୨୦୧୯ ନିର୍ବାଚନ ପାଇଁ ବିଜେପିର ‘ଓଡ଼ିଶା କାର୍ଡ’- ରଘୁନାଥ ମହାପାତ୍ର, ସୋନାଲ ମାନସିଂହ ରାଜ୍ୟସଭାକୁ ମନୋନୀତ
– ପ୍ରସାଦ ରାଓ –
ଭୁବନେଶ୍ୱର,୧୫ ଜୁଲାଇ: ନିକଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଥିବା ଅବସରରେ ପ୍ରଖ୍ୟାତ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟି ଥିଲେ । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ସେତେବେଳେ ଦଳ ପକ୍ଷରୁ କୁହାଯାଇଥିଲା । ବିଜେପିର କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଦଳୀୟ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟକୁ ଗସ୍ତ କରିବା ଅବସରରେ ସେଠାକାର ପ୍ରମୁଖ ବ୍ୟକ୍ତିମାନଙ୍କୁ ଭେଟୁ ଥିବାରୁ ଦଳର ରାଷ୍ଟ୍ରୀୟ ସଭାପତି ଶାହା ଭୁବନେଶ୍ୱରରେ ପ୍ରସ୍ତର ଶିଳ୍ପୀ ମହାପାତ୍ରଙ୍କୁ ଭେଟିବା ରୁଟିନ କାର୍ଯ୍ୟକ୍ରମର ଅଂଶ ବୋଲି ଧରି ନିଆ ଯାଇଥିଲା । ତେବେ, ଏହା ଏକ ସାଧାରଣ ସାକ୍ଷାତକାର ନ ଥିଲା, ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ଶାହା ଖେଳୁ ଥିବା ‘ଓଡ଼ିଶା କାର୍ଡ’ର ଅଂଶ ଥିଲା । ଶନିବାର ଦିନ ତାହା ସ୍ପଷ୍ଟ ହୋଇ ଯାଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କ ବିଶେଷ ଅଧିକାର ବଳରେ ଶନିବାର ଦିନ ରାଜ୍ୟସଭାକୁ ଯେଉଁ ୪ ଜଣଙ୍କୁ ମନୋନୀତ କରିଛନ୍ତି ସେଥିରେ ପ୍ରସ୍ତର ଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଓ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସୋନାଲ ମାନସିଂହଙ୍କ ନାମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରଘୁନାଥ ମହାପାତ୍ରଙ୍କ ସମେତ ପ୍ରଖ୍ୟାତ ଶସ୍ତ୍ରୀୟ ନୃତ୍ୟ ଶିଳ୍ପୀ ସେନାଲ ମାନସିଂହ, ଉତ୍ତର ପ୍ରଦେଶର ଜନ ପ୍ରତିନିଧି ରାମ ସାକାଲ ଓ ଆରଏସଏସ ଚିନ୍ତାଧାରା ସଂପନ୍ନ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଅଧିନସ୍ଥ ମୋତିଲାଲ ନେହେରୁ ମହାବିଦ୍ୟାଳୟର ପ୍ରଫେସର ତଥା ଆରଏସଏସ ଓ ବିଜେପିର ପ୍ରବକ୍ତା ରାକେଶ ସିହ୍ନାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବା ପିଏମଓରୁ ଜଣାପଡିଛି ।
ଜନ ପ୍ରତିନିଧି ରାମ ସାକାଲ ଓ ଆରଏସଏସ ପ୍ରବକ୍ତା ରାକେଶ ସିହ୍ନାଙ୍କୁ ରାଷ୍ଟ୍ରପତିଙ୍କ ମନୋନୀତ ସଦସ୍ୟ ଭାବେ ବିଜେପି ପକ୍ଷରୁ ରାଜ୍ୟସଭାକୁ ପଠା ଯିବାରେ କିଛି ବିଚିତ୍ରତା ନାହିଁ । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ଓ ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇ ରାଜ୍ୟସଭାକୁ ଯିବା ସକାଶେ ସମସ୍ତ ଯୋଗ୍ୟତା ରଖିଛନ୍ତି । କେବଳ, ଶ୍ରୀ ମହାପାତ୍ର ଓ ସୁଶ୍ରୀ ମାନସିଂହଙ୍କୁ ରାଜ୍ୟସଭାକୁ ମନୋନୀତ କରାଯିବା ସମୟକୁ ନେଇ ରାଜନୀତିର ଗନ୍ଧ ବାରି ହେଉଛି । ରଘୁନାଥ ମହାପାତ୍ର ଓଡ଼ିଶାର ଜଣେ ସୁଯୋଗ୍ୟ ସନ୍ତାନ ଏବଂ ସୁଶ୍ରୀ ସୋନାଲ ମାନସିଂହ ଓଡ଼ିଶାର ବୋହୂ । ତେଣୁ, ରାଷ୍ଟ୍ରପତିଙ୍କ ଏହି ମନୋନୟନକୁ ନେଇ ଓଡ଼ିଶାବାସୀ ଗର୍ବିତ ବୋଲି ରାଜ୍ୟର ବିଜେପି ନେତାମାନେ ଶନିବାର ଦିନ ତାଲିକା ପ୍ରକାଶ ପାଉ ପାଉ ପଚାର ଆରମ୍ଭ କରି ଦେଇଥିବା ଓ ସାବାସୀ ସାଉଁଟିବାକୁ ପ୍ରୟାସ କରୁଥିବା ହିଁ ଦଳର ମାନସିକତାକୁ ସ୍ପଷ୍ଟ କରି ଦେଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତର ଶିଳ୍ପୀ ମହପାତ୍ର ଓ ନୃତ୍ୟ ଶିଳ୍ପୀ ସୁଶ୍ରୀ ମାନସିଂହଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇ ଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜର ଅପାର ଦକ୍ଷତା ବଳରେ ଓଡ଼ିଶାର କଳା ଓ ସଂସ୍କୃତକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିଥିବା ଓଡ଼ିଶାର ଏହି ଦୁଇ ବ୍ୟକ୍ତିତ୍ୱଙ୍କୁ ରାଜ୍ୟସଭାକୁ ମନୋନୀତି କରି ଥିବାରୁ ରାଷ୍ଟ୍ରପତି କୋବିନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ, ଶାସକ ବିଜେଡ଼ି ଅତି କୋମଳ ଭାବେ ବିଜେପିର ଅତୀତର ଭୁଲକୁ ମଧ୍ୟ ମନେ ପକାଇ ଦେଇଛି । ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ୨୦୧୪ ଫେବୃୟାରରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡ଼ି) ସମର୍ଥିତ ପ୍ରାର୍ଥୀ ହୋଇଥିଲେ । େତେବେ, ସେତେବେଳେ ବିଜେପିର ସମର୍ଥନ ମିଳି ନ ଥିଲା । ଫଳରେ, ରାଜ୍ୟ ବିଧାନସଭାରେ ଆବଶ୍ୟକ ସଂଖ୍ୟା ନ ଥିବା କଂଗ୍ରେସ ପ୍ରାର୍ଥୀ ରଂଜୀବ ବିଶ୍ୱାଳ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଳେ । ରାଜ୍ୟ ବିଜେଡ଼ି ନେତାମାନେ ଏବେ ବିଜେପିକୁ ଏକଥା ମନେ ପକାଇ ଦେଇ ବିଜେପିର ଦୋମୁହାଁ ରାଜନୀତିକୁ ଉଜାଗର କରିଛନ୍ତି ।
ବର୍ତମାନ ରାଜ୍ୟସଭାରେ ବିଜେପିର ଏକମାତ୍ର ଓଡ଼ିଆ ଏମପି ହେଉଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ, ସେ ଓଡ଼ିଶାରୁ ନିର୍ବାଚିତ ହୋଇ ନାହାନ୍ତି । ପ୍ରଥମେ ତାଙ୍କୁ ବିହାରରୁ ରାଜ୍ୟସଭାକୁ ମନୋନୀତ କରାଯାଇ କେନ୍ଦ୍ର ମନ୍ତ୍ରୀ ପରିଷଦରେ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱ ଦିଆ ଯାଇଥିଲେ । ପରବର୍ତୀ ସମୟରେ ସେ ସେହି ମନ୍ତ୍ରରାଳୟର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ଧର୍ମେନ୍ଦ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିବା ପରେ ତାଙ୍କୁ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ମନୋନୀତ କରାଯାଇ ମନ୍ତ୍ରୀ ରଖାଯିବା ସହ ଓଡ଼ିଶାରେ ଦଳର ଚେହେରା ଭାବେ ବ୍ୟବହାର କରାଯାଉଛି । ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଜେପି ଓଡ଼ିଶାରେ ତାହାର ଘର ସଜାଡୁଛି । କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଦଳର ଚେହେରା ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାର ଅସଫଳ ଉଦ୍ୟମ କରୁଛନ୍ତି । ଦଳ ଧର୍ମେନ୍ଦ୍ରଙ୍କ ସହାୟତା ପାଇଁ ଅଧିକ ଚେହେରାଙ୍କୁ ଆଗକୁ ଆଣିବା ସକାଶେ ଜାଲ ବିଛାଇଛି । ନବୀନଙ୍କ ସହ ଅପଡ ହେବା ପରେ ନିକଟରେ ବିଜେଡ଼ିରୁ ଇସ୍ତପା ଦେଇଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଦଳରେ ଯୋଗ ଦେଇ ନ ଥିଲେ ସୁଦ୍ଧା ତାଙ୍କର ବିଜେପି ପ୍ରତି ରହିଥିବା ଆସକ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଥିବା ଆନୁଗତ୍ୟ କାହାରିକୁ ଅଛପା ନାହିଁ । ଏହି ପରିପ୍ରେକ୍ଷୀରେ ‘ମିଶ୍ରଣ ପର୍ବ’ ନା’ରେ ବିଜେପି ବୈଜୟନ୍ତଙ୍କ ସମର୍ଥକଙ୍କ ସମେତ ଅନ୍ୟ ଦଳରୁ(ବିଜେଡ଼ି ସମେତ) କିଛି ଛୋଟ, ବଡ ଦ୍ୱିତୀୟ ଧାଡିର ନେତାଙ୍କୁ ଗୋଟାଇ ନିଜର ଶକ୍ତି ବୃଦ୍ଧି ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ଓ ଶାସ୍ତ୍ରୀୟ (ଭରତ ନାଟ୍ୟମ ଓ ଓଡ଼ିଶୀ) ନୃତ୍ୟ ଶିଳ୍ପୀ ସୋନାଲ ମାନସିଂହଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରି ଓଡ଼ିଶା ପ୍ରତି ବିଜେପିର ସ୍ୱତନ୍ତ୍ର ଆବେଗ ରହିଛି ବୋଲି ପ୍ରତିପାଦିତ କରିବାକୁ ଏହା ଏକ ଉଦ୍ୟମ ବୋଲି ଓଡ଼ିଶାର ରାଜନୈତିକ ମହଲରେ ଆଲୋଚନା ହେଉଛି ।
ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ଜ୍ଞାନ ବା ଦକ୍ଷତା ଥିବା ବ୍ୟକ୍ତିଙ୍କୁ ସମ୍ବିଧାନର ୮୦ (୧) ‘କ’ ଧାରା ଅନୁଯାୟୀ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିପାରିବେ । ଏହି ଧାରାରେ ପ୍ରସ୍ତର ଶିଳ୍ପୀ ମହାପାତ୍ର ଓଡ଼ିଶାରୁ ରାଜ୍ୟସଭାକୁ ମନୋନୀତ ହୋଇଥିବା ଜଣେ ଯୋଗ୍ୟ ବ୍ୟକ୍ତି । ଜଣେ ବିଶ୍ୱ ପ୍ରସିଦ୍ଧ ଆର୍କିଟେକ୍ଟ ଭାବେ ତାଙ୍କ ପରିଚିତ ରହିଛି । ୧୯୬୪ ମସିହାରେ ସେ ପଦ୍ମ ବିଭୂଷଣ, ୧୯୭୬ରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମ ଭୂଷଣ ଓ ୨୦୧୩ରେ ପଦ୍ମ ବିଭୂଷଣ ଉପାଧୀ ପାଇଛନ୍ତି । ଓଡ଼ିଶାରେ ଦ୍ୱିତୀୟ କୋଣାର୍କ ନିର୍ମାଣ ସକାଶେ ସରକାରୀ ସହଯୋଗ ମିଳୁ ନ ଥିଲେ ସୁଦ୍ଧା ବ୍ୟକ୍ତଗତ ଉଦ୍ୟମରେ ପାଂଠି ବ୍ୟବସ୍ଥା କରି ଏହା ନିର୍ମାଣ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ସେହିଭଳି, ସୁଶ୍ରୀ ସୋନାଲ ମାନସିଂହ ହେଉଛନ୍ତି ଦେଶର ଜଣେ ପ୍ରଖ୍ୟାତ ଶାସ୍ତ୍ରୀୟ (ଉଭୟ ଭରତ ନାଟ୍ୟମ ଏବଂ ଓଡ଼ିଶୀ) ନୃତ୍ୟ ଶିଳ୍ପୀ, ଗୁରୁ ଓ ସୁବକ୍ତା । ସେ ୧୯୯୨ରେ ପଦ୍ମ ଭୂଷଣ, ୨୦୦୩ରେ ପଦ୍ମ ବିଭୂଷଣ ପାଇଛନ୍ତି । ଓଡ଼ିଶୀ ନୃତ୍ୟ ପାଇଁ ସେ ସଂଗୀତ ନାଟକ ଏକାଡ଼େମୀ ଦ୍ୱାରା ପୁରସ୍କୃତ । ତାଙ୍କ ମୂଳ ନାମ ହେଉଛି ସୋନାଲ ପକ୍ୱାସା ଓ ଘର ମୁମ୍ବାଇ (ମହାରାଷ୍ଟ୍ର) । ତେବେ, ଭାରତର ସୁନାମଧନ୍ୟ କୁଟନୀତିଜ୍ଞ ଓଡ଼ିଶାର ଲଳିତ ମାନସିଂହଙ୍କୁ ବିବାହ କରି ଥିବାରୁ ସେ ଓଡ଼ିଶାର ବୋହୂ ଭାବେ ପରିଚିତ । ଅବଶ୍ୟ, ଲଳିତ ଓ ସୋନାଲଙ୍କ ମଧ୍ୟରେ ଛାଡପତ୍ର ହୋଇ ସାରିଛି । ୧୯୪୪ ମସିହାରେ ସୋନାଲଙ୍କ ଜନ୍ମ । ଜଣେ ପ୍ରଖ୍ୟାତ କୋରିଓଗ୍ରାଫର ଭାବେ ଏବେ ବି ସେ ତାଙ୍କ କଳା ବାଂଟୁଛନ୍ତି । ନିକଟରେ ରାଜ୍ୟସଭାରୁ ଅବସର ନେଇ ଥିବା କ୍ରିକେଟର୍ ସଚିନ ତେନ୍ଦୁଲକର, ପ୍ରଖ୍ୟାତ ବଲିଉଡ୍ ଅଭିନେତ୍ରୀ ରେଖା ଗଣେଷନ, ମହିଳା ଉଦ୍ୟୋଗୀ ଅନୁ ଆଗା ଓ ପୂର୍ବତନ ଆଟର୍ଣ୍ଣି ଜେନେରାଲ କେ. ପରାସରନଙ୍କ ସ୍ଥାନରେ ପ୍ରସ୍ତର ଶିଳ୍ପୀ ମହାପାତ୍ର, ନୃତ୍ୟ ଶିଳ୍ପୀ ସେନାଲ ମାନସିଂହ, ଜନ ପ୍ରତିନିଧି ରାମ ସାକାଲ ଓ ପ୍ରଫେସର ରାକେଶ ସିହ୍ନାଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଛନ୍ତି । ତେବେ, ବିଜେପିର ରଘୁନାଥ – ସୋନାଲ ଓଡ଼ିଆ କାର୍ଡ ଓଡ଼ିଶାବାସୀଙ୍କ ମନରେ ବିଜେପି ପ୍ରତି କେତେଦୂର ଆଗ୍ରହ ସୃଷ୍ଟି କରିବ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଏଥିରୁ କେତେ ଫାଇଦା ପାଇବ, ତାହା ଆଗାମୀ ଦିନରେ ଜଣାପଡିବ । ବର୍ତମାନ ପାଇଁ ଦଳ ଏତିକି ମାତ୍ର କହି ପାରିବ ସଂସଦର ଉପର ଗୃହରେ (ରାଜ୍ୟସଭାରେ) ବିଜେପିର ଓଡ଼ିଶା ସାଂସଦ ସଂଖ୍ୟା ତିନିକୁ ବଢିଛି । କିନ୍ତୁ, ତଳ ଗୃହରେ (ଲୋକସଭାରେ) ଓଡ଼ିଶାର ୨୧ ସଂସଦ ମଧ୍ୟରେ ବିଜେପିର ପ୍ରତିନିଧିତ୍ୱ ହେଉଛି ଏକ । ୨୦୧୪ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ରୁ ଜୁଏଲ ଓରାମ (କେନ୍ଦ୍ର ସଂଖ୍ୟାଲଘୁ ଜାତି, ଉପଜାତି ମନ୍ତ୍ରୀ) ଯଦି ଜିତି ନଥା’ନ୍ତେ ଲୋକସଭାରେ ବିଜେପିର ଘର ଶୂନରେ ଚାଲିଥା’ନ୍ତା ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS