍ୟପାଳ ତାଙ୍କୁ ଶପଥ ପାଠ କରାଇବା ଥିଲା ଗଣତନ୍ତ୍ର ପ୍ରତି ସବୁଠାରୁ ବଡ ଉପହାସ । ୧୮ ତାରିଖ ସକାଳେ ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ମାମଲାର ଶୁଣାଣୀ କରି ୟେଦୁରାପ୍ପାଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦେଶ ଦେବା ସହ ରାଜ୍ୟପାଳ ଦେଇଥିବା ୧୫ ଦିନ ସମୟକୁ ସୀମିତ କରି ଦେଇ ଥିଲେ ୧୯ ତାରିଖ ଅପରାହ୍ନ ୪ଟାକୁ । ଯେଦୁରାପ୍ପାଙ୍କ ଓକିଲ ସୋମବାର ପର୍ଯ୍ୟନ୍ତ ସମୟ ମାଗି ଥିଲେ ସୁଦ୍ଧା ଘୋଡା ବେପାର ଆଶଙ୍କାରେ ଅଧିକ ସମୟ ମିଳି ନ ଥିଲା । ଇତିମଧ୍ୟରେ, କଂଗ୍ରେସ ଓ ଜେଡ଼ିଏସ୍ ରୁ ଅନ୍ୟୁନ ସାତ ଜଣ ବିଧାୟକଙ୍କୁ ନିଜ ଆଡକୁ ଟାଣିବାକୁ ବିଜେପିର ସମସ୍ତ ଚାଲ୍ ବିଫଳ ହେବା ପରେ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ନିର୍ଦେଶ ଅନୁଯାୟୀ ୧୯ ତାରିଖ (ଶନିବାର) ଅପରାହ୍ନରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇ ଥିଲେ । ରାଜ୍ୟ ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନରେ ସେ ଏକ ଲମ୍ବା ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ ।
କର୍ଣ୍ଣାଟକ ଭୋଟଦାତା କଂଗ୍ରେସ ଓ ଜେଡ଼ିଏସ୍ ବିରୋଧରେ ଭୋଟ ଦେଇ ବିଜେପିକୁ ଏକକ ସଂଖ୍ୟାଗରିଷ୍ଠତା ଦେଇଛନ୍ତି । ଦଳ ୧୦୪ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ବହୁମତ ପାଇ ନାହିଁ । କଂଗ୍ରେସ ଓ ଜେଡ଼ିଏସ୍ ପଛଦ୍ୱାର ଦେଇ ନିର୍ବାଚନ-ପର ମେଂଟ କରିବା ସହ ସରକାର ଗଠନ ପାଇଁ ଦାବିଦାର ହୋଇଛନ୍ତି । ତେଣୁ, ସେ ପୁଣି ଥରେ ଭୋଟରଙ୍କ ପାଖକୁ ଯିବେ । ରାଜ୍ୟବ୍ୟାପୀ ଗସ୍ତ କରି ଜନମତ ନେବେ ବୋଲି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରାପ୍ପା ବିଧାନ ସଭାରେ କହିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ପରେ ନାଟକର ଅବସାନ ଘଟିଛି । କଂଗ୍ରେସ-ଜେଡ଼ିଏସ୍ ମେଂଟର ବିଜୟ ଗଣତନ୍ତ୍ରର ବିଜୟ କୁହା ଯାଉଥିଲେ ମଧ୍ୟ ବାସ୍ତବରେ ଏହା ନ୍ୟାୟପାଳିକାର ବିଜୟ ଘଟିଛି । ଦେଶର ବିଚାର ବ୍ୟବସ୍ଥା ପରି ଜନସାଧାରଣଙ୍କ ମନରେ ଆସ୍ଥା ବଢାଇଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS